Unknown

 

 

 

 

 

 

 

 

 

ଶିଳା ଓ ଶାଳଗ୍ରାମ

ଚିତ୍ତରଞ୍ଜନ ଦାସ

 

ପ୍ରଥମ ସଂସ୍କରଣର ଭୂମିକା

 

ଏହି ପୁସ୍ତକରେ ସନ୍ନିବିଷ୍ଟ ହୋଇଥିବା ପ୍ରବନ୍ଧଗୁଡ଼ିକ ଗତ ଦଶବର୍ଷରେ ବିଭିନ୍ନ ସମୟର ଓ ବିଭିନ୍ନ ଉପଲକ୍ଷର ଲେଖା । ସେଗୁଡ଼ିକୁ ସାଉଣ୍ଟି ଆଣି ଏକାଠି କରିବାର ବିଚାର ମୋର ନୁହେଁ, ଶିଳ୍ପୀ-ବନ୍ଧୁ ଶ୍ରୀଯୁକ୍ତ ବିନୋଦ ରାଉତରାୟଙ୍କର । ତାଙ୍କର ଉତ୍ସାହ ଓ ପ୍ରେରଣା ମିଳି ନ ଥିଲେ ଏହି ପ୍ରବନ୍ଧଗୁଡ଼ିକୁ ଗୁନ୍ଥିବା ଆଦୌ ସମ୍ଭବ ହୋଇ ନଥାନ୍ତା । ପୁସ୍ତକଟିର ପ୍ରଚ୍ଛଦ ଚିତ୍ରଟି ମଧ୍ୟ ସେ ଅତି ଯତ୍ନରେ ଆଙ୍କି ଦେଇଛନ୍ତି । ତାଙ୍କୁ ମୁଁ କୃତଜ୍ଞତା ଜଣାଉଚି ।

 

ମୋର ବନ୍ଧୁ ଅଧ୍ୟାପକ ଶ୍ରୀଯୁକ୍ତ ଯତୀନ୍ଦ୍ର ମୋହନ ମହାନ୍ତି ପୁସ୍ତକଟିର ନାମକରଣ କରିଅଛନ୍ତି । ତାଙ୍କର ଏହି ସାହାଯ୍ୟ ସକାଶେ ମୁଁ ତାଙ୍କ ପାଖରେ ଋଣୀ ରହିବି ।

 

ପ୍ରବନ୍ଧଗୁଡ଼ିକରୁ କେତେକ ବିଭିନ୍ନ ସମୟରେ ଓଡ଼ିଶାର କେତେକ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା । ପ୍ରତ୍ୟେକ ପ୍ରବନ୍ଧର ଶେଷରେ ତାହାର ଉଲ୍ଲେଖ କରାଯାଇଚି । ସମ୍ପାଦକମାନଙ୍କ ପାଖରେ ମୁଁ କୃତଜ୍ଞତା ସ୍ଵୀକାର କରୁଚି ।

 

ବାଗଲପୁର,

ଗଣେଶ ଚତୁର୍ଥୀ, ୧୯୫୮

ଲେଖକ

Image

 

ପ୍ରକାଶକୀୟ

 

ଆମ ସମୟର ଓଡ଼ିଆ ସାହିତ୍ୟର ବିଶିଷ୍ଟ ପ୍ରାବନ୍ଧିକ ଓ ପ୍ରଖ୍ୟାତ ଚିନ୍ତାନାୟକ ପ୍ରଫେସର୍ ଚିତ୍ତରଞ୍ଜନ ଦାସଙ୍କ ଅଧୁନା-ଦୁଷ୍ପ୍ରାପ୍ୟ ଗ୍ରନ୍ଥ ଶିଳା ଓ ଶାଳଗ୍ରାମ ପ୍ରକାଶ କରି ଆମେ ଅତୀବ ଆନନ୍ଦିତ ।

 

ଉକ୍ତ ଗ୍ରନ୍ଥରେ ସର୍ବମୋଟ ସତରଟି ପ୍ରବନ୍ଧ ସ୍ଥାନିତ । ସେଥିରୁ ଛ’ଟି ଧର୍ମ ଓ ଦର୍ଶନ ସମ୍ବନ୍ଧୀୟ, ପାଞ୍ଚଟି ଭାଷା ଓ ସାହିତ୍ୟ ସମ୍ବନ୍ଧୀୟ, ଓ ବାକି ଛ’ଟି ଆମ ସମସ୍ତିଙ୍କି ଅତି ଗଭୀର ଭାବରେ ଛୁଉଁଥିବା କେତୋଟି ସମସ୍ୟା (ଯଥା ପ୍ରକୃତ ସ୍ଵାଧୀନତା, ସାଧନା, ତରୁଣତ୍ଵ ସଂସ୍କୃତି, ସେବା ଓ ନେତୃତ୍ଵର ସ୍ୱରୂପ) ଉପରେ ଆଧାରିତ । ପ୍ରାୟ ଅର୍ଦ୍ଧ-ଶତାବ୍ଦୀ ପୂର୍ବେ ଲେଖାଯାଇଥିବା ଏ ପ୍ରବନ୍ଧଗୁଡ଼ିକର ପ୍ରାସଙ୍ଗିକତା ଏବେ ମଧ୍ୟ ଅମଳିନ ।

 

ଆମର ବିଶ୍ଵାସ, ଚିତ୍ତରଞ୍ଜନ ଦାସଙ୍କ-ସାହିତ୍ୟ-ପ୍ରେମୀ ବନ୍ଧୁମାନେ ତାଙ୍କର ପ୍ରାବନ୍ଧିକ ଜୀବନର ଆଦ୍ୟ କାଳରେ ରଚିତ ଏଇ ଗ୍ରନ୍ଥଟି ପାଇ ଆମ ଭଳି ଆନନ୍ଦିତ ହେବେ ।

 

ଭୁବନେଶ୍ଵର

ବ୍ୟକ୍ତିଗତ ଟେଲିଫୋନ୍ : (୦୬୭୪) ୫୮୩ ୪୦୭

ଭାଗ୍ୟଧର ସାହୁ

ଫେବୃୟାରୀ ୧୯୯୯

Image

 

ବିଷୟ ସୂଚୀ

 

୧.

ଧର୍ମର ସାରକଥା

୨.

ଭାରତୀୟ ଦର୍ଶନର ପରିଚୟ

୩.

ଭାରତୀୟ ଧର୍ମରେ ପ୍ରତୀକ

୪.

ଧର୍ମ, ଭାରତବର୍ଷ, ଓ ପୃଥିବୀ

୫.

ବଡ଼ଦିନ ପର୍ବ

୬.

ଯୋରନ୍ଦା ଯାତ୍ରା

୭.

ଭାଷା–ହୃଦୟବିସ୍ତାରର ମାଧ୍ୟମ

୮.

ଓଡ଼ିଆ ସାହିତ୍ୟରେ ପଞ୍ଚସଖା

୯.

ଓଡ଼ିଆ ସାହିତ୍ୟ ଓ ବୌଦ୍ଧଧର୍ମ

୧୦.

କବି ବିଦ୍ୟୁତପ୍ରଭା

୧୧.

ଗୋପବନ୍ଧୁ ଓ ଓଡ଼ିଆର ଜାତୀୟତା

୧୨.

କମୁନିଷ୍ଟ ଭୟ

୧୩.

ଖଣ୍ଡିଏ ଚିଠି

୧୪.

ଭଗବାନ ଓ ଓଡ଼ିଆ ଜାତି

୧୫.

ଓଡ଼ିଶାରେ ଆସ୍ଥାନ ନାହିଁ ?

୧୬.

ଶ୍ରାଦ୍ଧ

୧୭.

ରାତି କେତେ ହେଲା ?

 

ଧର୍ମର ସାରକଥା

 

ଏତେ ଭିନ୍ନଭିନ୍ନ ପ୍ରଣାଳୀ ଓ ଦୃଷ୍ଟିଭଙ୍ଗୀରେ ବିଭିନ୍ନ ପଣ୍ଡିତ ଓ ଆଲୋଚକ ଧର୍ମର ବ୍ୟାଖ୍ୟା ଓ ଆଲୋଚନା କରିଛନ୍ତି ଯେ ଲାଟିନ୍ ଭାଷାରେ Relegionର ମୂଳ ବ୍ୟୁତ୍ପତ୍ତିଗତ ଅର୍ଥ ଖୋଜି ବାହାର କରିବାକୁ ଏକ ନିରର୍ଥକ ଉଦ୍ୟମ ବୋଲି କୁହାଯାଇ ପାରିବ । ବିଶେଷ କରି ଗତ ଏକଶତ ବର୍ଷ ମଧ୍ୟରେ ବିଦଗ୍ଧ ଓ ଅବିଦଗ୍ଧ, ପାଂକ୍ତେୟ ଓ ଅପାଂକ୍ତେୟ ଅନେକ ବ୍ୟକ୍ତି ଧର୍ମ ବିଷୟରେ ଆଲୋଚନା କରିଛନ୍ତି ଓ ଆପଣାର ମତ ପ୍ରକାଶ କରିଛନ୍ତି । Religion ଶବ୍ଦଟି ପ୍ରଥମେ କିପରି ଅର୍ଥରେ ବ୍ୟବହୃତ ହେଉଥିଲା, ସେ ସମ୍ବନ୍ଧରେ ଅବଗାହିତ ନଥାଇ ମଧ୍ୟ ଅନେକ ଆଧୁନିକ ଆଲୋଚକ ଧର୍ମବିଷୟକ ଆଲୋଚନା ଆଡ଼କୁ ଆକୃଷ୍ଟ ହୋଇଛନ୍ତି । ନାନା ଶ୍ରେଣୀର ନାନା ପଣ୍ଡିତ ଓ ତତ୍ତ୍ଵବାଦୀ,–ଅସ୍ତିବାଦୀ, ନାସ୍ତିବାଦୀ ଓ ନାସ୍ତ୍ୟସ୍ତିବାଦୀ (Agnostic) ସମସ୍ତଙ୍କର ମସ୍ତିଷ୍କ ଭିତରେ ଧର୍ମର ଆଲୋଚନା ଠିକ୍ ଅଫିମ ଭଳି କାମ କରିବି ।

 

ଏକଥା ଅବଶ୍ୟ ସ୍ଵୀକାର କରିବାକୁ ହେବ ଯେ ଆପଣାର ବିସ୍ମୃତି ଓ ମୋହମୁଗ୍ଧ ବିଚାରଭ୍ରମରେ ପଡ଼ି ମଣିଷ ଏକ ଅପାଚ୍ୟ ଓ ଅସଙ୍ଗତ ଭାଗବତ ସମଷ୍ଟି ତିଆରି କରିଚି ଓ ତାହାକୁ ହିଁ ଧର୍ମ ବୋଲି କହିବାକୁ ଆରମ୍ଭ କରିବି । ସ୍ଵେଚ୍ଛାଚାରୀ ଶାସକମାନେ ଅନେକ ସମୟରେ ଧର୍ମକୁ ଏକ ସହଜ ଅସ୍ତ୍ର ରୂପେ ବ୍ୟବହାର କରିଚନ୍ତି । ଆପଣା ନାମରେ ଏକ ବଡ଼ ଗୋଷ୍ଠୀ ବା ପନ୍ଥାର ପ୍ରତିଷ୍ଠା କରିବାର ଉଗ୍ରାଭିଳାଷ ଅନେକ ସମୟରେ ଧର୍ମକୁ ପାର୍ଥିବ ପ୍ରଲୋଭନର କବଳରେ ପକାଇ ଦେଇଚି । ଏହି ଲୋଭରେ ଅନ୍ଧପ୍ରାୟ ହୋଇ ଆମେ ଧର୍ମର ସାମ୍ରାଜ୍ୟ ସ୍ଥାପନ କରିବା ପରିବର୍ତ୍ତରେ ସାମ୍ରାଜ୍ୟ ବା କ୍ଷମତା ବଢ଼ାଇବାର ଏକ ଧର୍ମର ଲାଳସାରେ ପଡ଼ିଯାଇଚୁ । ସମାଜର ସୁବିଧାବାଦୀ ଶ୍ରେଣୀଗୁଡ଼ିକର ହାତରେ ପଡ଼ି ଅନେକ ସମୟରେ ଧର୍ମ ଅନେକ ହୀନ ବ୍ୟବହାରର ଅସ୍ତ୍ର ମଧ୍ୟ ହୋଇଚି । ବର୍ଣ୍ଣ, ଗୋଷ୍ଠୀ, ଦେଶ ଓ ଜାତିର ନାନା ସ୍ଲୋଗାନରେ ମାତିଥିବା ମଣିଷମାନେ ଧର୍ମର ସାହାଯ୍ୟ ନେଇ ସମାଜର ଦରିଦ୍ର ବଞ୍ଚିତ ଜନସାଧାରଣଙ୍କୁ ନାନା ପ୍ରକାର ମିଛ ସାନ୍ତ୍ଵନା ଦେଇ ଭୁଲାଇ ରଖିଛନ୍ତି । ସେମାନଙ୍କୁ ସବୁଦିନେ ଦରିଦ୍ର, ହୀନ ଓ ଭୟାଳୁ କରି ରଖିବାଲାଗି ସେମାନଙ୍କୁ ଧର୍ମର ଅଫିମ ଖୁଆଇ ଦେଇଛନ୍ତି ।

 

ଗତ ଶତାବ୍ଦୀର ମଧ୍ୟଭାଗରେ ଇଉରୋପୀୟ ଚିନ୍ତାର ଯାବତୀୟ କ୍ଷେତ୍ରକୁ ପ୍ରଭାବିତ କରିଥିବା ଡାରଉଇନଙ୍କ ଯାନ୍ତ୍ରିକ ବିବର୍ତ୍ତନବାଦ ଧର୍ମଭାବାନକୁ ମଧ୍ୟ ଅଳ୍ପ ବହୁତେ ଗ୍ରାସ କରିଚି ଓ ଲୋକଙ୍କର ମନ ଭିତରେ ଧର୍ମ ବିଷୟରେ ଏକପ୍ରକାର ସବଜାନତା ମନୋଭାବ ସୃଷ୍ଟି କରିପକାଇଚି । ବିଭିନ୍ନ ଆଦିବାସୀ ସମାଜର ନାନା ଟିକିନିଖି ତଥ୍ୟମାନ ଏକାଠି ଗଦା କରି ନୃତତ୍ତ୍ଵବିତମାନେ ତାହାରି ଭିତରୁ ଧର୍ମର ଉତ୍ପତ୍ତି କାରଣ ଖୋଜିବାର ବହୁ ପରିଶ୍ରମ କରିଛନ୍ତି । ଆଦିମ ସମାଜର ଚେର ମାଡ଼ି ରହିଥିବା ଯାଦୁ, କିମିଆ ଓ ଗୁଣିଗାରେଡ଼ିକୁ ଏକ ସଭ୍ୟ ଆଭରଣ ଦେବାକୁ ଯାଇ ଯେ ଧର୍ମର ସୃଷ୍ଟି ହୋଇଚି, ସେମାନେ ବେଳେ ବେଳେ ଏପରି ଅନୁମାନ କରିଥିବାର ମଧ୍ୟ ବେଶ୍ ସୂଚନା ମିଳେ । ଆଦିମ ମଣିଷ ପ୍ରକୃତିକୁ ଭୟ କରୁଥିଲା, ପ୍ରକୃତି ଆଗରେ ଆପଣାକୁ ସେ ଅତି ଶକ୍ତିହୀନ ଓ ଅସହାୟ ମନେ କରୁଥିଲା–ପ୍ରକୃତି ଉପରେ ତା’ର କୌଣସି ବଳ ନ ପାଇବାରୁ ସେ ପ୍ରକୃତିକୁ ତୁଷ୍ଟ ଓ ଶାନ୍ତକରି ରଖିବାକୁ ହିଁ ନାନାପ୍ରକାର ସାନ୍ତ୍ଵନାଜନକ ଉପଚାରର ଭିଆଣ କଲା । ତେଣୁ ଭୟ ଓ ଅସହାୟତାକୁ ହିଁ କେତେକ ପଣ୍ଡିତ ଧର୍ମର ଜନନୀ ବୋଲି କହନ୍ତି । ଆମର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପ୍ରୟୋଜନଗୁଡ଼ିକୁ ଏକ ଆଦର୍ଶ ଭାଗବତ ସ୍ତରକୁ ଉଠାଇ ଦେବାକୁ ଯାଇ ମଣିଷର ଧର୍ମ କଳ୍ପନା ଆରମ୍ଭ ହୋଇଚି ବୋଲି କେତେକ ମଧ୍ୟ ମତ ଦିଅନ୍ତି-

ଧର୍ମ ସମ୍ବନ୍ଧରେ ମନୋବୈଜ୍ଞାନିକମାନେ ଦେଉଥିବା ବ୍ୟାଖ୍ୟା ବୋଧହୁଏ ସବୁଠାରୁ ଅଧିକ କୌତୁହଳର ଉଦ୍ରେକ କରିଥାଏ । ମଣିଷର ମନରେ ଧର୍ମର ମାର୍ଗଦେଇ ଯେତେ ପ୍ରକାର ଅଭିଳାଷର ଜନ୍ମ ହୁଏ ଓ ଧର୍ମ ନାମରେ ମଣିଷ ଯେତେ ପ୍ରକାର ଉପଲକ୍ଷ ଓ ଉପଚାରମାନ ସୃଷ୍ଟି କରେ, ତାହା ସେ କେବଳ ଆପଣାର ସୁପ୍ତ ଓ ଅତୃପ୍ତ ଇଚ୍ଛାଗୁଡ଼ିକର ପୂରଣ ଲାଗି କରିଥାଏ ବୋଲି ମନୋବୈଜ୍ଞାନିକମାନେ କହନ୍ତି । ଧାର୍ମିକତାକୁ ଅନେକ ସମୟରେ ଏକ ନିଶା ବା ଆତ୍ମବିସ୍ମରଣ ବୋଲି କୁହାଯାଏ । ଧର୍ମାଚରଣକୁ ଏକ ମାନସିକ ପଳାୟନ ବୋଲି କୁହାଯାଏ । ମନୁଷ୍ୟର ବ୍ୟକ୍ତିତ୍ଵ-ବିକାଶର କ୍ରମରେ ଧର୍ମକୁ ଏକ ବିକୃତି ବୋଲି କୁହାଯାଏ । ଅନେକେ ପୁଣି ଧର୍ମକୁ ଏକ ଆଧ୍ୟାତ୍ମିକ କାମୁକତା ବୋଲି ବର୍ଣ୍ଣନା କରିଚନ୍ତି । ଇଉରୋପର କେତେକ ମନୋବୈଜ୍ଞାନିକ ଓ ମନୋନିରୂପକ ସେମାନଙ୍କର ଲାବୋରେଟରିରେ ନାନା ପ୍ରୟୋଗ ଓ ପରୀକ୍ଷା ଦ୍ଵାରା ଉପଲବ୍ଧ ଅନେକ ତଥ୍ୟ ଦର୍ଶାଇ ଯୀଶୁଖ୍ରୀଷ୍ଟଙ୍କର ଜୀବନକୁ କିପରି ମନୋବିକୃତିର ଏକ ଦୃଷ୍ଟାନ୍ତମାତ୍ର ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଚନ୍ତି, ସେକଥା ଆମଭିତରୁ ଅନେକ ଜାଣିଥିବେ ।

 

କିନ୍ତୁ ମୂଳତଃ ଏଥିମଧ୍ୟରୁ କୌଣସି ଗୋଟିଏ ବ୍ୟାଖ୍ୟାଦ୍ଵାରା ମଧ୍ୟ ଧର୍ମର ବିଚାର କରାଯାଇ ପାରିବ ନାହିଁ । ମନୁଷ୍ୟ ସମାଜର ଇତିହାସକୁ ବିଚାର କରି ଦେଖିଲେ ଆମେ ଏହା ହୃଦୟଙ୍ଗମ କରିପାରିବା । ଇତିହାସରେ ମନୁଷ୍ୟଜାତି ଉପରେ କୌଣସି ଦାରୁଣ ସଙ୍କଟ ଆସି ଉପସ୍ଥିତ ହେଲାବେଳେ ଧର୍ମ ମଣିଷକୁ ଆଶ୍ରୟ ଦେଇଚି, ଧର୍ମ ହିଁ ମଣିଷକୁ ମୁକ୍ତିର ଉପାୟ ଦେଖାଇଚି । ମନୁଷ୍ୟ ଜାତିର ସର୍ବୋତ୍ତମ ମହାପୁରୁଷ ଓ ମାର୍ଗଦର୍ଶକମାନେ ଧର୍ମକଥା ହିଁ କହିଚନ୍ତି-। ଏହି ମାନବ-ପୁତ୍ରମାନେ ହିଁ ଗୂଢ଼ତମ ଜ୍ଞାନର ଦ୍ଵାରକୁ ଆମ ଆଗରେ ଉନ୍ମୋଚନ କରିଦେଇଚନ୍ତି । ଧର୍ମ ଆମକୁ ସବୁବେଳେ ଏକ ସବଳ ନିର୍ଭର ଯୋଗାଇଚି । ଏହି ସଂସାରରେ ଆମର ଜୀବନର ଚରମ ଉପଲବ୍ଧି ପାଇଁ ଆମକୁ ଅଶେଷ ପ୍ରେରଣା ଦେଇଯାଇଚି ।

 

ମଣିଷ ମନରେ ଥିବା ଭୟର କେବଳ ଏକ ରୂପାନ୍ତରୀକରଣକୁ କଦାପି ଧର୍ମ କୁହାଯାଇ ପାରିବ ନାହିଁ । ଯିଏ ଆମକୁ ଭୟ ଦେଖାଏ, ସେ ଆମକୁ ଘଉଡ଼ାଇ ଦିଏ । ଆମେ ଯାହାକୁ ଭୟ କରୁ, ତାହା ପାଖରୁ ଦଉଡ଼ି ପଳାଇଯିବାକୁ ହିଁ ଆମର ଇଚ୍ଛା ହୁଏ । କିନ୍ତୁ ଧର୍ମ ଯେ ମଣିଷକୁ କଦାପି ଘଉଡ଼ାଇ ଦେଇନାହିଁ, ଇତିହାସରୁ ଏହାର ଅନେକ ପ୍ରମାଣ ମିଳିବ । ଆପଣାର ବିସ୍ମୃତି ମିହୂର୍ତ୍ତମାନଙ୍କରେ ହୁଏତ ମଣିଷ ବେଳେ ବେଳେ ଧର୍ମଠାରୁ ବିଚ୍ଛିନ୍ନ ହୋଇଯାଇଚି, କିନ୍ତୁ ତଥାପି ବାରବାର ସେ ସେହି ଧର୍ମପଥକୁ ଫେରିଆସିଚି, ଧର୍ମକୁ ତା’ ର ଚରମ ଆଶ୍ରୟ ବୋଲି ସ୍ଵୀକାର କରିଚି । ସଂସାର ଓ ମନୁଷ୍ୟସମାଜ ପ୍ରବଳ ସଂକଟ ଓ ବିନାଶର ସମ୍ମୁଖୀନ ହେଲାବେଳେ ମହାତ୍ମା ଓ ସନ୍ଥପୁରୁଷମାନେ ମଣିଷକୁ ଏହି ଧର୍ମପଥକୁ ଫେରି ଆସିବାର ଆହ୍ଵାନ ଜଣାଇ ଯାଇଚନ୍ତି ।

 

ରହ ଜୀବନର ଜଟିଳ ଓ ଦୈନନ୍ଦିନ ଜୀବନ ଭିତରେ ଗ୍ରସ୍ତ ହୋଇ ପଡ଼ିଥିଲାବେଳେ ଆମେ ସାଧାରଣତଃ ଜୀବନର ଏକ ଦ୍ଵୈତ କଳ୍ପନା କରିଥାଉ । ପୃଥିବୀକୁ ଆମେ ଦୁଇ ଭାଗରେ ବିଭକ୍ତ କରିଦେଉ । ବ୍ରହ୍ମାଣ୍ଡଟାକୁ ଆମେ କେବଳ ସହସ୍ର ବିରୋଧର ଏକ କିମ୍ଭୂତ ସମଷ୍ଟି ବୋଲି ଧରିନେଉ । ଭଲ ଓ ମନ୍ଦ, ଲାଭ ଓ କ୍ଷତି, ଉଚ୍ଚ ଓ ନୀଚ ଏବଂ ସର୍ବୋପରି ସ୍ଵର୍ଗ ଓ ନରକ, - ଏହିପରି ଏକ ଦ୍ଵିଖଣ୍ଡିତ ଜଗତ ଭିତରେ ଆମେ ମନେ ମନେ ବିଚରଣ କରୁଥାଉ । ଆମର ଜୀବନଦୃଷ୍ଟି ଏହିପରି ଦୁଇଭାଗରେ ବିଭକ୍ତ ହୋଇଯାଇଥାଏ । ଆମକୁ ଭଲ ବା ଖରାପ ଲାଗିବା ଅନୁସାରେ ଆମେ ଆମର ମତଗୁଡ଼ିକୁ ମଧ୍ୟ ତିଆରି କରି ପକାଉ । ଏହିପରି ଏକ ବିଭେଦ-ଦୃଷ୍ଟି ଦ୍ଵାରା ଉତ୍ପୀଡ଼ିତ ହୋଇ ଆମେ ଜୀବନ ବଞ୍ଚିବାର ଚେଷ୍ଟା କରୁ ଏବଂ ଏକ ଦାରୁଣ ଅନିଶ୍ଚିୟତା ଓ ଅସହାୟତାର ଜାଲ ଭିତରେ ଛନ୍ଦିହୋଇପଡ଼ୁ । କିନ୍ତୁ ଜୀବନର ଏକ ପ୍ରଶାନ୍ତ ମୁହୂର୍ତ୍ତରେ ଯେତେବେଳେ ଆମେ ସ୍ଥିର ହୋଇ ଆପଣ ତଥା ଜଗତ ଉପରେ ଦୃଷ୍ଟିପାତ କରୁ, ଯେତେବେଳେ ଆମେ ଆପଣାର ଗଭୀରରେ ପ୍ରବେଶ କରି ଆପଣା ସହିତ ବହିର୍ଜଗତର କୌଣସି ସମ୍ବନ୍ଧ ଖୋଜିବାର ଚେଷ୍ଟା କରୁ, ସେତେବେଳେ ଆମେ ଅନୁଭବ କରୁ ଯେପରି ଏହି ସମସ୍ତ ସହିତ ଆମେ ଏକ ଅଦୃଶ୍ୟ ସୂତ୍ରରେ ସଂଯୁକ୍ତ ହୋଇ ରହିଚୁ । କେବଳ ବର୍ତ୍ତମାନ ନୁହେଁ, ଅତୀତ ଓ ଅନାଗତ ସହିତ ମଧ୍ୟ ଆମେ ସେହି ଗୋଟିଏ ସୂତ୍ରରେ ବନ୍ଧାହୋଇ ରହିଥିବା ପରି ଅନୁଭବ କରୁ । ବୁଦ୍ଧିର ସମସ୍ତ ବିଭେଦ ଓ ଖଣ୍ଡିତତା ବିଲୀନ ହୋଇଯାଏ । ହୃଦୟ ଓ ଇଛାଶକ୍ତିର ସମସ୍ତ ବୃତ୍ତି ଓ ପ୍ରବୃତ୍ତି ଆପଣା ନୀଡ଼କୁ ବାହୁଡ଼ି ଆସେ । ସବୁ ମିଶି କେବେଳ ଏକ ସମଗ୍ର ଓ ସମ୍ବଦ୍ଧ ଚେତନାରୂପେ ଅବଶିଷ୍ଟ ରହିଯାଏ । ସବୁପ୍ରକାର ନାମ ଓ ରୂପ ଏକାକାର ଓ ଏକଲୀନ ହୋଇଯାଏ-। ଆମର ଅନ୍ତର୍ଦୃଷ୍ଟି ସାହାଯ୍ୟରେ ଆମେ ସବୁପ୍ରକାର ଚେତନା-ସ୍ରୋତକୁ ଏକ ଅଖଣ୍ଡ ଜୀବନର ମହାସମୁଦ୍ର ରୂପରେ ପ୍ରତ୍ୟକ୍ଷ କରୁ,- ସେହି ମହାସମୁଦ୍ରରୁ ସେଗୁଡ଼ିକ ଉତ୍ସରିତ ହେଉଥାନ୍ତି ଓ ପୁଣି ସେହିଥିରେ ହିଁ ବିଲୀନ ହୋଇଯାଉଥାନ୍ତି ।

 

ଏହି ଉତକ୍ରାନ୍ତ ଚେତନାଶକ୍ତି ଆମ ସମସ୍ତଙ୍କ ଭିତରେ ଅନ୍ତର୍ନିହିତ ହୋଇ ରହିଚି । ଆମ ଜୀବନର ସର୍ବଶ୍ରେଷ୍ଠ ଉପଲବ୍ଧିର ମୁହୂର୍ତ୍ତରେ ଏହା ଆମକୁ ଅବଶ୍ୟ ପ୍ରେରଣା ଦେଇଚି । ଆମର କୌଣସି ଯୋଗ୍ୟ ଅନ୍ଵେଷଣକୁ ଏହା କଦାପି ପ୍ରତ୍ୟାଖ୍ୟାନ କରିନାହିଁ । ଏହି ଚେତନାଶକ୍ତିର ସାହସିକ ଯାତ୍ରାର କାହାଣୀ ହିଁ କାଳକ୍ରମେ ଧର୍ମନାମରେ ଅଭିହିତ ହୋଇଚି । ଏହି ଯାତ୍ରାର ଉପଲବ୍ଧ ପରମ ସମ୍ପଦକୁ ଏକ ଚରମ ସତ୍ୟ, ବ୍ରହ୍ମ ବା ଆହୁରି ନାନା ନାମରେ ପ୍ରକାଶିତ କରିବାର ଚେଷ୍ଟା କରାଯାଇଛି । ଅନେକକୁ ଏକତ୍ର ଆବୃତି କରି ଏକ ବିଦ୍ୟମାନ ରହିଚି, କାଳ ଓ ଦେଶକୁ ଅତିକ୍ରମ କରି ସେ ବିଦ୍ୟମାନ ରହିଚି, ସେହି ଏକରୁ ହିଁ ସମସ୍ତ ସମ୍ଭୂତ ହୋଇଚି । ସେହି ଏକରେ ହିଁ ସମସ୍ତେ ଜୀବନ ଧାରଣ କରି ରହିଚନ୍ତି । ମଣିଷର ଏହି ଘୋଷଣା ହେଉଚି ତାର ସବୁଠାରୁ ଅଧିକ ସାହସୀ ଘୋଷଣା । ଏ ଯେଉଁ ତେଜୋମୟ ଓ ଅମୃତମୟ ପୁରୁଷ ଆକାଶରେ ବ୍ୟାପ୍ତ ହୋଇ ରହିଚନ୍ତି, ସେ ମୋର ଆତ୍ମାରେ ମଧ୍ୟ ରହିଚନ୍ତି–ପ୍ରାଚୀନ ଭାରତର ଋଷିମନେ ଏହି ମନ୍ତ୍ର ଉଚ୍ଚାରଣ କରିଚନ୍ତି । ଦାର୍ଶନିକମାନେ ଏହି ଏକକୁ ଅଯୋନି-ସମ୍ଭୂତ, ଅନାଦି କାରଣ, ସୂତ୍ରାତ୍ମା ଓ ପରମାତ୍ମା ପ୍ରଭୃତି ନାନା ନାମରେ ବର୍ଣ୍ଣନା କରିଚନ୍ତି ।

 

ଧର୍ମ-ଜୀବନକୁ ଏକ ପ୍ରକାଶରୂପ ଦେବାକୁ ଚେଷ୍ଟାକରି ମଣିଷ ସଂସାରରେ ଯାହା ସବୁ ଗଢ଼ିଚି, ତାହା ସହିତ ଆମେ ଯେପରି ଧର୍ମର ମୂଳ ଭାବନାକୁ ଗୋଳେଇ ମିଶାଇ ନ ଦେଉ । ଗୀର୍ଜା, ଦେଉଳ, ପନ୍ଥା, ସମ୍ପ୍ରଦାୟ, ଆଚାର ଓ ଅନୁଶାସନ ପ୍ରଭୃତି ନାନା ଅନୁଷ୍ଠାନ ଦ୍ଵାରା ମନୁଷ୍ୟ କେବଳ ସେହି ‘ଏକମେବାଦ୍ଵିତୀୟଂ’ର ସମୀପବର୍ତ୍ତୀ ହେବାର ଉଦ୍ୟମ କରିଚି ମାତ୍ର । ରାମ ଓ କୃଷ୍ଣ ପ୍ରଭୃତି ଈଶ୍ଵରୀୟ ଅଭିଧାମାନଙ୍କୁ ସେହି ଏକକୁ ନିର୍ଦ୍ଦେଶ କରିଦେଉଥିବା ପ୍ରତୀକ ହିସାବରେ ବୁଝିବାକୁ ହେବ । ପ୍ରତୀକ ପାଖରେ ଅଟକିଯାଇ ବା ବାନ୍ଧିହୋଇ ପଡ଼ି ଆମର ଅନେକ ଆଧ୍ୟାତ୍ମିକ କ୍ଷତି ହୋଇଚି । ପ୍ରତୀକରୁ ପ୍ରତୀକ ଦ୍ଵାରା ସୂଚିତ ବା ନିର୍ଦ୍ଦିଷ୍ଟ ହୋଇଥିବା ସତ୍ୟଟିକୁ କାଢ଼ି ନେଲେ କେବଳ ଏକ ନିରର୍ଥକ ଛାଞ୍ଚ ହିଁ ଅବଶିଷ୍ଟ ରହିଯାଏ । ସତ୍ୟ ନ ଥିଲେ ସନ୍ତକ କେବଳ ଗୋଟିଏ ଫମ୍ପା ମାଠିଆ ପରି ମୂଲ୍ୟହୀନ ହୋଇପଡ଼େ । ଆପଣାର ସନ୍ତକଟାକୁ ଅନ୍ୟମାନଙ୍କର ସନ୍ତକଠାରୁ ଅଲଗା ଓ ଅଧିକ ଆଡ଼ମ୍ବରପୂର୍ଣ୍ଣ କରି ଦେଖାଇବାର ଉତ୍ତେଜିତ ଆଗ୍ରହରେ ପଡ଼ିଯାଇ ଆମେ ସନ୍ତକ ଭିତରେ ସତ୍ୟଟିକୁ ହଜାଇ ଦେଇ ବସୁ । ଆମେ ବିଶ୍ଵାସ କରୁଥିବା ଧର୍ମ ଓ ଧର୍ମ-ସନ୍ତକର ସମ୍ପୁର୍ଣ୍ଣ ତାତ୍ପର୍ଯ୍ୟଟିକୁ ବୁଝିବାକୁ ଆଦୌ ଚେଷ୍ଟା ନ କରି ଅନେକ ସମୟରେ ଆମେ ପାଗଳ ହୋଇ ଯାଇଚୁ । ସେଥିପାଇଁ କେତେ ରକ୍ତପାତ କରିଚୁ ଓ ଧର୍ମଭ୍ରମରେ କେତେ ଅଧର୍ମକୁ ଜଗତକୁ ଡାକି ଆଣିଚୁ । ମଧ୍ୟଯୁଗୀୟ ଇଉରୋପର ମହାନ ସନ୍ଥପୁରୁଷ ମାଇଷ୍ଟର ଏକହାର୍ଟ ସନ୍ତକଗୁଡ଼ିକରେ ସତ୍ୟର ଭ୍ରମ କରିବା ବିଷୟରେ ଆମକୁ ସତର୍କ କରି ଦେଇଚନ୍ତି ।

 

ବିଶ୍ଵାତ୍ମା ବା ପରମାତ୍ମାରେ ଜୀବାତ୍ମାର ପୂର୍ଣ୍ଣ ଉପଲବ୍ଧି–ଏହା ହିଁ ହେଉଚି ଧର୍ମର ମୂଳ କଥା ଓ ମୂଳ ବାଣୀ । ଏହି ବାଣୀ ଅବଶ୍ୟ ବିଭିନ୍ନ ଭଙ୍ଗୀରେ ପ୍ରକାଶିତ ହୋଇଚି । ଉଚ୍ଚରୁ ଉଚ୍ଚତର ସ୍ତରକୁ ଉଠିବାଲାଗି ଜୀବାତ୍ମା ନିରନ୍ତର ଆପଣା ଭିତରେ ଏକ ସ୍ଵାଭାବିକ ପ୍ରେରଣା ଅନୁଭବ କରେ, ଶେଷରେ ଶୁଦ୍ଧ ଚୈତନ୍ୟର ସ୍ତରରେ ପରମାତ୍ମା ସହିତ ମିଳିତ ହେବାର ଆକାଂକ୍ଷା ସେ ରଖିଥାଏ । ସେହି ସ୍ତରରେ ଉପନୀତ ହେଲେ ମଣିଷର ସମସ୍ତ ଦ୍ଵୈତ ସଂଶୟମାନ ଖସିପଡ଼େ, ମଣିଷ ଶାନ୍ତ ହୋଇଯାଏ, ପରମ ଓ ଚରମ ସତ୍ୟଭିତରେ ସେ ଆପଣାର ସତ୍ୟ-ପରିଚୟ ଲାଭକରେ । ଉପନିଷଦର ମନ୍ତ୍ରରେ ଏହି ପରମାତ୍ମା ଓ ଚିରନ୍ତନ ମିଳନର କଥା ହିଁ କୁହାଯାଇଚି । ମାନବୀୟ ଅନ୍ତର୍ଦୃଷ୍ଟି ରୂପକ ମହାସାଗରର ବେଳାଭୂମିରେ ଏହି ଉପନିଷଦଗୁଡ଼ିକୁ କ୍ଷୁଦ୍ର କ୍ଷୁଦ୍ର ଅଥଚ ଅମୂଲ୍ୟ ରତ୍ନବୋଲି କହିବାକୁ ହେବ । ତମସା ଭିତରୁ ଜ୍ୟୋତିକୁ, ଅସତରୁ ସତକୁ ଏବଂ ମୃତ୍ୟୁରୁ ଅମୃତ ଭିତରକୁ ନେଇଯିବାକୁ ଏହି ଉପନିଷଦରେ ପ୍ରାର୍ଥନା କରାଯାଇଛି । ପ୍ରତ୍ୟେକ ବ୍ୟକ୍ତି ହେଉଚି ଗୋଟିଏ ଅଣୁ, ଗୋଟିଏ ବ୍ରହ୍ମାଣୁ, ଏହାରି ଭିତରେ ଅସୀମ ଓ ଅନିର୍ବଚନୀୟ ବିଶ୍ଵବ୍ରହ୍ମାଣ୍ଡ ନିହିତ ହୋଇ ରହିଚି । ଏହି ନିହିତ ଅସୀମ ସହିତ ପରିବ୍ୟାପ୍ତ ଅସୀମର ମିଳନ କରାଇବାକୁ ହିଁ ପ୍ରତ୍ୟେକ ଧର୍ମ ଆପଣାର ଉଦ୍ଦେଶ୍ୟ ବୋଲି ଘୋଷଣା କରିଚନ୍ତି । ମଣିଷ ଭିତରେ ରହିଥିବା ଦିବ୍ୟତା ବିଶ୍ଵ ଭିତରେ ଭରି ରହିଥିବା ଦିବ୍ୟତା ବା ସମଗ୍ରତା ସହିତ ମିଶିଯିବାକୁ ହିଁ ଦେଢ଼ ହଜାର ବର୍ଷ ତଳର ବୌଦ୍ଧ ଋଷିମାନେ ଧର୍ମର ସାରକଥା ବୋଲି କହିଚନ୍ତି ।

 

କୌଣସି ପ୍ରକାର ମାନସିକ ସମ୍ମୋହନ ବା କାୟକୃଚ୍ଛ ଦ୍ଵାରା ଇଚ୍ଛା ଶକ୍ତିକୁ ଜଡ଼ପ୍ରାୟ କରିଦେଇ ମଣିଷ ଘଡ଼ିଏ ଦି’ ଘଡ଼ି ପାଇଁ ଯେଉଁ ବିସ୍ମୃତି ବା ଅଭିଭୂତତା ଅନୁଭବ କରେ, ପରମାର୍ଥ ଉପଲବ୍ଧିକୁ ତାହା ସହିତ ଏକାଠି ଘାଣ୍ଟିଦେଲେ ଆମେ ଭାରି ଭୁଲ କରିବା । ପ୍ରକୃତ ଧର୍ମରେ ଯାଦୁ ବା କିମିଆର କୌଣସି ଗନ୍ଧ ନାହିଁ । ଧର୍ମ ହେଉଚି ଏକ ପରିପୂର୍ଣ୍ଣ ଜୀବନ ଭିତରେ ଭଗବାନଙ୍କର ସାତତ୍ୟର ଅନୁଭୂତି । ହଠାତ୍ ଚାପରେ ପରିବର୍ତ୍ତନ ହେବା ଫଳରେ ସଂଘଟିତ ହେଉଥିବା ଘୂର୍ଣ୍ଣିବାୟୁ ବା ବାତରୋଗୀକୁ ଆକ୍ରମଣ କରୁଥିବା ଅଙ୍ଗୋପସର୍ଗ ସହିତ ଧର୍ମୋପଲବ୍ଧିର ତୁଳନା କରାଯାଇ ପାରିବ ନାହିଁ । ରୁଗ୍ଣ ମନ କୌଣସି ଧର୍ମ ଅର୍ଜନ କରିପାରିବ ନାହିଁ । ସ୍ପିନୋଜାଙ୍କ ଭାଷାରେ କହିବାକୁ ଗଲେ କେବଳ ସୁସ୍ଥ ପ୍ରକୃତିର ମଣିଷର ହିଁ ଧର୍ମ ଉପରେ ଅଧିକାର ରହିଚି । ଧର୍ମ ଯେତେବେଳେ ଜୀବନ ଉପରେ ଏକ ଜଳବାୟୁ ହୋଇ ରହେ, ଜଳବାୟୁ ପରି ଯେତେବେଳେ ତାହା ଜୀବନର ସମସ୍ତ ପ୍ରବୃତ୍ତିକୁ ଭେଦିପାରେ ଓ ସେଗୁଡ଼ିକୁ ଉତ୍ତୋଳିତ କରିନିଏ, ସେତିକିବେଳେ ଅସଲ ଧର୍ମ ସମ୍ଭବ ହୁଏ ।

 

କିନ୍ତୁ ଏହି ଉପଲବ୍ଧିର ଉପାୟ କ’ଣ ? କଃ ପନ୍ଥା ? ଏଇ ମାର୍ଗ ବା ସେହି ମାର୍ଗର ଉପାଦେୟତା ବିଷୟରେ କଳହ କରି ଆମେ ଯେତେ ମୁଣ୍ଡ ଲଢ଼ାଇ କରିବାକୁ ବାହାରିଲେ ମଧ୍ୟ ଇତିହାସର ପ୍ରତ୍ୟେକଟି ମାର୍ଗର ଭୂମି ସେହି ଏକ । ସଂସାରର ସମସ୍ତ ମାୟା ତୁଟାଇବାକୁ ପଡ଼ିବ, ସମସ୍ତ ଜାଲ ଛିଡ଼ାଇବାକୁ ପଡ଼ିବ, ଅହଂ ଓ ଇନ୍ଦ୍ରିୟ-ବିଷୟର ସମସ୍ତ କ୍ଷୁଦ୍ରାୟଚନ ଅତିକ୍ରମ କରିଯିବାକୁ ପଡ଼ିବ । ଆମର ଆପଣା ଭିତରେ ରହିଥିବା ବାସନା ଓ କାମନା ହିଁ ଆମକୁ ସବୁଠାରୁ ଅଧିକ ତାଡ଼ନା ଦେଇ ମାରେ । ଆମର ଜୀବନକୁ ନାନା ଭାଗ ଓ ଭେଦରେ ବିଭକ୍ତ ଓ ଖଣ୍ଡିତ କରି ରଖିଥାଏ । ଐହିକ ଜୀବନରେ ଏହିସବୁ କ୍ଷୁଦ୍ର ଓ ସଂକୀର୍ଣ୍ଣ ବନ୍ଧନରୁ ମୁକ୍ତ ରହିପାରିଲେ ମଣିଷର ମୁକ୍ତି ହୋଇପାରିବ । ସବୁ ପ୍ରକାରର କ୍ଷଣିକତା ଓ କ୍ଷୁଦ୍ରତା ପ୍ରତି ଦ୍ଵାର ବନ୍ଦକରି ରଖିପାରିଲେ ତେଣେ ଅଧ୍ୟାତ୍ମିକ ଭୂମିରେ ଆମର ଦ୍ଵାର ଖୋଲି ଯାଇପାରିବ । ଆଧ୍ୟାତ୍ମିକ ଭୂମିର ସଂସ୍ପର୍ଶରେ ଆସିଲେ ଆମର ଯାବତୀୟ ଜୀବନ-ଭୂମି ଅଧ୍ୟାତ୍ମିକତାରେ ଆର୍ଦ୍ର ହୋଇଯିବ । କ୍ଷଣିକତାର ପୃଥିବୀରେ ମରିଯାଇ ପାରିଲେ ଆମେ କ୍ଷଣାତୀତ ବା କାଳାତୀତ ଭୂମିରେ ପୁନର୍ଜୀବନ ଲାଭ କରିପାରିବା । ଏହି ଭୂମିକୁ ବୁଦ୍ଧଦେବ ନିର୍ବାଣ ବୋଲି କହିଛନ୍ତି । ନିର୍ବାଣ ଅର୍ଥାତ୍ ଅହଂର ନିର୍ବାପନ-। ନିର୍ବାଣର ଏହି ଭୂମି ଉପରେ ଆଧ୍ୟାତ୍ମିକ ଜୀବନର ପରବର୍ତ୍ତୀ ସୋପନଗୁଡ଼ିକୁ ଦଣ୍ଡାୟମାନ ହେବାକୁ ପଡ଼ିବ । ନାନା ଧର୍ମରେ, ନାନା ଧର୍ମପୁରୁଷଙ୍କର ବାଣୀରେ ଏହି ନିର୍ବାପନ ବା ଆଧ୍ୟାତ୍ମିକ ମରଣର ବହୁ ଉଲ୍ଲେଖ ଦେଖିବାକୁ ମିଳେ । ଯିଏ ନିଜକୁ ବଞ୍ଚାଇବାକୁ ଚାହିବ, ସେ ନିଜକୁ ହରାଇବ; ଯିଏ ନିଜକୁ ହରାଇବାକୁ ଚାହିବ, ସେହି କେବଳ ନିଜକୁ ରକ୍ଷା କରିପାରିବ–ଏହା ହେଉଚି ଯୀଶୁଖ୍ରୀଷ୍ଟଙ୍କର ଉକ୍ତି । ସକ୍ରେଟିସଙ୍କର ଭାଷାରେ କହିଲେ,–ଯେଉଁମାନେ ଯଥାର୍ଥ ଦର୍ଶନର ଆଲୋଚନା ଓ ଅନୁଶୀଳନ କରୁଛନ୍ତି, ସେମାନେ ମରଣର ହିଁ ସମୀପବର୍ତ୍ତୀ ହେବାକୁ ଉଦ୍ୟମ କରୁଛନ୍ତି । ସମ୍ପୂର୍ଣ୍ଣରୂପେ ମରିଯାଇଥିବା ବ୍ୟକ୍ତି ହିଁ ଭଗବତସାମ୍ରାଜ୍ୟରେ ପ୍ରବେଶ କରିପାରିବ ବୋଲି ମାଇଷ୍ଟର ଏକହାର୍ଟ ଘୋଷଣା କରିଛନ୍ତି । ମୁକ୍ତ ମଣିଷ ମୃତ୍ୟୁକୁ ବାଦଦେଇ କୌଣସି ଚିନ୍ତା କରିପାରେ ନାହିଁ, ଏହା ହେଉଚି ସ୍ପିନୋଜାଙ୍କର ମତ ।

 

ସମ୍ପୂର୍ଣ୍ଣ ଜୀବନ ହେଉଚି ଧର୍ମର ଲକ୍ଷ । ନାନା ମାର୍ଗ ଓ ସୋପାନରୁ ଉତ୍ତୀର୍ଣ୍ଣ ହୋଇ ପୂର୍ଣ୍ଣ ଓ ଭେଦାତୀତର ଉପଲବ୍ଧି କରିବା ହେଉଚି ଧର୍ମର ରାସ୍ତା । ଆଜି ପୃଥିବୀରେ ସବୁ କଥା ସମଗ୍ର ସହିତ ସମ୍ପର୍କ ଓ ସୁତ୍ର ହରାଇ ପକାଇଚି, ଜୀବନ ବଡ଼ ଛନ୍ଦହୀନ ହୋଇପଡ଼ିଚି, ତେଣୁ ଏହି ପୃଥିବୀ ପାଇଁ ଧର୍ମର ଏକ ଶକ୍ତିଶାଳୀ ଆହ୍ଵାନ ରହିଚି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ–ବ୍ୟକ୍ତିଗତ ତଥା ସାମାଜିକ ସ୍ତରରେ, ଆଜି ନାନାପ୍ରକାରର ଦ୍ଵନ୍ଦ ଆମକୁ ଅବଶ କରି ରଖିଚି । ଘରେ ଆଉ ବାହାରେ ଆଜି ସବୁଠାରେ ଅଶାନ୍ତି । ଧର୍ମାକାଂକ୍ଷୀ ପ୍ରତ୍ୟେକ ବ୍ୟକ୍ତି ପକ୍ଷରେ ଆଜିର ଏହି ସ୍ଥିତି ଏକ ବିରାଟ ଆହ୍ଵାନ । ଯେଉଁ ଦେଉଳରେ ଯେଉଁ ଦେବତାକୁ ସେ ପୂଜା କରୁଥାଉ ନା କାହିଁକି, ତା’ର ଦୁଆରେ ଏହି ଆହ୍ଵାନ ଅବଶ୍ୟ କରାଘାତ କରିବ । ଜଗତରେ ଦିନେ ଧର୍ମର ସାମ୍ରାଜ୍ୟ ପ୍ରତିଷ୍ଠିତ ହେବ, ଇଶ୍ଵରଙ୍କର ଆଲୋକ ଓ ପ୍ରେମ ଏ ଜଗତକୁ ଶାସନ କରିବ ବୋଲି ଯେଉଁମାନେ ଆଜି ମଧ୍ୟ ବିଶ୍ଵାସ କରନ୍ତି, ସେମାନଙ୍କୁ ବର୍ତ୍ତମାନର ସଂଗଠିତ ବିଭେଦ ଓ ବିଦ୍ଵେଷର ଅବଶ୍ୟ ସମ୍ମୁଖୀନ ହେବାକୁ ପଡ଼ିବ । ସେମାନଙ୍କର ପଥ ବଡ଼ ଦୁର୍ଗମ । ଧର୍ମର ପଥ ସବୁଦିନେ ଏହିପରି ଦୁର୍ଗମ । ‘କ୍ଷୁରସ୍ୟଧାରା ନିଶିତା ଦୁରଚ୍ୟୟା ଦୁର୍ଗଂ ପଥଃ ତତ୍ କବୟଃ ବଦନ୍ତି ।’ ହସି ହସି କ୍ରସକୁ ବରଣ କରି ନେଇଥିବା ସେହି ମହାନ୍ ପୁରୁଷ ପରା କହିଥିଲେ, “ଯିଏ ମୋ ପାଖରେ ଅଛି, ସେ ନିଆଁ ପାଖରେ ଅଛି।”

 

କୋପେନହେଗେନ୍, ଡେନମାର୍କ

ଜାନୁଆରୀ, ୧୯୫୧

Image

 

ଭାରତୀୟ ଦର୍ଶନର ପରିଚୟ

 

ଭାରତୀୟ ଦର୍ଶନ ଅତି ପ୍ରାଚୀନ ଦର୍ଶନ, ଏହାର ଇତିହାସ ଯୁଗଯୁଗର ଇତିହାସ । ଭାରତୀୟ ଦର୍ଶନର ବିଭିନ୍ନ ମତ ବା ମାର୍ଗ ଠିକ୍ କେଉଁ ଯୁଗରେ ପ୍ରାଧାନ୍ୟ ଲାଭ କରିଥିଲା, ପରସ୍ପରର ଅନୁକ୍ରମରେ ତାହା କେହି ନିର୍ଭୁଲ ଭାବରେ କହିପାରିବ ନାହିଁ । ତଥାପି ଆମେ ଆମର ମନ ଭିତରେ ଭାରତୀୟ ସଂସ୍କୃତିର ସେହି ପୁଷ୍ପାୟିତ ଯୁଗର କଳ୍ପନା କରିପାରିବା, ଯେତେବେଳେ ସଂସାରରୁ ନିର୍ଲିପ୍ତ ହୋଇ ପାରିବା ବ୍ୟକ୍ତିକୁ ହିଁ ବିଦ୍ୟାର ଅଧିକାର ମିଳୁଥିଲା । ସମାଜର ଅଗାଧ ପ୍ରତିଭା-ସମ୍ପନ୍ନ ବ୍ୟକ୍ତିମାନେ ସେତେବେଳେ କୋଳାହଳମୟ ବ୍ୟସ୍ତ-ଜୀବନରୁ ଏକାନ୍ତକୁ ଅପସରି ଯାଉଥିଲେ, ଅରଣ୍ୟର ଆଶ୍ରମରେ ସ୍ଥିର ଜିଜ୍ଞାସାର ମନୋଦୃଷ୍ଟି ରଖି ସେମାନେ ସମଗ୍ର ଜୀବନର ମୂଲ୍ୟ ଅନ୍ଵେଷଣ କରୁଥିଲେ, ଆପଣାର ସମସ୍ତ ଅନ୍ଵେଷଣକୁ ସମସ୍ତ ତତ୍ତ୍ଵାବଧାରଣାର ଆଦିମୂଳ, ପରମ ସତ୍ୟ ଓ ପରମ କାରଣ ପର୍ଯ୍ୟନ୍ତ ପ୍ରଲମ୍ବିତ କରି ଦେଉଥିଲେ ।

 

ଭାରତୀୟ ଦର୍ଶନକୁ ସାଧାରଣତଃ ଷଡ଼ଙ୍ଗ ବା ଛଅଟି ଅଙ୍ଗବିଶିଷ୍ଟ ବୋଲି କୁହାଯାଏ । ଏଥିରେ ଛଅଟି ପ୍ରଧାନ ମାର୍ଗକୁ ଅନ୍ତର୍ଭୁକ୍ତ କରାଯାଇଚି । ସେଗୁଡ଼ିକ ହେଉଚି ବେଦାନ୍ତ, ସାଂଖ୍ୟ, ଯୋଗ, ମୀମାଂସା, ନ୍ୟାୟ ଓ ବୈଶେଷିକ । ସମୂହ ଭାବରେ ଭାରତୀୟ ଦର୍ଶନ ସମ୍ବନ୍ଧରେ କୌଣସି ବିଚାର କରିବା ପୂର୍ବରୁ ପ୍ରଥମେ ପ୍ରତ୍ୟେକ ଦାର୍ଶନିକ ମାର୍ଗ ସହିତ ଆମକୁ ସଂକ୍ଷିପ୍ତ ପରିଚୟ ଲାଭ କରିବାକୁ ହେବ ।

 

ବେଦାନ୍ତକୁ ଅନେକ ସମୟରେ ଭାରତୀୟ ଦର୍ଶନର କେନ୍ଦ୍ର ବୋଲି କୁହାଯାଏ । ଏହାକୁ କେନ୍ଦ୍ରକରି ଓ ଏହାରି ସହିତ ସମ୍ବନ୍ଧ ସ୍ଥାପନ କରି ଅନ୍ୟାନ୍ୟ ଦାର୍ଶନିକ ମାର୍ଗର ବିଚାର କରାଯାଇଥାଏ । ପ୍ରଧାନ ପ୍ରଧାନ ଉପନିଷଦ ଓ ଭଗବତଗୀତାରେ ଏହି ଦର୍ଶନର ଚର୍ଚ୍ଚା କରାଯାଇଚି । ଯାବତୀୟ ଦେବଦେବୀ–କଳ୍ପନାର ସୀମା ଅତିକ୍ରମ କରି ଏହା ସତ୍ୟକୁ ବ୍ରହ୍ମ ବୋଲି ଘୋଷଣା କରିଚି । ଏହି ବ୍ରହ୍ମ ସକଳ ଜୀବ, ସମସ୍ତ କାଳ ଓ ଦେଶ ମଧ୍ୟରେ ପରିବ୍ୟାପ୍ତ ହୋଇ ରହିଚି । ଜଡ଼ ଅର୍ଥାତ୍ ସୃଷ୍ଟି ହୋଇଥିବା ସଂସାର ଏହି ବ୍ରହ୍ମଠାରୁ ବିଚ୍ଛିନ୍ନ ହୋଇଗଲେ ତାହାକୁ ମାୟାବୋଲି କୁହାଯାଏ । ମାୟା ଏକ ସତ୍ୟ ନୁହେଁ, ଏହା ହେଉଚି ଏକ ଅବିଦ୍ୟା, ଆମର ଅଜ୍ଞାନର ଏକ ସ୍ଵାଭାବିକ ପରିଣତି । ଦ୍ଵୈତ ମାର୍ଗର ପଣ୍ଡିତପୁଙ୍ଗର ଶଙ୍କରଙ୍କର ବ୍ୟାଖ୍ୟା ଅନୁସାରେ କହିବାକୁ ଗଲେ ଆକାଶର ଖଣ୍ଡେ ମେଘ ସୂର୍ଯ୍ୟଙ୍କୁ ଆମର ଦୃଷ୍ଟିପଥରୁ ଅନ୍ତର କରି ରଖିଥିବାବେଳେ ସୂର୍ଯ୍ୟ ଆକାଶରୁ ଚାଲିଗଲେଣି ବୋଲି ଯେପରି ଆମେ ଭ୍ରମ କରିଥାଉ, ଠିକ ସେହିପରି ଜଡ଼ପଦାର୍ଥ ଓ ଜୀବନ ବିଷୟରେ ନାନା ଜଡ଼ବାଦୀ ଧାରଣାର ପ୍ରତିବନ୍ଧକ ଯୋଗୁଁ ସତ୍ୟ ବା ବ୍ରହ୍ମ ସହିତ ଆମର ସମସ୍ତ ଆମର ସମସ୍ତ ସୂତ୍ର ଛିନ୍ନ ହୋଇଯାଏ । ଏବଂ ସେତିକିବେଳେ କ୍ଷଣକ୍ଷଣର ଇନ୍ଦ୍ରିୟାନୁଭୂତିଲବ୍ଧ ବିଚ୍ଛିନ୍ନ ଜୀବନ ଓ ଅର୍ଦ୍ଧସତ୍ୟକୁ ଆମେ ଏକମାତ୍ର ସତ୍ୟବୋଲି ଭ୍ରମ କରିଥାଉ । ବିବେକ ଓ ବୈରାଗ୍ୟ ଦ୍ଵାରା ଇନ୍ଦ୍ରିୟର ଅସତ୍ୟ ବନ୍ଧନମାନ ଛେଦ କରି ବ୍ରହ୍ମର ପରିଚୟ ଲାଭ କରିବାକୁ ଶଙ୍କରାଚାର୍ଯ୍ୟ ଆମ ଜୀବନର ଉଦ୍ଦେଶ୍ୟ ବୋଲି କହିଚନ୍ତି ।

 

ପରବର୍ତ୍ତୀ କାଳରେ ବେଦାନ୍ତ ଦର୍ଶନର ଏକାଧିକ ଭାଷ୍ୟ ବା ବ୍ୟାଖ୍ୟା କରାଯାଇଚି । ସେଥିମଧ୍ୟରୁ ରାମାନୁଜଙ୍କର ବିଶିଷ୍ଟାଦ୍ଵୈତ ଓ ମଧ୍ଵଙ୍କର ଦ୍ଵୈତ ଭାଷ୍ୟ ସର୍ବପ୍ରଧାନ ।

 

ସୃଷ୍ଟିର ଏକ ବିଚାରବୋଧ୍ୟ ବିଶ୍ଳେଷଣ ଦେବାଲାଗି ସାଂଖ୍ୟଦର୍ଶନ ଉଦ୍ୟମ କରିଚି । ପ୍ରକୃତି ଓ ପୁରୁଷ ହେଉଚି ସାଂଖ୍ୟର ଦୁର ମୂଳ ସତ୍ୟ । ପୁରୁଷ ହେଉଚି ଶୁଦ୍ଧ ଚେତନା ସ୍ୱରୂପ ଏବଂ ପ୍ରକୃତି ହେଉଚି ଅଦ୍ଭୁତ ଜଡ଼ର ପ୍ରତୀକ । ପୁରୁଷ ଓ ପ୍ରକୃତିର ମିଳନରେ ହିଁ ସୃଷ୍ଟିର ଆରମ୍ଭ ହୁଏ । ପୂର୍ବାପର କ୍ରମରେ ମନ, ବୁଦ୍ଧି, ଅହଂକାର, ପଞ୍ଚେନ୍ଦ୍ରିୟ ଓ ପଞ୍ଚ ତନ୍ମାତ୍ରାର ସୃଷ୍ଟି ହୁଏ । ସାଂଖ୍ୟ ମତରେ ଜଡ଼, ଆପଣାକୁ ଶୁଦ୍ଧ ଚେତନା ରୂପରେ ଉପଲବ୍ଧି କରିବା ହେଉଚି ସୃଷ୍ଟିର ଉଦ୍ଦେଶ୍ୟ । ଆଦିକାଳରୁ ଏହିପରି ପ୍ରକାଶ ଓ ବିମର୍ଷର ଏକ ଅନନ୍ତ ଦ୍ଵୈତକ୍ରମ ଲାଗି ରହିଚି । ଏହା ହିଁ ହେଉଚି ପ୍ରଚଳିତ ଅର୍ଥରେ ସୃଷ୍ଟି ଓ ପ୍ରଳୟ । ପରସ୍ପରଠାରୁ ବାରବାର ବିଚ୍ଛିନ୍ନ ହୋଇ ପୁରୁଷ ଓ ପ୍ରକୃତି ବାରବାର ଏହିପରି ପରସ୍ପରର ଅଭେଦ ଉପଲବ୍ଧି କରିଆସୁଚନ୍ତି ।

 

ପାତଞ୍ଜଳିଙ୍କର ଯୋଗକୁ ସାଂଖ୍ୟର ତତ୍ତ୍ଵଭୂମି ଉପରେ ପ୍ରତିଷ୍ଠିତ ଏକ ଉପଲବ୍ଧିମାର୍ଗ ବୋଲି କୁହାଯାଇପାରେ । ଯୋଗର ଦୁଇପ୍ରକାର ଅର୍ଥ ରହିଚି, ଗୋଟିଏ ପ୍ରବୃତ୍ତିବାଚକ ଓ ଅନ୍ୟଟି ନିବୃତ୍ତିବାଚକ । ପ୍ରବୃତ୍ତିବାଚକ ଅର୍ଥରେ ଏହା ବ୍ରହ୍ମ ବା ପରମ ସତ୍ୟରେ ଯୁକ୍ତ ହେବାକୁ ବୁଝାଏ । ସମସ୍ତ ଚିତ୍ତବୃତ୍ତିକୁ ନିରୋଧ କରିବା ହେଉଚି ଯୋଗର ନିବୃତ୍ତିବାଚକ ବ୍ୟାଖ୍ୟା । ପ୍ରବୃତ୍ତିବାଚକ ଅର୍ଥଟି ହେଉଚି ସାଧ୍ୟ, ନିବୃତ୍ତିବାଚକଟି ସେହି ସାଧ୍ୟରେ ଉପନୀତ ହେବାର ସାଧନ । ଏହି ସାଧନ ହେଉଚି ସାତଟି,- ଆତ୍ମସଂଯମରୁ ଆରମ୍ଭ ହୋଇ ସମାଧି ଅର୍ଥାତ୍ ବ୍ରହ୍ମସ୍ଥିତ ଜୀବନରେ ଏହାର ଶେଷ । ମତାନ୍ତରରେ ଏହି ସାଧନକୁ ଛଅଟି ବା ଆଠଟି ବୋଲି ମଧ୍ୟ କୁହାଯାଇଥାଏ ।

 

ପ୍ରଧାନତଃ ଉପଲବ୍ଧିର ଏକ ମାର୍ଗ ଦର୍ଶାଇବାର ଉଦ୍ୟମ କରିଥିବାରୁ ଯୋଗ ପ୍ରାୟ ପ୍ରତ୍ୟେକ ଦାର୍ଶନିକ ମତବାଦ ସହିତ ଗ୍ରଥିତ ହୋଇ ଯାଇଚି ଓ ବର୍ତ୍ତମାନ ଏହାକୁ ବିଶୁଦ୍ଧ ଭାବରେ ଏକ ସ୍ଵତନ୍ତ୍ର ମାର୍ଗ ବୋଲି ହୁଏତ କୁହାଯାଇ ପାରିବ ନାହିଁ । ଚରମ ଉପଲବ୍ଧି ସକାଶେ ପ୍ରସ୍ତୁତ ହେବାର ତିନୋଟି ମାର୍ଗ,–କର୍ମ, ଜ୍ଞାନ ଓ ଭକ୍ତିର ପ୍ରସ୍ତାବ ଯୋଗରେ ଉଲ୍ଲେଖ କରାଯାଇଚି ।

 

ଏବେ ଏହି ଯୋଗମାର୍ଗ ପାଶ୍ଚାତ୍ୟ ଜଗତରେ ହଠାତ୍ ଭାରି ଲୋକପ୍ରିୟ ହୋଇ ଉଠିଚି-। ସମସ୍ତେ ଏଥିପ୍ରତି କୌତୁହଳ ପ୍ରକାଶ କରୁଚନ୍ତି । ସମସ୍ତେ ଏହା ବିଷୟରେ ପଦେ ଅଧେ ଜାଣି ଏଥିରୁ ପାଦେ ପାଦେ ଆୟତ୍ତ କରିବାକୁ ଆଗ୍ରହ କରୁଚନ୍ତି । କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ ଯେ ହଠଯୋଗ ବିଷୟରେ ହିଁ ପାଶ୍ଚାତ୍ୟ ତା’ର ପ୍ରାୟ ସମସ୍ତ ଆଗ୍ରହକୁ ସୀମାବଦ୍ଧ ରଖିଚି ଓ ହଠଯୋଗକୁ ଏକ ସାଧ୍ୟ ବା ଚରମ ଶ୍ରେୟରୂପେ ଗ୍ରହଣ କରିବାର ଭ୍ରମ କରିପକାଇଚି । କେତେକ ଅଲୌକିକ ଶାରୀରିକ କୌଶଳ ଦେଖାଇବାକୁ ହିଁ ପାଶ୍ଚାତ୍ୟର ଲୋକମାନେ ଯୋଗ ବୋଲି ବୁଝୁଚନ୍ତି ଓ ସେହିପରି କୌଶଳମାନ ଦେଖାଇ ପାରିବା ବ୍ୟକ୍ତିକୁ ଯୋଗୀ ବୋଲି କହୁଚନ୍ତି । କିନ୍ତୁ ପ୍ରସ୍ତୁତି–ପଥରେ ହଠଯୋଗ କେବଳ ପ୍ରଥମ ସୋପାନ ମାତ୍ର । ପରବର୍ତ୍ତୀ ସୋପାନମାନଙ୍କରେ ମାନସିକ ଓ ଆଧ୍ୟାତ୍ମିକ ବିକାଶର ଅନୁରୂପ ହୋଇ ପାରିବାକୁ ହଠଯୋଗଦ୍ଵାରା ଶରୀରକୁ ତିଆରି କରିବାକୁ ହୁଏ । ପ୍ରଥମ ସୋପାନ ହିସାବରେ ଅବଶ୍ୟ ହଠଯୋଗର ଆବଶ୍ୟକତା ରହିଚି, ତଥାପି ସେହିଠାରେ ହିଁ ତାହାର ସୀମାକୁ ନିର୍ଦ୍ଦିଷ୍ଟ କରି ରଖିବାକୁ ହେବ । ଇଶ୍ଵର–ଉପଲବ୍ଧି ହେଉଚି ଯୋଗର ଉଦ୍ଦେଶ୍ୟ । ପର୍ବତର ଶିଖରଦେଶକୁ ଆରୋହଣ କଲାବେଳେ ପଥପାର୍ଶ୍ଵରେ ନାନାପ୍ରକାର ପ୍ରଲୋଭନ ଦେଖି ଯେଉଁ ଆରୋହୀ ସେହିଠାରେ ହିଁ ଅଟକିଯାଏ, ଆଧ୍ୟାତ୍ମିକ ସାଧନାରେ ତାହାକୁ ନିର୍ବୋଧ ଓ ଅଜ୍ଞାନ ବୋଲି କହିବାକୁ ହେବ ।

 

ମୀମାଂସାର ଦୁଇଟି ପ୍ରକରଣ,–ପୂର୍ବ ମୀମାଂସା ଓ ଉତ୍ତର ମୀମାଂସା । ଏଥିରେ ଧର୍ମାଚର ଓ ଧର୍ମପାଳନ ବିଷୟରେ ଅଧିକ ଚର୍ଚ୍ଚା କରାଯାଇଚି । ଆଚାର ମଧ୍ୟଦେଇ କିପରି ଧର୍ମଜୀବନର ବିକାଶ କରାଯାଇ ପାରିବ, ଏଥିରେ ତାହାରି ଆଲୋଚନା ହୋଇଚି । ଯଥାର୍ଥ କର୍ମ ବା ଧର୍ମର ପ୍ରକୃତି ବିଷୟରେ ବ୍ୟାଖ୍ୟା କରାଯାଇ ତାହାକୁ ହିଁ ସୁଖୀ ଜୀବନର ଆଧ୍ୟାତ୍ମିକ ଆବଶ୍ୟକତା ବୋଲି କୁହାଯାଇଚି ।

 

ଗୌତମଙ୍କର ନ୍ୟାୟ ହେଉଚି ଭାରତୀୟ ନ୍ୟାୟ ଦର୍ଶନର ସର୍ବପ୍ରଧାନ ଗ୍ରନ୍ଥ । ଜ୍ଞାନର ସପ୍ତ ପଦାର୍ଥ ବିଷୟରେ ଏଥିରେ ଆଲୋଚନା କରାଯାଇଚି, ଏହି ଜ୍ଞାନଦ୍ୱାରା ଭଗବାନଙ୍କର ପରିଚୟ ଲାଭ କରାଯାଏ ବୋଲି କୁହାଯାଇଚି । ଅନୁମାନ, ବିଚାର ଓ ବିଚାର-ପ୍ରମାଦ ପ୍ରଭୃତି ନାନା ବିଷୟରେ ଏହି ଗ୍ରନ୍ଥରେ ସୂତ୍ରମାନ ଦିଆଯାଇଚି । କଣାଦ ହେଉଚନ୍ତି ବୈଶେଷିକ ମାର୍ଗର ସୂତ୍ରକାର । ସୃଷ୍ଟିର ଏକ ପରମାଣୁବାଦୀ ବ୍ୟାଖ୍ୟା କରି ସେ ତାଙ୍କର ଗ୍ରନ୍ଥ ଆରମ୍ଭ କରିଚନ୍ତି । ପରବର୍ତ୍ତୀ କାଳରେ ପଣ୍ଡିତମାନେ ବୈଶେଷିକ ତତ୍ତ୍ୱଶାସ୍ତ୍ର ଓ ଗୌତମଙ୍କର ପୁରାତନ ନ୍ୟାୟ ମଧ୍ୟରେ ଏକ ସମନ୍ଵୟ ଆଣିବାର ଉଦ୍ୟମ କଲେ । ଏହା ବର୍ତ୍ତମାନ ନବ୍ୟନ୍ୟାୟ ବୋଲି ପରିଚିତ ।

 

ଏହି ଷଡ଼ଙ୍ଗ ଦର୍ଶନ ପରେ ଭାରତର ସୁଖବାଦୀ ଦର୍ଶନମାର୍ଗ ଉଲ୍ଲେଖଯୋଗ୍ୟ । ଋଷି ଚାର୍ବାକ ହେଉଚନ୍ତି ଏହି ମାର୍ଗର ପ୍ରତିଷ୍ଠାତା । ଏହି ସୁଖବାଦୀମାନେ ଭଗବାନଙ୍କର ଅସ୍ତିତ୍ଵକୁ ସ୍ଵୀକାର କରନ୍ତି ନାହିଁ । ଜୀବନ ଅଳ୍ପକ୍ଷଣ ସ୍ଥାୟୀ ଓ ସୁଯୋଗ ମଧ୍ୟ ଅତି ବିରଳ, ତେଣୁ ଯେତେଦିନଯାଏ ଏ ଜୀବନ ରହିଚି, ସେତେଦିନଯାଏ ତାହାକୁ ସୁଖରେ ଅତିବାହିତ କରିବାକୁ ହେବ । ଋଣ କରି ମଧ୍ୟ ଘୃତପାନ କରିବାକୁ ହେବ, ଗୋଟିଏ ଶ୍ଳୋକରେ ଚାର୍ବାକ ମଣିଷକୁ ଏହିପରି ଏକ ପରାମର୍ଶ ଦେଇଚନ୍ତି । ଭାରତର ଏହି ମାର୍ଗକୁ ପ୍ରାଚୀନ ଗ୍ରୀକଦର୍ଶନର ଏପିକିଉରସ୍ ଓ ତାଙ୍କର ମାର୍ଗ ସହିତ ତୁଳନା କରାଯାଇପାରେ ।

 

ବାତ୍ସାୟନ ହେଉଚନ୍ତି ଚାର୍ବାକଙ୍କର ଶିଷ୍ୟ, ପ୍ରସିଦ୍ଧ ଶାସ୍ତ୍ର କାମସୂତ୍ରର ପ୍ରଣେତା । ଗୁରୁଙ୍କପରି ଶିଷ୍ୟ ମଧ୍ୟ ଏହି ସୁଖବାଦୀ ମତ ପୋଷଣ କରିଚନ୍ତି, ତଥାପି ଅନେକାଂଶରେ ପ୍ରାଚୀନ ଗ୍ରୀସରେ ଏପିକିଉରସଙ୍କର ଶିଷ୍ୟମାନଙ୍କପରି ସେ ବିଚାରହୀନ ସୁଖମୟ ଜୀବନରେ ଏକ ଘୋର ଅରାଜକତାର ଆଶଙ୍କା କରିଚନ୍ତି । ଏହି ଅରାଜକତାରୁ ସମାଜକୁ ବଞ୍ଚାଇ ରଖିବାପାଇଁ ସେ ଆଦର୍ଶ ସାମାଜିକ ଜୀବନ ବା ‘ନାଗରିକବୃତ୍ତି’ର ବ୍ୟାଖ୍ୟା କରିଯାଇଚନ୍ତି ।

 

ଏହାପରେ ତନ୍ତ୍ର । ପରମ ତତ୍ତ୍ଵକୁ ମାତୃରୂପରେ ଉପଲବ୍ଧି କରିବା ହେଉଚି ତନ୍ତ୍ରର ମୂଳକଥା । ଏହି ମାତୃକଳ୍ପନା ପଛରେ ସତ୍ୟର ଶକ୍ତିରୂପ ନିହିତ ରହିଚି । ତିବ୍ବତୀୟ ଧର୍ମର ଇତିହାସ ଓ ପରକାଳୀନ ବୌଦ୍ଧ ଧର୍ମରେ ଆମେ ତନ୍ତ୍ରର ଅନେକ ପ୍ରଭାବ ଲକ୍ଷ୍ୟ କରିପାରିବା । ତନ୍ତ୍ର ଭାରତର ନିଜସ୍ୱ ସଂସ୍କୃତି ନୁହେଁ ଓ ଏହା ବିଦେଶରୁ ଭାରତକୁ ଆସିଚି ବୋଲି କେତେକ ପଣ୍ଡିତ ମତ ଦିଅନ୍ତି । ସେମାନଙ୍କ ମତରେ ଷଷ୍ଠ ବା ସପ୍ତମ ଶତାବ୍ଦୀରେ ମଧ୍ୟଏସିଆରୁ ଭାରତକୁ ଆସିଥିବା ଜାତିମାନଙ୍କ ଜରିଆରେ ତନ୍ତ୍ରବିଚାର ଭାରତରେ ପ୍ରବେଶ କରିଥିଲା । କିନ୍ତୁ ଏହା ଯେ ଭାରତର ନିଜସ୍ୱ ସମ୍ପଦ ଓ ବହୁକାଳରୁ ବେଦାନ୍ତ ଓ ଅନ୍ୟାନ୍ୟ ବିଭିନ୍ନ ମାର୍ଗର ସମାନ୍ତର ଭାବରେ ଏହା ଭାରତରେ ରହିଥିଲା, ଏପରି ଅନୁମାନ କରିବାକୁ ମଧ୍ୟ ଅନେକ ବଳିଷ୍ଠ କାରଣ ରହିଚି । ବସ୍ତୁତଃ ଅନେକ ତନ୍ତ୍ରବାଦୀ ଗୁରୁ ତନ୍ତ୍ରକୁ ବେଦାନ୍ତର କର୍ମମାର୍ଗ ବା ସାଧନାମାର୍ଗ ବୋଲି ବର୍ଣ୍ଣନା କରିଚନ୍ତି ।

 

ସଂକ୍ଷେପରେ ଏହା ହିଁ ଭାରତୀୟ ଦର୍ଶନର ଗଠନ ବିଷୟରେ ଏକ ପରିଚୟ । ଏହା ଅତି ସଂକ୍ଷିପ୍ତ । ଗୋଟିଏ ପ୍ରବନ୍ଧର କ୍ଷୁଦ୍ର ସୀମା ଭିତରେ କଦାପି ଭାରତୀୟ ଦର୍ଶନର ବିଶଦ ଚର୍ଚ୍ଚା ହୋଇପାରିବ ନାହିଁ । କିନ୍ତୁ ଏଠାରେ ଆଉ ଦୁଇଟି ବିଷୟ ସୁଚାଇଦେବା ଅତ୍ୟନ୍ତ ଆବଶ୍ୟକ, କାରଣ ଭାରତୀୟ ଦର୍ଶନର ଅଧ୍ୟୟନ କଲାବେଳେ ଆମକୁ ଏହି ବିଷୟ ଉପରେ ଅବଶ୍ୟ ଧ୍ୟାନ ଦେବାକୁ ହେବ ।

 

ପ୍ରଥମ କଥା ହେଉଚି ଯେ ଏହିସବୁ ବିଭିନ୍ନ ମାର୍ଗକୁ ପରସ୍ପରଠାରୁ ବିଚ୍ଛିନ୍ନ କରି କଦାପି ଆଲୋଚନା କରାଯାଇ ପାରିବ ନାହିଁ । ପରସ୍ପରର ସମାନ୍ତରାଳ ଓ ସମସାମୟିକ ଭାବରେ ସେଗୁଡ଼ିକର ଉଦ୍ଭବ ଓ ବିକାଶ ହୋଇଥିଲା । ଏହିପରି ଏକ ସୁସ୍ଥ ବିକାଶଲାଗି ପ୍ରାଚୀନ ଭାରତର ସାଂସ୍କୃତିକ ବାତାବରଣ ଯଥେଷ୍ଟ ଉଦାର ଥିଲା । ଏହିସବୁ ମାର୍ଗ ଆପଣା ଆପଣା ଦୃଷ୍ଟିକୋଣ ଓ ବିଚାରରେ ପରସ୍ପରଠାରୁ ଅନେକ ପୃଥକ ଥିଲେ ଓ ଏହି ପାର୍ଥକ୍ୟକୁ ଭିତ୍ତିକରି ସ୍ଵକୀୟ ରୀତିରେ ବିକାଶ କରିବାର ସମୁଚିତ କ୍ଷେତ୍ର ପାଇଥିଲେ । କିନ୍ତୁ ଗୋଟିଏ ମାର୍ଗ ଆଉ ଗୋଟିଏ ମାର୍ଗକୁ ଗ୍ରାସ କରିଦେବାର ବା ମିଥ୍ୟାବିଚାର କହି ତିରସ୍କାର କରିବାର କୌଣସି ଆଶଙ୍କା ସେତେବେଳେ ନଥିଲା-। ଭାରତୀୟ ଦର୍ଶନର ଅଧ୍ୟୟନ କରିବାକୁ ଯାଇ ଅନେକ ପଣ୍ଡିତ କେବଳ ନିରାଟ ଐତିହାସିକ ଦୃଷ୍ଟିକୋଣରୁ ଏହାର ବିଚାର କରିବାକୁ ଚେଷ୍ଟା କରିଚନ୍ତି, ଏହାକୁ ଏକ ଦୁର୍ଭାଗ୍ୟ ବୋଲି କୁହାଯାଇପାରେ । ବିଭିନ୍ନ ଦାର୍ଶନିକ ମାର୍ଗକୁ ଏକ ନିର୍ଦ୍ଦିଷ୍ଟ କାଳ ବା ଯୁଗ ଭିତରେ ସେମାନେ ସୀମାବଦ୍ଧ କରି ପକାଇଛନ୍ତି, କିଏ କେଉଁ ମାର୍ଗରୁ କେତେ ନେଇଚି ବା କେଉଁ ମାର୍ଗକୁ କେତେ ଦେଇଚି, ଏହିପରି ଏକ ଯାନ୍ତ୍ରିକ ଆଦାନପ୍ରଦାନର ନିୟମନିକିତିରେ ସେମାନେ ଭାରତୀୟ ଦର୍ଶନକୁ ମାପିବାର ଉଦ୍ୟମ କରିଚନ୍ତି । ବେଦ, ଉପନିଷଦ ଓ ଭାରତର ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥମାନ ଠିକ୍ କେତେ ଶହ ବା କେତେ ହଜାର ବର୍ଷ ପ୍ରାଚୀନ, ଏ ବିଷୟରେ ସମ୍ଭବତଃ କଳହର କଦାପି ଅନ୍ତ ହେବନାହିଁ । ଏପରି କି ଭକ୍ତି ଓ ଅନ୍ୟାନ୍ୟ ମାର୍ଗ ଠିକ୍ କେବେଠାରୁ ଭାରତରେ ପଶିଲା, ଏକପ୍ରକାର ଶୁଷ୍କ ପଞ୍ଜିକାକାରିଣୀ ବୁଦ୍ଧିରେ ସେମାନେ ଏହାର ବିଚାର କରିବସନ୍ତି । ଅନେକେ ପୁଣି କହନ୍ତି ଯେ ଭାରତୀୟ ଧର୍ମରେ ବାଳକ–କୃଷ୍ଣର କଳ୍ପନା ବାଳକ-ଯୀଶୁର କଳ୍ପନାର ଅନୁକରଣରେ କରାଯାଇଚି-। ପ୍ରାଚ୍ୟ ଜଗତରୁ କିପରି ଦାର୍ଶନିକ ବିଚାରମାନ ରପ୍ତାନୀ ହୋଇ ପାଶ୍ଚାତ୍ୟ ଜଗତକୁ ଯାଇଚି, ଅନେକ ପଣ୍ଡିତ ଅନେକ ଧୈର୍ଯ୍ୟର ସହିତ ତାହାର ବିଶ୍ଳେଷଣ କରିଚନ୍ତି । ପ୍ଲେଟୋଙ୍କର ଦାର୍ଶନିକ କଳ୍ପନା କିପରି ପ୍ରଥମେ ପ୍ରାଚ୍ୟରେ ଥିଲା, ପାଲେଷ୍ଟାଇନର ଖ୍ରୀଷ୍ଟପୂର୍ବ ଧର୍ମସମ୍ପ୍ରଦାୟମାନଙ୍କ ଜରିଆରେ କିପରି ତାହା ଏଥେନସରେ ପହଞ୍ଚିଲା, ସେମାନେ ଏ ବିଷୟରେ ଆମର ବିଶ୍ଵାସ ଜନ୍ମାଇବାକୁ ଅନେକ ପରିଶ୍ରମ କରିଚନ୍ତି । ଏତେ ପରିଶ୍ରମ ସହକାରେ ଏହିସବୁ ସୂତାଖିଅ ଖୋଜି ବାହାର କରିବାରେ ଏତେ ଅତିରିକ୍ତ ଉତ୍ସାହ ପ୍ରକାଶ ନ କରି ପଣ୍ଡିତମାନେ ଯଦି ଆଉଟିକିଏ ଅଧିକ ସହାନୁଭୂତି ସହିତ ମଣିଷର ମନ, ବିଚାର ଓ ହୃଦୟର ସ୍ଵାଭାବିକ ଗତିବିଧି ବୁଝିବାକୁ ଚେଷ୍ଟା କରିଥାନ୍ତେ, ତେବେ ସେମାନଙ୍କର ବୁଦ୍ଧିପ୍ରସୂତ ପୋଥିଗଦାରୁ ଆମକୁ ନିଷ୍କୃତି ମିଳିଥାନ୍ତା ଏବଂ ଆମେ ଦର୍ଶନ ଓ ଧର୍ମର ଅଧିକ ମର୍ମ-ପ୍ରବେଶ କରିପାରିଥାନ୍ତୁ ।

 

ପାସ୍କାଲ୍ ଦୁଇ ପ୍ରକାର ବ୍ୟାଖ୍ୟାର ଆଲୋଚନା କରିଚନ୍ତି; ଗୋଟିଏ ସାଧାରଣ ଓ ଅନ୍ୟଟି ଆଧ୍ୟାତ୍ମିକ । ଧର୍ମଶାସ୍ତ୍ରଗୁଡ଼ିକର ଦୁଇ ପ୍ରକାର ଅର୍ଥ କରାଯାଇ ପାରିବ ବୋଲି ତନ୍ତ୍ରରେ ଉଲ୍ଲେଖ ରହିଚି । ଗୋଟିଏ ହେଉଚି ଆକ୍ଷରିକ; ଅର୍ଥାତ୍ କେବଳ ବାଚ୍ୟାର୍ଥରେ ଯାହା ଆପଣାକୁ ସୀମାବଦ୍ଧ ରଖେ । କିନ୍ତୁ ଅନ୍ୟଟି ବ୍ୟଞ୍ଜନାର୍ଥର ଅନୁସନ୍ଧାନ କରେ, ଶବ୍ଦଗୁଡ଼ିକୁ ତାହା କେବଳ ପ୍ରକୃତ ମର୍ମାର୍ଥର ପ୍ରତୀକ ବୋଲି ଗ୍ରହଣ କରେ । ବେଦର ଅର୍ଥ ବୁଝିବାରେ ସାହାଯ୍ୟ କରିବାଲାଗି ରଚିତ ହୋଇଥିବା ଆରଣ୍ୟକଗୁଡ଼ିକରେ ମଧ୍ୟ ଦାର୍ଶନିକ ଶାସ୍ତ୍ରର ବ୍ୟାଖ୍ୟା କରିବାର ଅଧ୍ୟାତ୍ମ ପଦ୍ଧତି ବିଷୟରେ ଚର୍ଚ୍ଚା କରାଯାଇଚି । ଏକ ଆଧ୍ୟାତ୍ମିକବୋଧର ସ୍ତରକୁ ପାଠକର ଅନ୍ତର୍ବୁଦ୍ଧିକୁ ଆଲୋକିତ ଓ ଉନ୍ମୋଚିତ କରିନେବା ଉଦ୍ଦେଶ୍ୟରେ ଦର୍ଶନର ଅଧ୍ୟୟନ କରିବାର ପଦ୍ଧତିକୁ ଅଧ୍ୟାତ୍ମ ପଦ୍ଧତି ବୋଲି କୁହାଯାଇଚି । ଆମର ଏ ଯୁଗରେ ମଧ୍ୟ ଦାର୍ଶନିକ ଆଲବର୍ଟ ସ୍ଵାଇତଜର କେବଳ ଏକ ଏକଦେଶୀ ଐତିହାସିକ ପୂର୍ବାଗ୍ରହ ରଖି ଦର୍ଶନ ଅଧ୍ୟୟନ କରିବା ବିଷୟରେ ଆମକୁ ସତର୍କ କରି ଦେଇଚନ୍ତି । କେବଳ ପ୍ରବୃତ୍ତିରେ ବିଶ୍ଳେଷଣ କରି ନାନାପ୍ରକାର ଅନୁମାନରେ ଉପନୀତ ହେଉଥିବା ବିଶ୍ୱବିଦ୍ୟାଳୟର ବୁଦ୍ଧିବିଳାସୀମାନଙ୍କର ମସ୍ତିସ୍କରୁ ଭାରତୀୟ ଦର୍ଶନର ଉଦ୍ଭବ ହୋଇନାହିଁ । ସଂଗ୍ରହାଳୟ ବା ଯାଦୁଘରେ ପଶିବାର ଆଗ୍ରହ ନେଇ ଆମେ ଭାରତୀୟ ଦର୍ଶନରୁ ଖୁବବେଶୀ ଆଲୋକ କଦାପି ପାଇପାରିବା ନାହିଁ ।

 

ତେବେ ବିଚାର କରିବା କଥା, ଭାରତୀୟ ଦର୍ଶନ ରୂପକ ଏହି ବହୁବିଭାଗସମ୍ପନ୍ନ ବିରାଟ ଅଟ୍ଟାଳିକା ଆମଲାଗି କି ସମ୍ପଦ ସଂଗ୍ରହ କରି ରଖିଚି । ଆମପାଇଁ ଏହାର କୌଣସି ବିଶେଷ ସନ୍ଦେଶ ବା ଆଦେଦନ ରହିଚି କି ? ବିଚରର ବିଶ୍ଵ-ଇତିହାସରେ ଭାରତୀୟ ଦର୍ଶନର କୌଣସି ସ୍ଵକୀୟ ଓ ସ୍ଵତନ୍ତ୍ର ସ୍ଥାନ ରହିଚି କି ?

 

ଏହାର ପ୍ରଥମ ବିଶେଷତ୍ଵ ହେଉଚି ଯେ ଏହା ସର୍ବପ୍ରସାରୀ ଓ ସର୍ବଭେଦୀ । ମୋକ୍ଷ ବା ଭଗବତପ୍ରାପ୍ତିକୁ ଭାରତୀୟ ଦର୍ଶନ ମନୁଷ୍ୟର ଚରମ ସାଧ୍ୟବୋଲି ଘୋଷଣା କରିଚି, ଜ୍ଞାନର ବିସ୍ତୃତ କ୍ଷେତ୍ରରେ ପ୍ରତ୍ୟେକ ଜିଜ୍ଞାସା ଓ ଅନୁସନ୍ଧାନକୁ ଏହା କେବଳ ଏହି ଚରମ ସାଧ୍ୟର ଅନୁପୂରକ ରୂପେ ଗ୍ରହଣ କରିଚି । ମନୁଷ୍ୟ ଜୀବନ ଓ ବ୍ୟକ୍ତିତ୍ଵର ଯାବତୀୟ ଦିଗ ଓ ସମ୍ଭାବନାକୁ ଏହା ସ୍ପର୍ଶ କରିପାରିଚି ଏବଂ ମନୁଷ୍ୟର ଉଚ୍ଚତମ ଓ ଶୁଦ୍ଧତମ ଆକାଂକ୍ଷା ସହିତ ସଂଯୁକ୍ତ କରିଦେଇ ଏଗୁଡ଼ିକୁ ଶୁଦ୍ଧ କରି ଦେଇଚି । ଭାରତୀୟ ଧର୍ମରୁ ଭାରତୀୟ ଦର୍ଶନକୁ ପୃଥକ୍ କରି ଦେଖିବାକୁ କେବଳ ବୃଥା ପ୍ରଚେଷ୍ଟା ବୋଲି କହିବାକୁ ହେବ । ଭାରତୀୟ ମନୋବିଜ୍ଞାନ ବୋଲି ମଧ୍ୟ କୌଣସି ଭିନ୍ନ ବିଷୟ ଆମେ ଦେଖିବାକୁ ପାଇବା ନାହିଁ । ଏହାର ତତ୍ତ୍ଵଶାସ୍ତ୍ର, ନୀତିଶାସ୍ତ୍ର ଓ ଜ୍ଞାନଶାସ୍ତ୍ରକୁ ପରସ୍ପରଠାରୁ ପୃଥକ୍ କରି କଦାପି ଅଧ୍ୟୟନ କରାଯାଇ ପାରିବନାହିଁ । ଆମର ଅଧ୍ୟୟନର ସୁବିଧା ଦୃଷ୍ଟିରୁ ଆମେ ସେଗୁଡ଼ିକୁ ଯେତେପ୍ରକାର ବିଶେଷ ଶ୍ରେଣୀରେ ବିଭକ୍ତ କରିଦେଲେ ମଧ୍ୟ ଏହା ସମ୍ଭବ ହେବନାହିଁ । ଯଥାର୍ଥ ଦର୍ଶନ ଏକ ସମଗ୍ର ସମ୍ପଦ, ଏହାର ବିଭାଗୀକରଣ ବଡ଼ ପ୍ରମାଦପୂର୍ଣ୍ଣ । ଦର୍ଶନର ଦୃଷ୍ଟି ଏକ ସମଗ୍ର ଦୃଷ୍ଟି । ପାଶ୍ଚାତ୍ୟ ଦର୍ଶନର ଇତିହାସରେ ପ୍ଲେଟୋ ଓ ସ୍ପିନୋଜା ଏହିପରି ଏକ ଦୃଷ୍ଟିନେଇ ଦର୍ଶନର ଆଲୋଚନା କରିଚନ୍ତି ବୋଲି ଅନୁମାନ କରାଯାଏ ।

 

ଦ୍ଵିତୀୟତଃ, ଦର୍ଶନର ଚରମ ସାଧ୍ୟକୁ ଭାରତୀୟ ଜ୍ଞାନର ପ୍ରତ୍ୟେକ କ୍ଷେତ୍ରରେ ସ୍ଵୀକାର କରାଯାଇଚି । ଭାରତ ଯାହାକିଛି ଚିନ୍ତା କରିଚି ବା ଅନୁଶୀଳନ କରିଚି, ସେ ସମସ୍ତକୁ ସେ ଏକ ଆଧ୍ୟାତ୍ମିକ ଭାବନା ଓ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ସହିତ ସମ୍ମିଳିତ କରି ଦେଇଚି । ଭାରତୀୟ ଦର୍ଶନର ଦୃଷ୍ଟିରେ ଜ୍ଞାନର କୌଣସି କ୍ଷେତ୍ର ସମ୍ପୂର୍ଣ୍ଣ ଧର୍ମହୀନ ବା ଧର୍ମଠାରୁ ବିଚ୍ଛିନ୍ନ ନୁହେଁ । ଅଜ୍ଞାନମୟ ସଂସାରରୁ ମୁକ୍ତି ପାଇବା ଏବଂ ପରମାତ୍ମା ସହିତ ଯୁକ୍ତ ହୋଇ ପାରିବାକୁ ଭାରତୀୟ ବିଦ୍ୟାର ଯାବତୀୟ ଅନୁଧାବନରେ ପବିତ୍ର ଲକ୍ଷ୍ୟବୋଲି ଗ୍ରହଣ କରାଯାଇଚି । ଚିକିତ୍ସାଶାସ୍ତ୍ର ହେଉ ବା କାମଶାସ୍ତ୍ର ହେଉ, ଜ୍ୟୋତିଷ ହେଉ ବା ଅଶ୍ଵଶାସ୍ତ୍ର ହେଉ, ପ୍ରତ୍ୟେକେ ଶାସ୍ତ୍ରର ଆରମ୍ଭରେ ମୋକ୍ଷ ବା ଇଶ୍ଵର-ପ୍ରାପ୍ତିକୁ ଆପଣାର ଲକ୍ଷ୍ୟ ବୋଲି ଗ୍ରହଣ କରିଚନ୍ତି । ଭାରତୀୟ ପ୍ରତୀକଶାସ୍ତ୍ରର ବିଶଦ ଆଲୋଚନା କଲେ ଆମେ ଏହି ବିଷୟ ଆହୁରି ସ୍ପଷ୍ଟ ଭାବରେ ବୁଝିପାରିବା ।

 

ଭାରତୀୟ ଦର୍ଶନର ଆଲୋଚନା କରି କେତେକ ମତ ଦେଇଚନ୍ତି ଯେ ଏଥିରେ ଜଗତ ଓ ଜୀବନ ପ୍ରତି ବୈରାଗ୍ୟ ଉପରେ ଅତିରିକ୍ତ ଗୁରୁତ୍ଵ ଦିଆଯାଇଚି । ସେମାନେ କହନ୍ତି ଯେ ଏହାଦ୍ୱାରା ଏହି ଜଗତ ଓ ଏହି ଜୀବନ ଉପରୁ ଆମର ସକଳ ଦୃଷ୍ଟିକୁ ଅପସରାଇ ନିଆଯାଇଚି ଏବଂ ମାୟାଜାଲସମାକୁଳ ଏକ ସ୍ପଷ୍ଟ ବାୟବୀୟ ସ୍ତରରେ ଆମକୁ ଅତି ଅସହାୟ ଓ ଦୁର୍ବଳ କରି ଛାଡ଼ି ଦିଆଯାଉଚି । ଭାରତୀୟ ଦର୍ଶନର ପ୍ରତିଷ୍ଠିତ ଗୁରୁମାନେ ପ୍ରତ୍ୟେକ ସଂସାର ତ୍ୟାଗ କରିଥିଲେ ଓ ସନ୍ନ୍ୟାସ-ଜୀବନ ଯାପନ କରୁଥିଲେ, ଏହି ଦୃଷ୍ଟାନ୍ତରୁ ବୋଧହୁଏ ସେମାନେ ଆପଣା ମତର ଏକ ବଳବାନ ସମର୍ଥନ ପାଆନ୍ତି । କିନ୍ତୁ ଆମକୁ ସ୍ମରଣ ରଖିବାକୁ ହେବ ଯେ ଭାରତୀୟ ସମାଜର ମାତ୍ର ଅଳ୍ପସଂଖ୍ୟକ ବ୍ୟକ୍ତି ସନ୍ନ୍ୟାସ ଅବଲମ୍ବନ କରୁଥିଲେ ଓ ତାହା ପୁଣି ଜୀବନର ଶେଷ ପର୍ଯ୍ୟାୟଲାଗି ଉଦ୍ଦିଷ୍ଟ ଥିଲା । ପ୍ରାଚୀନ ଭାରତର ସମାଜ ଏକ ସୁସଙ୍ଗଠିତ ସମାଜ ଥିଲା ଏବଂ ଏଥିରେ ସାହିତ୍ୟ, ସଙ୍ଗୀତ ଓ ନୃତ୍ୟକଳାର ଖୁବ୍ ବିକାଶ ହୋଇଥିଲା । ଭାରତୀୟ ଦର୍ଶନ ଯଦି ଜୀବନ ଓ ଜଗତପ୍ରତି କେବଳ ଏକ ନିବୃତ୍ତିମୂଳକ ବୈରାଗ୍ୟର ଦୃଷ୍ଟି ରଖିଥାଆନ୍ତା, ତେବେ ଏହିସବୁ ବିକାଶ କଦାପି ସମ୍ଭବ ହୋଇପାରି ନଥାନ୍ତା ।

 

ବୈରାଗ୍ୟ ସ୍ଥାନରେ ଅସନ୍ତୋଷ ଓ ସଂସାରରୁ ଆପଣାକୁ ବିଚ୍ଛିନ୍ନ କରିଦେବା ସ୍ଥାନରେ ସଂସାରରୁ ନିର୍ଲିପ୍ତ ରହିବା ଭାରତୀୟ ଦର୍ଶନର ପରାମର୍ଶ ଥିଲା ବୋଲି କହିଲେ ହୁଏତ ଏହି ମତରେ ଅଧିକ ସଂଗତି ଆସି ପାରିବ । ‘ତେନ ତ୍ୟକ୍ତେନ ଭୁଞ୍ଜିଥାଃ’–ତ୍ୟାଗଦ୍ଵାରା ହିଁ ଭୋଗ କରିବାକୁ ହେବ । ଈଶୋପନିଷଦରେ ଆମେ ଏହି ବାଣୀ ଶୁଣିବାକୁ ପାଉ । ଭାରତୀୟ ଦର୍ଶନରେ ଜୀବନକୁ ନିୟତ ପରିବର୍ତ୍ତନଶୀଳ ଓ ନିୟତ ସମ୍ଭବମାନ ବୋଲି କଳ୍ପନା କରାଯାଇଚି । ସମଗ୍ରର ଉପଲବ୍ଧି ନ ହେବାଯାଏ, ଭୂମାରେ ଆପଣାର ଦୃଷ୍ଟିକୁ ଅବତୀର୍ଣ୍ଣ ନ କରିବାଯାଏ ଜୀବନର ବିରାମ ନାହିଁ । ଯାହା ସ୍ୱଳ୍ପ, ଯାହା କ୍ଷୁଦ୍ର ଓ ଖଣ୍ଡିତ, ଦୁଃଖ ହିଁ ତା’ର ପରିଣତ, କେବଳ ଭୂମାରେ ହିଁ ସୁଖ ନିହିତ–ଉପନିଷଦରେ ଆମେ ଏହି ଆପ୍ତବାକ୍ୟ ଶୁଣିବାକୁ ପାଉ । ମନୁଷ୍ୟ ଯାହା ହାସଲ କରୁଚି, ତାହା ଭୂମାର ତୁଳନାରେ ଅତି ଅଳ୍ପ, ତେଣୁ ଆହୁରି ଆଗକୁ ଯିବାକୁ ହେବ । ଜୀବନ ପଥରେ ଯିଏ ଯେତେ ବାଟ ଚାଲିଆସିଲାଣି, ସେଥିରେ ଅସନ୍ତୋଷ ପ୍ରକାଶ କରି ତାହାଠାରୁ ତାକୁ ଆହୁରି ଆଗକୁ ଯିବାକୁ ହେବ । ଏହା ହିଁ ହେଉଚି ଐତରେୟ ବ୍ରାହ୍ମଣରେ ଥିବା ‘ଚରୈବେତି’ ମନ୍ତ୍ରର ମୂଳକଥା । ଭାରତୀୟ ଦର୍ଶନ ବିଷୟରେ ଏହି ତୃତୀୟ କଥାଟି ଆମକୁ ଜାଣିରଖିବାକୁ ହେବ ।

 

ଜୀବନର ଉତ୍ତରୋତ୍ତର ସମ୍ଭାବନା ବିଷୟରେ ଭାରତୀୟ ଦର୍ଶନ ସବୁବେଳେ ମଣିଷକୁ ଏକ ଆଶାବାଦୀ ଚିତ୍ର ଦେଖାଇଚି ଓ ତାକୁ ଉତ୍ସାହ ଦେଇ ଆସିଚି । ପାପ ବା ନରକର କୌଣସି ଅତିରଞ୍ଜନ କରି ଏହା କଦାପି ମଣିଷକୁ ଭୀତତ୍ରସ୍ତ କରି ପକାଇ ନାହିଁ । ଓଲଟି ସୃଜନସମୃଦ୍ଧ ବିବର୍ତ୍ତନକ୍ରମରେ ମନୁଷ୍ୟ-ଜୀବନକୁ ଉଚ୍ଚତମ ପର୍ଯ୍ୟାୟ ବୋଲି କହି ଏହା ତାହାର ଜୟଗାନ କରିଚି-। ଆପଣାର ଆକାଂକ୍ଷା ଅନୁସାରେ ଉଦ୍ୟମ କରୁଥିବା ବ୍ୟକ୍ତିର କୌଣସି ଆକାଂକ୍ଷା କଦାପି ବୃଥା ହୋଇ ଯାଏନାହିଁ । ଆମେ ପ୍ରତ୍ୟେକ ପ୍ରତ୍ୟେକର ଉପଲବ୍ଧିପଥର ଆପଣା ଆପଣା ସ୍ତରରେ ଗତି କରୁଚୁ, ଆମର ଏ ଜୀବନର କୃତି ପରଜନ୍ମ ଲାଗି ଭୂମି ହୋଇ ତିଆରି ହେଉଚି । ‘ଉତ୍ତିଷ୍ଠତ, ଜାଗ୍ରତ, ପ୍ରାପ୍ୟବରାନ୍ନିବୋଧଚ’,–ଉପନିଷଦରେ ଏହି ସାହସୀ ବାଣୀର ଘୋଷଣା କରାଯାଇଚି । ଐତରେୟ ବ୍ରାହ୍ମଣରେ ଅଛି,– ‘ଯିଏ ଚାଲିଚାଲି କ୍ଳାନ୍ତ ହୋଇଯାଉଚି, ତା’ର ଆଉ ଦୁଃଖର ଅନ୍ତ ନାହିଁ । ଯିଏ ଚାଲିଚି, ସ୍ଵୟଂ ଦେବରାଜ ଇନ୍ଦ୍ର ତାହାର ସଙ୍ଗେ ସଙ୍ଗେ ଚାଲିଚନ୍ତି । ଯିଏ ଆଗକୁ ଯିବାକୁ ନାସ୍ତି କରିଦେଉଚି; ସେ ଯେତେ ଉଚ୍ଚ ସ୍ଥାନରେ ଥାଉ ପଛକେ, ସେହିଠାରୁ ହିଁ ତା’ର କ୍ରମପତନ ଆରମ୍ଭ ହେଉଚି । ତେଣୁ ଆଗକୁ ଚାଲ, ରୋହିତ, ଆଗକୁ ଚାଲ ।”

 

ଦର୍ଶନ ଅଧ୍ୟୟନ କରିବାର ଅଧିକାର ବିଷୟରେ ଭାରତୀୟ ଦର୍ଶନରେ ଚର୍ଚ୍ଚା କରାଯାଉଚି । ଯାହାର ମନ ଯଥାର୍ଥ ଅଧ୍ୟୟନର ଅଧିକାର ଅର୍ଜନ କରିଚି, କେବଳ ସେଇ ବୃହତ୍ ଦର୍ଶନଶାସ୍ତ୍ରଗୁଡ଼ିକର ଗଭୀରକୁ ପ୍ରବେଶ କରି ପାରିବ । ସେଗୁଡ଼ିକର ସମଗ୍ର ପରିସର ଓ ଅର୍ଥକୁ ଗ୍ରହଣ କରିପାରିବ । ଡେନମାର୍କର ଗୁନ୍ତଭିଗ୍ କହୁଥିଲେ ଯେ ‘ସୂର୍ଯ୍ୟଙ୍କର ଦର୍ଶନ କରିବାକୁ ହେଲେ ସୂର୍ଯ୍ୟାନୁରୂପ ହେବାକୁ ପଡ଼ିବ ।’ ଅଧ୍ୟୟନର ଯଥାର୍ଥ ଅଧିକାରୀ ହେବାଲାଗି ଯେଉଁସବୁ ଅଭ୍ୟାସ, ଶୃଙ୍ଖଳା ଓ ଶୀଳକ୍ରମ ଆଚରଣ କରିବା ଆବଶ୍ୟକ, ଭାରତୀୟ ଦର୍ଶନର ପ୍ରତ୍ୟେକ ଅଙ୍ଗରେ ସେଗୁଡ଼ିକର ବିଶଦ ଚର୍ଚ୍ଚା କରାଯାଇଚି ।

 

କୌଣସି ଧର୍ମସଂସ୍ଥା ବା ମଠର ମାଲିକ ହୋଇଗଲେ ଜଣେ ବ୍ୟକ୍ତିକୁ ଆମେ ଧର୍ମପରାୟଣ ବା ଧର୍ମସ୍ଥ ବୋଲି କହିପାରିବା ନାହିଁ । ତାକୁ ଆମେ ପବିତ୍ର ଶାସ୍ତ୍ରର ମୁଖପାତ୍ର ବୋଲି ମାନିପାରିବା ନାହିଁ । ମନୁଷ୍ୟ କେତେ ସମ୍ପତ୍ତି ଆପଣା ଅଧିକାରକୁ ଆଣିପାରିଚି ବା କେତେ ଶାସ୍ତ୍ର ଆୟତ୍ତ କରିପାରିଚି, ସେଥିରୁ ଆମେ ତା’ର ଧାର୍ମିକତା ନିର୍ଣ୍ଣୟ କରିପାରିବା ନାହିଁ । ମଣିଷ ପ୍ରକୃତରେ ନିଜେ ଯାହା, ସେଇଥିରୁ ହିଁ ତା’ର ଧର୍ମର ବିଚାର କରାଯିବ । ବହୁ ଧର୍ମଶାସ୍ତ୍ରରେ ବ୍ୟୁତ୍ପତ୍ତି ଲାଭ କରିଥିବା ପଣ୍ଡିତ ହୁଏତ ଧର୍ମର ପ୍ରଥମ ଦ୍ଵାର ହିଁ ମାଡ଼ି ନ ଥାଇପାରେ । ତେଣୁ ପାର୍ଥିବ ସମ୍ପତ୍ତି ବା ମସ୍ତିଷ୍କର ସଞ୍ଚୟ ଅନୁପାତରେ ଆମେ ଧର୍ମାଧିକାରର ମୀମାଂସା କରିପାରିବା ନାହିଁ । ଜୀବନ ଓ ଜୀବନର ଚରମ ଉଦ୍ଦେଶ୍ୟ ବିଷୟରେ ମନୁଷ୍ୟର ଯଥାର୍ଥ ଦୃଷ୍ଟିକୋଣରୁ ହିଁ ତାହାର ବିଚାର କରାଯାଇ ପାରିବ । ଯୁକ୍ତି ବା ପ୍ରବଚନ, କିମ୍ବା ବୁଦ୍ଧି ବା ଅଗାଧ ପାଣ୍ଡିତ୍ୟ ଦ୍ଵାରା ଆତ୍ମା ଲାଭ କରାଯାଇ ପାରିବ ନାହିଁ । ‘ନାୟମାତ୍ମା ପ୍ରବଚନେନ ଲବ୍ଧଃ, ନ ମେଧୟା ନ ବହୁନା ଶ୍ରୁତେନ, କଠ ଉପନିଷଦରେ ଆମେ ଏହି ସ୍ପଷ୍ଟ ଘୋଷଣା ଦେଖିବାକୁ ପାଉ । ଭାରତୀୟ ଦର୍ଶନର ସକଳ କ୍ଷେତ୍ରପ୍ରତି ଏହି ସୂତ୍ରବାକ୍ୟଟି ପ୍ରଯୁଜ୍ୟ ବୋଲି କୁହାଯାଇ ପାରିବ ।

 

କୋପେନହେଗେନ୍, ଡେନମାର୍କ

୧୫/୩/୫୧

Image

 

ଭାରତୀୟ ଧର୍ମରେ ପ୍ରତୀକ

 

ବହିଃ ପ୍ରକାଶିତ ସଂସାର ପଛରେ ନିଗୂଢ଼ ଥିବା ପରମ ସତ୍ୟ ସହିତ ପରିଚିତ କରାଇଦେବା ଓ ଜଡ଼ଜଗତର ବିଚ୍ଛିନତା ଭିତରେ ଐକ୍ୟର ସନ୍ଧାନ ଦେବା ଯଦି ଦର୍ଶନର ଉଦ୍ଦେଶ୍ୟ ହୁଏ, ତେବେ ଏହି ପରିଚୟକୁ ଭିତ୍ତିକରି ସତ୍ୟ ସହିତ ଯୁକ୍ତ କରାଇ ଦେବା ହେଉଚି ଧର୍ମର ଗୌରବ । ଆମର ଜୀବନର ଆଦି ନିଦାନ ଓ ଚରମ ଲକ୍ଷ୍ୟସ୍ଥଳ ବିଷୟରେ ଦର୍ଶନ ଆମକୁ ନାନା ଇଙ୍ଗିତ ଦିଏ, ସେହି ଇଙ୍ଗିତ ଅନୁସାରେ ଧର୍ମ ଆମକୁ ବାଟ ଚଲାଇ ନିଏ ଓ ବାଟ ଚଲାଇ ଉପଲବ୍ଧିରେ ଆମକୁ ମହିମାନ୍ଵିତ କରି ରଖେ ।

 

ବ୍ରହ୍ମ, ସବୁ କାରଣର ପରମ କାରଣ, ସବୁ ଦେଶ ଓ ସବୁ କାଳକୁ ଏକତ୍ର ବାନ୍ଧି ରଖିଥିବା ସେହି ପରମ ସୂତ୍ରଟି ହେଉଚି ଭାରତୀୟ ଦର୍ଶନର ଜିଜ୍ଞାସ୍ୟ । ସେ ସକଳ ବର୍ଣ୍ଣନାର ଅତୀତ, ସବୁ ପ୍ରକାର ମନୁଷ୍ୟକଳ୍ପିତ ନାମରୂପର ଅତିରିକ୍ତ । ଆମେ କେବଳ ତାହାର ନାସ୍ତିବାଚକ ବର୍ଣ୍ଣନା କରିବାକୁ ଚେଷ୍ଟା କରିଥାଉ । ସେ ଅଯୋନି, ଅସୃଷ୍ଟ, ଅବୋଧ୍ୟ, ଅଶରୀର ଓ ଅରୂପ । ବୌଦ୍ଧଧର୍ମର ଶୂନ୍ୟ ଶବ୍ଦଦ୍ଵାରା ଅନେକ ସ୍ଥଳରେ ଏହିପରି ଏକ ତତ୍ତ୍ଵଶାସ୍ତ୍ରୀୟ କଳ୍ପନାର ସୂଚନା ମିଳିଥାଏ ।

 

କିନ୍ତୁ ଦର୍ଶନର ଅବୋଧ୍ୟ ବା ବୋଧାତୀତ ବସ୍ତୁକୁ ହିଁ ଧର୍ମ ଉପଲବ୍ଧିର ସମ୍ପଦ ବୋଲି ଘୋଷଣା କରିଚି । ଦର୍ଶନର ରୂପାତୀତ ‘ନେତି ନେତି’ ଧର୍ମପୂଜାର ପ୍ରତିମା ରୂପେ ଅବତୀର୍ଣ୍ଣ ହୋଇଚି । ସମସ୍ତ ବିଶ୍ଵକୁ ଏକତ୍ର କରି ସମ୍ଭାର ରଖିଥିବା ଐକତତ୍ତ୍ଵ ପ୍ରତି ଏହି ଶ୍ରଦ୍ଧା ଓ ପୂଜାର ଦୃଷ୍ଟି ହେଉଚି ସକଳ ପ୍ରତୀକବାଦର ଜନନୀ ସ୍ୱରୂପ । ଏକ ରୂପାନ୍ତରିତ ମନୋଦୃଷ୍ଟିର ଅବଲମ୍ବନ କରି ଧର୍ମନିଷ୍ଠ ବ୍ୟକ୍ତି ଅବ୍ୟକ୍ତି ପରମ ସତ୍ୟ ବା ଅନ୍ୟକୌଣସି ଶାଶ୍ଵତ ମୂଲ୍ୟ ବା ବିଭୂତିକୁ ଏକ ପ୍ରତିନିଧିମୂଳକ ବସ୍ତୁ ବା ପ୍ରତିନିଧିମୂଳକ ଆଚାର ଭିତରେ ଅନୁଭବ କରିଥାଏ । ଏହାହିଁ ହେଉଚି ଧର୍ମଜଗତରେ ପ୍ରତୀକ ଓ ତଜ୍ଜନିତ ମୂଲ୍ୟାନ୍ତରର ମୂଳ କାହାଣୀ । ଅଲବ୍ଧ ଓ ଅବୋଧ୍ୟର ଏକ ପ୍ରତିନିଧି ହିସାବରେ ସାଧକର ମନୋଭୂମି ଓ ପରମ ସାଧ୍ୟ ମଧ୍ୟରେ ପ୍ରତୀକ ଗୋଟିଏ ସେତୁପରି କାର୍ଯ୍ୟ କରିଥାଏ । ଅଧ୍ୟାତ୍ମିକ ଉପଲବ୍ଧିର ଗୌରବମୟ ଶୀର୍ଷସୀମାକୁ ଉନ୍ନୀତ ହୋଇଗଲେ ଏହି ପ୍ରତୀକଦୃଷ୍ଟି ଇଂରାଜୀ କବି ଉଇଲିୟମ ବ୍ଲେକଙ୍କ ପରି ‘ଗୋଟିଏ ଜଳବିନ୍ଦୁରେ ମହାନ୍ ସିନ୍ଧୁ ଓ ଗୋଟିଏ ଧୂଳିକଣାରେ ସମସ୍ତ ସ୍ଥଳଭାଗ’ର ପ୍ରତ୍ୟକ୍ଷାନୁଭବ କରିପାରେ ।

 

ଭାରତୀୟ ଧର୍ମ ଓ ତତ୍ତ୍ୱୋପଲବ୍ଧିର କାହାଣୀ ଏହି ପ୍ରତୀକମୂଳ ମୂଲ୍ୟାନ୍ତରୀକରଣର ଏକ ଚମତ୍କାର କାହାଣୀ । ପରମ ସତ୍ୟକୁ ଦର୍ଶନ ଶାସ୍ତ୍ରରେ ମନର ଆଗୋଚର ବୋଲି କୁହାଯାଇଚି, କିନ୍ତୁ କେବଳ ଏକ ଶୂନ୍ୟ ଉପରେ କିପରି ଏହି ସତ୍ୟର ଧାରଣାକୁ ପ୍ରକାଶ କରାଯାଇ ପାରିବ ? ତେଣୁ ନିର୍ଣ୍ଣୟ ଓ ଉପଲବ୍ଧିର ପରିସରକୁ ଆଣିବାକୁ ହେଲେ ପରମ ସତ୍ୟର ସୂକ୍ଷ୍ମକଳ୍ପନାକୁ ପ୍ରତିନିଧିମୂଳକ ପ୍ରତୀକ-କଳ୍ପନାର ଆପାତଃ ସ୍ଥୂଳ କଳ୍ପନାରେ ପରିବର୍ତ୍ତନ କରିବାକୁ ପଡ଼ିବ । ସାଧାରଣ ମଣିଷର ମନ ଆକାର ଓ ସ୍ଥୂଳରୂପରେ ସମସ୍ତ କଳ୍ପନା କରିଥାଏ । ଭାରତୀୟ ଧର୍ମର ପୁରାତନ ଆଚାର୍ଯ୍ୟମାନେ ଏହିକଥା ହୃଦୟଙ୍ଗମ କରିଥିଲେ ଏବଂ ଏହିପରି ଏକ ମନୋବୈଜ୍ଞାନିକ ଆବଶ୍ୟକତାର ପୂରଣ କରିବାଲାଗି ପ୍ରତୀକ-କଳ୍ପନାର ଉଦ୍ଭବ ହୋଇଥିଲା । ଭାରତୀୟ ଧର୍ମର ପରିପ୍ରକାଶରେ ଏହି ପ୍ରତୀକର ବିକାଶ ସବୁକାଳରେ ଏକ ସମୃଦ୍ଧିମନ୍ତ ଇତିହାସରୂପେ ରହିଆସିଚି ।

 

ଅଗ୍ନି, ଜଳ, ବାୟୁ ପ୍ରଭୃତି ପ୍ରାକୃତିକ ଉପାଦାନଗୁଡ଼ିକୁ ବେଦରେ ଗୋଟିଏ ଗୋଟିଏ ପ୍ରତୀକରୂପେ ଗ୍ରହଣ କରାଯାଇଚି ଓ ପ୍ରତ୍ୟେକଙ୍କ ଲାଗି ସ୍ଵତନ୍ତ୍ର ସ୍ତୋତ୍ର ଓ ପ୍ରାର୍ଥନାମନ୍ତ୍ର ଉଦ୍ଦିଷ୍ଟ ହୋଇଅଛି । ବେଦର ବିଭିନ୍ନ ସୂକ୍ତରେ ପୂଜା, ଅର୍ଚ୍ଚନା ଓ ନୈବେଦ୍ୟର ବିଭିନ୍ନ ପ୍ରତୀକର ବିଭିନ୍ନ ପରାମର୍ଶ ଦିଆଯାଇଚି । କିନ୍ତୁ ଯାବତୀୟ ପ୍ରତୀକର ଜରିଆରେ କେବଳ ଅନ୍ତର୍ନିହିତ ପରମ ସତ୍ୟକୁ ହିଁ ସୂଚାଇ ଦିଆଯାଇଚି । “ସେହି ପରମ ଜୀବନକୁ ନମସ୍କାର, ଯାହାର ଆଜ୍ଞାରେ ଏସମସ୍ତ ତିଷ୍ଠିରହିଚି, ଯିଏ ଏ ସମସ୍ତର ପ୍ରଭୁ, ଯାହାଙ୍କ ମଧ୍ୟରେ ଏସମସ୍ତ ଅବସ୍ଥିତ ରହିଛି,”- ବେଦର ଏହି ମନ୍ତ୍ରଟି ସବୁ ପ୍ରତୀକର ମାଳିକୁ ଏକାଠି ଗୁନ୍ଥିରଖିଥିବା ସୂତାଟି ବିଷୟରେ ଆମକୁ ଜାଗ୍ରତ କରିଦେଉଛି ।

 

ମନୁଷ୍ୟ ହାତରେ ଏକ ବୋଧଗମ୍ୟ ଉପଲବ୍ଧିକ୍ରମ ଧରାଇ ଦେବାକୁ ହିଁ ପ୍ରତୀକ ସାହାଯ୍ୟରେ ଧର୍ମର ବିଶ୍ଳେଷଣ ହୋଇଥାଏ । ଭାରତୀୟ ବିଚାରର ଦୁଇଟି ମାର୍ଗ,–ଯୋଗ ଓ ତନ୍ତ୍ର ପ୍ରଧାନତଃ ସାଧନା ଓ ଉପଲବ୍ଧି ବିଷୟରେ ଚର୍ଚ୍ଚା କରିଅଛି । ବସ୍ତୁତଃ ଅନେକ ସମାଲୋଚକ ତନ୍ତ୍ରକୁ ଭାରତୀୟ ଦର୍ଶନର ସାଧନା-ଅଙ୍ଗ ବୋଲି କହିଚନ୍ତି । ତେଣୁ ଯୋଗ ଓ ତନ୍ତ୍ରଶାସ୍ତ୍ରମାନଙ୍କରେ ପ୍ରତୀକ ସମ୍ବନ୍ଧରେ ସୁବିସ୍ତୃତ ଚର୍ଚ୍ଚା କରାଯାଇଚି । ବିଭିନ୍ନ ପ୍ରତୀକର ସାହାଯ୍ୟରେ ସୋପାନ ଅନୁକ୍ରମରେ ସାଧନାରେ ଅଗ୍ରସର ହେବାଲାଗି ପରାମର୍ଶ ଦିଆଯାଇଚି ।

 

ପ୍ରାଣଶକ୍ତିକୁ ଊର୍ଦ୍ଧ୍ଵଗତି କରାଇ କିପରି ପରମ ଉପଲବ୍ଧି ସମ୍ଭବ ହୋଇପାରିବ, କୁଣ୍ଡଳିନୀ ଯୋଗ ତାହାର ଆଲୋଚନା କରିଚି । ଶରୀରର ଦଣ୍ଡରେ ଏହା ଛଅଟି ଚକ୍ର ବା ବିଶେଷ ସ୍ଥାନର କଳ୍ପନା କରିଚି । ପ୍ରତ୍ୟେକ ଚକ୍ରରେ ଗୋଟିଏ ଗୋଟିଏ କମଳ, ଅବସ୍ଥାନ ବିଶେଷରେ ପ୍ରତ୍ୟେକ କମଳରେ ବିଭିନ୍ନ ସଂଖ୍ୟାର ପାଖୁଡ଼ା । ପ୍ରାଣଶକ୍ତିକୁ ଆପଣାର ଆୟତ୍ତରେ ଆଣି ଓ ଉତ୍ଥାନ ଅନୁକ୍ରମରେ ଏହି କମଳ ଉପରେ ଆପଣାର ଧ୍ୟାନ ନିବିଦ୍ଧ କରି କଠୋର ସାଧନା କଲେ ସାଧକ ମସ୍ତିଷ୍କ ଭିତରେ ଅବସ୍ଥିତ ସହସ୍ରାର ବା ସହସ୍ରଦଳ କମଳରେ ଉପନୀତ ହୁଏ ଏବଂ ସେହିଠାରେ ସେ ପରମ ଆନନ୍ଦରେ ଉପଲବ୍ଧି କରେ । ଉଲ୍ଲିଖିତ ପ୍ରତ୍ୟେକଟି କମଳର ରଙ୍ଗ ଭିନ୍ନ ଭିନ୍ନ ପ୍ରକାର,–ଏହିସବୁ ଭିନ୍ନ ଭିନ୍ନ ରଙ୍ଗ, ଏପରିକି ପାଖୁଡ଼ାର ସଂଖ୍ୟାଗୁଡ଼ିକର ମଧ୍ୟ ଏକ ପ୍ରତୀକଗତ ଅର୍ଥ ବା ବ୍ୟଞ୍ଜନା ରହିଚି । ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ, କୁଣ୍ଡଳିନୀ ଯୋଗକ୍ରମ ସାଧକକୁ ଚେତନାର ସୋପାନରେ କ୍ରମଶଃ ଉତ୍ତୋଳିତ କରିନେଇ ସର୍ବଶେଷରେ ତାକୁ ବିଶ୍ଵଚେତନାର ଉପଲବ୍ଧିରେ ଉପନୀତ କରାଏ ।

 

ମଧ୍ୟଯୁଗୀୟ ଓଡ଼ିଶାରେ ଜଣେ ତତ୍ତ୍ଵଦର୍ଶୀ ଯୋଗସାଧନାର ଏକ ବାରବର୍ଷବ୍ୟାପୀ କ୍ରମ ନିରୂପଣ କରିଅଛନ୍ତି,–ପ୍ରତ୍ୟେକ ବର୍ଷ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରତୀକର ସାହାଯ୍ୟରେ ପରମ ପୁରୁଷଙ୍କର ଧ୍ୟାନ କରିବାର ବ୍ୟବସ୍ଥା ଏଥିରେ ରହିଚି । ପ୍ରତୀକ ଧ୍ୟାନକୁ ସାଧାରଣତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ, ହୁଏତ ପୂର୍ବପରର ଅନୁକ୍ରମରେ ଏପରି କରାଯାଇଥାଏ । ପ୍ରଥମେ କୌଣସି ସ୍ଥୂଳ ବସ୍ତୁର ଧ୍ୟାନ, ଦ୍ଵିତୀୟରେ ଆଲୋକ ବା ଜ୍ୟୋତିର ଧ୍ୟାନ, ଏବଂ ତାପରେ ବିନ୍ଦୁ ବା ସୂକ୍ଷ୍ମ ଧ୍ୟାନ ।

 

ସତ୍ୟର ଶକ୍ତିରୂପକୁ ତନ୍ତ୍ରଶାସ୍ତ୍ର ଦେବୀ ବା ଜଗଜ୍ଜନନୀ ରୂପେ କଳ୍ପନା କରିଚି । ତନ୍ତ୍ରରେ କୁହଯାଇଚି ଯେ ଦେବୀଙ୍କର ପ୍ରକୃତରେ କୌଣସି ଦେହ ବା ରୂପ ନାହିଁ, କିନ୍ତୁ ଆରାଧନାର ସୁବିଧାପାଇଁ ଓ ସାଧକର କଲ୍ୟାଣପାଇଁ ସେ ବିଭିନ୍ନ ରୂପ ଧାରଣ କରନ୍ତି । ଦେବୀପ୍ରସାଦ ଲାଭ କରିବାପାଇଁ ତନ୍ତ୍ରରେ ବିଶଦ ପୂଜା ଓ ଉପଚାରର ଏକ ବିଭବମୟ ବ୍ୟବସ୍ଥା ରହିଚି । ଦେବୀଙ୍କର ନାନା କଳ୍ପନା ଅନୁସାରେ ବିଭିନ୍ନ ସ୍ଥଳରେ ତାଙ୍କର ନାନା ପ୍ରତୀକର କଳ୍ପନା କରାଯାଇଚି । ପରବର୍ତ୍ତୀ କାଳରେ ବୌଦ୍ଧଧର୍ମର ବଜ୍ରଯାନ ପର୍ଯ୍ୟାୟକୁ ତନ୍ତ୍ର ଓ ବୁଦ୍ଧପୂଜାର ଏକ ଅଭିନବ ସମ୍ମିଶ୍ରଣ ବୋଲି କୁହାଯାଇ ପାରିବ । ପ୍ରାୟ ଚତୁର୍ଥ ଶତାବ୍ଦୀରେ ତିଦ୍ଧତରେ ଏହାର ବିକାଶ ହୋଇଥିଲା । ବଜ୍ରଯାନର ଶାସ୍ତ୍ରଗୁଡ଼ିକ ନାନପ୍ରକାର ପ୍ରତୀକପୂଜାର ବିଧାନରେ ପରିପୂର୍ଣ୍ଣ ହୋଇ ରହିଚି । ଗୋଟିଏ ଶାସ୍ତ୍ରରେ ତିନୋଟି ମଣ୍ଡଳ ସଜ୍ଜିତ ଏକ ପଦ୍ମ ଉପରେ ଆସୀନ ଦେବୀଙ୍କର କଳ୍ପନା କରାଯାଇଚି । ପ୍ରତ୍ୟେକ ମଣ୍ଡଳରେ ଅଠୋଟି ଦଳ । ପ୍ରତ୍ୟେକଟି ଦଳ ଉପରେ ବିଭିନ୍ନ ଦେବତା ସେମାନଙ୍କର ଦେବୀଙ୍କ ସହିତ ସମାସୀନ ଅଛନ୍ତି । ଦେବୀଙ୍କର ବିଭିନ୍ନ ଗୁଣ ଓ ଦେବୀଙ୍କଠାରୁ ମିଳୁଥିବା ବିଭିନ୍ନ ଆଶୀର୍ବାଦର ପ୍ରତୀକସ୍ୱରୂପ ଏହି ଦେବଦେବୀଙ୍କର କଳ୍ପନା କରାଯାଇଚି । ବିଭିନ୍ନ ଗୁଣ ଓ ବିଭୂତିର ବ୍ୟଞ୍ଜନା ବହନ କରିଥିବା ବିଭିନ୍ନ ଦଳଗୁଡ଼ିକର ଧ୍ୟାନକରି ଶେଷରେ ଦେବୀଧ୍ୟାନର ସମାଧିରେ ଉପନୀତ ହେବାଲାଗି ସାଧକକୁ ପରାମର୍ଶ ଦିଆଯାଇଚି ।

 

ଭାରତୀୟ ପ୍ରତୀକଗୁଡ଼ିକୁ ସ୍ଥୂଳତଃ ତିନି ପ୍ରଧାନ ଭାଗରେ ବିଭକ୍ତ କରାଯାଇପାରେ । ସେଗୁଡ଼ିକ ହେଉଚି;–ରଙ୍ଗର ପ୍ରତୀକ, ଆଲୋକର ପ୍ରତୀକ ଓ ଶବ୍ଦର ପ୍ରତୀକ । ଯୋଗଶାସ୍ତ୍ରରେ ସାଧନାର ବିଭିନ୍ନ ଉପଲବ୍ଧି–ସ୍ତରର ସୂଚନା ଦେଇ ବିଭିନ୍ନ ରଙ୍ଗ ଓ ଆଲୋକ-ପ୍ରତୀକର ବର୍ଣ୍ଣନା ଦିଆଯାଇଚି । କିନ୍ତୁ ଶବ୍ଦ-ପ୍ରତୀକର କଳ୍ପନା ସବୁଠାରୁ ଅଧିକ ଚମତ୍କାର । ବିଭିନ୍ନ ମନ୍ତ୍ରର ନିୟତ ଉଚ୍ଚାରଣଦ୍ଵାରା ସାଧକ ତା’ ର ଆରାଧ୍ୟର ସମୀପବର୍ତ୍ତୀ ହୋଇପାରିବ ବୋଲି କୁହାଯାଇଚି । କେତେକ ମନ୍ତ୍ରର ପୁଣି କୌଣସି ପ୍ରକାର ବାଚ୍ୟାର୍ଥ ନାହିଁ । ଆଦିଶବ୍ଦର ପ୍ରତୀକ ଓଁ ବିଷୟରେ କିଞ୍ଚିତ୍ ଆଲୋଚନା କଲେ ସମ୍ଭବତଃ ଏଠାରେ ଅପ୍ରାସଙ୍ଗିକ ହେବନାହିଁ । ଓଁର ବ୍ୟାଖ୍ୟା ଓ ବିଶ୍ଳେଷଣ କରାଯାଇ ଭାରତୀୟ ଦର୍ଶନରେ ଅନେକାନେକ ଶାସ୍ତ୍ରର ପ୍ରଣୟନ ହୋଇଅଛି । ପରଂବ୍ରହ୍ମ ଯେତେବେଳେ ଇଶ୍ଵରରୂପ ଧାରଣ କରି ସୃଷ୍ଟିପାଇଁ ପ୍ରବୃତ୍ତ ହେଲେ, ସେତିକିବେଳେ ଧ୍ଵନିତ ପ୍ରଥମ ଶବ୍ଦ ହେଉଚି ଓଁ, ଶାସ୍ତ୍ରରେ ଏହିପରି କଳ୍ପନା କରାଯାଇଚି । ପ୍ରତ୍ୟେକ ସୃଷ୍ଟିର ଶେଷ ପର୍ଯ୍ୟାୟର ଅର୍ଥାତ୍ ପ୍ରତ୍ୟେକ ପ୍ରଳୟକାଳର ଅନ୍ତିମଶବ୍ଦ ମଧ୍ୟ ଏହି ଓଁ । ସୃଷ୍ଟ ସଂସାରରେ ଉତ୍ପନ ହେଉଥିବା ପ୍ରତ୍ୟେକ ଶବ୍ଦରେ ମଧ୍ୟ ଏହି ଓଁର ଅନ୍ତର୍ନିହିତ ସୂତ୍ର ଅଖଣ୍ଡ ଭାବରେ ରହିଅଛି । ତେଣୁ ଓଁ ହେଉଚି ସୃଷ୍ଟିର ଆଦି, ସ୍ଥିତି ଓ ପରିଣତି । ଯୋଗସୂତ୍ର ଏହାକୁ ଶବ୍ଦବ୍ରହ୍ମ ବୋଲି ଅଭିହିତ କରିଚନ୍ତି, ଶବ୍ଦବ୍ରହ୍ମ ଅର୍ଥାତ୍ ବ୍ରହ୍ମର ଶବ୍ଦମୂଳ କଳ୍ପନା । ଓଁର ଧ୍ୟାନ କରିବାକୁ ଏକାକ୍ଷର ମନ୍ତ୍ରର ଧ୍ୟାନ କରିବାକୁ କୁହାଯାଇଛି । ଧ୍ୟାନକ୍ରମରେ ସବୁ ପ୍ରତୀକ ଓ ଅକ୍ଷର ପରେ ଓଁର ଧ୍ୟାନ କରିବାକୁ ହୁଏ । ଉପନିଷଦ ଓଁକୁ ଏକ ଧନୁ ସହିତ ତୁଳନା କରିଚି, ଯେଉଁ ଧନୁର ସାହାଯ୍ୟରେ ଜୀବାତ୍ମାରୂପକ ତୀର ସହଜରେ ବ୍ରହ୍ମର ଲକ୍ଷ୍ୟଭେଦ କରିପାରେ ।

 

କେବଳ ଧର୍ମାଭ୍ୟାସର ବିଶେଷ କ୍ଷେତ୍ରରେ ନୁହେଁ, ପ୍ରତୀକ କଳ୍ପନା ଭାରତୀୟ ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଚି ବୋଲି କୁହାଯାଇ ପାରିବ । ଭାରତୀୟ ଯାହା କରେ, ଯାହା କହେ, ଆପଣାର ସୂକ୍ଷ୍ମାନୁଭୂତିଗୁଡ଼ିକୁ ସେ ଯେଉଁପରି ପ୍ରକାଶ କରିବାକୁ ଚେଷ୍ଟା କରେ, ସବୁଥିରେ ପ୍ରତୀକର ଆରୋପ କରି ସେ ତାକୁ ଏକ ପ୍ରବିତ୍ର ଧର୍ମାନୁଷ୍ଠାନରେ ପରିଣତ କରେ । ଭାରତୀୟ ନୃତ୍ୟକୁ ସୃଷ୍ଟିକର୍ତ୍ତାଙ୍କର ସୃଜନନୃତ୍ୟର ଏକ ପ୍ରତୀକମୟ ଅନୁକୃତି ବୋଲି କୁହାଯାଇ ପାରିବ;–ସମଗ୍ର ବିଶ୍ଵରେ ସତତ ଯେଉଁ ଐକତାନ ଝଙ୍କୃତ ହେଉଚି, ନାନା ପ୍ରତୀକର ସାହାଯ୍ୟ ନେଇ ଭାରତୀୟ ସଙ୍ଗୀତ ତାହାରି ଭାବକୁ ହିଁ ପ୍ରକାଶ କରିବାକୁ ଚେଷ୍ଟା କଲେ । ଭାରତୀୟ ସାହିତ୍ୟ ବ୍ରହ୍ମାନନ୍ଦର ସହୋଦର ହେବାର ଅଭିଳାଷ ପୋଷଣ କରେ । ଏପରି କି ଏକ ସମ୍ବଦ୍ଧ ପରିବାର ମଧ୍ୟରେ ବାସକରିବା, ପରିବାରର ପ୍ରତ୍ୟେକଙ୍କ ସହିତ ନାନପ୍ରକାର ସ୍ନେହସୂତ୍ରରେ ଆବଦ୍ଧ ରହିବାକୁ ମଧ୍ୟ ଭାରତରେ ଧର୍ମପୂରଣର ଏକ ପାର୍ଥିବ ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ ।

 

“କୁସଂସ୍କାରଗ୍ରସ୍ତ ଧର୍ମହୀନ ମଣିଷ ଅନ୍ଧଭାବରେକାଠ ଆଉ ପଥରକୁ ଭଗବାନ ମନେକରି ପୂଜା କରେ”,–ସମ୍ଭବତଃ ଏହିପରି ଏକ ପ୍ରମାଦବୁଦ୍ଧିର ବଶବର୍ତ୍ତୀ ହୋଇ ଖ୍ରୀଷ୍ଟୀୟାନ୍ ପାଦ୍ରୀମାନେ ଦେଶଦେଶାନ୍ତ ଭ୍ରମି କେବଳ କେତେଟା ବାହ୍ୟ ଧର୍ମାଚାରକୁ ବଦଳାଇଦେଇ ଲୋକଙ୍କୁ ଖ୍ରୀଷ୍ଟୀୟାନ୍ ଧର୍ମକୁ ଦୀକ୍ଷିତ କରିଦେବାର ପ୍ରେରଣା ପାଇଥିଲେ । କିନ୍ତୁ ପୃଥିବୀର ପ୍ରତ୍ୟେକ ଧର୍ମରେ ପ୍ରତୀକ କଳ୍ପନା ପୂରିରହିଚି । କ୍ରୁସ, ଓ ଗୀର୍ଜାଘରେ ସେବନ କରାଯାଉଥିବା ଖାଦ୍ୟ ଓ ପାନୀୟକୁ କ୍ରୁସବିଦ୍ଧ ଯୀଶୁଙ୍କର ମାଂସ ଓ ରକ୍ତ ବୋଲି କଳ୍ପନା କରିବାର ଧର୍ମାଚାରକୁ ଖ୍ରୀଷ୍ଟିୟାନ୍ ଧର୍ମରେ ରହିଥିବା ବହୁ ପ୍ରତୀକର କେବଳ କେତୋଟି ଦୃଷ୍ଟାନ୍ତ ବୋଲି କୁହାଯାଇ ପାରେ । ଗୀର୍ଜାକୁ ଏକ ପିତୁଳାପରି ମାନିବାର କୁସଂସ୍କାର ବିରୁଦ୍ଧରେ ପ୍ରତିବାଦ କରି ପ୍ରୋଟେଷ୍ଟାଣ୍ଟ ଧର୍ମସଂସ୍କାର ଆରମ୍ଭ ହୋଇଥିଲା, କିନ୍ତୁ ବାଇବେଲକୁ ଆପଣାର ନୂଆ ପିତୁଳାରେ ପରିଣତ କରିବାକୁ ପ୍ରୋଟେଷ୍ଟାଣ୍ଟ ଧର୍ମ ଆଦୌ କାଳବିଳମ୍ବ କରିପାରିଲା ନାହିଁ । ଜାପାନ ଦେଶର ଜେନବୌଦ୍ଧଧର୍ମର ଅନୁଗାମୀମାନେ ସମସ୍ତ ପ୍ରକାର ପ୍ରତିମା ଓ ପ୍ରତୀକପୂଜାର ମୂଳୋତ୍ପାଟନ କରିଦେଇଥିବାର ଦାବୀ କରନ୍ତି । ତଥାପି ‘ଜେନ୍’ ଶବ୍ଦଟାକୁ ହିଁ ସେମାନେ ଗୋଟାଏ ପ୍ରତୀକ କରି ଦେଇଚନ୍ତି ବୋଲି ବେଶ୍ କୁହାଯାଇ ପାରିବ । ପ୍ରତିମା ବା ପ୍ରତୀକର ଉପାସନାରେ କୌଣସି ଦୋଷ ନାହିଁ, କାରଣ ପ୍ରତିମାପୂଜା ଓ ପୌତ୍ତଳିକତା କଦାପି ସମାନ କଥା ନୁହେଁ ।

 

ପ୍ରାଚ୍ୟ ତଥା ପାଶ୍ଚାତ୍ୟ ଜଗତର ପ୍ରାୟ ପ୍ରତ୍ୟେକ ସନ୍ଥ ଓ ତତ୍ତ୍ଵଦ୍ରଷ୍ଟାମାନେ ପ୍ରତୀକର ଚର୍ଚ୍ଚା କରିଅଛନ୍ତି, ପ୍ରତୀକ ସାହାଯ୍ୟରେ ଉପଦେଶ ଦେଇଅଛନ୍ତି ଓ ପ୍ରତୀକ ଜରିଆରେ ନାନାପ୍ରକାର ସିଦ୍ଧି ଲାଭ କରିଅଛନ୍ତି । ୟାକବ୍ ବ୍ୟୁହମେଙ୍କର ଆଲୋକ ଥାଳିଆ ଓ ସେଣ୍ଟ କାଥେରିନଙ୍କର ଦେହର କ୍ଷତଚିହ୍ନ (stigmata) ଏଠାରେ ଉଲ୍ଲେଖଯୋଗ୍ୟ । ଶ୍ରୀରାମକୃଷ୍ଣ ପରମହଂସଙ୍କର ସିଦ୍ଧିର କାହାଣୀ ସାଧନାର ଇତିହାସରେ ସମ୍ଭବତଃ ସବୁଠାରୁ ଅଧିକ ବିସ୍ମୟଜନକ । ବଙ୍ଗଦେଶର ଗୋଟିଏ ମନ୍ଦିରରେ ସେ କାଳୀମାତାଙ୍କର ପୂଜାରୁ ହିଁ ତାଙ୍କର ସାଧନା ଆରମ୍ଭ କରିଥିଲେ, ତାପରେ ଇତିହାସର ବିଭିନ୍ନ ଧର୍ମଦୂତ ଯୀଶୁଖ୍ରୀଷ୍ଟ ଓ ମହମ୍ମଦଙ୍କୁ ପ୍ରତୀକ କରି ସେ ପରବର୍ତ୍ତୀ ସୋପାନମାନ ଅତିକ୍ରମ କରିଥିଲେ, ଏବଂ ଶେଷରେ ଅଦ୍ଵୈତ ବ୍ରହ୍ମଚେତନାର ପରିଚୟ ଲାଭ କରିଥିଲେ । ଯଥାର୍ଥ ନିଷ୍ଠାର ସହିତ ଅନୁଧାବନ କରିପାରିଲେ ପ୍ରତୀକ ସାହାଯ୍ୟରେ ସାଧକ କିପରି ଚରମ ସତ୍ୟକୁ ଉପଲବ୍ଧି କରିପାରିବ, ଶ୍ରୀରାମକୃଷ୍ଣଙ୍କର ଜୀବନକାହାଣୀ ତାହାର ଏକ ସ୍ପଷ୍ଟ ଦୃଷ୍ଟାନ୍ତ ।

 

ନୃତତ୍ତ୍ଵବିଜ୍ଞାନର ପ୍ରଥମକାଳୀନ ଅଧ୍ୟୟନମାନ ଆଦିମ ସମାଜଗୁଡ଼ିକର କଳ୍ପନା ଓ ପ୍ରତୀକକୁ କେବଳ ସାମାଜିକ ବାରଣ (Taboo) ଓ କୁସଂସ୍କାର ବୋଲି କହି ସନ୍ତୋଷ ଲାଭ କରିଥିଲେ । କିନ୍ତୁ ମନୁଷ୍ୟର ଜୀବନରେ ପ୍ରତୀକର କେଡ଼େ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ରହିଚି, ସେହି ବିଷୟରେ ଆମେ ସୌଭାଗ୍ୟବଶତଃ ବର୍ତ୍ତମାନ ଅଧିକ ଗଭୀର ଭାବରେ ଆଲୋଚନା ଓ ଅନୁସନ୍ଧାନ କରିବାକୁ ଆରମ୍ଭ କଲୁଣି । ପ୍ରକୃତିଗତ ଭାବରେ ଦେଖିଲେ ପ୍ରତ୍ୟେକ ମନୁଷ୍ୟକୁ ଗୋଟିଏ ଗୋଟିଏ କବି କୁହାଯାଇ ପାରିବ, ନାନା ପ୍ରତୀକର ସୃଷ୍ଟି କରି ହିଁ ଆମେ ଆମର ମନୋଭାବ ପ୍ରକାଶ କରିଥାଉ, ଜଗତରେ ଆପଣାର ପରିଚୟ ଦେଉ । କାସିରରଙ୍କ ଭାଷାରେ, “ମଣିଷ କେବଳ ଭୌତିକ ସଂସାରରେ ଜୀବନ ଧାରଣ କରେନାହିଁ, ସେ ପ୍ରତୀକର ସଂସାରରେ ଜୀବନ ଯାପନ କରେ ।” ପୁନଶ୍ଚ, “ମଣିଷର ଯାବତୀୟ ସାଂସ୍କୃତିକ କାର୍ଯ୍ୟକଳାପ ପଛରେ ପ୍ରତୀକଗତ ପ୍ରକାଶର ସର୍ବସାମାନ୍ୟ ଉପାଦାନ ନିହିତ ରହିଚି । ପୁରାଣ ଓ କବିତା, ଭାଷା ଓ କଳା, ଧର୍ମ ଓ ବିଜ୍ଞାନରେ ଆମେ ଏହାର ପ୍ରମାଣ ପାଇପାରିବା ।” ପ୍ରତୀକ ବା ଆରୋପର ଅବଲମ୍ବନରେ ଆଧୁନିକ ମଣିଷ ତାର ପୂର୍ବପୁରୁଷମାନଙ୍କଠାରୁ କୌଣସି ଗୁଣରେ ପଛରେ ପଡ଼ିଯାଇନାହିଁ । ଜାତୀୟ ପତାକା, ମାତୃଭୂମି ଓ ପିତୃଭୂମିର ସ୍ଲୋଗାନ, ଜାତୀୟତା, କମୁନିଷ୍ଟବାଦ ଓ ଗଣତନ୍ତ୍ରକୁ ଆମ ଆଧୁନିକ କାଳର କେତୋଟି ଅତି ପରିଚିତ ପ୍ରତୀକ ବୋଲି କୁହାଯାଇ ପାରିବ-। ଆଦିମ ମଣିଷଠାରୁ ଆମେ ଆଧୁନିକମାନେ ଅଧିକ ଉତ୍ତେଜନା ଓ ଅଦମ୍ୟତା ସହକାରେ ପ୍ରତୀକର ଅନୁଧାବନ କରୁଛୁ ବୋଲି କହିଲେ ଆଦୌ ଭୁଲ୍ ହେବନାହିଁ ।

 

କିନ୍ତୁ ପ୍ରତୀକ କେବଳ ସାଧନମାତ୍ର, ସାଧ୍ୟ ନୁହେଁ । ବୃହତ୍ତର ଓ ମହତ୍ତର ସତ୍ୟକୁ ସୁଚାଇ ଦେବାରେ ହିଁ ପ୍ରତୀକର ମହତ୍ତ୍ଵ ନିହିତ । ଏହିସବୁ ସତ୍ୟ ଓ ବିଚାରମାନ ଯେତିକି ପ୍ରଶସ୍ତ ଓ ଉଦାର ହେବ, ସେଗୁଡ଼ିକର ପ୍ରତିନିଧିତ୍ଵ କରୁଥିବା ପ୍ରତୀକଗୁଡ଼ିକ ମଧ୍ୟ ସେତିକି ସୁସ୍ଥ ଓ ସୁଫଳପ୍ରଦ ହୋଇପାରିବ । କିନ୍ତୁ ଆରୋପିତ ସତ୍ୟ ସହିତ ପ୍ରତୀକର ସମ୍ପର୍କ ଛିନ୍ନ ହୋଇଗଲେ ପ୍ରତୀକ ଅତି ସଂକୀର୍ଣ୍ଣ ହୋଇପଡ଼ିବ, ମଣିଷକୁ ମୁକ୍ତ ଓ ବିକଶିତ କରିବା ପରିବର୍ତ୍ତେ ତା’ର ମନକୁ ନାନା ଜାଲର ବନ୍ଧନ ଭିତରେ ପକାଇଦେବ । ଏହି ସମ୍ପର୍କ ଛିନ୍ନ ହୋଇଯିବାରେ ନିହିତ ଥିବା ପ୍ରମାଦ ବିଷୟରେ ଆପଣାର ପ୍ରତୀକ-ସମ୍ବନ୍ଧୀୟ ନିବନ୍ଧରେ ବିଖ୍ୟାତ ବୈଜ୍ଞାନିକ ଓ ଦାର୍ଶନିକ ଅଲଫ୍ରେଡ଼୍ ହ୍ଵାଇଟହେଡ଼୍ ଆମକୁ ସତର୍କକରି ଦେଇଅଛନ୍ତି । ଯେଉଁଠି ଏକାଦ୍ଵାରା ସମଗ୍ରର ପ୍ରତିନିଧିତ୍ଵ ହୋଇପାରିବ, କେବଳ ଏକ ସ୍ଵପ୍ନ ଓ ଛାୟା ସଦୃଶ ନୁହେଁ, ଅନାବିଷ୍କୃତର ଉଦଘାଟନ କରିବାରେ ଯେଉଁଠି ଏହି ପ୍ରତିନିଧିତ୍ଵ ସାହାଯ୍ୟ କରିପାରିବ, ସେହିଠାରେ ହିଁ ପ୍ରତୀକକୁ ଏକ ଯଥାର୍ଥ ପ୍ରତୀକ ବୋଲି କୁହାଯାଇ ପାରିବ । ଅନ୍ତର୍ନିହିତ ଉଚ୍ଚତର ସତ୍ୟଠାରୁ ବିଛିନ୍ନ ହୋଇ ଯେତେବେଳେ ଆମେ ପ୍ରତୀକର ପୂଜା କରିଚୁ, ସେତେବେଳେ ସାମାଜିକ ତଥା ଆଧ୍ୟାତ୍ମିକ କ୍ଷେତ୍ରରେ ଆମେ ଯେ କେତେ କେତେ ଭୟାବହ ପ୍ରମାଦର ସୃଷ୍ଟି କରିଚୁ, ଇତିହାସରେ ସେପରି ଦୃଷ୍ଟାନ୍ତର ଆଦୌ ଅଭାବ ନାହିଁ । ଅନ୍ୟ ଧର୍ମର ପ୍ରତୀକଠାରୁ ଆପଣା ଧର୍ମର ପ୍ରତୀକ ବଡ଼ ବା ଭଲ, ଏହିପରି ଏକ ବିବାଦରେ ଆସକ୍ତ ହୋଇ ବିଭିନ୍ନ ଧର୍ମସମ୍ପ୍ରଦାୟମାନେ ସମାଜ ଓ ସଂସାରରେ ଅନେକ ଅଧୋଗତି ଘଟାଇଛନ୍ତି । ଏହିସବୁ ଅନ୍ଧବିଶ୍ଵାସ ଓ ଉଗ୍ର ଧର୍ମାନୁଧାବନର କଳିମାରୁ ଭାରତ ମଧ୍ୟ ଆପଣାକୁ ମୁକ୍ତ ରଖିପାରି ନାହିଁ ।

 

ପୌତ୍ତଳିକପରି ପ୍ରତୀକରେ ଆସକ୍ତ ହୋଇ ରହିବା ବିଷୟରେ ଭାରତର ତତ୍ତ୍ଵଦର୍ଶୀମାନେ ଆମକୁ ଚିରଦିନ ସାବଧାନ କରି ଦେଇଛନ୍ତି । କବୀର ଉପହାସ କରି କହିଛନ୍ତି, “ମନର ରଙ୍ଗ ନ ବଦଳାଇ ଯୋଗୀ ପ୍ରଥମେ ଆପଣାର କପଡ଼ାର ରଙ୍ଗ ବଦଳାଇବାକୁ ବିଚାରିଲା, ବ୍ରହ୍ମକୁ ଛାଡ଼ି ମନ୍ଦିର ଭିତରେ ପଥରର ପୂଜା କରିବାରେ ମସ୍ତ ରହିଲା, ପବିତ୍ର ମାଳା ଜପିଲା, ଦେହସାରା ଚନ୍ଦନ ଓ ତିଳକ ବୋଳିହେଲା, ମୁଣ୍ଡର ବାଳକୁ ବଢ଼ାଇ ଜଟା କରିଦେଲା । କିନ୍ତୁ ହୃଦୟ ଭିତରଟା ଦନ୍ଥଡ଼ା କଟୁରୀପରି ପଡ଼ି ରହିଥିବା ପର୍ଯ୍ୟନ୍ତ, ଏହିସବୁ ରୂପ ବଦଳାରେ ଭଗବାନ ମିଳିବେ କିପରି ?” ମୀରାବାଈ ମଧ୍ୟ ଠିକ୍ ସେହିକଥା କହିଛନ୍ତି, “ପ୍ରତିଦିନ ନଦୀଜଳରେ ସ୍ନାନକଲେ ଯଦି ହରି ମିଳୁଥାନ୍ତେ, ତେବେ କେଉଟମାନେ ତ କେବେଠାରୁ ତାଙ୍କୁ ପାଇସାରନ୍ତେଣି । ପବିତ୍ର ତୁଳସୀପତ୍ର ଚୋବାଇ ଯଦି ହରି ମିଳୁଥାନ୍ତେ, ତେବେ ମାଙ୍କଡ଼ମାନେ ନିଶ୍ଚୟ ତାଙ୍କୁ ଲାଭ କରିଥାନ୍ତେ । କିନ୍ତୁ ଏସବୁ ତାଙ୍କୁ ପାଇବାର ପଥ ନୁହେଁ । ପ୍ରେମ ବ୍ୟତୀତ ହରିଲାଭ କଦାପି ସମ୍ଭବ ନୁହେଁ ।”

 

ବର୍ତ୍ତମାନ ଆମେ ଧର୍ମର ସବୁଠାରୁ ଅଧିକ ସାରକଥା ପାଖରେ ଆସି ପହଞ୍ଚିଚୁ ବୋଧହୁଏ ଏହା ହିଁ ମଧ୍ୟ ଜୀବନର ଯାବତୀୟ କ୍ଷେତ୍ରରେ ସବୁଠାରୁ ବଡ଼ ସାରକଥା । ମନ ହେଉଚି ସବୁ କଥାର ଯଥାର୍ଥ ମାପକାଠି, ଗୋଟିଏ ପିଛୁଳାକେ ସମସ୍ତ ବିଶ୍ଵର ଦର୍ଶନ କରିବାକୁ ହେଲେ ସୂର୍ଯ୍ୟପରି ଉଜ୍ଜ୍ଵଳ ଓ ଉଚ୍ଚ ହେବାକୁ ପଡ଼ିବ । ମନ ଓ ଦୃଷ୍ଟି ଠିକ୍ ନହେଲେ, ପ୍ରତୀକ କେବଳ ଜୀବନହୀନ ହୋଇ ରହିବ, ଆମର କୌଣସି କାମରେ ଲାଗିପାରିବ ନାହିଁ । ଉଚିତ ଶ୍ରଦ୍ଧା ନଥିବା ବ୍ୟକ୍ତି ଯୋଡ଼ାହୋଇଥିବା କେବଳ କାଠ ଦୁଇଖଣ୍ଡ ବ୍ୟତୀତ କ୍ରୁସ ଭିତରେ ଅଧିକ କିଛି ଦେଖିପାରେ ନାହିଁ । ତେଣୁ ଖାଲି ପ୍ରତୀକଟା ଭିତରେ କୌଣସି ମହତ୍ତ୍ଵ ନାହିଁ । ମନର ଦୃଷ୍ଟି ଓ ପ୍ରସ୍ତୁତି ପ୍ରତୀକକୁ ଏକ ପବିତ୍ର ସ୍ତରରେ ଅବସ୍ଥାପିତ କରିଦିଏ ଏବଂ ତାହାରି ଭିତରେ ମହତ୍ତମ ସତ୍ତାର ଅନୁଭୂତି ଲାଭକରେ । ମନ ହେଉଚି ବେଦ, ମନ ହେଉଚି ଗୀତା, ମନ ଯୋଗ୍ୟ ନଥିଲେ ଅମୃତ ମଧ୍ୟ ପିତା ଲାଗେ, ଷୋଡ଼ଶ ଶତବ୍ଦୀର ଓଡ଼ିଶାରେ ତତ୍ତ୍ଵଦର୍ଶୀ ଅଚ୍ୟୁତାନନ୍ଦ ଏହା ଘୋଷଣା କରିଛନ୍ତି । ପାସ୍କାଲ କହିଛନ୍ତି, “ଯେଉଁମାନେ ଦେଖିବାର ଯୋଗ୍ୟ, ସେମାନଙ୍କ ଲାଗି ଯଥେଷ୍ଟ ଆଲୋକ ରହିଚି । କିନ୍ତୁ ଯେଉଁମାନେ ଅଯୋଗ୍ୟ ଓ ଅନାଗ୍ରହୀ, ସେମାନଙ୍କଲାଗି ଯଥେଷ୍ଟ ଅନ୍ଧକାର ମଧ୍ୟ ରହିଚି । ଅଯୋଗ୍ୟ ଓ ଅନାଗ୍ରହୀ ବ୍ୟକ୍ତି ପ୍ରତୀକ ଭିତରେ କିଛି ଦେଖିପାରେ ନାହିଁ । “ଯେତେବେଳେ ଭୂତଚରାଚର ପାଇଁ ରାତ୍ରି ଘୋଟିଥାଏ, ସେତେବେଳେ ସଂଯମୀ ଜାଗ୍ରତ ଥାଏ,”–ଗୀତାର ଏହି ପଦଟି ସହିତ ଉପରଲିଖିତ ଉକ୍ତିର କେତେ ସାମଞ୍ଜସ୍ୟ ରହିଚି ।

 

କୋପେନହେଗେନ୍, ଡେନମାର୍କ

୧୨/୪/୫୧

Image

 

ଧର୍ମ, ଭାରତବର୍ଷ ଓ ପୃଥିବୀ

 

ଦର୍ଶନକୁ କିପରି କେବଳ ଏକ ଐତିହାସିକ ଦୃଷ୍ଟିକୋଣରୁ ଅଧ୍ୟୟନ କରାଯାଇଚି, ସଭ୍ୟତା ସମ୍ବନ୍ଧରେ ଲେଖିଥିବା ଆପଣାର ଗ୍ରନ୍ଥରେ ଆଲବର୍ଟ ସ୍ଵାଇତଜର ତାହାର ଚର୍ଚ୍ଚା କରିଚନ୍ତି । ସେ ମତ ପ୍ରକାଶ କରିଚନ୍ତି ଯେ ଏହାଫଳରେ ଦର୍ଶନ ବୋଲି କେବଳ ଦର୍ଶନର ଇତିହାସର ହିଁ ଗବେଷଣା ହୋଇଚି ଓ ତେଣୁ ଦର୍ଶନଅଧ୍ୟୟନର ମୂଳ ଉଦ୍ଦେଶ୍ୟକୁ ଆମେ ଅତି ଅବହେଳା ଦେଖାଇ ଆସିଚୁ । ଦର୍ଶନର ଇତିହାସ ଖୋଜି ବୁଲିବା ନୁହେଁ, ଜୀବନ ଓ ଜଗତ୍ ବିଷୟରେ ଏକ ସମ୍ୟକଦୃଷ୍ଟି (Weltanschauung) ଅର୍ଜନ କରିବା ହେଉଚି ଦର୍ଶନ-ଅଧ୍ୟୟନର ପ୍ରଧାନ ଉଦ୍ଦେଶ୍ୟ ।

 

ଭାରତୀୟ ଧର୍ମର ଅଧ୍ୟୟନ କରିବା ସମୟରେ ମଧ୍ୟ ଆମେ ଅଳ୍ପବହୁତ ସେହି ଭ୍ରମ କରିପକାଇଚୁ । ଦେବତା, ମାର୍ଗ ଓ ସମ୍ପ୍ରଦାୟର ଇତିହାସ ଆଲୋଚନା କରିବସିଲେ ଧର୍ମକ୍ଷେତ୍ରରେ ଆମେ ବେଶୀଦୂର ଅଗ୍ରସର ହୋଇପାରିବା ନାହିଁ । ଆମର ଗବେଷଣା ଆମକୁ ତଥ୍ୟର ଏକ ଜଟିଳ ଜାଲ ଭିତରେ ପକାଇ ଦେବ । ଭାରତୀୟ ଧର୍ମରେ ବେଦ ଅଛି, ଉପନିଷଦ ଅଛି, ରାମାୟଣ ଓ ମହାଭାରତ ରହିଚି, ପୁଣି ଅନେକାନେକ ପୁରାଣ ମଧ୍ୟ ଅଛି । ଦେବତାମାନଙ୍କର ମୁଣ୍ଡ ସୁମାରି ମଧ୍ୟ କରିବା ଅସମ୍ଭବ । ପୁରାଣରେ ଆମେ ଦେଖିବାକୁ ପାଇବା ମଣିଷର ମୁଖା ପିନ୍ଧି ଦେବତାମାନେ ଯେପରି ପରସ୍ପର ସହିତ ତୀବ୍ର ପ୍ରତିଦ୍ୱନ୍ଦିତା କରି ବାହାରିଚନ୍ତି, ବିଭିନ୍ନ ରାଜବଂଶର ପକ୍ଷ ଗ୍ରହଣ କରି ତୁମୁଳ ଯୁଦ୍ଧରେ ମତ୍ତ ହୋଇଚନ୍ତି, ଏସବୁ ଚିତ୍ରଣ-ସମାରୋହ ଭିତରେ ପଶିଗଲେ ଆମେ ଆଉ ସେଥିରୁ ବାହାରିବାର ବାଟ ହିଁ ପାଇବା ନାହିଁ । ତା’ପରେ ଗୀତାର ଉଦାହରଣ ନିଆଯାଉ । ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଏହି ଗ୍ରନ୍ଥର ପ୍ରାୟ ବାରଗୋଟି ଭାଷ୍ୟ ଲେଖା ସରିଲାଣି । ବିଭିନ୍ନ ପଣ୍ଡିତ ଓ ମହାପୁରୁଷମାନେ ଆପଣା ଆପଣାର ସ୍ଵକୀୟ ମୌଳିକ ଦୃଷ୍ଟିକୋଣରୁ ଗୀତାର ଆଲୋଚନା କରିଚନ୍ତି ଏବଂ ବିଭିନ୍ନ ନିର୍ଣ୍ଣୟରେ ଆସି ପହଞ୍ଚିଚନ୍ତି । କିଏ ଅଦ୍ଵୈତବାଦୀ ନିର୍ଣ୍ଣୟ କରିଚନ୍ତି ତ ପୁଣି କିଏ ଦ୍ଵୈତବାଦୀ ସିଦ୍ଧାନ୍ତରେ ଉପନୀତ ହୋଇଚନ୍ତି । ଏପରି କି ଏହି ଶତାବ୍ଦୀର ଆରମ୍ଭରେ ଦଳେ ଉତ୍ସାହୀ ଜାତୀୟବାଦୀ ପ୍ରଚାର କରିଚନ୍ତି ଯେ ଗୀତା ହିଂସା ବା ହତ୍ୟାର ଅନୁମୋଦନ କରେ । ଏହିପରି ପ୍ରଚାର କରି ସେମାନେ ଆତଙ୍କବାଦୀକୁ ଏକ ଧର୍ମପଥ ବୋଲି ଗ୍ରହଣ କରିଚନ୍ତି । ଆଧୁନିକ ଭାରତର ଦୁଇଜଣ ଧର୍ମନେତା, ଗାନ୍ଧୀ ଓ ଶ୍ରୀଅରବିନ୍ଦ, ଆପଣା ଆପଣାର ଦୃଷ୍ଟିକୋଣ ଅନୁସାରେ ଗୀତାର ଭାଷ୍ୟ ଲେଖିଚନ୍ତି । ତେଣୁ କୌଣସି ଗୋଟିଏ ଭାଷ୍ୟ ପଢ଼ିଦେଇ ଭାରତର ଧର୍ମ ବିଷୟରେ କୌଣସି ସ୍ଥିର ନିଷ୍ପତ୍ତି କରି ପକାଇବାରେ ସର୍ବଦା ଅନେକ ପ୍ରମାଦ ରହିଚି । ଅନ୍ୟାନ୍ୟ ଭାରତୀୟ ଧର୍ମଗ୍ରନ୍ଥ ବିଷୟରେ ମଧ୍ୟ ଠିକ୍ ଏହିକଥା କୁହାଯାଇପାରେ ।

 

ବେଦରେ ମଧ୍ୟ ଆମେ ଏକାଧିକ ଦେବତାଙ୍କର ଉଲ୍ଲେଖ ଦେଖିବାକୁ ପାଇବା । ପ୍ରତ୍ୟେକ ଦେବତାଙ୍କର ନାମରେ ଗୋଟିଏ ଲେଖାଏଁ ଅଧ୍ୟାୟ ବା ସୂକ୍ତ ଉଦ୍ଦିଷ୍ଟ କରାଯାଇଚି । ସେଗୁଡ଼ିକ ପଢ଼ିଲାପରେ ହଠାତ୍ ମନେହୁଏ ଯେପରି ଭଗବାନ ସବୁଠାରେ ବାଣ୍ଟିହୋଇ ରହିଚନ୍ତି ବୋଲି ବେଦ ପ୍ରଚାର କରିଚି । ଦର୍ଶନରେ ଏହାକୁ ଦ୍ରବ୍ୟାତ୍ମବୋଧ (Animism) କୁହାଯାଏ, ଆଧୁନିକମାନେ ହୁଏତ ଏହାକୁ ସର୍ବେଶ୍ଵରବାଦ (Pantheism) ବୋଲି କହିବେ । କିନ୍ତୁ ଆମେ ଟିକିଏ ଅଧିକ ଗଭୀରକୁ ଯିବାକୁ ଚେଷ୍ଟା କରିବା । ଅଗ୍ନିଦେବତାଙ୍କୁ ଉତ୍ସର୍ଗ କରାଯାଉଥିବା ବୈଦିକ ସୂକ୍ତଟି ପଢ଼ିଲାବେଳେ ଆମେ ଦେଖିବାକୁ ପାଉ ଯେ ଅଗ୍ନିଙ୍କୁ ହିଁ ସବୁ ଦେବତାଙ୍କଠାରୁ ମହାନ୍ ବୋଲି ବର୍ଣ୍ଣନା କରାଯାଇଚି । ମନୁଷ୍ୟର ସମସ୍ତ ବୋଧଗମ୍ୟତା ଓ ମନୁଷ୍ୟକଳ୍ପିତ ସମସ୍ତ ବର୍ଣ୍ଣନାର ସେ ଅତୀତ ବୋଲି କୁହାଯାଇଚି । ଅନ୍ୟ ଦେବତାମାନଙ୍କୁ ଉତ୍ସର୍ଗ କରାଯାଇଥିବା ସୂକ୍ତଗୁଡ଼ିକରେ ମଧ୍ୟ ଆମେ ଠିକ୍ ଏହିପରି ବର୍ଣ୍ଣନା ଦେଖିବାକୁ ପାଇବା । ପଣ୍ଡିତ ମାକସମୁଲାର୍ ଏହି ପ୍ରବୃତ୍ତିକୁ ସର୍ବେକେଶ୍ଵରବାଦ (Panentheism) ବୋଲି କହିଚନ୍ତି । ସରଳ ଭାଷାରେ କହିଲେ ଏହା ହେଉଚି ସବୁରି ଭିତରେ ଏକ ଇଶ୍ଵରଙ୍କର କଳ୍ପନା । ଏବଂ ଏହା ହିଁ ହେଉଚି ଯଥାର୍ଥ ଭାରତୀୟ କଳ୍ପନାର ସବୁଠାରୁ ଅଧିକ ସମୀପବର୍ତ୍ତୀ । ପୁରାଣରେ ତେତିଶ କୋଟି ଦେବତାଙ୍କର ଉଲ୍ଲେଖ ଅଛି-। କିନ୍ତୁ ଏସବୁ ସେହି ଏକ ପରମାତ୍ମା, ବ୍ରହ୍ମ ବା ବିଶ୍ଵାତ୍ମାର ଅନୁଭୂତି ଲାଭ କରିବାର ନିମିତ୍ତ ମାତ୍ର । ଏହା ହିଁ ସମସ୍ତ ଧର୍ମର ନିହିତ ସତ୍ୟ । ବ୍ୟଷ୍ଟିକୁ ନିମିତ୍ତ କରି ଆମକୁ ସମଷ୍ଟି ସହିତ ଯୁକ୍ତ ହେବାକୁ ପଡ଼ିବ । ଶ୍ଵେତାଶ୍ଵତର ଉପନିଷଦରେ କୁହାଯାଇଚି ଯେ “ସେ ହେଉଚନ୍ତି ପରମ ଈଶ୍ଵର, ପ୍ରଭୁର ପ୍ରଭୁ, ମନୁଷ୍ୟର ହୃଦୟ ଭିତରେ ସେ ସର୍ବଦା ଅଧିଷ୍ଠିତ ରହିଚନ୍ତି ।” ସକଳ ବିଶ୍ଵାତ୍ମବୋଧର ଏହା ହିଁ ସାରକଥା । ସମସ୍ତ ବିଶ୍ଵକୁ ଆବୃତ କରି ରହିଥିବା ପରମସତ୍ତାକୁ ଉପଲବ୍ଧି କରିବା ପାଇଁ ସାଧନାପଥରେ ଆରୋହଣ କରିବାକୁ ସବୁ ଧର୍ମ ସର୍ବପ୍ରଧାନ ସତ୍ୟବୋଲି ଘୋଷଣା କରିଚି ।

 

ତାହାର ଅର୍ଥ ସଂସାରର ସମସ୍ତ ଦ୍ଵନ୍ଦ୍ଵ ଓ ବିଭେଦକୁ ଅତିକ୍ରମ କରିଯିବାକୁ ହେବ;- ଯେଉଁ ମହାଜୀବନ ଏ ସମସ୍ତ ଜୀବନର ନିୟନ୍ତ୍ରଣ କରୁଚି, ତାହାରି ପରିସରକୁ ଆପଣାକୁ ଉତ୍ତୋଳିତ କରି ନେବାକୁ ହେବ । ବେଦରେ ତାହାକୁ ସବୁ ମାଳିକୁ ଏକାଠି ଗୁନ୍ଥିକରି ଧରିଥିବା ସୂତା ବୋଲି କୁହାଯାଇଚି । ଉପନିଷଦ କହିଚି, “ଏହି ଆକାଶରେ ଯିଏ ବ୍ୟାପ୍ତ ହୋଇ ରହିଚି, ମୋ’ର ଆତ୍ମାରେ ମଧ୍ୟ ସେହି ବିରାଜମାନ ଅଛି ।” ଏହିପରି ଏକ ମହାନ୍ ଉପଲବଧିର ଦ୍ଵାରଦେଶକୁ ବହନ କରିନେବାଲାଗି ସବୁ ଦେବତା, ପ୍ରତୀକ ଓ କଠୋର ଆଚାରବ୍ରତର କଳ୍ପନା କରାଯାଇଚି ।

 

ଗୀତାଗ୍ରନ୍ଥରେ ମଧ୍ୟ ଏହା ହିଁ ସାରକଥା । ସମଗ୍ରର ଅର୍ଥ ସନ୍ଧାନ କରିବା, ଆମର ସହସ୍ର ସହସ୍ର ବିଚ୍ଛିନ୍ନ ଇନ୍ଦ୍ରିୟାନୁଭୂତିକୁ ଏକତ୍ର ସମାବିଷ୍ଟ କରି ଧରିବାର ଦୃଷ୍ଟିଲାଭ କରିବା, ଏହା ହିଁ ସବୁ ଧର୍ମରେ ସର୍ବୋଚ୍ଚ ଲକ୍ଷ୍ୟ । କିନ୍ତୁ ଏହା କେବଳ ଗୋଟାଏ ମୁହୂର୍ତ୍ତର କ୍ଷଣସ୍ଥାୟୀ ଭାବାବେଶ ନୁହେଁ । ମହାତ୍ମା ବୁଦ୍ଧ ଏହି କ୍ଷଣିକ ଆବେଶ ବା ‘କ୍ଷଣିକ ପ୍ରୀତି’ ରୁ ବ୍ରହ୍ମବିହାରକୁ ପୃଥକ କରି ଦେଖାଇ ଅଛନ୍ତି । ପ୍ରଥମ ଅବସ୍ଥାରେ ଧର୍ମକୁ କେବଳ ଏକ ଯାଦୁକରୀ ସହିତ ତୁଳନା କରାଯାଇପାରିବ, ଯାହାର ସାହାଯ୍ୟରେ କି ଆମେ ଘଡ଼ିଏ ଘଡ଼ିଏ ଆପଣାର ସ୍ଵାଭାବିକ ପୃଥିବୀରୁ ବାହାରି ଯାଇପାରିବା ଓ ବାହାରେ ଥାଇ ଗୋଟାଏ ବିଶେଷ କିଛି ଅନୁଭବ କରିପାରିବା । କିନ୍ତୁ ବ୍ରହ୍ମବିହାର ଆମର ସମସ୍ତ ଜୀବନର ବ୍ରହ୍ମସ୍ଥିତ ଅବସ୍ଥାକୁ ବୁଝାଏ । ଏହା ଆମର ଚେତନାକୁ ଏକ ଉଚ୍ଚତର ସ୍ତରକୁ ଉନ୍ନୀତ କରି ଆମର ଏହି ଜୀବନକୁ ବଦଳାଇ ଦିଏ । ଆଲଡ଼ୁସ୍ ହକସଲେଙ୍କର ଭାଷାରେ “ଯେତେବେଳେ ଧର୍ମ ଆମ ଜୀବନ ଉପରେ ଜଳବାୟୁ ପରି ହୋଇଯାଏ, ସେତିକିବେଳେ ହିଁ ଆମର ଜୀବନରେ ଯଥାର୍ଥ ଯୋଗ ସମ୍ଭବ ହୁଏ, ଆମେ ଉଚ୍ଚତମ ସତ୍ତା ସହିତ ସଂଯୁକ୍ତ ହୋଇଯାଉ-।”

 

ଏ ସ୍ଥିତିକୁ ଆସିବାର ବାଟ କଣ ? ଏହି ବାଟାର ନିର୍ଣ୍ଣୟ କରିବାକୁ ଯାଇ ପ୍ରସ୍ତୁତିର ସକଳ ନିୟମର କଳ୍ପନା କାରାଯାଇଚି । ଆଗ ଆପଣା ଜୀବନର ସମସ୍ତ ଅପଚୟଦ୍ଵାର ବନ୍ଦ କରିଦେଇ ଆପଣାକୁ ଏକ ଉଚ୍ଚତର ଚେତାନର ସ୍ତରକୁ ଉଠାଇ ନେବାକୁ ପଡ଼ିବ, ସେହିଠାରେ କୌଣସି ଏକ ଉଚ୍ଚତର ଉପଲବ୍ଧି ପାଇଁ ଆପଣାର ଦ୍ଵାର ଉନ୍ମୁକ୍ତ କରି ରଖିବାକୁ ପଡ଼ିବ । ଏପରି ଏକ ଉତ୍ତୋଳନ ବିନା ଜୀବନର କେବଳ ଅପଚୟ ହିଁ ସାର ହେବ ତେଣୁ ଚିତ୍ତବୃତ୍ତିର ନିରୋଧ କରିବାକୁ ଯୋଗଶାସ୍ତ୍ରର ପ୍ରଥମ ସୂତ୍ର ଆମକୁ ନିର୍ଦ୍ଦେଶ ଦେଇଚି । କ୍ଷଣକ୍ଷଣକର ବିଚ୍ଛିନ୍ନ ଜୀବନର ଅପଚୟ-ମୁଖକୁ ବନ୍ଦ କରିପାରିଲେ ଆମେ ମହାନ୍ ଓ ଅକ୍ଷୟ ଜୀବନର ଅଧିକାର ଲାଭ କରିପାରିବା । ମୁହୂର୍ତ୍ତ ପାଖରେ ମରିପାରିଲେ ଆମେ ଶାଶ୍ଵତରେ ଜନ୍ମଲାଭ କରିପାରିବା । ବେଦରେ ଏହାକୁ ଦ୍ଵିଜ ହେବା ବୋଲି କୁହାଯାଇଚି । ଏହା ହିଁ ହେଉଚି ବୁଦ୍ଧଦେବଙ୍କର ନିବବାଣ ବା ଲାଓ-ତସୁଙ୍କର ନୈଷ୍କର୍ମ୍ୟ ।

 

ଏହା ହିଁ ଭାରତୀୟ ଧର୍ମ ଓ ସକଳ ଧର୍ମର ମୂଳକଥା । ଆମେ ସମସ୍ତେ ଏହିପରି ରୂପାନ୍ତରିତ ହୋଇ ଚାଲିଚୁ, ସମଗ୍ର ଦୃଷ୍ଟିଲାଭ କରିବା ପର୍ଯ୍ୟନ୍ତ ଏହିପରି ଉତ୍ତୋଳିତ ହୋଇ ଚାଲିଚୁ-। ପୃଥିବୀର ସକଳ ଧର୍ମ ବିଭିନ୍ନ ଭାଷାରେ ଆମକୁ ଏହି ଗିରିଶିଖରକୁ ଆରୋହଣ କରିବାର ପଥ ଇଙ୍ଗିତ କରି ଦେଇଚନ୍ତି । ପରିବାର, ସମାଜ ଓ ରାଷ୍ଟ୍ରକୁ ମଧ୍ୟ ଏହି ଆରୋହଣର ବିଭିନ୍ନ କ୍ଷେତ୍ର ବୋଲି ମନେକରିବାକୁ ହେବ ।

 

ସତ୍ୟକୁ ବାଦ ଦେଇ ଭାରତର ସ୍ଵାଧୀନତା ଓ ଭାରତର ସ୍ଵାଧୀନତାକୁ ବାଦ୍ ଦେଇ ସତ୍ୟ–ରହି ଦୁଇଟି ଭିତରୁ ସେ କେଉଁଟିକୁ ଗ୍ରହଣ କରିବେ ବୋଲି ଥରେ ଗାନ୍ଧିଜୀଙ୍କ ପ୍ରଶ୍ନ ହୋଇଥିଲା । ଗାନ୍ଧିଜୀ ସଙ୍ଗେ ସଙ୍ଗେ ଉତ୍ତର ଦେଲେ ଯେ ଭାରତର ସ୍ଵାଧୀନତାକୁ ବଡ଼ ଦେଇ ମଧ୍ୟ ସେ ସତ୍ୟକୁ ହିଁ ଗ୍ରହଣ କରିବେ । ଗତବର୍ଷ ଭାରତୀୟ ସମାଜବାଦୀ ଦଳର ସମ୍ପାଦକ ଭାରତର ସମାଜବାଦୀମାନଙ୍କୁ ଗୀତାବର୍ଣ୍ଣିତ କର୍ମଯୋଗୀପରି ହେବାଲାଗି ନିବେଦନ କରିଥିଲେ ।

 

ବୁଦ୍ଧିବାଦୀ ଈଶ୍ଵରତତ୍ତ୍ଵ କଦାପି ଧର୍ମ ବୋଲି ବୋଲି କୁହାଯାଇ ପାରିବ ନାହିଁ । ବୁଦ୍ଧି ଦେଇ ଈଶ୍ଵରଙ୍କର ରୂପ, ବିଭୂତି ଓ ଆସନ ନିରୂପଣ କରିବାର ଭ୍ରମବୃତ୍ତି ଆମକୁ ଆଦୌ ବାଟ ଦେଖାଇ ପାରିବ ନାହିଁ, ଆମକୁ ଗୋଟାଏ କଳ୍ପିତ ବିଶ୍ଵାସ ଗାଡ଼ଭିତରେ ପକାଇ ବୁଢ଼ା କରିଦେବ । ଆମେ ଭଗବାନଙ୍କୁ ଠିକ୍ ଯେଉଁପରି ଆକାର ଓ ପରିମାପରେ ବିଶ୍ଵାସ କରୁଚୁ, ତାହା ହିଁ ଭଗବାନଙ୍କର ଏକମାତ୍ର ପରିଚୟ ବୋଲି ଦମ୍ଭ କଲାମାତ୍ରକେ ଆମର ମନ ଭିତରେ ଅହଂକାର ଯେ କେବଳ ଆମେ ହେଉଚୁ ସଂସାରରେ ଭଗବାନଙ୍କର ନିର୍ବାଚିତ ସର୍ବୋତ୍ତମ ସନ୍ତାନ, ଭଗବାନଙ୍କର ବଛା ଜାତି । ଏହିପରି ଏକ ଅହଂକାରକୁ ଧର୍ମର ନିଷ୍ଠା ଦେଇ ମନଭିତରେ ପୋଷଣକରି ରଖିଥିବା ଇସ୍ରାଏଲର ଲୋକମାନଙ୍କୁ ଯୀଶୁପୂର୍ବ ଧର୍ମପୁରୁଷମାନେ ଯେଉଁ ସତର୍କବାଣୀ ଶୁଣାଇ ଥିଲେ, ତାହା ଆମର ମନେରହିବା ଉଚିତ । ଏହିପରି ଏକ ଅନ୍ଧବିଶ୍ଵାସ କଦାପି ସତ୍ୟର ଅନୁସନ୍ଧାନ କରିପାରେ ନାହିଁ । ଏହାରିପାଇଁ ମନୁଷ୍ୟଜାତି ଓ ତା’ର ଧର୍ମ ବାରବାର ବିପର୍ଯ୍ୟନ୍ତ ହୋଇଚି । ପୁରୋହିତ, ଯାଜକ ଓ କ୍ଷମତାପନ୍ନ ଧର୍ମାଧୀଶମାନେ ଆବୋରି ଧରିଥିବା ଧର୍ମବିଶ୍ଵାସ ବିରୁଦ୍ଧରେ ପ୍ରତିବାଦ ଜଣାଇ ଯୁଗେ ଯୁଗେ ନୂତନ ଧର୍ମର ଆବିର୍ଭାବ ହୋଇଚି । ତତ୍କାଳୀନ ଈଶ୍ଵରବିଶ୍ଵାସଜନିତ କୁସଂସ୍କାର ଓ ସମାଜ ଉପରେ କ୍ଷମତା ବିସ୍ତାର କରି ରହିଥିବା ପୁରୋହିତମାନଙ୍କର ଶାସନରେ ପ୍ରତିବାଦ କରି ଗୌତମବୁଦ୍ଧ ଆପଣାର ଧର୍ମ ପ୍ରଚାର କରିଥିଲେ ।

 

ଧର୍ମ ହେଉଚି ଏକ ଉପଲବ୍ଧିର ସମ୍ପଦ, ପ୍ରଧାନତଃ ଅନୁଭୂତି ହେଉଚି ଏହାର ବିଚରଣଭୂମି । ଈଶ୍ଵରତତ୍ତ୍ଵର ବିଚରଣଭୂମି । ଈଶ୍ଵରତତ୍ତ୍ଵର ନିରୂପଣ କେବଳ ଆମକୁ ବାଟ ଦେଖାଇବାରେ ସାହାଯ୍ୟ କରିବା ମାତ୍ର । ଈଶ୍ଵରତତ୍ତ୍ଵ ବୁଦ୍ଧିପ୍ରସୂତ, ଏହାକୁ ଧର୍ମବିଶ୍ଵାସ ସହିତ ଭ୍ରମ କରାଯାଇ ପାରିବ ନାହିଁ । ଈଶ୍ଵରଙ୍କୁ ବିଶ୍ଵାସ କରିବାରେ ଓ ଏହି ବିଶ୍ଵାସ ଅନୁସାରେ ଆପଣାର ଜୀବନ ବଞ୍ଚିବାରେ ଈଶ୍ଵରତତ୍ତ୍ଵ–ସମ୍ବନ୍ଧୀୟ ଜ୍ଞାନ ଆମକୁ କେବଳ ସାହାଯ୍ୟ କରିପାରିବ ।

 

ଆମ ନିଜ ଧର୍ମର ବାହାରକୁ ଯାଇ କାହିଁକି ଆମେ ଅନ୍ୟାନ୍ୟ ଧର୍ମଗୁଡ଼ିକୁ ଅଧ୍ୟୟନ କରିବା ? ମୋର ନିଜର ଧର୍ମ, ଅର୍ଥାତ୍ ହିନ୍ଦୁ ଧର୍ମ ହେଉଚି ଏକମାତ୍ର ଯଥାର୍ଥ ଧର୍ମ, ଏହିପରି ଏକ ପୂର୍ବାଗ୍ରହ ରଖି ଯଦି ମୁଁ ଖ୍ରୀଷ୍ଟୀୟାନ୍ ଧର୍ମ ଅଧ୍ୟୟନ କରିବାକୁ ଯାଏ, ତେବେ କୌଣସି ଦିନ କୌଣସି ଧର୍ମରେ ନିହିତ ଥିବା ସତ୍ୟକୁ ହୃଦୟଙ୍ଗମ କରିବାକୁ ମୁଁ କଦାପି ସମର୍ଥ ହୋଇପାରିବି ନାହିଁ । ଏହି ଶତାବ୍ଦୀର ଜ୍ଞାନ ଓ ଉଦ୍ଭାବନ ଆମକୁ ପରସ୍ପର ଅତି ନିକଟକୁ ଆଣିପାରିଚି । ଅନ୍ୟମାନଙ୍କୁ ଜାଣିବା ଓ ଆମକୁ ଜାଣିବାରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାଲାଗି ବର୍ତ୍ତମାନ ସଂସାରରେ ଅନେକ ସୁବିଧା ହୋଇଗଲାଣି । ପ୍ରତ୍ୟେକ ଧର୍ମର ଇତିହାସରେ ମହାପୁରୁଷ ଓ ତତ୍ତ୍ଵଜ୍ଞାନୀମାନେ ରହିଚନ୍ତି । ସେମାନଙ୍କୁ ଅଧ୍ୟୟନ କରି ସେମାନଙ୍କର ଅଧ୍ୟୟନ କରି ସେମାନଙ୍କର ଜୀବନର ବାଣୀକୁ ଜାଣିବାଦ୍ୱାରା ଆମେ ପରସ୍ପରକୁ ବୁଝି ଶିଖିବା ଓ ଆମ ନିଜର ଧର୍ମଜୀବନ ସହିତ ଅଧିକ ଆତ୍ମୀୟତା ଅର୍ଜନ କରିପାରିବା । ଏହି ତତ୍ତ୍ଵଜ୍ଞାନୀ ଓ ମହାପୁରୁଷମାନେ ସମସ୍ତେ ଭଗବାନଙ୍କର ବୃହତ ପରିବାରାର ଅନ୍ତର୍ଗତ । ସେଥିଲାଗି ମାଇଷ୍ଟର ଏକହାର୍ଟ ପ୍ଲେଟୋଙ୍କୁ ମହାତ୍ମା ବୋଲି କହିଚନ୍ତି, ଖ୍ରୀଷ୍ଟପୂର୍ବ କାଳର ଜଣେ ଖ୍ରୀଷ୍ଟିଆନ୍ ବୋଲି କହିଚନ୍ତି । ଏହି ମହାତ୍ମାମାନେ ଆପଣା ଆପଣାର ସ୍ଵକୀୟ ରୀତିରେ ଆମଲାଗି ଈଶ୍ଵର-ଉପଲବ୍ଧି ବିଷୟକ ସନାତନ ଧର୍ମର ଘୋଷଣା କରି ଯାଇଅଛନ୍ତି । ଏହିମାନେ ହେଉଚନ୍ତି ଆମର ଏ ଯୁଗର ପୂର୍ବଗାମୀ ଦଳ, ଯୁଗ ଯୁଗ ଧରି ଏହିମାନେ ହିଁ ଧର୍ମର ମହାନ୍ ଉତ୍ତରାଧିକାରୀ ଆମଲାଗି ବହନ କରିଆଣିଚନ୍ତି ।

 

‘ସଭ୍ୟତାର ବିଚାର’ ଗ୍ରନ୍ଥରେ ଟଏନବୀ କହିଚନ୍ତି : “ଆମର ବାୟାବମାନେ ଠିକ୍ ଆମରି ପରି କଦାପି କେବଳ ପାଶ୍ଚାତ୍ୟ ହୋଇ ରହିବେ ନାହିଁ । ସକ୍ରେଟିସ୍, ପ୍ଲେଟୋ ଓ ପ୍ଳଟିନସଙ୍କର ଦାୟାଦ ହେବାପରି ସେମାନେ ଜନଫୁସିଅସ୍ ଓ ଲାଓ-ରସୁଙ୍କର ମଧ୍ୟ ଦାୟାଦ ହେବେ, ଯୀଶୁଖ୍ରୀଷ୍ଟଙ୍କର ଅନୁଗାମୀ ହେବାପରି ସେମାନେ ଗୌତମ ବୁଦ୍ଧ ଓ ୟେସାୟାଙ୍କର ମଧ୍ୟ ଅନୁଗାମୀ ହେବେ, ଏଲିଅସ୍, ଏଲିସା, ପିଟର ଓ ସେଣ୍ଟ ପାଲଙ୍କୁ ସ୍ଵୀକାର କରିବା ସଙ୍ଗେ ସଙ୍ଗେ ସେମାନେ ଜାରାଥୁଷ୍ଟ୍ର, ମହମ୍ମଦଙ୍କୁ ମଧ୍ୟ ସ୍ଵୀକାର କରିବେ, କ୍ଳେମେନ୍ସଙ୍କର ଦାୟାଦ ହେବାପରି ସେମାନେ ଇବନ୍ ଖାଲତୁନଙ୍କୁ ମଧ୍ୟ ଗ୍ରହଣ କରିବେ, କ୍ରମଓଏଲ, ଜର୍ଜ ୱାସିଙ୍ଗଟନ୍ ଏବଂ ମାଜିନିଙ୍କର ଉତ୍ତରାଧିକାରୀ ହେବା ସଙ୍ଗେ ସଙ୍ଗେ ସେମାନେ ଲେନିନ୍, ଗାନ୍ଧୀ ଏବଂ ସୁନ୍-ୟାତ୍-ସେନଙ୍କର ମଧ୍ୟ ଉତ୍ତରାଧିକାରୀ ହେବେ ।

 

ଆସ୍କଭ, ଡେନମାର୍କ୍,

ଡିସେମ୍ବର, ୧୯୫୧

Image

 

ବଡ଼ଦିନ ପର୍ବ

 

ବଡ଼ଦିନକୁ ପର୍ବକୁ ଆଜି କେବଳ ପଶ୍ଚିମ ବା ଖ୍ରୀଷ୍ଟିୟାନ ସମାଜର ଉତ୍ସବ ବୋଲି କହି ହେବ ନାହିଁ । ପୃଥିବୀର ବିଭିନ୍ନ ଲୋକସମାଜକୁ ପରସ୍ପରଠାରୁ ପୃଥକ କରି ଦେଖାଇବା ପାଇଁ ଉତ୍ସବଗୁଡ଼ିକର ସୃଷ୍ଟି ହୋଇ ନଥିଲା । ଭାରତର ହିନ୍ଦୁମାନେ ଦଶହରାରେ ଆନନ୍ଦ କରନ୍ତି, ମଧ୍ୟପ୍ରାଚ୍ୟରେ ମୁସଲମାନ-ସମାଜ ମହରମ ବେଳେ ଆନନ୍ଦ କରେ, ସେହିପରି ଖ୍ରୀଷ୍ଟିୟାନ ସମାଜ ବଡ଼ଦିନ ଉତ୍ସବରେ ଆନନ୍ଦ କରନ୍ତି । ଆନନ୍ଦ ହିଁ ସବୁଠାରେ ଉତ୍ସବର କାମ୍ୟ ହୋଇ ରହିଛି । ଖାଲି ସଂସାରକୁ ଭୋଗ କରିବାର ଆନନ୍ଦ ନୁହେଁ, ଖାଲି ଆପଣା ଜୀବନର ଦମ୍ଭଦ୍ୱାରା ସଂସାରରେ ଧୂଳି ଉଡ଼ାଇବାର ଆନନ୍ଦ ନୁହେଁ,–ସବୁ ମଣିଷ ସହିତ ସହଜ ଓ ନିର୍ମଳ ଭାବରେ ମିଳିମିଶି ଏହି ଜଞ୍ଜାଳ-ଜାଲ-ବିଜଡ଼ିତ ସଂସାରରେ ଆତ୍ମିକ ସନ୍ତୋଷ କରିବାକୁ ମଧ୍ୟ ମଣିଷ ଆନନ୍ଦ ବୋଲି ଚିହ୍ନି ଆସିଛି । ଆମ ଧର୍ମ ଓ ସଂସ୍କୃତିର ବଡ଼ ବଡ଼ ପର୍ବ ଓ ଉତ୍ସବମାନ ଆମକୁ ଏଇ ଆନନ୍ଦ ସହିତ ବାରବାର ଚିହ୍ନାଇ ଦେଇଛି ।

 

ଆମର ଦୁର୍ଭାଗ୍ୟ ଯେ ଏହି ଆନନ୍ଦର ସାଧାରଣ ଭୂମିକୁ ଭୁଲିଯାଇ ଆମେ ଆମ ଉତ୍ସବଗୁଡ଼ିକରୁ ଯଥେଷ୍ଟ ପ୍ରେରଣା ପାଇପାରୁ ନାହୁଁ । ଭେକ ଓ ଆଚାରର ଆତିଶଯ୍ୟ ଓ ଅତ୍ୟାଚାରରେ ଆମର ଉତ୍ସବସବୁ ଆଜି ପ୍ରଧାନତଃ ମଣିଷ ଭିତରେ ରହିଥିବା ଦୂରତାର ସନ୍ତକ ହୋଇଛି । କେତେଟା ବିଶେଷ ଦିନକୁ ଆମ ପାଞ୍ଜିରେ ରଖି ସେଗୁଡ଼ିକୁ ଆମେ ଆମର ପର୍ବଦିନ ବୋଲି ଗର୍ବ କରୁଛୁ, ପୁଣି ଆଉ କେତେଟା ଦିନକୁ ଅନ୍ୟମାନେ ଆପଣା ଆପଣା ପାଞ୍ଜିରେ ରଖି ସେମାନଙ୍କର ପର୍ବଦିନ ବୋଲି ଗର୍ବ କରୁଛନ୍ତି । ପରସ୍ପରଠାରୁ ଦୂରଛଡ଼ା ହୋଇଯିବାର ଏହି ଅସାଂସ୍କୃତିକ ମିଥ୍ୟା-ଗୌରବ ଆମ ପୃଥିବୀର ମଣିଷ ଲାଗି ଅନେକ ଅଗୌରବର ନିଦାନ ହୋଇ ରହିଛି । ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିୟାନ ପ୍ରଭୃତି କେତେଟା ଅହଂକାରଗଢ଼ା ଆବରଣ ଦ୍ଵାରା ମଣିଷ ଆପଣାକୁ ଅନ୍ୟଠାରୁ ପୃଥକ କରି ରଖିଛି । ପ୍ରାଚ୍ୟ, ପାଶ୍ଚାତ୍ୟ, ପ୍ରାଚୀନ ଓ ଅର୍ବାଚୀନ ପ୍ରଭୃତି କେତେଟା ଅଭିଧାର ବାଡ଼ ସୃଷ୍ଟି କରି ସଂସ୍କୃତିକୁ ଅଲଗା କରି ରଖିଛି । ସେଥିଲାଗି ହୁଏତ ମସଜିଦ୍ ପାଖରେ ବାଜାବଜାଇ ଯିବା ମନା ଥିଲେ ମଧ୍ୟ ଧର୍ମ-ଗର୍ବ-ପ୍ରମତ୍ତ ହିନ୍ଦୁ ତା’ର ଦଶହରା ଶୋଭାଯାତ୍ରାକୁ ସେଇ ମସଜିଦ୍ ବାଟେ ନେଇଯିବାରେ ଭାରି ସ୍ପର୍ଦ୍ଧା ଅନୁଭବ କରୁଛି । ହିନ୍ଦୁଘର ଆଗରେ ଗୋରୁମରା କଂସେଇଖାନା ବସାଇ ସମାନ ଭାବରେ ପ୍ରମତ୍ତ ହୋଇ ବସିଥିବା ମୁସଲମାନ ହିନ୍ଦୁର ଗଡ଼ ଜିତି ଆସିବା ପରି ମନେ କରୁଛି । ଧର୍ମ ପରି ଧର୍ମସମ୍ପର୍କୀୟ ପର୍ବ ଓ ଉତ୍ସବକୁ ମଧ୍ୟ ମଣିଷ ତାର ବିକୃତ ବିଶ୍ଵାସକୁ ମତାଇ ରହିବା ଲାଗି ନିଶା ପରି ବ୍ୟବହାର କରୁଛି । ହୁଏତ ସେଥିଲାଗି ଆମ ପୃଥିବୀରେ ନାନା ସାଂସ୍କୃତିକ ଉତ୍ସବ-ଅବସର ଲାଗି ରହିଥିଲେ ମଧ୍ୟ ଆମେ କେହି ଆନନ୍ଦ ପାଉନାହୁଁ । କେବଳ ଆତ୍ମକ୍ଷୟକାରୀ ଏକ ପ୍ରକାର ଆତ୍ମସନ୍ତୋଷ ହିଁ ପାଉଛୁ-। ଫଳରେ ଧର୍ମ ଓ ଆନୁଷଙ୍ଗିକ ଉତ୍ସବମାନ ଆମ ଜୀବନକୁ ଆତ୍ମସନ୍ତୋଷ ହିଁ ପାଉଛୁ-। ଫଳରେ ଧର୍ମ ଓ ଆନୁଷଙ୍ଗିକ ଉତ୍ସବମାନ ଆମ ଜୀବନକୁ ପ୍ରସାରିତ ନ କରି ନାନାପ୍ରକାର ଗ୍ଳାନି ଓ ଘୃଣାରେ ଆମକୁ ଛୋଟ କରି ରଖୁଛି ।

 

ନୂଆ ପୃଥିବୀର ନୂଆ ମଣିଷ ହିସାବରେ ଏହି ଆନନ୍ଦକୁ ଉପଭୋଗ କରିବାର ସ୍ତର ପରିବର୍ତ୍ତନ କରିବାରେ ଆହ୍ଵାନ ଆଜି ଆମପାଇଁ ଆସିଛି । ନୂଆ ପୃଥିବୀ ପୁରୁଣା ପୃଥିବୀପରି ଆଉ ନାନା ଭେକ ଓ ବାଦର ସକୀର୍ଣ୍ଣ ଆୟତନରେ ଶତଖଣ୍ଡ ହୋଇ ରହିବ ନାହିଁ । ଉପନିଷଦରେ କବିଙ୍କ ଆକାଂକ୍ଷା ଅନୁସାରେ କହିଲେ କାଲିକାର ପୃଥିବୀ ‘ଏକନୀଡ଼’ ହେବ । ନୂଆ ମଣିଷ ମଧ୍ୟ ଆଉ ଦେଶୀୟ ବା ସ୍ଥାନୀୟ ଅହମିକାଗୁଡ଼ାକୁ ସଂସ୍କୃତି ବୋଲି ସାଉଁଟି ରଖିବ ନାହିଁ । ସମସ୍ତ ପୃଥିବୀରେ ସବୁକାଳରେ ଓ ସବୁ ଦେଶରେ ଯାହା ସ୍ଥାୟୀ ଓ ମୂଲ୍ୟବାନ, ତାକୁ ସେ ଆପଣା ଜୀବନ-ସଂସ୍କୃତିର ଭୂଷଣ-ସମ୍ପଦ କରି ରଖିବାକୁ କୁଣ୍ଠିତ ହେବ ନାହିଁ । କାଲିକାର ମଣିଷ ହିସାବରେ ସେଥିଲାଗି ସବୁ ଧର୍ମ ଓ ସଂସ୍କୃତିର ଉପଚାର ଓ ଆନନ୍ଦକୁ ଆମେ ଆମ ଆପଣା ଜୀବନର ଉପଚାର ଓ ଆନନ୍ଦ ବୋଲି ଗ୍ରହଣ କରି ଶିଖିବା । ସେହି ଦୃଷ୍ଟିରୁ ଦେଖିଲେ ଖ୍ରୀଷ୍ଟିଆନ୍ ଜଗତର ଏହି ଆନନ୍ଦମୟ ବଡ଼ଦିନ ପର୍ବଟି ଆମର ମଧ୍ୟ ସମ୍ପଦ ହୋଇ ରହିବ । ସଂସାରରେ ଆନନ୍ଦ ଦେବା ଓ ସଂସାରରୁ ଆନନ୍ଦ ଗ୍ରହଣ କରିବାର ଜୀବନ ବିଦ୍ୟାଳୟରେ ଏହି ପର୍ବଟି ଆମକୁ ଅନେକ ପ୍ରେରଣା ନିଶ୍ଚୟ ଦେବ ।

 

ଇସ୍ରାଏଲର ବେଥଲେହେମ୍ ଗାଆଁରେ ଯୀଶୁ ଠିକ୍ ଏଇ ବଡ଼ଦିନବେଳେ ଜନ୍ମ ହୋଇଥିଲେ କି ନାହିଁ, ତାର ସୁଦୃଢ଼ ପ୍ରମାଣ କେହି ଦେଇ ପାରିବେ ନାହିଁ । ଇଉରୋପକୁ ଖ୍ରୀଷ୍ଟିୟାନ୍ ଧର୍ମ ଆସିବାର ବହୁ ପୂର୍ବରୁ ଠିକ୍ ଏଇ ସମୟରେ ପାଗାନ୍ ବା ଅଣଖ୍ରୀଷ୍ଟିଆନ୍ ସମାଜରେ ମଧ୍ୟ ଏକ ବଡ଼ ପର୍ବ ପାଳିତ ହେଉଥିଲା । ସେଇ ପାଗାନ୍ ଉତ୍ସବର ଆନନ୍ଦ ସହିତ ଯୀଶୁଙ୍କ ଜନ୍ମର ପୂଣ୍ୟ ସ୍ମରଣତିଥି ମିଶି ଆନନ୍ଦ ଓ ଜୀବନ-ସ୍ଫୁର୍ତ୍ତିର ଏକ ଶୁଭ ସମ୍ମିଳନ ଘଟାଇ ପାରିଲା । ସାରା ସଂସାରରେ ଯେଉଁଠି ଖ୍ରୀଷ୍ଟିଆନ ପରିବାର ଅଛନ୍ତି, ସବୁଠି ଏହି ଦିନଟି ଏଇ ଆନନ୍ଦ-ଦିନ ରୂପେ ପାଳିତ ହୋଇ ଆସୁଛି । ନୂଆ ପୃଥିବୀର ବିଶ୍ଵମାନବ ଯୁଗରେ ଯୀଶୁ-ଜନ୍ମ କେବଳ ଗୋଟିଏ ଶାଖା ବା ଗୋଷ୍ଠୀର ପୁଣ୍ୟାବସର ହୋଇ ରହିବ ନାହିଁ । ପୃଥିବୀର ସବୁ ମଣିଷ ଆଦରର ସହିତ ଏହି ପର୍ବଟିକୁ ପାଳନ କରିବେ । ଯୀଶୁଙ୍କର ଜନ୍ମ ଓ ସନ୍ଦେଶ କେବଳ ଗୋଟାଏ ଶାଖାକୁ ଉପକୃତ କରିନାହିଁ, ସମସ୍ତ ମାନବଜାତିକୁ ଅଧିକ ମାନବିକ କରିବାରେ ଏହା କାଳେ କାଳେ ପ୍ରେରଣା ଯୋଗାଇ ଆସିଛି । ଗୀତା, ବାଇବେଲ ବା ତାଓ-ତେ-କିଙ୍ଗକୁ ଆଜି ଗୋଟାଏ ଧର୍ମ ବା ସମ୍ପ୍ରଦାୟର ଆଧ୍ୟାତ୍ମିକ ସମ୍ପତ୍ତି ବୋଲି କହିଦେବ ନାହିଁ । ବିଜ୍ଞାନ ଯୁଗରେ ଯାହା ବିଶ୍ଵଜନୀନ ହୋଇପାରିବ, ତାହା ହିଁ ଯଥାର୍ଥରେ ଆଧ୍ୟାତ୍ମିକ ବୋଲାଇ ପାରିବ । ଯୀଶୁଜନ୍ମର ପ୍ରେରଣା ଆମ ଜୀବନକୁ ମଧ୍ୟ ପ୍ରେରଣା ଦେବ । ଯୀଶୁ ଜନ୍ମୋତ୍ସବର ଆନନ୍ଦ ଆମ ଜୀବନପାତ୍ରରେ ଆନନ୍ଦ ଭରିଦେବ ।

 

ଏହି ପ୍ରେରଣା ଆଉ ଆନନ୍ଦର ସୂତ୍ରଧରି ଆମେ ପୃଥିବୀର ଅନେକ ପରିବାର ସହିତ ଏକାତ୍ମ ହୋଇ ପାରିବା, ଯେଉଁମାନଙ୍କୁ କି ଆଜିଯାଏ ଖ୍ରୀଷ୍ଟିୟାନ କହି ଆମେ ଦୂରରେ ରଖି ଆସିଥିଲୁଁ । ସବୁ ମଣିଷର ସାନୁ ଆନନ୍ଦ ଯଜ୍ଞରେ ଭାଗନେଇ ପାରିବାର ଯୋଗ୍ୟତା ଆମେ ଯେତେଶୀଘ୍ର ଅର୍ଜନ କରି ପାରିବା, ସେତେଶୀଘ୍ର ଏ ପୃଥିବୀକୁ ଆମେ ମଣିଷର ପ୍ରିୟ ପୃଥିବୀରେ ପରିଣତ କରି ପାରିବା ।

 

ଆପଣାର ପଡ଼ୋଶୀକୁ ଭଲ ପାଇବା ଅର୍ଥାତ୍ ଠିକ୍ ଆପଣାପରି ଅପରକୁ ଭଲ ପାଇବା ଯଦି ଖ୍ରୀଷ୍ଟଧର୍ମର ସାରା କଥା ହୁଏ, ତେବେ ମୁଁ କହିବି–ସଂସାରସାରା ଖ୍ରୀଷ୍ଟିୟାନ୍ ହୋଇଗଲେ ହିଁ ମଣିଷ ଜାତିର ଭାଗ୍ୟୋଦୟ ହୋଇପାରିବ । ଆମେ ଆଜି ପରସ୍ପରର ଦୋଷଗୁଡ଼ିକୁ କେବଳ ଦେଖୁଛୁ, ସେଥିଲାଗି ମଣିଷକୁ ଆମେ ଘୃଣା କରୁଛୁ । ଆପଣାଠାରୁ ଅପରର ପ୍ରଭେଦଟା କୁ ହିଁ ଆମେ ବେଶି ଦେଖିଛୁ । ଆମ ସମସ୍ତଙ୍କ ମଧ୍ୟରେ ସତ୍ୟର ଏକ ହୃଦୟ ରହିଛି, ଝୁଣ୍ଟିବା ବା ବାଟ ଚାଲିବାର ସକରୁଣ ଇତିହାସ ରହିଛି–ସେକଥା ଆମେ ଅନୁଭବ କରି ପାରୁନାହୁଁ । ମଣିଷକୁ ଭଲ ପାଅ, ତାର ଶତ ସହସ୍ର ଦୁଷ୍ଟାମି ଓ ଦୁର୍ବଳତା ସତ୍ତ୍ୱେ ତାକୁ ଭଲପାଅ ! ଠିକ୍ ଯିମିତି ବୁଦ୍ଧ ଭଲ ପାଇଥିଲେ, ଯୀଶୁ ଭଲ ପାଇଥିଲେ, ଆମ ଯୁଗରେ ଗାନ୍ଧୀ ଭଲ ପାଇଥିଲେ । ଗୋଟାଏ ପାଖରେ ନୀତିବାଦୀ ଦ୍ଵାରା ବିଚାରକର ଶାସନ ଏବଂ ଆଉ ଗୋଟାଏ ପାଖରେ ଆହୁରି ଭଲ ପାଇବା ଓ ଆହୁରି ଆପଣାର କରିବା ଲାଗି ଧର୍ମବାଣୀ । ଆମ ପୃଥିବୀର ଇତିହାସ ପ୍ରଧାନତଃ ଏଇ ଦୁଇ ପକ୍ଷ ଭିତରେ ଲାଗି ରହିଥିବା ସଂଗ୍ରାମର ଇତିହାସ ନୁହେଁ କି ? ଏଇ ସଂଗ୍ରାମର ସେନାପତିତ୍ଵ କରି ଭଲ ପାଇବାର ପାଖରେ ଦିନେ ଯୀଶୁଙ୍କର ଆବିର୍ଭାବ ହୋଇଥିଲା । ମହାତ୍ମା ଗାନ୍ଧୀ ଏ ଯୁଗରେ ଭାରତୀୟ ଜୀବନ ମଧ୍ୟଦେଇ ସେଇ ଯୀଶୁପ୍ରସଙ୍ଗରେ ପୁନରୁଦବୋଧନ କରିଥିଲେ । ସଂସାରର ସମସ୍ତ ତତ୍କାଳୀନ ଦ୍ଵେଷ ଓ ବିଭେଦ ସତ୍ତ୍ୱେ ଆମେ ଅଧୁକରୁ ଅଧିକ ଭଲ ପାଇବାର ସନ୍ଧାନ କରି ବାହାରିଛୁ । ସେଥିପାଇଁ ଆମେ ଖ୍ରୀଷ୍ଟିୟାନର ହୃଦୟ ନେଇ ଖ୍ରୀଷ୍ଟଜନ୍ମ-ଉତ୍ସବ ପାଳନ କରିବା । ଖ୍ରୀଷ୍ଟିୟାନର ପ୍ରେରଣା ନେଇ ଆମେ ଯୀଶୁଙ୍କର ଜୀବନ-କାହାଣୀକୁ ହୃଦୟରେ ଅନୁଭବ କରିବା ।

 

ବଡ଼ଦିନ ଉତ୍ସବ କାଳକ୍ରମେ ଏକ ପାରିବାରିକ ଉତ୍ସବରେ ପରିଣତ ହୋଇଗଲାଣି । ଧର୍ମ-ସଂସ୍କୃତି ସହିତ ଲୋକ-ସଂସ୍କୃତିର ସୂତ୍ର ଗରଁଠା ହୋଇ ବଡ଼ଦିନ ଉତ୍ସବକୁ ଅଧିକ ମନୋହର ଓ ଉପଭୋଗ୍ୟ କରିଛି । ଆହୁରି ନିର୍ଦ୍ଦିଷ୍ଟ ଭାବେ କହିଲେ ଏହାକୁ ପିଲାମାନଙ୍କର ଏକ ଉତ୍ସବ ବୋଲି କହିବାକୁ ହେବ । ବଡ଼ଦିନର ଉତ୍ସାହରେ ସାରା ଡିସେମ୍ବର ମାସଟା ବି ପ୍ରତ୍ୟେକ ଖ୍ରୀଷ୍ଟିୟାନ ପିଲାଙ୍କୁ ଅଶେଷ ଆନନ୍ଦ ଦିଏ । ଶୀତ ଓ ବରଫ ମାସଟା ସେଥିଲାଗି ପିଲାମାନଙ୍କର ଆନନ୍ଦ କଳରବରେ ଉଷ୍ଣ ହୋଇଉଠେ । ସବୁରି ଆନନ୍ଦରେ ସଜୀବ ଓ ମୁଖର ହୋଇଉଠେ । ଏ ସଂସାର କ୍ରମେ ବୟସ୍କର ଖେଳପଡ଼ିଆ ହେବାକୁ ଯାଉଛି । ଶାସ୍ତ୍ର, ସଂସ୍କାର ଓ ସାମକ ନାଆଁରେ କ୍ରମେ କ୍ରମେ ବୟସ୍କ ଲୋକ ଜୀବନର ଯାବତୀୟ କ୍ଷେତ୍ରରେ ଆପଣାର ଅତ୍ୟାଚାରୀ ପରାକ୍ରମ ଦେଖାଇବାକୁ ଆରମ୍ଭ କଲାଣି । ଆଧୁନିକ ସଭ୍ୟତାର ନିୟନ୍ତ୍ରଣ ଯେତିକି ବୃଦ୍ଧିପାଉଛି, ପିଲାଠାରୁ ପିଲାର ଦୁନିଆକୁ ସେତିକି ଛଡ଼ାଇ ନିଆଯାଉଛି । ପିଲାର ସହଜ ଖୁସି ଓ ଅକାରଣ ଅବସର ଲାଗୁ ଆଉ ସମୟ ଦେବାକୁ କେହି ରାଜି ହେଉନାହାନ୍ତି । ଆମ ସମାଜର କଥାତ ଛାଡ଼ । ଉଚିତ, ଅନୁଚିତ, ଭଲମନ୍ଦ ଓ ସ୍ଵର୍ଗନରକର ବିଛା ଆମ ବୟସ୍କର ବୁଦ୍ଧିଙ୍କୁ ଏପରି କାମୁଡ଼ି ଧରିଛି ଯେ ଆମେ ମଣିଷ-ଜୀବନର କ୍ରୀଡ଼ା-ପର୍ଯ୍ୟାୟ ବା ବିକାଶ-ପର୍ଯ୍ୟାୟର ଆବଶ୍ୟକତାମାନ ଆଦୌ ସ୍ଵୀକାର କରୁନାହୁଁ । ଆର୍ଥିକ ଓ ମାନସିକ ଦରିଦ୍ରତାର ଚାପରେ ପଡ଼ି ପିଲା ପାକଳ ହେବାର ଅନେକ ପୂର୍ବରୁ ତାକୁ ଆମେ ଜୀବନର ଜଟିଳତା ଜାଲରେ ଜଡ଼ାଇ ଦେଇ ତା’ର ଜୀବନକୁ ଓ ବିଚାରକୁ ବଡ଼ ଜଟିଳ କରି ପକଉଛୁ । ଆମ ସମାଜରେ ପିଲା ହେବାକୁ ବେଳ ନାହିଁ, ଖେଳିବାକୁ ବେଳ ନାହିଁ, ଏବଂ ଦୁଷ୍ଟାମି କରିବାକୁ ବେଳ ନାହିଁ । ଆମ ପର୍ବ-ଉତ୍ସବରୁ ମଧ୍ୟ କ୍ରମେ ପିଲାମାନଙ୍କୁ ଆମେ ବିତାଡ଼ିତ କରି ଦେଉଚୁ । ତେଣୁ ପିଲାଙ୍କର ଉତ୍ସବ ରୂପେ ବଡ଼ଦିନ ଉତ୍ସବର ସ୍ମରଣ କରିବା ଆମ ସମାଜ ଲାଗି ବେଶୀ ଜରୁରୀ ହୋଇ ପଡ଼ିଛି ।

 

ଆମେ ସମସ୍ତେ ପିଲା ହେବା ପୂର୍ବରୁ ଅନ୍ତତଃ ପିଲାମାନଙ୍କୁ ପିଲା ହେବାକୁ ଦେବାଲାଗି ଏକ ଅନୁକୂଳ କ୍ଷେତ୍ର ଏ ଦେଶରେ ପ୍ରସ୍ତୁତ ହେବ ଉଚିତ ।

 

[‘ଡଗର’, ୨୧ ବର୍ଷ – ୮ମ ଓ ୯ମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ]

Image

 

ଯୋରନ୍ଦା ଯାତ୍ରା

 

ପ୍ରତ୍ୟେକ ବର୍ଷ ମାଘପୂର୍ଣ୍ଣିମାକୁ ଯୋରନ୍ଦାରୁ ମହିମାଗାଦୀଠାରେ ଏକ ବଡ଼ ଯାତ୍ରା ହୁଏ । ଯୋରନ୍ଦା ଢେଙ୍କାନାଳ ଗଡ଼ଠାରୁ ପ୍ରାୟ ଦଶକୋଶ ବାଟ । ଆଠବର୍ଷ ତଳେ ଯେଉଁଥର ମୁଁ ପ୍ରଥମେ ଢେଙ୍କାନାଳରୁ ଯୋରନ୍ଦା ଗଲି, ସେତେବେଳେ ବଳଦଗାଡ଼ି କରି ଯାଇଥିଲି । ସେଠାରେ ପହଞ୍ଚିବାକୁ ପ୍ରାୟ ଓଳିଏ ଲାଗୁଥିଲା । ବାଟରେ କେତେକ ଜାଗାରେ ବାହଘର ବି ଭୟ ଥିଲା । ରାସ୍ତା ଆଦୌ ଭଲ ନଥିଲା । କିନ୍ତୁ ଆଜି ଆଉ ସେ ସ୍ଥିତି ନାହିଁ । ଢେଙ୍କାନାଳଠାରୁ ଯୋରନ୍ଦାକୁ ବର୍ତ୍ତମାନ ଦିନରେ ଦୁଇଥର ମଟରଗାଡ଼ି ଚାଲୁଚି । ଆଗେ ଯୋରନ୍ଦାଯାତ ଦେଖିଗଲେ ଲୋକେ କେବଳ ଚାଲି ଚାଲି ଯାଉଥିଲେ । ମାଘ ମାସର ଶୀତ ଆଉ ବାଟଯାକର ନାଲିଧୂଳି ସେତେବେଳେ ଲୋକଙ୍କର ଅବସ୍ଥାକୁ ବଡ଼ ଶୋଚନୀୟ କରି ପକାଉଥିଲା । କିନ୍ତୁ ବର୍ତ୍ତମାନ ତ ମଟର ଗାଡ଼ି ଛଡ଼ା ଆଉ କେହି ଯୋରନ୍ଦା ଯାତ୍ରା ଦେଖି ଯାଉନାହାନ୍ତି କହିଲେ ଭୁଲ ହେବନାହିଁ । ଭିନ୍ନ ଭିନ୍ନ ମଟର କମ୍ପାନୀ ତରଫରୁ ଢେଙ୍କାନାଳଠାରୁ ଯୋରନ୍ଦା ଯାଏ ଅନବରତ ମଟର ଚାଲୁଚି । ତେଣୁ ଅତି ଅଳ୍ପ କଷ୍ଟରେ ଲୋକେ ତୀର୍ଥଯାତ୍ରା କରିପାରୁଚନ୍ତି । ସେଠି ଯାତ୍ରାରେ ମଧ୍ୟ ବେଶ୍ ଜନସମାଗମ ବୃଦ୍ଧି ପାଇଚି । କେତେଆଡ଼ୁ କେତେ ଜିନିଷର ବଜାର ବସି କିଣାବିକାର ଧୂମଧାମରେ ସେ ଅଞ୍ଚଳଯାକ ପୂରି ଯାଉଚି । ଆଗେ ହୁଏତ ଯାତ୍ରାମାନଙ୍କରେ ଦୋକାନ ଓ ଜିନିଷପତ୍ର ଅତି ସୀମାବଦ୍ଧ ଥିଲା । ଆଖପାଖରେ କଂସାରୀ କଂସାବାସନ ଆଣୁଥିଲା, ଗାଆଁର ତନ୍ତୀ ଚମତ୍କାର ମୁହଁପକା ତନ୍ତବୁଣା ଶାଢ଼ୀ ଆଣି ବିକୁଥିଲା । ଗାଆଁ ପରିବାରର ସଂସାର ଲାଗି ଯେଉଁସବୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦରକାର, ସେହିସବୁ ଜିନିଷର ସହଜ କିଣାବିକା ପାଇଁ ଆଗେ ଯାତ୍ରା ବସୁଥିଲା । ଛୋଟବଡ଼ ପ୍ରତ୍ୟେକ ଧର୍ମାନୁଷ୍ଠାନ ପଛରେ ସାଂସ୍କୃତିକ ସମ୍ପର୍କ ଓ ଗ୍ରାମ୍ୟ ବାଣୁଜ୍ୟ ଲାଗି ଏକ ସ୍ଵାଭାବିକ ଅବସର ସୃଷ୍ଟି କରିବାର ଏହି ସହଜ ରୁଢ଼ିଟି ଖାଲି ଭାରତରେ କାହିଁକି, ପୃଥିବୀର ଆହୁରି ଅନେକ ଦେଶର ଇତିହାସରେ ଆମେ ଦେଖିବାକୁ ପାଇବା ।

 

ବର୍ତ୍ତମାନ ଆମ ଦେଶର ଯାତ୍ରାନୁଷ୍ଠାନମାନଙ୍କରେ ଏହି ବାଣିଜ୍ୟ ପରିସର ଅନେକ ପ୍ରସାରିତ ହୋଇ ଯାଇଚି । କଟକର ଦୋକାନୀ ଆଉ ପାଟରାମାନେ ଯେକୌଣସି ଯାତ୍ରାରେ ସବୁଠାରୁ ଅଧିକ ସ୍ଥାନ ମାଡ଼ି ବସୁଚନ୍ତି । ଚକ୍ ଚକ୍ ପ୍ଲାଷ୍ଟିକର ବଜାର ଗାଆଁ-ଯାତରେ ଖୋଲିଯାଉଚି-। ଆଲୁମିନିଅମର ବାସନକୁସନ ମଧ୍ୟ ଏସବୁ ଯାତ୍ରାରେ ବେଶ୍ ଗୋଟିଏ ଭୂଷଣପରି ହୋଇଗଲାଣି-। ଧର୍ମାନୁଷ୍ଠାନକୁ ସେତୁ କରି ସହରର ବଣିକ ଯେପରି ଗାଆଁର ସଂସ୍କୃତିକୁ ଆକ୍ରମଣ କରିବାକୁ ଆସିଚି । ଗୋଟାଏ ପକ୍ଷ କେବଳ ବିକୁଚି, ଆଉ ଗୋଟାଏ ପକ୍ଷ କେବଳ ପଇସା ଦେଇ କିଣୁଚି । ଗାଆଁରେ ପ୍ରାୟୋଜନ ବଢ଼ିଚାଲିଚି, ରୁଚି ମଧ୍ୟ ବଦଳି ଚାଲିଚି । ନୂଆ ନୂଆ ସାମଗ୍ରୀରେ ଗାଆଁ ଭର୍ତ୍ତି ହୋଇ ଯାଉଚି । ଏହାଦ୍ୱାରା ଅଧିକ କମାଇ ଅଧିକ ଉପଭୋଗ କରିବାର ଗୋଟାଏ ମିଛ ସନ୍ତୋଷ ମିଳୁଚି ସତ, କିନ୍ତୁ ଗ୍ରାମବାସୀର ମନଭିତରେ ଅନେକ ସାଂସ୍କୃତିକ ସୂତ୍ର ଛିଡ଼ି ଛିଡ଼ି ଯାଉଚି । ଆମ ଦେଶର ଯାନିଯାତ୍ରା ଦେଖିବାକୁ ଗଲେ ପ୍ରଥମେ ଏହି କଥାଟି ଭାରି ଅନୁଭବ କରିବାକୁ ମିଳେ ।

 

ଯୋରନ୍ଦା ଯାତ୍ରାରେ ମଧ୍ୟ ଠିକ୍ ସେଇଆ । ମହିମାଧର୍ମର ଇତିହାସରେ ମାଘପୂର୍ଣ୍ଣିମା ତିଥିଟିର ଅନେକ ମହତ୍ତ୍ଵ ରହିଚି । ଏହି ତିଥିରେ ସେ ଶରୀର ଛାଡ଼ିଥିଲେ ବୋଲି ମଧ୍ୟ କେହି କେହି କହନ୍ତି । ମହିମା ଧର୍ମର ମାଘପୂର୍ଣ୍ଣିମାଟିର କଥା ଭବିଲାବେଳକୁ ବୌଦ୍ଧଧର୍ମର ବୈଶାଖ ପୂର୍ଣ୍ଣିମା କଥା ସବୁବେଳେ ମନେ ପଡ଼ିଯାଏ । ବୈଶାଖ ପୂର୍ଣ୍ଣିମା ଦିନ କପିଳବାସ୍ତୁର ରାଜପ୍ରାସାଦରେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ । ଏହି ବୈଶାଖ ପୁର୍ଣ୍ଣିମାରେ ବୁଦ୍ଧଗୟାର ବୋଧିଦ୍ରୂମ ତଳେ ସେ ସିଦ୍ଧିଲାଭ କରିଥିଲେ । ପୁଣି ଠିକ୍ ସେହି ତିଥିରେ କୁଶୀନଗରଠାରେ ତାଙ୍କର ମହାପରିନିର୍ବାଣ ବି ହୋଇଥିଲା । ନାନା ଧର୍ମରେ ଏହିପରି ଗୋଟିଏ ଗୋଟିଏ ବିଶେଷ ତିଥି ବା ବିଶେଷ ବାରକୁ ସ୍ମରଣ ଓ ଉତ୍ସବର ଉପଲକ୍ଷ ବୋଲି ଗ୍ରହଣ କରି ନିଆଯାଇଚି । ଦେବତା ବା ମହାତ୍ମାର ଜୀବନରୁ ଗ୍ରହଣ କରିବାର ଉତ୍ସାହରେ ମଣିଷ ଇତିହାସକୁ ବାର ବାର ବର୍ଜନ କରି ଆସିଚି । ତେଣୁ ମାଘପୂର୍ଣ୍ଣିମାର ଯାତ୍ରାନୁଷ୍ଠାନରେ ଇତିହାସ ନ ଖୋଜି ଆମେ ଧର୍ମସ୍ମରଣର ଏହି ସ୍ଵାଭାବିକ ରୀତିକୁ ବୁଝିବାକୁ ଚେଷ୍ଟା କରିବା । ମାଘ ପୂର୍ଣ୍ଣିମାର କାତରା ଉତିହାସରେ କୌଣସି ଘଟଣାକୁ ସ୍ଥାୟୀକରି ରଖିବାକୁ ଯେତେ ସାହାଯ୍ୟ କରୁନାହିଁ, ମହିମା ଧର୍ମଗୋଷ୍ଠୀକୁ ଏକାଠି କରି ରଖିବାକୁ ହୁଏତ ତାହାଠାରୁ ଅନେକ ବେଶୀ ସୁ-ଅବସର ଯୋଗାଇ ପାରୁଚି । ମହିମା-ଗୋସାଇଁଙ୍କର ଧର୍ମପ୍ରଚାର ଦିନଠାରୁ ତ ମହିମାଧର୍ମର ଗୃହୀ ଓ ସନ୍ନ୍ୟାସୀମାନଙ୍କ ଭିତରେ ଧର୍ମର ଏକ ଅଦୃଶ୍ୟ ଅଥଚ ଅନୁଭୂତ ସଂଘ ପ୍ରତିଷ୍ଠିତ ରହିଆସିଚି । ମହିମାଧର୍ମର ସନ୍ନ୍ୟାସ ସତତ ପ୍ରବ୍ରଜ୍ୟା ବା ପରିବ୍ରଜର ସନ୍ନ୍ୟାସ । ନିୟମ ଅନୁସାରେ କୌଣସି ସନ୍ନ୍ୟାସୀ ଗୋଟିଏ ଗ୍ରାମରେ ରାତିକରୁ ଅଧିକ ରହିପାରିବେ ନାହିଁ । ତେଣୁ ଏହି ପଦବ୍ରଜ ସମୟରେ ସନ୍ୟାସୀମାନଙ୍କର ମଧ୍ୟ ଅଧିକ ପରସ୍ପର ଭେଟ ହୋଇପାରେ ନାହିଁ, ଏକତ୍ର ଧର୍ମାଲୋଚନା ଓ ଧର୍ମାନୁଶୀଳନର ଖୁବ୍ ବେଶୀ ସୁଯୋଗ ମିଳିପାରେ ନାହିଁ । ହୁଏତ ସେଥିଲାଗି ମାଘପୂର୍ଣ୍ଣିମାକୁ ବର୍ଷକର ପରିବ୍ରଜରେ ଗୋଟିଏ ଗଣ୍ଠିପରି ରଖାଯାଇଚି । ବରଷକରେ ଥରେ ଯୋରନ୍ଦାଠାରେ ଏକତ୍ର ହେବାର ରୀତି ବୋଧହୁଏ ଏଇଥିଲାଗି ଅନୁସୃତ ହୋଇ ଆସୁଚି । ବରଷସାରା ଯେଉଁ ସନ୍ନ୍ୟାସୀ ଓଡ଼ିଶା ବା ଓଡ଼ିଶା ବାହାରେ ଯେଉଁଠି ଥାଆନ୍ତୁ ପଛକେ, ମାଘପୂର୍ଣ୍ଣିମାକୁ ସେ ଗାଦୀଠାରେ ଉପସ୍ଥିତ ରହିବେ । ସେହି ଅନୁସାରେ ହିସାବ କରି ଯୋରନ୍ଦା ଅଭିମୁଖରେ ସେ ଆପଣାର ପଦଯାତ୍ରା ଆରମ୍ଭ କରିବେ । ମାଘ-ପୂର୍ଣ୍ଣିମା ପୂଣ୍ୟ ଅବସରରେ ଏକାଠି ଧର୍ମାଲୋଚନା ହେବ, ଏକାଠି ଭଜନ ଓ ଭୋଜନ ହେବ, ପରସ୍ପରକୁ ଏକାଠି ବାନ୍ଧି ରଖିଥିବା ପ୍ରେରଣା ଓ ଧର୍ମସୂତ୍ରକୁ ଅନୁଭବ କରିବାର ଏକ ପ୍ରଶସ୍ତ କ୍ଷେତ୍ର ଏତିକିବେଳେ ମିଳିବେ । ଏହି ଅନୁଭୂତିକୁ ନେଇ ସେମାନେ ପୁଣି ବରଷକ ଲାଗି ଆପଣା ଆପଣା ପ୍ରବାଜ୍ୟାରେ ବାହରିଯିବେ ।

 

ମହିମା ଧର୍ମର ଯେତେ ଯେତେ ଗୃହୀଭୁକ୍ତ ରହିଚନ୍ତି, ସାଧାରଣତଃ ସେମାନେ ମଧ୍ୟ ମାଘପୂର୍ଣ୍ଣିମାକୁ ଯୋରନ୍ଦା ଆସନ୍ତି । ଧୂନିମନ୍ଦିରରେ ରାତିଦିନ ଘିଅ ଢଳାହୋଇ ଅଖଣ୍ଡ ଅଗ୍ନି ଜଳୁଥାଏ, ଶୂନ୍ୟମନ୍ଦିରର ସବୁ ଶୂନ୍ୟ ଯାତ୍ରୀ ଓ ଭକ୍ତମାନଙ୍କର ସୋରଗୋଳରେ ପୂରି ଉଠିଲାପରି ଲାଗେ । କେଉଁଠି ସନ୍ନ୍ୟାସୀ ଓ ଭକ୍ତମାନେ ଏକାଠି ବସି ଧର୍ମଚର୍ଚ୍ଚା କରୁଥାନ୍ତି, କୋଉଠି ମଝିରେ ନିଆଁ ଜଳାଇ ସନ୍ନ୍ୟାସୀମାନେ ଭୀମ ଭୋଇଙ୍କର ଭଜନମାନ ଗାନ କରୁଥାନ୍ତି । କୋଉଠି ଅନେକ ରାତି ପର୍ଯ୍ୟନ୍ତ ଖଞ୍ଜଣୀମାଡ଼ର ଐକ୍ୟତାନ ଏକ ଅପୂର୍ବ ଆବେଶ ସୃଷ୍ଟିକରି ରଖିଥାଏ । ଏହିପରି ଏକ ଆବେଶ ଭିତରେ ବୁଡ଼ି ରହିବାକୁ ବରଷକରେ ଏକ ସ୍ଵାଭାବିକ କ୍ଷେତ୍ରପାଇବା ଲାଗି ଧର୍ମ ଓ ଧର୍ମଗୋଷ୍ଠୀ ଦୃଷ୍ଟିରୁ ଅନେକ ଆବଶ୍ୟକତା ରହିଚି । ବୌଦ୍ଧ ଧର୍ମର ଇତିହାସରେ ଥିବା ତ୍ରିରତ୍ନର କାୟକଳ୍ପନା ବିଷୟରେ ବିଚାର କଲେ ଆମେ ଏହି କଥାଟି ବୁଝିପାରିବା । ‘ନ ତସ୍ୟ ପ୍ରତିମା ଅସ୍ତି’–ଏ କଥା ଉପନିଷଦ ଅନେକ ଆଗରୁ କହିଥିଲା । ତଥାପି ତା’ପରେ ପ୍ରତିମା-ସ୍ଥାପନାରେ ଯେଉଁ ଅତିରିକ୍ତତା ଭାରତୀୟ ଧର୍ମକୁ କ୍ରମେ କ୍ଳିଷ୍ଟ କରି ପକାଉଥିଲା, ବୁଦ୍ଧଦେବ ତାହାରି ବିରୁଦ୍ଧରେ ତୀବ୍ର ପ୍ରତିବାଦ ଉଠାଇଥିଲେ । ତାଙ୍କରି ଧର୍ମର ଅନୁଗାମୀମାନେ ବୁଦ୍ଧ, ଧର୍ମ ଓ ସଙ୍ଘକୁ ତ୍ରିରତ୍ନ ବା ତ୍ରିସତ୍ୟ ହିସାବରେ ମାନିଲେ ଓ ଧ୍ୟାନ କଲେ । ଶରୀରଧାରୀ ମଣିଷ ତା’ର ସହଜ ଆରୋପବୃତ୍ତି ଦ୍ଵାରା ତ୍ରିରତ୍ନର ଶୁଦ୍ଧ ଧ୍ୟାନମୟ କଳ୍ପନାରେ କ୍ରମେ ଶରୀରର କଳ୍ପନା ଆଣି ଯୋଡ଼ିଦେଲା । ଧ୍ୟାନକୁ ଧରି ରଖିବା ଲାଗି ମୂର୍ତ୍ତିର ଆବଶ୍ୟକତା ପଡ଼ିଲା । ବୁଦ୍ଧକାୟ, ଧର୍ମକାୟ ଓ ସଙ୍ଘକାୟର ଉଦଭବ ହେଲା । ପରବର୍ତ୍ତୀ ବୌଦ୍ଧଧର୍ମରେ ରହି ତିନିକାୟ ତିନୋଟି ଦେବତା ହୋଇ ପୂଜା ପାଇଲେ । ସେହିପରି ମହିମା ଧର୍ମର ସନ୍ନ୍ୟାସୀମାନଙ୍କ ଭିତରେ ଏକ ସଂଘ କଳ୍ପନା ରହି ଆସିଥିଲା, ଯେତେ ଅଦୃଶ୍ୟ ଭାବରେ ହେଲେ ମଧ୍ୟ ଏହି ସଙ୍ଘେ ସେମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିଲା । ବୌଦ୍ଧ ଧର୍ମର ତୃତୀୟ ରତ୍ନ କ୍ରମେ ସଂଘକାୟରୂପୀ ଶରୀରଧାରୀ ଦେବତାରେ ପରିଣତ ହେଲାପରି ମହିମାଧର୍ମର ସଂଘରେ ମାଘପୂର୍ଣ୍ଣିମା ଦିନ ଗୋଟିଏ ଜାଗାରେ ସମବେତ ହୋଇଥିବା ସନ୍ନ୍ୟାସୀ ଓ ଭକ୍ତମାନଙ୍କର ଏକ ଗୋଷ୍ଠୀ ସମ୍ଭବ କରାଇବାର ଅବଶ୍ୟକତା ମଧ୍ୟ କ୍ରମେ ଅନୁଭୂତ ହେଲା । ସଂଘକାୟରୁ ବୌଦ୍ଧଧର୍ମର ଭକ୍ତ ଯେଉଁ ସନ୍ତୋଷ ବା ସାର୍ଥକତା ପାଇଥିଲା, ମାଘପୂର୍ଣ୍ଣିମାର ଯାତ୍ରା ଓ ଗୋଷ୍ଠୀରୁ ମହିମାଧର୍ମ ସେହିପରି ଏକ ସନ୍ତୋଷ ଓ ସାର୍ଥକତା ପାଉଚି ବୋଲି ମନେ କରାଯାଇପାରେ ।

 

ମହିମାଧର୍ମର ଇତିହାସ ମୋଟେ ଶହେ ବର୍ଷର ଇତିହାସ । ଓଡ଼ିଶାର ରାଜା ବୈଷ୍ଣବ ନାମସଂକୀର୍ତ୍ତନ ଓ ନାମଦୀକ୍ଷାକୁ ରାଜକୀୟ ଧର୍ମ ବୋଲି ଗ୍ରହଣ କରିସାରିବା ପରେ ଓଡ଼ିଶାର ଧର୍ମ ଓ ସାହିତ୍ୟର ନିର୍ଗୁଣ ଧାରାଟି କ୍ରମେ ମରି ମରି ଯାଇଥିଲା । ବୈଷ୍ଣବ ଧର୍ମର ଡାଳ ଧରି ଓଡ଼ିଆ ସାହିତ୍ୟ କ୍ରମେ ଅଧିକରୁ ଅଧିକ ସକାମ ହୋଇ ପଡ଼ିଲା । ରାଧା ଆଉ କୃଷ୍ଣଙ୍କୁ ଆରୋପ-ପିତୁଳା କରି ଓଡ଼ିଆ ଭକ୍ତ ଆଉ ସାହିତ୍ୟକମାନେ ସଂସାରର ସ୍ଵାଭାବିକ ସୁଖଦୁଃଖ ଓ ବିରହମିଳନର ଅନୁଭୂତିକୁ ନାନା ଅଳଙ୍କାରର ଚମତ୍କାରିତାରେ ସଜାଇ ଦେଲେ । ସେତିକିବେଳେ ମହିମା ଧର୍ମ ଓ କବି ଭୀମ ଭୋଇଙ୍କର କବିତାରେ ପୁଣି ସାହିତ୍ୟର ନିର୍ଗୁଣ ଧାରାଟି ପ୍ରାଣ ପାଇ ଉଠିଲା । ଜାତି, ଧର୍ମ ଓ ସଂସ୍କାରଗତ ଅଧିକାରର ସମସ୍ତ ପକ୍ଷପାତକୁ ଅସ୍ଵୀକାର କରି ମହିମା ଧର୍ମ ଧର୍ମକୁ ପୁଣି ଅନୁଭୂତିମୂଳ ଓ ସାଧନାଲବ୍ଧ ବୋଲି ଘୋଷଣା କଲା । ଡାଳକୁ ଛାଡ଼ି ମୂଳକୁ ଆଶ୍ରୟ କରିବାକୁ ଏବଂ ଆପଣାର ପ୍ରଭୁ ଅନୁସାରେ ଆପଣାର ବୁଦ୍ଧିକୁ ବଡ଼ କରିବାକୁ ଭୀମ ଭୋଇ ଏଣେ ଏକ ଶକ୍ତିଶାଳୀ ଉଦବୋଧନ ଦେଲେ । ଓଡ଼ିଶା ଉପରୁ ଖ୍ରୀଷ୍ଟିୟାନ୍ ପାଦ୍ରୀମାନଙ୍କର ପ୍ରାଦୁର୍ଭାବ ଘୁଞ୍ଚାଇବାରେ ମଧ୍ୟ ମହିମାଧର୍ମର ଏହି ନୂତନ ପ୍ରେରଣା ଅନେକ ସାହାଯ୍ୟ କଲା ।

 

ମହିମାଧର୍ମରେ ପୌତ୍ତଳିକତାର ଗନ୍ଧ ନାହିଁ । ସବୁ ଦେବାଦେବୀ ଏଥିରେ କାଟଖାଇ ଯାଇଚନ୍ତି । ତଥାପି ତତ୍ତ୍ଵବାଡ଼ର ସମସ୍ତ ସୀମା ଲଙ୍ଘନ କରି ଏଥିରେ ବି ଆରୋପପ୍ରବଣତା ବେଶ୍ ସ୍ଥାନ ପାଇଚି । ଯୋରନ୍ଦାର ଅଖଣ୍ଡ ଅଗ୍ନି ପରମ ଭଗବାନଙ୍କର ମହିମର ଜ୍ୟୋତିର୍ମୟ ପ୍ରତୀକ ହୋଇ ରହିଚି । ଏହି ଅଗ୍ନି ଉପରେ ଘିଅ ଢାଳି କେତେ ଦୁର୍ବଳ ମଣିଷମନ ରୋଗ ଓ ପାପରୁ ପରିତ୍ରାଣ ପାଇଯିବାର କେତେ ସାନ୍ତ୍ଵନା ପାଇବାକୁ ଆସୁଛି । ସବୁ ମନ୍ଦିରର ଅସାରତା ଘୋଷଣା କରିଥିଲେ ମଧ୍ୟ ଯୋରନ୍ଦାରେ ମହିମାପନ୍ଥୀମାନଙ୍କର ଗୋଟିଏ ସୁଦୃଶ୍ୟ ମନ୍ଦିର ଅଛି । ଅବଶ୍ୟ ଏହାକୁ ଶୂନ୍ୟ ମନ୍ଦିର ବୋଲି ନାମ ଦିଆଯାଇଛି । ତଥାପି ଏହି ମନ୍ଦିର ଭିତରେ ଅନେକ ନିଷ୍ଠାଓ ଭକ୍ତିସହକାରେ ହଜାର ହାଜର ଯାତ୍ରୀ ମାଘପୂର୍ଣ୍ଣିମା ଦିନ ମହିମାମହାପ୍ରଭୁଙ୍କୁ ଦର୍ଶନ କରିବାର ପ୍ରଲୋଭନ ମେଣ୍ଟାଉଚନ୍ତି ।

 

ମଣିଷଜୀବନର ଅନ୍ୟାନ୍ୟ କ୍ଷେତ୍ରପରି ମଣିଷର ଧର୍ମ ଭିତରେ ମଧ୍ୟ ଏହିପରି ଅନେକ ବିଚିତ୍ର ବିରୋଧମାନ ରହିଚି । ସେହିସବୁ ବିରୋଧ ମଣିଷର ଜୀବନ ଓ ତତ୍ତ୍ଵକୁ ବେଶ୍ ସରସ କରିପାରିଚି । ବୌଦ୍ଧଧର୍ମର ବା ହିନ୍ଦୁଧର୍ମର ଇତିହାସରେ ଏପରି ବିରୋଧରେ ଅନେକ ଉଦାହରଣ ମିଳିବ । ମହିମା ଧର୍ମର ପ୍ରସଙ୍ଗରେ ମଧ୍ୟ ତାହା ହିଁ ହୋଇଚି । ଲୋକଙ୍କର ମନବୁଝିବା ପାଇଁ ଜାଣିଶୁଣି ଏପରି କରାଯାଇଚି ବୋଲି ମହିମାଧର୍ମର କେତେକ ସନ୍ନ୍ୟାସୀ କହନ୍ତି । ଲୋକମାନେ ଖାଲି ତତ୍ତ୍ଵରେ ମଜ୍ଜିବା ଆଗରୁ, ଶୁଦ୍ଧମୁକ୍ତ ସାକ୍ଷୀଚୈତନ୍ୟ ହିସାବରେ ଭଗବାନଙ୍କୁ ଅନୁଭବ କରିବା ଆଗରୁ ସେମାନଙ୍କର ଆଖିକାନ ବୁଝିବାଲାଗି ମଧ୍ୟ ଧର୍ମସରଞ୍ଜାମ ଯୋଗାଇ ଦେବାକୁ ହୁଏ । ସେମାନଙ୍କ ଲାଗି ଦେଉଳ ଦରକାର, ଠାକୁର ଦରକାର, ସହଜ ସାଧନାର ମନ୍ତ୍ର ବା ଜପ ଦରକାର,ଭୋଗ ମଣୋହୀ ଦରକାର । ତତ୍ତ୍ଵ, ମୟ ଧର୍ମକୁ ଲୋକ-ଧର୍ମର ଲାବଣ୍ୟ ଦେବାକୁ ହେଲେ ଏ ସବୁର ଉପଚାର ନିଶ୍ଚୟ ଦରକାର । କିନ୍ତୁ ଉପଚାରଦ୍ଵାରା ଧର୍ମର କେତେଦୂର ହାନି ବା ବୃଦ୍ଧି ହୋଇଛି, ଧର୍ମର ଅଧିକ ଆକର୍ଷଣୀୟ କରିବାର ଚେଷ୍ଟା ଦ୍ଵାରା ଲୋକମାନେ କେତେଦୂର ଅସଲ ଧର୍ମକୁ ଭୁଲିଚନ୍ତି ବା ଗ୍ରହଣ କରିଛନ୍ତି, ଧର୍ମର ଇତିହାସ ଅଧ୍ୟୟନ କରୁଥିବା ପ୍ରତ୍ୟେକ ଛାତ୍ରର ଏହା ବିଚରା କରିବା କଥା । କାରଣ କେବଳ ତଥାକଥିତ ପ୍ରଚାରିତ ଧର୍ମମାନଙ୍କରେ ନୁହେଁ, ଯେକୌଣସି ସାମାଜିକ ମତବାଦ ବା ଆଦର୍ଶର କ୍ଷେତ୍ରରେ ମଧ୍ୟ ଏହି ବିରୋଧୀ ପ୍ରବୃତ୍ତି ଦେଖିବାକୁ ମିଳିଥାଏ ।

 

ଗତ ସପ୍ତାହରେ ଶାନ୍ତିନିକେତନରେ ମେଳା ଦେଖିବାର ସୁଯୋଗ ମୋତେ ମିଳିଥିଲା । ବିଶ୍ଵଭାରତୀର ବାର୍ଷିକ ଉତ୍ସବ ସମୟରେ ସେଠାରେ ଗୋଟିଏ ଯାତ୍ରା ବା ମେଳା କରାଇବାର ଅନୁଷ୍ଠାନ ଅନେକ ବର୍ଷରୁ ଚଳିଆସିଲାଣି । ଏହି ଯାତ୍ରା ପଛରେ ବିଶ୍ଵକବିଙ୍କର ଦୁଇଟି ପ୍ରଧାନ ଉଦ୍ଦେଶ୍ୟ ଥିଲା । ମଣିଷ ସହଜ ଆନନ୍ଦରେ ଆଗ୍ରହ ନେଇ ପରସ୍ପର ସହିତ ମିଶିବ,- ଆନନ୍ଦଟା ଯେ ସ୍ଵାର୍ଥପର ଉପଭୋଗର ବସ୍ତୁ ନୁହେଁ, ସେକଥା ବୁଝିବାକୁ ସେ ସମର୍ଥ ହେବ । ଦ୍ଵିତୀୟ ଉଦ୍ଦେଶ୍ୟ ଥିଲା ମଣିଷର ରୁଚିକୁ ଅଧିକ ସୁନ୍ଦର କରାଇବା । ଖାଲି ଚକ୍ ଚକ୍ ଜିନିଷ କିଣିବା ନୁହେଁ, ଗାଆଁର, କାରିଗରମାନଙ୍କର ଜିନିଷର କିଣାବିକାଲାଗି ଏକ ସୁଯୋଗ ଦେଇ ସାଧାରଣ ମଣିଷଙ୍କର ମନରେ କଳାପ୍ରତି ଆଗ୍ରହ ବଢ଼ାଇବାକୁ ରବୀନ୍ଦ୍ରନାଥ ଏହି ଯାତ୍ରାର କଳ୍ପନା କରିଥିଲେ । କିନ୍ତୁ କବିଙ୍କର ସେହି ମହତ କଳ୍ପନାର କି ବିକୃତ ଅବଶେଷ ବର୍ତ୍ତମାନ ରହିଚି । ଇତାଲିର କାପ୍ରି ବା ଆମେରିକାର ହନୋଲୁଲୁକୁ ଆଧୁନିକ ମଣିଷ ଯେଉଁ ରୁଚି ନେଇ ଯାଏ, ହୁଏତ କଲିକତାର ମଣିଷ ଦୁଇଖଣ୍ଡର ଶାନ୍ତି ପାଇବାଲାଗି ସେହିପରି ଗୋଟାଏ ରୁଚି ନେଇ ଆଜି ଶାନ୍ତିନିକେତନ ଯାତ୍ରାରେ ସମବେତ ହେଉଚି । ରୁଚିକୁ ଅଧିକ ସୁନ୍ଦର କରାଇବା ତ ଦୂରର କଥା, ଏହିପରି ଯାତ୍ରାର ଜରିଆରେ କୁରୁଚିର ସଂକ୍ରମଣ ହିଁ ଅଧିକ ହେଉଚି, ସହର-ମଣିଷର ଫୁର୍ତ୍ତି ଦେଖି ଗାଆଁର ମଣିଷ ହୁଏତ ଆପଣା ଦୀନତାର ଗ୍ଳାନିରେ ଅଧିକରୁ ଅଧିକ ଆଘାତ ପାଉଚି ।

 

ଯୋରନ୍ଦା ଯାତ୍ରାରେ ମଧ୍ୟ ଏପରି ଆଶଙ୍କା କରିବାଲାଗି ହୁଏତ ଅନେକ କାରଣ ରହିଚି-। ସେଠାକୁ ଧର୍ମର ଅନ୍ଵେଷଣକରି ଆସିଥିବା ଯାତ୍ରୀ ହୁଏତ ଥରେ ଅଧେ ମନ୍ଦିରକୁ ଯାଉଚି । ଭଜନଗାନ ଶୁଣୁଚି ବା ସାଧୁସଙ୍ଗ କରୁଚି; କିନ୍ତୁ ନାନା ସାମଗ୍ରୀର ଆଡ଼ମ୍ବରରେ ମୁଖବ୍ୟାଦନ କରି ବସିଥିବା ଦୋକାନରେ ସଭ୍ୟତା ତାକୁସେଠାରେ ବେଶୀ ଆକର୍ଷଣ କରୁଚି । ମହିମା- ଗୋସାଇଁ ବା ତା’ ର କଳ୍ପନା ଭିତରେ ଥିବା ମହିମା-ମହାପ୍ରଭୁଙ୍କଠାରୁ ସେ କୌଣସି ଉପକାର ପାଉଚି କି ନାହିଁ, ସେକଥା ହୁଏତ ସେ ଅନୁଭବ କରିପାରୁ ନାହିଁ । କିନ୍ତୁ କେତେ ଦୂର ଦୂର ସହରର କେତେ ସୁନ୍ଦର ଚକ୍ ଚକ୍ ଜିନିଷ ବରଷକରେ ଥରେ ତା’ର ଦୁଆରେ ଆଣି ପହଞ୍ଚାଇ ଦେଉଥିବାରରୁ ଏହିପରି ଏକ ଯାତ୍ରାପାଖରେ ସେ ଯେପରି ଅଧିକରୁ ଅଧିକ କୃତଜ୍ଞ ହୋଇ ପଡ଼ୁଚି । ମହିମା ଧର୍ମର ସନ୍ନ୍ୟାସୀ ଓ ଭକ୍ତମାନଙ୍କର ଏକଥା ବେଶୀ ଚିନ୍ତାକରିବାର କଥା । ମଣିଷର ମନକୁ ଅଧିକ ଭଗବନ୍ନୁଖୀ କରିବାକୁ ସେମାନଙ୍କର ଧର୍ମର ସୃଷ୍ଟି ହୋଇଥିଲା, ଏହି ପ୍ରକ୍ରିୟାଲାଗି ଅଧିକରୁ ଅଧିକ ସୁଅବସର ଯୋଗାଇ ଦେବାକୁ ଯୋରନ୍ଦା ଯାତ୍ରାର ଆରମ୍ଭ ହୋଇଥିଲା । କେବଳ କିଣାବିକାର ରାଜସିକ ସାନ୍ତ୍ଵନା ଭିତରେ ଯେପରି ଏହି ଯାତ୍ରାର ମହତ୍ତ୍ଵ ବୁଡ଼ିନଯାଏ ।

 

ଶହେ ବରଷର ପୁରୁଣା ଧର୍ମ ହୋଇଥିଲେ ମଧ୍ୟ ମହିମାଧର୍ମରୁ ଆମର ଅନେକ କଥା ଶିକ୍ଷା କରିବାର ଅଛି । ଆପଣା ଆପଣା କ୍ଷେତ୍ରରେ ଜୀବନରେ ଅଧିକ ସମତା ଓ ସୌମ୍ୟତା ଅର୍ଜନ କରିପାରିବା ଲାଗି ଏଥିରୁ ଆମର ଅନେକ ପ୍ରେରଣା ପାଇବାର ଅଛି । ମହିମାପନ୍ଥୀ ସନ୍ନ୍ୟାସୀ ଓ ଭକ୍ତମାନେ ଧର୍ମର ଏହି ଚିରନ୍ତନ ପ୍ରୟୋଜନୀୟତାକୁ ଯେତିକି ଗଭୀର ଭାବରେ ବୁଝିପାରିବେ, ସେତିକି ସେମାନେ ଆପଣାର ଓ ଜଗତର ସେତିକି କରିପାରିବେ । ସେମାନେ ଏ ଯାତ୍ରାକୁ ଏକ ସାର୍ଥକ ଧର୍ମମିଳନର କ୍ଷେତ୍ରରୂପେ ସେତିକି ବଞ୍ଚାଇ ରଖି ପାରିବେ । ତା’ ନହେଲେ ଅନ୍ୟାନ୍ୟ ନାନା ଯାତ୍ରାଠାରୁ ପୃଥକ୍ କରି ଅନୁଭବ କରିବାଲାଗି ଏ ଯାତ୍ରାରେ କୌଣସି ସନ୍ତକ ରହିବ ନାହିଁ ।

 

ବର୍ଷଶେଷ, ୧୯୫୬

(ଆକାଶବାଣୀ,କଟକର ସୌଜନ୍ୟରୁ)

Image

 

ଭାଷା–ହୃଦୟ ବିସ୍ତାରର ମାଧ୍ୟମ

 

ଆମ ପୃଥିବୀରେ ଅନେକ ଭାଷା ଅଛି । ଯେଉଁମାନେ ସ୍କୁଲ କଲେଜରେ ପାଠ ପଢ଼ନ୍ତି, ପୃଥିବୀରେ ଥିବା ଭାଷା କେତୋଟିର ନାମ ସେମାନଙ୍କୁ ମନେ ରେଖିବାକୁ ହୁଏ । ବଡ଼ ବଡ଼ ବିଶ୍ଵବିଦ୍ୟାଳୟରେ ଭାଷାବିଜ୍ଞାନ ଉଚ୍ଚତର ଶିକ୍ଷାର ଗୋଟିଏ ସ୍ଵତନ୍ତ୍ର ବିଷୟରୂପେ ରହିଥାଏ । ସେଠି ପଣ୍ଡିତମାନେ ଭାଷାରେ ଗଠନ, ଭାଷାବିଭଙ୍ଗର ନିୟମ ଓ ଭାଷାଗଠନର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ପ୍ରଭାବ ବିଷୟରେ ଗବେଷଣା କରନ୍ତି । ଆପଣାର ଭାଷା ନେଇ ସାଧାରଣତଃ ସମସ୍ତେ ଗୌରବ ଅନୁଭବ କରନ୍ତି । ଓଡ଼ିଶାରେ ଆମେ ଓଡ଼ିଆଭାଷାକୁ ଭଲପାଉ । ତେଲେଙ୍ଗା ଦେଶରେ ତେଲୁଗୁ ଭାଷାକୁ ଭଲ ପାଆନ୍ତି । ପୃଥିବୀରେ ପ୍ରାୟ ପ୍ରତ୍ୟେକ ସାହିତ୍ୟିକ ଭାଷା ପଛରେ ଏହିପରି ଏକ ଗୌରବବୋଧର ଇତିହାସ ରହିଚି । ପୂର୍ବ ପାକିସ୍ଥାନରେ ବଙ୍ଗଳାକୁ ଏକ ସ୍ଵୀକୃତ ଭାଷା କରିବାଲାଗି ଯେଉଁ ଆନ୍ଦୋଳନ ଚାଲିଥିଲା, ସେକଥା ସମସ୍ତେ ଜାଣିଥିବେ। ପାକିସ୍ଥାନର ପଶ୍ଚିମ ସୀମାନ୍ତରେ ପାଖୁତୁନ୍ ଭାଷାଲାଗି ବର୍ତ୍ତମାନ ମଧ୍ୟ ଅନେକ ଲୋକ ଜେଲ୍ ଭୋଗୁଚନ୍ତି । ଆପଣାର ଭାଷାପ୍ରତି ସମସ୍ତଙ୍କର ଏତେ ମମତା ଥାଏ ବୋଲି କୋଉଠି ଗୋଟିଏ ପୁରୁଣା ପୋଥି ମିଳିଲେ ତାକୁ ଆମେ ସମସ୍ତେ ଆମ ଆପଣା ଭାଷାର ପୋଥି ବୋଲି କହିବାକୁ ବାହାରିପଡ଼ୁ । ଆମ ପଣ୍ଡିତମାନେ ଆମକୁ ଏଥିରେ ଭାରି ସାହାଯ୍ୟ କରନ୍ତି । ବୌଦ୍ଧ ଚର୍ଯ୍ୟାପଦର ଯେଉଁ ଗାନ ଓ ଦୋହାମାନେ ନେପାଳ ଓ ତିବ୍ବତରୁ ମିଳିଚି, ତାକୁ ନେଇ ଓଡ଼ିଶା, ବଙ୍ଗଳା ଓ ବିହାର ଭିତରେ ଖୁବ୍ ବାଦବିବାଦ ଚାଲିଚି । ସେହି ବାଦବିବାଦକୁ ଅଧିକ ଘମାଘୋଟ କରିଦେବାକୁ ପଣ୍ଡିତମାନେ ବହି ଲେଖିବାରେ ଲାଗିଚନ୍ତି । ଯେଉଁଭାଷାରେ ଯେତେ ପୁରୁଣା ମିଳିବ, ସେହି ଭାଷା ସେତେ ପୁରୁଣା ବୋଲି ପ୍ରାମାଣିତ ହେବ । ପୁଣି ଭାଷା ଯେତେ ପୁରୁଣା ହେବ, ତାହାର ସେତିକି ଅଧିକ ଗୌରବର ଦାବୀ ରହିବ, ଏହିପରି ଗୋଟାଏ ପ୍ରକାରର ସଂସ୍କାର ଆମ ସମସ୍ତଙ୍କର ରହିଥିବାରୁ ଆମେ ସମସ୍ତେ ନିଜନିଜର ଭାଷାକୁ ପୁରୁଣା ବୋଲି ଦେଖିବାକୁ ବାହାରି ପଡ଼ୁଚୁ ।

 

ଦେଢ଼ବରଷ ତଳର ଭାଷାକମିଶନ ରିପୋର୍ଟ ଓ ତତସଂକ୍ରାନ୍ତୀୟ ଗଣ୍ଡଗୋଳ ଆମ ସମସ୍ତଙ୍କର ମନେଥିବ । ଯେକୌଣସି ଭଲ ଜିନିଷକୁ ମଧ୍ୟ ଅଫିମପରି ବ୍ୟବାହର କରାଯାଇପାରେ-। ଧର୍ମ, ଆଦର୍ଶ, ରାଜନୀତି, ଶାସ୍ତ୍ର, ସାହିତ୍ୟ ଓ ଭାଷା ଅନେକ ସମୟରେ ମନ ଉପରେ ଅଫିମପରି କାର୍ଯ୍ୟକରେ, ମଣିଷର ମନକୁ ବଡ଼ ସଂକୀର୍ଣ୍ଣ କରିପକାଏ । ସଂସାରର ସାଂସ୍କୃତିକ ଇତିହାସରେ ତାହା ଆଉଗୋଟିଏ ଦିଗ । ତଥାପି ଭାଷାର ଗୌରବର ଦିଗଟିକୁ ଆମେ କେହି ଅସ୍ଵୀକାର କରିପାରିବା ନାହିଁ । ସଂସ୍କୃତିର ପ୍ରକାଶ–ବାହନ ହିସାବରେ ଯୁଗେ ଯୁଗେ ରହି ଆସିଥିବା ଭାଷାର ମହତ୍ତ୍ଵ ସବୁଦିନେ ସମସ୍ତେ ଅନୁଭବ କରୁଥିବେ ।

 

ମାତୃଭାଷା ଅଥବା ଆପଣା ଜନପଦର କଥିତ ଭାଷାକୁ ନେଇ କେତେଦିନ ଆମେ ଭାରି ପାଟିତୁଣ୍ଡ କଲେ । ମାତୃଭୂମିକୁ ପ୍ରତୀକ କରି ଜାତୀୟତାର ଯେଉଁ ସୁଅ ସଂସାରକୁ ଆସିଥିଲା, ଏସବୁ ପାଟିତୁଣ୍ଡ ସେହି ସୁଅର କରାମତି ବୋଲି କହିବାକୁ ହେବ । ଗତ ଶତାବ୍ଦୀରେ ଇଉରୋପରେ ଏହାର ଉଦଭବ ହେଲା । କେତେକ ଚିନ୍ତାଶୀଳ ମାନବ ହିତୈଷୀ ବ୍ୟକ୍ତି ଅଶେଷ ସାଧୁତା ସହକାରେ ଏହି ପ୍ରବାହକୁ ଜନ୍ମ ଦେଲେ । କିନ୍ତୁ ଆମ ପରି ଅଯୋଗ୍ୟ ମଣିଷଙ୍କ ହାତରେ ପଡ଼ି ସେହି ପ୍ରବାହର ବହମାନତା ନଷ୍ଟ ହୋଇଗଲା । ଯିଏ ବହିଯାଏ ବାବହି ନେଇଯାଏ, ତହ ହିଁ ପ୍ରବାହ । କିନ୍ତୁ ଆମର ମାତୃଭାଷା ରୂପକ ପ୍ରବାହକୁ ଆମେ ଗୋଟିଏ ଗୋଟିଏ ଜଳାଶୟପରି କରି ପକାଇଲୁ । ଆମେ ଆପଣା ଭାଷାକୁ ଭଲ ପାଇବାକୁ ଯାଇ ଅନ୍ୟାନ୍ୟ ଭାଷାକୁ ଘୃଣା କଲୁ । ସେଗୁଡ଼ିକୁ ହୀନ ବା ଇତର ଜ୍ଞାନ କଲୁ । ଭାଷା ଭାଷା ଭିତରେ ନାନା କଳହ ଓ କନ୍ଦଳର ସୃଷ୍ଟି ହେଲା । ଫଳରେ ମଣିଷ ମନରେ ଗ୍ରନ୍ଥି ପଡ଼ିଗଲା । ଭାଷା ପରି ଏକ ଉଦାର ବାହନ ପାଇ ମଧ୍ୟ ମଣିଷ ତାର ଭିତରେ ବଡ଼ ଆବଦ୍ଧ, ବଡ଼ ବିଚ୍ଛିନ୍ନ ଓ ବଡ଼ ଏକାୟତନ ହୋଇ ପଡ଼ିରହିଲା ।

 

ଭାଷାକୁ ଆମେ ଯେପରି ନିର୍ଜୀବ ଓ ଅବୈକ୍ତିକ ବୋଲି ଭାବୁ, ତାହା କିନ୍ତୁ ସେପରି ନୁହେଁ । ଓଡ଼ିଆ ଭାଷା କହିଲେ ଖାଲି କେତେଜଣ ପଣ୍ଡିତ ଲେଖିଥିବା ବହିପତ୍ରକୁ ବୁଝାଏ ନାହିଁ । ପୃଥିବୀର ଦେଢ଼କୋଟି ମଣିଷଙ୍କର ସୁଖ ଦୁଃଖ, କାମନା ବାସନାକୁ ବହିନେଇ ଚାଲିଥିବା ଏକ ବାହନକୁ ବୁଝାଏ । ଓଡ଼ିଆ ଭାଷାର ଇତିହାସ ଅର୍ଥ କେବଳ ଆମ ଭାଷାର କେତେ ପଣ କେଉଁଠାରୁ ଆସିଲା ବା କେଉଁ ଶବ୍ଦ କିପରି ତିଆରି ହେଲା, ତାହାରି ନିର୍ଜୀବ ତଥ୍ୟ ଓ ବ୍ୟାକରଣଗତ ବୁଝାଏ ନାହିଁ । ଆମ ଭାଷାର ଇତିହାସ ଅର୍ଥ ଏ ଦେଶର ମଣିଷର ଇତିହାସ। ଓଡ଼ିଆ ଭାଷା ଆମକୁ ଦେଢ଼କୋଟି ଓଡ଼ିଆଙ୍କ ସହିତ ଏକ ସୂତ୍ରରେ ବାନ୍ଧି ରଖିବା ଉଚିତ । ସେହିପରି ବଙ୍ଗଳା ଭାଷା ପଛରେ ବଙ୍ଗଦେଶରେ ବାସ କରୁଥିବା କୋଟି ମଣିଷ ରହିଚନ୍ତି, ଇଂରାଜୀ ଭାଷା ପଛରେ ଇଂଲଣ୍ଡର ମଣିଷ ରହିଚନ୍ତି । ଆମେ ମଣିଷକୁ ଆପଣାର ମନେ କଲେ ଭାଷା ମଧ୍ୟ ଆପଣାର ହୋଇଯିବ । କୌଣସି ଦେଶର ଭାଷା ଜରିଆରେ ସେ ଦେଶର ମଣିଷକୁ ଚିହ୍ନିବାର ବାଟ ଆମକୁ ବତାଇ ଦିଆଯାଇନାହିଁ ବୋଲି ଆମେ ଭାଷାଶିକ୍ଷାରୁ ଯଥେଷ୍ଟ ଆନନ୍ଦ ପାଇପାରୁ ନାହୁଁ । ମଣିଷକୁ ଚିହ୍ନିବାର ଜରିଆ ସ୍ୱରୂପ ଆମକୁ ତା’ର ଭାଷା ଶିଖିବାକୁ ହେବ । ତେବେ ଭାଷା ଆଉ ଅମଲାଗି କୌଣସି ପ୍ରକାରର କଷ୍ଟସାଧନା ହୋଇ ରହିବନାହିଁ । ଏହା ହୃଦୟ ବିସ୍ତାରର ଏକ ମାଧ୍ୟମ ହୋଇ ପାରିବ । ଆମେ ଯେତିକି ଅଧିକ ଭାଷା ଶିଖିବା, ସେତେ ଅଧିକ ଦେଶ, ସମାଜ ଓ ମଣିଷକୁ ଆମେ ଆପଣାର ବୋଲି ଗ୍ରହଣ କରିପାରିବା । ଆମର ହୃଦୟ ସେତିକି ଅଧିକ ଦୂରକୁ ଓ ଅଧିକ ପରିସରକୁ ବିସ୍ତୃତ ହୋଇ ଯାଇପାରିବ । ଭାଷାଶିକ୍ଷାର ମନ୍ତ୍ରକୁ ଏହି ସୂତ୍ର ଦେଇ ଗ୍ରହଣ କରିପାରିଲେ କୌଣସି ଭାଷା ଆଉ କୌଣସି ଭାଷାଠାରୁ ଭଲ ବା ଖରାପ, ବା କୌଣସି ଭାଷା ଆଉ କୌଣସି ଭାଷାଠାରୁ କଷ୍ଟ ବା ସହଜ, ଏପରି ଦୁର୍ବଳ କ୍ଷତିକାରକ କଥା ଭାବିବାକୁ ଆମେ ଅବସର ହିଁ ପାଇବାନାହିଁ । ସଂସାରର ଅଧିକରୁ ଅଧିକ ମଣିଷଙ୍କ ସହିତ ସଖ୍ୟସୂତ୍ର ସ୍ଥାପନ କରିବାକୁ ହେଲେ ମୋତେ ଅଧିକରୁ ଅଧିକ ଭାଷା ଶିଖିବାକୁ ହେବ, ଏହିପରି ଗୋଟିଏ ବ୍ରତ ଏ ଯୁଗରେ ପ୍ରତ୍ୟେକ ମଣିଷର ରହିବା ଦରକାର ।

 

କୌଣସି ନୂଆ ଦେଶକୁ ଯାଇ ସେଠାକାର ମଣିଷଙ୍କ ସହିତ ଆତ୍ମୀୟତା ଅର୍ଜନ କରିବାକୁ ହେଲେ ଭାଷା ହେଉଚି ଆମର ସବୁଠାରୁ ବଡ଼ ସହାୟକ । କୌଣସି ଦେଶରେ ପିଲାଙ୍କୁ ଆପଣାର କରିବାକୁ ହେଲେ ଆଗ ସେ ଦେଶର ଭାଷା ଶିଖିଥିବା ଦରକାର । ଡେନମାର୍କର ଗୋଟିଏ ଗାଆଁରେ ଥରେ ମୁଁ ଗୋଟିଏ ଚାଷୀ ପରିବାରରେ ରହୁଥିଲି । ପରିବାରର ବଡ଼ ପୁଅ ନା ୟାକବ୍,–ବୟସ ଏଗାର କି ବାର ହେବ । ଦିନେ ତା’ର ମାଆ ଯାକବକୁ ପଚାରିଲେ, “ଆଚ୍ଛା, କହିଲୁ, ଚିତ୍ତ କୋଉ ଜାତିର ପିଲା ?” ଅତି ନିଃସନ୍ଦେହ ଭାବରେ ଜାଣିଥିଲାପରି ୟାକବ୍ ଉତ୍ତର ଦେଲା, “ଡେନିଶ୍” । ମାଆ ପଚାରିଲେ, “ତୁ କିପରି ଜାଣିଲୁ” । ୟାକବ୍ ସେହିପରି ସଙ୍ଗେ ସଙ୍ଗେ ଉତ୍ତର ଦେଲା, “କାହିଁକି ? ଚିତ୍ତ ଡେନିଶ୍ ଭାଷା କହୁଚି । ସେ’ତ ଜାତିରେ ମଧ୍ୟ ଡେନିଶ୍ ।” ଏଗାର ବରଷର ପିଲାଟିର ମୁହଁରୁ ସେଦିନ ଭାଷାର ଏ ଗୂଢ଼ ସୂତ୍ର ଶୁଣି ମୁଁ ଅବାକ୍ ହୋଇଯାଇଥିଲି ।

 

ଆଜିକାଲି ଭାଷାର ଗବେଷଣା-କ୍ଷେତ୍ରରେ ତୁଳନାତ୍ମକ ଭାଷାବିଜ୍ଞାନ ବୋଲି ଏକ ସ୍ଵତନ୍ତ୍ର ବିଷୟ ବାହାରିଚି । ବିଭିନ୍ନ ଭାଷାର ତୁଳନାତ୍ମକ ଅଧ୍ୟୟନ ଏହି ବିଷୟରେ ପ୍ରଧାନ ସାମଗ୍ରୀ । ଭାଷାର ଗଠନ, ବିଭଙ୍ଗ ଓ ବିକାଶରେ ଗୋଟିଏ ଭାଷା ସହିତ ଆଉ ଗୋଟିକର କେତେଦୂର ସାମଞ୍ଜସ୍ୟ ବା ଦୂରତ୍ଵ ରହିଚି, ଦୁହିଁଙ୍କର ସାଂସ୍କୃତିକ ଦୂରତା ବା ନିକଟତା ଏହା ଉପରେ କେତେଦୂର ପ୍ରଭାବ ପକାଉଚି, ଏହିଗୁଡ଼ିକର ଗବେଷଣାମୂଳକ ଆଲୋଚନା ପାଇଁ ବିଷୟଟିର ସୃଷ୍ଟି ହୋଇଚି । ମଣିଷ ମଣିଷ ପାଖକୁ ଅଧିକ ନିକଟବର୍ତ୍ତୀ ହୋଇ ଆସିବାର ଯେଉଁ ଇଚ୍ଛା ଏ ଯୁଗରେ ପ୍ରକାଶ ପାଇଚି, ଏହା ତାହାରି ଏକ ଶୁଭ ନିଦର୍ଶନ ବୋଲି ଆମେ କହିପାରିବା । ଭାରତଠାରୁ ଅଷ୍ଟ୍ରେଲିଆ ଅନେକ ଦୂରରେ ଇଂଲଣ୍ଡଠାରୁ ଆଫ୍ରିକା ଅନେକ ଦୂରରେ । ତଥାପି ଆଜି ଭାରତର ଛାତ୍ର ଅଷ୍ଟ୍ରେଲିଆର ଆଦିମ ଭାଷା ବିଷୟରେ ଗବେଷଣା କରୁଚି, ଆଫ୍ରିକାର ଭାଷା ଅଧ୍ୟୟନ କରିବାଲାଗି ଲଣ୍ଡନ ବିଶ୍ଵବିଦ୍ୟାଳୟରେ ଏକ ପ୍ରକାଣ୍ଡ ବିଭାଗ ଖୋଲାଯାଇଚି । ଆଜି ମଣିଷ ପରସ୍ପର ପାଖକୁ ଆସିବାକୁ ଚାହେ, ହୃଦୟ ଭିତରେ ଦୂରଦୂରନ୍ତର ମଣିଷଙ୍କୁ ବାନ୍ଧିରଖିବାକୁ ଚାହେ, ମଣିଷଠାରୁ ମଣିଷକୁ ଅଲଗା କରିଦେଉଥିବା ସବୁପ୍ରକାର ରାଜନୀତିକ କୁସଂସ୍କାର ସତ୍ତ୍ୱେ ଆମକୁ ଏକଥା ଜାଣିରଖିବାକୁ ହେବ ।

 

ଓଡ଼ିଶାର ଭାଷା ଓଡ଼ିଆ ଭାଷା, ଗୋଟିଏ ଭାଷାରେ ପୁଣି ଅନେକ ବୋଲି । କଟକରେ କଟକୀ, ସମ୍ବଲପୁରରେ ସମ୍ବଲପୁରୀ, ପୁଣି ଗଞ୍ଜାମରେ ଗଞ୍ଜାମୀ । ତା’ ବୋଲି ଆମେ ପରସ୍ପରକୁ ପରସ୍ପରଠାରୁ ଅଲଗା ବୋଲି ମନେକରିବା କାହିଁକି ? ଆମେ ଓଡ଼ିଶାର ଭିଭିନ୍ନ ବୋଲି ଶିଖିବା, ପ୍ରତ୍ୟେକ ବିଶେଷ ଓ ସ୍ଥାନୀୟ ପ୍ରକୃତିମାନ ଆମେ ଚିହ୍ନିରଖିବା । ବିଭିନ୍ନ ବୋଲି ସହିତ ସମଗ୍ର ଓଡ଼ିଆ ଭାଷାକୁ ଆମେ ଯେତିକି ଭଲପାଇବା, ସେତିକି ଆମେ ଓଡ଼ିଶାର ସାଂସ୍କୃତିକ ଏକତାକୁ ଆପଣାଭିତରେ ଅନୁଭବ କରିପାରିବା । ତାହା ନ କରି ପାରିଲେ ଓଡ଼ିଶାର ସମାଜ ଓ ସଂସ୍କୃତି ଆମ ମନଭିତରେ ଭାଗ ଭାଗ ହୋଇଯିବ । ଆମେ ସମସ୍ତେ ଆମକୁ ଏକ ବୋଲି ଅନୁଭବ କରିପାରିବା ନାହିଁ । ଏଣେ ଆମର ଆର୍ଥିକ ବା ସାମାଜିକ ଯୋଜନାମାନ ଯେତେ ବେଶୀ ଆଡ଼ମ୍ବର ଓ ସନ୍ତର୍ପଣରେ କରାଗଲେ ମଧ୍ୟ ତାହା ଓଡ଼ିଶାର ଦେଢ଼କୋଟି ମଣିଷଙ୍କର ମଙ୍ଗଳାଭିଳାଷୀ ହୋଇପାରିବ ନାହିଁ । ତେଣୁ ହୃଦୟର ବିସ୍ତାରଲାଗି ହୃଦୟ-ବିସ୍ତାରର ମାଧ୍ୟମକୁ ମଧ୍ୟ ଆପଣାର କରିବାକୁ ପଡ଼ିବ ।

 

ଚମ୍ପତିମୁଣ୍ଡା

ଅକ୍ଟୋବର ୫୭

[ବନ-ବିଦ୍ୟାଳୟର ହାତଲେଖା ପତ୍ରିକା ‘ବିକାଶ’ ର ଭାଷାବିଶେଷାଙ୍କ (୪ର୍ଥ ବର୍ଷ–୨ୟ ସଂଖ୍ୟା) ରେ ପ୍ରକାଶିତ ହୋଇଥିଲା ।]

Image

 

Unknown

ଓଡ଼ିଆ ସାହିତ୍ୟରେ ପଞ୍ଚସଖା

(୧)

 

ପ୍ରାୟ ଚାରିଶହ ବର୍ଷ ପୂର୍ବେ ଓଡ଼ିଆ ସାହିତ୍ୟରେ ଆସିଥିବା ଯୁଗକୁ ପଞ୍ଚସଖାଯୁଗ କୁହାଯାଏ । ପାଞ୍ଚଜଣ ସାହିତ୍ୟିକ ତଥା ଧର୍ମପ୍ରବର୍ତ୍ତକଙ୍କୁ କେନ୍ଦ୍ର କରି ଏହି ଯୁଗ ସଙ୍ଗଠିତ ହୋଇଥିଲା । ଆପଣା ଆପଣାର ଦୃଷ୍ଟିରେ କିଞ୍ଚିତ୍ ପରିମାଣରେ ପରସ୍ପରଠାରୁ ସ୍ଵତନ୍ତ୍ର ଥିଲେ ଏବଂ ପରସ୍ପର ସହିତ ପୂର୍ଣ୍ଣ ସହଯୋଗ ଓ ସଦଭାବ ରକ୍ଷାକରି ସେମାନେ ଆପଣା ଆପଣା ଧର୍ମର ପ୍ରଚାର କରିଥିଲେ । ସ୍ଥାନେ ସ୍ଥାନେ ସେମାନଙ୍କୁ ପଞ୍ଚଶାଖା ଓ ପଞ୍ଚଶିଖା ବୋଲି କୁହାଯାଇଚି । ସେମାନେ ଗୋଟିଏ ଚିନ୍ତା-ସରିତର ପାଞ୍ଚୋଟି ପ୍ରବାହ ଥିଲେ ଏବଂ ପ୍ରତ୍ୟେକ ଗୋଟିଏ ଗୋଟିଏ ଶିଖା ସେମାନେ ଗୋଟିଏ ଅଗ୍ନିକୁ ପ୍ରଜ୍ଵଳିତ କରି ରଖିଥିଲେ ।

 

କଟକ ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଞ୍ଚସଖାଙ୍କର ଜନ୍ମ । ସେମାନଙ୍କର ନାମ ହେଉଚି, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ, ଜଗନ୍ନାଥ ଦାସ ଓ ଅଚ୍ୟୁତାନନ୍ଦ ଦାସ । ବଳରାମ ହେଉଚନ୍ତି ବୟୋଜ୍ୟଷ୍ଠ ଓ ଅଚ୍ୟୁତାନନ୍ଦ ସର୍ବଜନିଷ୍ଠ ।

 

ଓଡ଼ିଆ ସାହିତ୍ୟର ସେହି ପ୍ରଥମ ଯୁଗର ଗୋଟିଏ ସମ୍ବନ୍ଧ ଓ ସାପେକ୍ଷ ଇହିହାସ ପ୍ରଣୟନ କରିବା ଆଜିପର୍ଯ୍ୟନ୍ତ ସମ୍ଭବ ପାରିନାହିଁ । ତେଣୁ କେବଳ ପଞ୍ଚସଖା ରଚିତ ସାହିତ୍ୟମାନଙ୍କରୁ ହିଁ ସେହି କାଳର ଇତିହାସ ଆମକୁ ଖୋଜିବାକୁ ପଡ଼ିବ । ପଞ୍ଚସଖା ଅନେକ ପୋଥି ଲେଖିଚନ୍ତି । ତନ୍ମଧ୍ୟରୁ କେତୋଟି ପ୍ରକାଶିତ ହୋଇ ସରିଲାଣି । ଆହୁରି ଅନେକ ରଚନା ତାଳପତ୍ର-ପୋଥି ଆକାରରେ ଓଡ଼ିଶାର ନାନା ଗାଦୀରେ ବର୍ତ୍ତମାନ ମଧ୍ୟ ଆମୁଗୋପନ ରହିଚି । ସେମାନଙ୍କର ରଚିତ ଭଜନଗୁଡ଼ିକ ଆଜିମଧ୍ୟ ଲୋକସାଧାରଣଙ୍କର କଣ୍ଠରୁ ଶୁଣିବାକୁ ମିଳେ ।

 

ପଞ୍ଚସଖାଙ୍କର ନିଶ୍ଚୟ ସମୟ–ନିର୍ଣ୍ଣୟ ଏକ ସମସ୍ୟାପ୍ରାୟ ହୋଇ ରହିଚି । ଅବଶ୍ୟ ସେମାନଙ୍କର ପୁସ୍ତକଗୁଡ଼ିକରୁ ସେମାନଙ୍କର ସମୟ ବିଷୟରେ କ୍ଷୀଣ ସୂଚନାମାନ ମିଳିଥାଏ । ଅଚ୍ୟୁତାନନ୍ଦଙ୍କର ଲିଖିତ ଗୋଟିଏ ପୋଥି ‘ଉଦୟ କାହାଣୀ’ରେ ଏହି ସମ୍ବନ୍ଧରେ ଯାହାସବୁ ଅବତାରଣା କରାଯାଇଚି, ତାହାରି ଅନୁସାରେ ପଣ୍ଡିତ ଶ୍ରୀ ସୂର୍ଯ୍ୟନରାୟଣ ଦାସ ପଞ୍ଚସଖା ଜନ୍ମକାଳରୁ ନିମ୍ନଲିଖିତ ପ୍ରକାରେ ନିର୍ଣ୍ଣୟ କରିଚନ୍ତି : ବଳରାମ–୧୪୭୩, ଅନନ୍ତ-୧୪୭୫, ଯଶୋବନ୍ତ-୧୪୭୭, ଜଗନ୍ନାଥ-୧୪୭୭ ଓ ଅଚ୍ୟୁତାନନ୍ଦ-୧୪୮୯ ।

 

ପଞ୍ଚସଖାଙ୍କ ବିଷୟରେ ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ବିଷୟ ହେଉଚି ସେମାନଙ୍କର ଅବତାର ବିବରଣ । ସେମାନେ ପ୍ରତ୍ୟେକେ ଯୋଗୀ ଓ ତତ୍ତ୍ଵଦ୍ରଷ୍ଟା ଥିଲେ । ଜାତିସ୍ମରତା ଅର୍ଥାତ୍ ପୂର୍ବଜନ୍ମ କଥାମାନ ଜାଣି ପାରିବାକୁ ଯୋଗର ଏକ ବିଶେଷ ଯୋଗ୍ୟତା ବୋଲି ଯୋଗଶାସ୍ତ୍ରରେ କୁହାଯାଇଚି । ପ୍ରାଚୀନ ଇତିହାସରେ ଏହି ପୂର୍ବଜନ୍ମ ପ୍ରକରଣର ବହୁ ପ୍ରସଙ୍ଗ ଦେଖିବାକୁ ମିଳେ । କ୍ଷଣଭଙ୍ଗୁର ସଂସାର ଓ ଶରୀରର ସୀମା ଡେଇଁ ଆହୁରି ଉପରକୁ ଉଠିବାଲାଗି ପ୍ରତ୍ୟେକ ଧର୍ମ ଓ ଧର୍ମପ୍ରଚାରକ ସତତ ଉଦ୍ୟମ କରିଚନ୍ତି । ବୌଦ୍ଧଧର୍ମରେ ବୁଦ୍ଧଦେବଙ୍କର ଅନେକ ଅବତାରର ଚର୍ଚ୍ଚା ହୋଇଚି । ଗୀତା, ପୁରାଣ ଓ ତନ୍ତଶାସ୍ତ୍ର ଏହି ଆଲୋଚନାରେ ପୂରି ରହିଚି । ସନ୍ଥସାଧକ କବୀରଙ୍କର ଭକ୍ତମାନେ ମଧ୍ୟ ଚାରି ଯୁଗରେ କବୀରଙ୍କର ଚାରୋଟି ଅବତାର ସ୍ଵୀକାର କରିଚନ୍ତି । ଏହିପରି ପଞ୍ଚସଖା ମଧ୍ୟ ଅନନ୍ତ, ସତ୍ୟ, ତ୍ରେତା, ଦ୍ଵାପର ଓ କଳିଯୁଗରେ ଆପଣାର ପାଞ୍ଚଗୋଟି ଜନ୍ମର ଉଲ୍ଲେଖ କରିଚନ୍ତି । କ୍ରମନୁସାରେ ତାହା ଏଠାରେ ଦିଆଯାଉଚି ।

 

ଅନନ୍ତ ଯୁଗ

-

ଶ୍ରୀଦାମ, ସୁଦାମ, ବସୁଦାମ, ନନ୍ଦ, ସୁନନ୍ଦ ।

ସତ୍ୟଯୁଗ

-

ମାର୍କଣ୍ଡ,କୃପାଜଳ, ଗାର୍ଗବ, ସ୍ୱୟମ୍ଭୁ, ନାରଦ ।

ତ୍ରେତାଯୁଗ

-

ନଳ, ନୀଳ, ସୁଷେଣ, ଜାମ୍ବେବ, ହନୁମାନ ।

ଦ୍ଵାପରଯୁଗ

-

ସୁବଳ, ସୁବାହୁ, ଦାମ, ସୁଦାମ,ଶ୍ରୀବତ୍ସ।

କଳିଯୁଗ

-

ଅନନ୍ତ, ଅଚ୍ୟୁତ, ଜଗନ୍ନାଥ, ଯଶୋବନ୍ତ, ବଳରାମ ।

 

ଆଉଟିକିଏ ଗମ୍ଭୀରତର ଦୃଷ୍ଟି ରଖି ଆଲୋଚନା କଲେ ଏହି କ୍ରମରୁ ଏହି ସତ୍ୟର ଅନୁମାନ କରିବାକୁ ହୁଏ ଯେ ଅନନ୍ତ କାଳରୁ ପଞ୍ଚସଖା ଆଦି–ଭଗବାନଙ୍କର ସେବକ ଓ ଭକ୍ତ ହିସାବରେ ଜନ୍ମଗ୍ରହଣ କରିଆସିଚନ୍ତି, ଏହାକୁ ହିଁ ପ୍ରକଟ କରିବାଲାଗି ସେମାନେ ଏପରି ଗୋଟିଏ କ୍ରମ ଦର୍ଶାଇ ଦେଇଚନ୍ତି । ମର୍ମୀ ବା Mystic ସାଧନାରେ ଭଗବାନଙ୍କ ସହିତ ସଂଯୁକ୍ତ ହେବାର ଏହି ବ୍ୟଗ୍ରତାକୁ ଏକ ସାଧାରଣ ଚିତ୍ତବୃତ୍ତି ବୋଲି କୁହାଯାଇ ପାରିବ । ଅଚ୍ୟୁତାନନ୍ଦ ତାଙ୍କର ଗୁରୁପର୍ଯ୍ୟାୟ ବିଷୟରେ ଯେଉଁ ପ୍ରମାଣିତ ହେଉଚି । ଏହି ପର୍ଯ୍ୟାୟ, ହେଉଚି–ଅନାଦିନିର୍ବାଣ-ସଚ୍ଚିଦାନନ୍ଦ-ଦିବ୍ୟାନନ୍ଦ-ପରମାନନ୍ଦ-ମହାନନ୍ଦ-ଅଚ୍ୟୁତାନନ୍ଦ । ତାଙ୍କର ‘ଗୁରୁଭକ୍ତି ଗୀତା’ ରେ ସେ ଆପଣାର ସତୁରିଜଣ ଗୁରୁବିଶିଷ୍ଟ ଏକ ଦୀର୍ଘ ତାଲିକା ଦେଇଚନ୍ତି । ସେହି ତାଲିକା ମହାଶୂନ୍ୟ, ତତ୍ତ୍ଵବ୍ରହ୍ମ ଓ ପରଂବ୍ରହ୍ମ ପ୍ରଭୃତି ଗୁରୁକଳ୍ପନାରୁ ଆରମ୍ଭ ହୋଇ ନିମାନନ୍ଦ, ଶ୍ରୀଚୈତନ୍ୟ ଓ ଅଚ୍ୟୁତାନନ୍ଦରେ ଶେଷ ହୋଇଚି ।

 

ଭଗବାନଙ୍କର ମନୋଗତ ଧର୍ମକୁ ସଂସାରରେ ପ୍ରକଟିତ କରିବାଲାଗି ସେହି ଭଗବାନଙ୍କର ଆଜ୍ଞାରେ ପଞ୍ଚସଖାଙ୍କର ଆବିର୍ଭାବ ହୋଇଥିଲା ବୋଲି ସେମାନେ କହନ୍ତି । ଅଚ୍ୟୁତାନନ୍ଦ ଲେଖିଚନ୍ତି; କୃଷ୍ଣଙ୍କର ଇଚ୍ଛାରେ ହିଁ ଆମମାନଙ୍କର ଜନ୍ମ ହୋଇଚି । ରାଧାକୃଷ୍ଣଙ୍କର ଲୀଳା ପ୍ରଚାର କରିବାକୁ ଆମେ ପଞ୍ଚସଖାର ପରିଚୟ ଗ୍ରହଣ କରିଚୁ ।

 

(୨)

 

ପଞ୍ଚସଖାଙ୍କ ବିଷୟରେ ଏ ପର୍ଯ୍ୟନ୍ତ ଖୁବ୍ କମ୍ ଆଲୋଚନା ଓ ଅଧ୍ୟୟନ ହୋଇଚି । ପୁଣି ଯେତିକି ହୋଇଚି, ସେତିକି ମଧ୍ୟ ପୂର୍ଣ୍ଣ ଆନ୍ତରିକତା ସହିତ ହୋଇନାହିଁ । ପଞ୍ଚସଖା ସାହିତ୍ୟ ସହିତ ସମ୍ୟକ୍ ଭାବରେ ପରିଚିତ ହେବା ପୂର୍ବରୁ କୌଣସି ଏକ ସିଦ୍ଧାନ୍ତକୁ ହୋଇଚି । ମୟୂରଭଞ୍ଜରେ ପୁରାତାତ୍ତ୍ଵିକ ଅନୁସନ୍ଧାନରେ କରିବା ସମୟରେ ପ୍ରାଚ୍ୟବିଦ୍ୟାମହାର୍ଣ୍ଣବ ଶ୍ରୀ ନଗେନ୍ଦ୍ରନାଥ ବସୁଙ୍କ ହାତରେ କେତୋଟି ପ୍ରାଚୀନ ପୋଥି ପଡ଼ିଥିଲା । ସେହିଗୁଡ଼ିକୁ ହିଁ ଆଧାର କରି ସେ ମତ ଦେଲେ ଯେ ‘ବାହ୍ୟ ରୂପରେ ଚୈତନ୍ୟଙ୍କର ଅନୁଗାମୀ ବୋଲି ନିଜକୁ କହିଥିଲେ ମଧ୍ୟ ପଞ୍ଚସଖା ହୃଦୟ ଭିତରେ ବହୁକାଳ ଅବହେଳିତ ମହାଯାନ ବୌଦ୍ଧ ଧର୍ମର ଶକ୍ତିଶାଳୀ ପ୍ରବର୍ତ୍ତିତ ଥିଲେ ।’

 

ଓଡ଼ିଶାର ବୟୋଜ୍ୟଷ୍ଠ ସାହିତ୍ୟ-ସମୀକ୍ଷକ ଶ୍ରୀଯୁକ୍ତ ଆର୍ତ୍ତବଲ୍ଲଭ ମହାନ୍ତି ପଞ୍ଚସଖାରଚିତ କେତୋଟି ପୋଥିର ସମ୍ପାଦନା କରିଚନ୍ତି । ଗୋଟିଏ ପୋଥିର ମୁଖବନ୍ଧରେ ସେ ଲେଖିଚନ୍ତି ଯେ ପଞ୍ଚସଖା ଲୀଳାଅଙ୍ଗରେ ଶ୍ରୀଚୈତନ୍ୟଙ୍କର ପରିକର ଥିଲେ । ଚୈତନ୍ୟଙ୍କର ଓଡ଼ିଶା-ଆଗମନ ସଙ୍ଗେ ସଙ୍ଗେ ଏହି ଦେଶରେ ପ୍ରେମ- ଧର୍ମର ଯେଉଁ ବନ୍ୟା ପ୍ରବାହିତ ହୋଇଥିଲା, ସେହି ବନ୍ୟାକୁ ପଞ୍ଚସଖା ସମଗ୍ର ଓଡ଼ିଶାପ୍ରାନ୍ତରେ ବ୍ୟାପ୍ତି କରି ଦେଇଥିଲେ, ଶ୍ରୀଯୁକ୍ତ ମହାନ୍ତି ଏହି ମତପୋଷଣ କରିଚନ୍ତି ।

 

ପଞ୍ଚସଖାଙ୍କୁ ତାନ୍ତ୍ରିକ ସାଧକ କହୁଥିବା ଏକ ତୃତୀୟ ମତ ମଧ୍ୟ ରହିଚି । ପଞ୍ଚସଖା ଗୁରୁବାଦକୁ ଗ୍ରହଣ କରିଚନ୍ତି । ସେମାନଙ୍କର ଗ୍ରନ୍ଥରେ ଯନ୍ତ୍ର ଓ ମନ୍ତ୍ର ପ୍ରଭୃତିର ବହୁଳ ଚର୍ଚ୍ଚା କରାଯାଇଚି । ଠିକ ତନ୍ତ୍ରପରି ସେମାନେ ମଧ୍ୟ ଆପଣାର ବିଚାରକୁ ଗୁପ୍ତ ରଖିବାର ଉପଦେଶ ଦେଇଛନ୍ତି । ଷଡ଼ଚକ୍ରର ମାର୍ଗ ଦେଇ କୁଣ୍ଡଳିନୀକୁ ଜାଗ୍ରତ କରି ସହସ୍ରାରଠାରେ ଈଶୋପଲବ୍ଧି କରିବାକୁ ସେମାନେ ସ୍ଥାନେ ସ୍ଥାନେ ପରାମର୍ଶମାନ ଦେଇଚନ୍ତି । ସେଥିପାଇଁ ଏକାଧିକ ସମାଲୋଚକ ସେମାନଙ୍କୁ ଗୋରଖପନ୍ଥୀ କାୟସାଧକରୂପେ ମଧ୍ୟ ଅନୁମାନ କରିଚନ୍ତି ।

 

କିପରି ଏହି ସମସ୍ୟାର ସମାଧାନ କରାଯାଇ ପାରିବ ?

 

ଅତି ପ୍ରାଚୀନ କାଳରୁ ଓଡ଼ିଶା ଅନେକ ଧର୍ମପ୍ରବାହାର ଏକ ସଙ୍ଗମସ୍ଥାନ ରହିଚି । ଭାରତର ପ୍ରାୟ ପ୍ରତ୍ୟେକ ପ୍ରଧାନ ପ୍ରଧାନ ଧର୍ମପ୍ରଚାରକ ପୂର୍ବାମ୍ନାୟ ପୁରୁଷୋତ୍ତମ କ୍ଷେତ୍ରକୁ ଆସିଥିବାରୁ ଓଡ଼ିଶାର ଧର୍ମଶରୀର ସେମାନଙ୍କ ଦ୍ଵାରା ପ୍ରଭାବିତ ହୋଇଚି । ସମାନାନ୍ତର ଭାବରେ ଓଡ଼ିଶାରେ ପ୍ରତ୍ୟେକ ଧର୍ମର ବିକାଶ ହୋଇଚି । ଧର୍ମକ୍ଷେତ୍ରରେ ବହୁତ ନେଣଦେଣ ଓ କାୟାପଲଟ ମଧ୍ୟ ହୋଇଚି । ଏବଂ ପୁରୀତୀର୍ଥ ଓ ଜଗନ୍ନାଥଦେବଙ୍କର ଅନୁଷ୍ଠାନ ଏହି ସମସ୍ତ ପ୍ରବର୍ତ୍ତନ ଓ ପରିବର୍ତ୍ତନର ଅକ୍ଷଦଣ୍ଡ ହୋଇ ରହିଚି । ଏଠାରେ ଅତି ସକ୍ଷିପ୍ତ ଭାବରେ ଆମେ ଓଡ଼ିଶାରେ ବିଭିନ୍ନ ଧର୍ମର ସିଂହାବଲୋକନ କରିବା ।

 

ଅଶୋକଙ୍କର ସମଯରୁ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରଭାବ ପଡ଼ିବା ଆରମ୍ଭ ହୋଇଚି । ମହାଯାନ, ମନ୍ତ୍ରଯାନ, ବଜ୍ର ଓ ସହଜଯାନ ପ୍ରଭୃତି ବୌଦ୍ଧଧର୍ମର ଯେତେଗୁଡ଼ିଏ ଅନୁବର୍ତ୍ତନ ଭାରତରେ ହୋଇଚି, ସେସବୁଗୁଡ଼ିକର ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇଚି । ଭୌମ-ରାଜତ୍ଵ କାଳରେ ଅର୍ଥାତ୍ ଷଷ୍ଠ ଶତାବ୍ଦୀରେ ଏହି ପ୍ରାନ୍ତ ବୌଦ୍ଧ ଧର୍ମର ଏକ ପ୍ରଧାନ ବିଦ୍ୟାକେନ୍ଦ୍ର ଥିଲା । ବୌଦ୍ଧ-ମହାବିଦ୍ୟାଳୟ ପୁଷ୍ପଗିରିର ଭଗ୍ନାବଶେଷ ଆଜି ମଧ୍ୟ କଟକ ଜିଲ୍ଲାର ରତ୍ନଗିରିରେ ଦେଖିବାକୁ ମିଳିବ । ଓଡ଼ିଶାର ଉଦୟଗିରି, ଲଳିତଗିରି ଓ ଓଳାଶୁଣୀରେ ମଧ୍ୟ ବୌଦ୍ଧ ସ୍ମୃତି ରହିଚି । ତବବତର ଏକାଧିକ ପ୍ରାଚୀନ ଗ୍ରନ୍ଥରେ ଓଡ଼ିଶା ଓଡ଼ି ଓ ଓବିଟିଶା ନାମରେ ପରିଚିତ । ସେଥିରୁ ଜଣାଯାଉଚି ଯେ ଓଡ଼ିଶାରେ ଅନେକ ବୌଦ୍ଧ ପଣ୍ଡିତ ଜନ୍ମ ନାମରେ ପରିଚିତ । ସେଥିରୁ ଜଣାଯାଉଚି ଯେ ଓଡ଼ିଶାରେ ଅନେକ ବୋଦ୍ଧ ପଣ୍ଡିତ ଜନ୍ମ ହୋଇଥିଲେ ଏବଂ ବୌଦ୍ଧଶାସ୍ତ୍ରର ଅଧ୍ୟୟନ କରିବାଲାଗି ବାହାରୁ ଅନେକ ପଣ୍ଡିତ ଓଡ଼ିଶାକୁ ଆସୁଥିଲେ । ମୟୂରଭଞ୍ଜର ନାନା ସ୍ଥାନରେ ଅବଲୋକିତେଶ୍ଵର, ଧ୍ୟାନୀବୁଦ୍ଧ, ପଦ୍ମପାଣି, ଆର୍ଯ୍ୟତାରା, ବଜ୍ରତାରା ଓ ମଞ୍ଜୁଶ୍ରୀ ପ୍ରଭୃତି ଅନେକ ବୋଦ୍ଧ ଦେବତାଙ୍କର ମୂର୍ତ୍ତି ମିଳିଚି । ବୌଦ୍ଧଗାନ ଓ ଦୋହାର କେତେକ ପଦକର୍ତ୍ତା ନିଶ୍ଚୟ ଓଡ଼ିଶାବାସୀ ଥିଲେ, ବସ୍ତୁତଃ ତିବବତର ଏକ ପୁସ୍ତକରେ ସ୍ପଷ୍ଟ ଉଲ୍ଲେଖ ରହିଚି ଯେ କାହ୍ନୁପା ଅର୍ଥାତ୍ କୃଷ୍ଣାଚାର୍ଯ୍ୟ ଓଡ଼ିଶାର ଏକ ବ୍ରାହ୍ମଣ ପରିବବାରର ବ୍ୟକ୍ତି ଥିଲେ ।

 

ବିଭିନ୍ନ ତନ୍ତ୍ରଶାସ୍ତ୍ରରେ ମଧ୍ୟ କଳିଙ୍ଗ ଏବଂ ଓଡ଼୍ରଦେଶର ନାମ ବହୁ ସ୍ଥାନରେ ଦେଖିବାକୁ ମିଳେ । ‘ନିତ୍ୟାହ୍ନିକ ତିଳକମ୍’ରେ ଓଡ଼ଡ଼ପୀଠ, ଓଡ଼ଡ ବିଷୟ, ଜାଜପୁର ପଟ୍ଟଣ ଓ ଜାଜନଗରୀ ଆଦି ତନ୍ତ୍ରପୀଠର ଚର୍ଚ୍ଚା କରାଯାଇଚି । ‘ଶ୍ରୀ କାମାକ୍ଷା ଗୂହସିଦ୍ଧି’ ନାମକ ଗ୍ରନ୍ଥରେ ଚାରିତ୍ର ନାମକ ଗୋଟିଏ ସାଧନା-କେନ୍ଦ୍ରର ଉଲ୍ଲେଖ ରହିଚି, ଏହାକୁ ଡା: ପ୍ରବୋଧଚନ୍ଦ୍ର ବାଗଚୀ ପୁରୀଜିଲ୍ଲାର ଏକ ସ୍ଥାବ ବୋଲି ଅନୁମାନ କରୁଚନ୍ତି । ‘ଶ୍ରୀଚକ୍ର ସଂଭାର ତନ୍ତ୍ର’ରେ ବଜଧର ଓ ବଜ୍ରବରାହୀ ଆସୀନ ଥିବା ଯେଉଁ ସମ୍ଭୋଗ-ଚକ୍ରର ବର୍ଣ୍ଣନା ରହିଚି । ତାହାର ଗୋଟିଏ ପାଖୁଡ଼ାକୁ କଳିଙ୍ଗ କୁହାଯାଇଚି । ସେହି ପାଖୁଡ଼ା ଉପରେ ସୁଭଦ୍ର ବୀର ଓ ଶ୍ୟାମାଦେବୀ ଯୋଗିନୀ ସ୍ଥାନରେ ଅଧିଷ୍ଠିତ ଅଛନ୍ତି । ଏକ ସମୟରେ ଓଡ଼ିଶାରେ ଶକ୍ତିକେନ୍ଦ୍ରିତ ସାଧନା ଖୁବ୍ ପ୍ରଚଳିତ ଥିଲା, ଆଜି ମଧ୍ୟ ସ୍ଥାନେ ସ୍ଥାନେ ତାହାର ଅବଶେଷ ରହିଯାଇଚି । ଓଡ଼ିଶାର ନାନାସ୍ଥାନରୁ ଏପରି ପୋଥିମାନ ମିଳୁଚି ଯାହାକୁ କି ପ୍ରାଚୀନ କାଳରେ ତାନ୍ତ୍ରିକ ସାଧକମାନେ ବ୍ୟବହାର କରୁଥିଲେ ।

 

ଚୈତନ୍ୟଦେବଙ୍କର ଉତ୍କଳାଗମନର ବହୁତ ପୂର୍ବରୁ ଓଡ଼ିଶାରେ ବୈଷ୍ଣବ ଧର୍ମର ପ୍ରଚାର ହୋଇଥିଲା । ହାତୀଗୁମ୍ଫାର ଶିଳାଲେଖରେ ଥିବା ଏକ ବର୍ଣ୍ଣନା ପଢ଼ି ପଣ୍ଡିତମାନେ ଅନୁମାନ କରୁଚନ୍ତି ଯେ ସେତେବେଳେ ଓଡ଼ିଶା କୃଷ୍ଣଭକ୍ତି ଶାଖା ସହିତ ପରିଚିତ ଥିଲା । ଭୌମ ବଂଶର ଦୁଇ ରାଣୀ ଦଣ୍ଡୀ ଓ ତ୍ରିଭୁବନ ମହାଦେବୀ ଆପଣାର ଦାନପତ୍ରରେ ଆପଣାକୁ ପରମାବୈଷ୍ଣବୀ ବୋଲି ଅଭିହିତ କରିଚନ୍ତି । ଚୈତନ୍ୟଦେବ ଓଡ଼ିଶାକୁ ଆସିବା ପୂର୍ବରୁ ଖୁବ ସମ୍ଭବ ବୈଷ୍ଣବ ଗ୍ରନ୍ଥ ଭାଗବତର ଓଡ଼ିଶା ଭାଷାନୁବାଦ ହୋଇଥିଲା । ୧୦୭୮ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ସ୍ଥାପନା ପରେ ଓଡ଼ିଶା ଦକ୍ଷିଣ ଭାରତରେ ଅଲଓ୍ୟାର ବୈଷ୍ଣବ-ସମ୍ପ୍ରଦାୟର ସମ୍ପର୍କର ମଧ୍ୟ ଆସିଥିଲା । ଓଡ଼ିଶାର ବୈଷ୍ଣବ ବିଦ୍ଵାନ ରାୟ ରାମାନନ୍ଦ ଚୈତନ୍ୟଦେବ ଓଡ଼ିଶାକୁ ଆସିବା ପୂର୍ବରୁ ହିଁ ପ୍ରସିଦ୍ଧ ହୋଇ ସାରିଥିଲେ ।

 

ପଞ୍ଚସଖାଙ୍କର ସମକାଳୀନ ନରପତି ଶ୍ରୀପତାପରୁଦ୍ର ଦେବଙ୍କର ଦରବାର ଏହି ଧ୍ରମ-ସମ୍ମେଳନର ପ୍ରତୀକ ଥିଲା । ସେ ନିଜେ ମହାପଣ୍ଡିତ ଥିଲେ ଓ ବିଭିନ୍ନ ଧର୍ମମତ ଲାଗି ସେ ଆପଣାର ପଣ୍ଡିତ-ସଭାରେ ସମ୍ମାନିତ ସ୍ଥାନ ପ୍ରସ୍ତୁତ କରି ରଖିଥିଲେ । ଶାକ୍ତ ଗ୍ରନ୍ଥକାର ଲୋଲ୍ଲା ଲକ୍ଷ୍ମୀଧରଙ୍କଠାରୁ ଆରମ୍ଭ କରି ବୈଷ୍ଣବ-ମହାପୁରୁଷ ଶ୍ରୀଚୈତନ୍ୟ ଦେବଙ୍କ ପର୍ଯ୍ୟନ୍ତ ଅନେକ ପଣ୍ଡିତ ତାଙ୍କର ରାଜସଭା ମଣ୍ଡିତ କରିଥିଲେ । ପଞ୍ଚସଖା ମଧ୍ୟ କୌଣସି ଏକ ସମୟରେ ସେହି ସଭାରେ ଥିଲେ ଓ ଅବଶ୍ୟ ବିଭିନ୍ନ ଧର୍ମଶାଖାର ପ୍ରମୁଖମାନଙ୍କ ସହିତ ସମ୍ପର୍କରେ ଆସିଥିଲେ । ସେମାନେ ପ୍ରତ୍ୟେକ ଶାଖାକୁ ସମ୍ମାନ ସହିତ ଗ୍ରହଣ କରିଥିଲେ । କିନ୍ତୁ କୌଣସି ଗୋଟିଏ ପ୍ରବାହର କବଳରେ ପଡ଼ିଯାଇ ନଥିଲେ । ତେଣୁ ଯେତେବେଳେ ସେମାନଙ୍କର ଧର୍ମ ପୂର୍ଣ୍ଣ ଓ ପୁଷ୍ଟ ରୂପରେ ପ୍ରକାଶିତ ହେଲା, ସେତେବେଳେ ସେଥିରେ ପ୍ରତ୍ୟେକ ଧର୍ମର ସୂଚନା ମିଳୁଥିଲା । କିନ୍ତୁ ତଥାପି ସେମାନେ ଆପଣାର ବିଶିଷ୍ଟତାଗୁଡ଼ିକୁ ବଞ୍ଚାଇ ରଖିଥିଲେ ।

 

(୩)

 

ପଞ୍ଚସଖା-ଧର୍ମର କେତୋଟି ପ୍ରଧାନ ଦିଗ :–

 

(କ) ସୃଷ୍ଟି ପ୍ରକରଣ–

 

ପୃଥିବୀର ପ୍ରତ୍ୟେକ ଧର୍ମରେ ସୃଷ୍ଟିକ୍ରମର ଏକ ସଙ୍ଗତ ବର୍ଣ୍ଣନ ଦେବାର ଚେଷ୍ଟା କାରାଯାଇଚି । ଭାରତର ପୁରାଣ ଓ ତନ୍ତ୍ରଶାସ୍ତ୍ରପରି ପଞ୍ଚସଖା-ସାହିତ୍ୟ ମଧ୍ୟ ଏହିପରି ବର୍ଣ୍ଣନାରେ ପୂର୍ଣ୍ଣ ହୋଇ ରହିଚି । ‘ଯେତେବେଳେ କେହି ନଥିଲେ, ସେତେବେଳେ କିଏ ଥିଲେ’, ଅନ୍ୟାନ୍ୟ ଧର୍ମପରି ଏହି ସାଧାରଣ ପ୍ରଶ୍ନରୁ ପଞ୍ଚସଖା ସୃଷ୍ଟି ପ୍ରକରଣର ଆରମ୍ଭ କରିଚନ୍ତି । ସୃଷ୍ଟିକର୍ତ୍ତା ହେଉଚନ୍ତି ପ୍ରତ୍ୟେକ ପ୍ରତୀକ-କଳ୍ପନାର ଅତିରିକ୍ତ, ତାଙ୍କର କେବଳ ନକାରାତ୍ମକ ପରିଚୟ ଦେବା ସମ୍ଭବ ହୋଇପାରିବ । ପଞ୍ଚସଖା କହିଚନ୍ତି, “ଯେତେବେଳେ ଏହି ସଂସାର ନଥିଲା, ଦିନ ଆଉ ରାତି ଆରମ୍ଭ ହୋଇନଥିଲା, ଏହି ବାୟୁ, ଗ୍ରହନକ୍ଷେତ୍ର, ଦେବ ମାନବ, ଦାନବ, ବ୍ରହ୍ମା, ବିଷ୍ଣୁ ବା ଶିବ କେହି ନଥିଲେ, ସେତେବେଳେ କେବଳ ସେହି ଶୂନ୍ୟରୂପରେ ବିରାଜମାନ ଥିଲେ ।” ଏହି ଶୂନ୍ୟର କଳ୍ପିତ ରୂପକୁ ସେମାନେ ଶୂନ୍ୟ ପୁରୁଷ ବୋଲି କହିଚନ୍ତି । “ସେ ନିର୍ଲିପ୍ତ, ସମସ୍ତ ରୂପରେ ଆଦିକାରଣ ସଦାବିଦ୍ୟମାନ ଓ ସର୍ବଥା କରୁଣାମୟ , ସେ ଅଣାକାର, ତାଙ୍କର ମୂର୍ତ୍ତି ନାହିଁ । ସେ ହେଉଚନ୍ତି ଆପେନିରିମାଣ ।”

 

ଅଚ୍ୟୁତାନନ୍ଦ ଲେଖିଚନ୍ତି, “ପ୍ରଥମେ କେବଳ ଜଳଧି ଥିଲା, କଳ୍ପବଟ ଉପରେ ପରମ ପୁରୁଷ ବିଶ୍ରାମ କରୁଥିଲେ । ଏକା ଏକା ତାଙ୍କୁ ବଡ଼ ନୀରସ ଲାଗିଲା । ତେଣୁ ସେ ଦୁଇ ହେବାର ଇଚ୍ଛା ପ୍ରକାଶ କଲେ । ତାହାପରେ ସୃଷ୍ଟିର କ୍ଷରଣ ହେଲା ।” ନିରାକାର ସଚ୍ଚିଦାନନ୍ଦ-ଶୂନ୍ୟ-ଅନାହତ-ନାଦ-ଏକାକ୍ଷର-ଆକାର, ଏହିପରି ଗୋଟିଏ ସୃଷ୍ଟିକ୍ରମର ସୂଚନା ଅଚ୍ୟୁତାନନ୍ଦ ଦେଇଚନ୍ତି-। ତନ୍ତ୍ର ପଡ଼ି ପଞ୍ଚସଖା ମଧ୍ୟ ସୃଷ୍ଟିକ୍ରମରେ ପ୍ରକୃତିକୁ ଏକ ପ୍ରଧାନ ସ୍ଥାନ ଦେଇଚନ୍ତି । “ଆଦି ବ୍ରହ୍ମରୁ ପ୍ରକୃତିର ଉଦଭବ ହେଲା । ଏବଂ ପ୍ରକୃତିରୁ ସମସ୍ତ ବିଶ୍ଵର ।” “ମୁଁ ହେଉଚି ନିରାକାର, ପୁରୁଷ ଓ ସ୍ତ୍ରୀ ମୋର ଦୁଇଟି ରୂପ ।” କିନ୍ତୁ ଏଥିରେ ଦ୍ଵୈତଭାବର କୌଣସି ସ୍ଥାନ ହିଁ ନାହିଁ । ଅଚ୍ୟୁତାନନ୍ଦ ଲେଖିଚନ୍ତି : “ପୁରୁଷ ଆଉ ସ୍ତ୍ରୀ ତାଙ୍କର ଦୁଇଟି କଳ୍ପନାମାତ୍ର । କିନ୍ତୁ ପ୍ରକୃତରେ ସେ ପୁରୁଷ ବା ସ୍ତ୍ରୀ କିଛି ନୁହନ୍ତି ।”

 

ପ୍ରସଙ୍ଗତଃ ଏଠାରେ ଦୁଇଟି କଥା ଉଲ୍ଲେଖ କରିବା ଉଚିତ, ପଞ୍ଚସଖାଙ୍କର ସୃଷ୍ଟି ପ୍ରକଟନରେ ଯାହାର ଅତି ମହତ୍ତ୍ଵପୂର୍ଣ୍ଣ ସ୍ଥାନ ରହିଚି । ପ୍ରଥମଟି ହେଉଚି ସଂଘର୍ଷ ଓ ଅପରିପୂର୍ଣ୍ଣତାର କଥା । ଅଚ୍ୟୁତାନନ୍ଦ ପଚାରିଚନ୍ତି “ଯଦି ସଂସାରରେ କୌଣସି ଦୋଷ ବା ପାପ ନଥାନ୍ତା, ତେବେ କାହିଁକି ବିଧାତା ବାରବାର ସୃଷ୍ଟିପାଇଁ ପ୍ରବୃତ୍ତ ହେଉଥାନ୍ତା ?” ସମ୍ପୂର୍ଣ୍ଣ ଓ ନିର୍ଦ୍ଦୋଷ ହେବାର ଅଭିଳାଷରେ ହିଁ ସୃଷ୍ଟିର ପୁନଃପୁନଃ ପରୀକ୍ଷା ଚାଲିଛି । ପ୍ରସିଦ୍ଧ ପଣ୍ଡିତ ହାଭେଲକ ଏଲିସ୍ ସଂଘର୍ଷକୁ ସୃଜନର କାରଣ ବୋଲି ସ୍ଵୀକାର କରିଛନ୍ତି ।

 

ଦ୍ଵିତୀୟ ହେଉଚି କରୁଣା । ବଳରାମ ଓ ଅଚ୍ୟୁତାନନ୍ଦ ଦୁହେଁ କହିଛନ୍ତି ଯେ କରୁଣାବଶ ହୋଇ ଭଗବାନ ସୃଷ୍ଟିକାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତି । “କଳ୍ପ କଳ୍ପ ଗଲାପରେ ମୋର ଚିତ୍ତରେ କରୁଣା ହେଲା ଓ ମୁଁ ସୃଷ୍ଟିକାର୍ଯ୍ୟ ଆରମ୍ଭ କଲି ।” ଏଠାରେ କରୁଣାର ଉଲ୍ଲେଖ ମହାଯାନ ବୌଦ୍ଧଧର୍ମର ସ୍ମରଣ କରାଇଦିଏ ।

 

(ଖ) ପିଣ୍ଡ ଓ ବ୍ରହ୍ମାଣ୍ଡ–

 

‘ପରମାତ୍ମା ତୋ’ ଭିତରେ ରହିଚନ୍ତି କାରଣ ସେ ସର୍ବଭୂତାନ୍ତରାତ୍ମା । ଯିଏ ବାହାରେ ବ୍ୟାପ୍ତ ଅଛନ୍ତି ସେହି ଭିତରେ ପରିପୂର୍ଣ୍ଣ ହୋଇ ରହିଚନ୍ତି । ସମସ୍ତ ବ୍ରହ୍ମାଣ୍ଡ ଏହି ପିଣ୍ଡ ଭିତରେ ରହିଚି-।’ ପଞ୍ଚସଖା ସାହିତ୍ୟ ଏହିଭଳି ଉକ୍ତିରେ ଭର୍ତ୍ତିହୋଇ ରହିଚି । ବଳରାମ ଦାସଙ୍କର ଛତିଶ ଗୁପ୍ତଗୀତା’ରେ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଚନ୍ତି “ତୋତେ ମୋ’ ଭିତରେ ଓ ମୋତେ ତୋ ଭିତରେ ପ୍ରକାଶିତ ହୋଇଥିବାର ଦେଖ । ଆମେ ଦୁହେଁ ଅଭିନ୍ନ ।”

 

ତନ୍ତ୍ରରେ ଶକ୍ତିବାଦ ଓ କାୟଯୋଗର ପ୍ରଧାନତା ରହିଚି । ଯଦି ପରମାତ୍ମା ସବୁଠାରେ ଅଛନ୍ତି, ତେବେ ସେ ଏହି ଶରୀରଭିତରେ ମଧ୍ୟ ଅଛନ୍ତି । ତେଣୁ ତାଙ୍କୁ ପ୍ରାପ୍ତ କରିବାକୁ ହେଲେ ଏହି ଶରୀର ହେଉଚି ନିକଟତମ ସାଧନ । ବେଦାନ୍ତରେ ଯେଉଁ ଶରୀରକୁ ମାୟା ବୋଲି କୁହାଯାଇଚି, ତନ୍ତ୍ର ତାହାକୁ ହିଁ ପ୍ରାପ୍ତିର ପ୍ରଥମ ସାଧନବୋଲି ଘୋଷଣା କରିଚି । ଏହିଥିରୁ ହିଁ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ଵର ଭାବନା ପ୍ରସିଦ୍ଧ ହୋଇଚି, ତାହା ହିଁ ସନ୍ଥସାହିତ୍ୟରେ ଏପରି ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଚି । “ଯାହା ତୁ ବ୍ରହ୍ମାଣ୍ଡରେ ଦେଖୁଚୁ, ସେ ସମସ୍ତ ତୋର ପିଣ୍ଡଭିତରେ ଅଛି”–ଏହା ବଳରାମ ଦାସ କହିଛନ୍ତି । ଅଚ୍ୟୁତାନନ୍ଦଙ୍କର ଭାଷାରେ, “ମୁର୍ଖକୁ ଏକଥା କହିବୁ ନାହିଁ । ଶୂନ୍ୟରେ ନିରାକାର ପୁରୁଷ ବାସ କରୁଚି, ଜୀବ ଓ ପରମ ହେଉଚି ତାହାର ଦୁଇଟି ପାଦ । ଜୀବକୁ ସଙ୍ଗରେ ଧରି ଓ ସେହିଥିରେ ବ୍ୟାପ୍ତ ହୋଇ ପରମ କ୍ରୀଡ଼ା କରୁଚି । ସେ ଦୁହେଁ ଏକ ଶରୀର ମଧ୍ୟରେ ଅଛନ୍ତି ।” ଏହି ଦିଗରେ ଅଧିକ ଅଗ୍ରସର ହୋଇ ତତ୍ତ୍ଵଦ୍ରଷ୍ଟାମାନେ ଆପଣାର ଶରୀରରେ ସମଗ୍ର ବିଶ୍ଵକୁ ପ୍ରତ୍ୟକ୍ଷ କରିଛନ୍ତି । ଜୀବର ଏହି ଶରୀରରେ ବାଗବଗିଚାଠାରୁ ଆରମ୍ଭ କରି ନଅଲକ୍ଷ ତାରା ଦେଖିଛନ୍ତି । ପିଣ୍ଡଭିତରେ ବ୍ରହ୍ମାଣ୍ଡ ପ୍ରତୀକାଭୂତ ହେବାର ଏହି ତତ୍ତ୍ଵ ଓଡ଼ିଶାରେ ଜଗନ୍ନାଥଙ୍କ ଜରିଆରେ ବିକଶିତ ହୋଇ ଆସିଚି । ପଞ୍ଚସଖା ମଧ୍ୟ ଜଗନ୍ନାଥଙ୍କୁ ଆରାଧନାର କେନ୍ଦ୍ରରୂପେ ସ୍ଵୀକାର କରିଚନ୍ତି । ଜଗନ୍ନାଥ ହେଉଚନ୍ତି ବୁଦ୍ଧ, ସେହି ହେଉଛନ୍ତି ସହସ୍ରଦଳ କମଳଉପରେ ଅଧିଷ୍ଠିତ ଦେବତା । ଅତଏବ ଏହି ମାନବଶରୀର ହେଉଚି ପୁରୀର ପବିତ୍ର ମନ୍ଦିର । ଶରୀର ବିଭିନ୍ନ ଅଙ୍ଗ ଶ୍ରୀକ୍ଷେତ୍ର ବିଭିନ୍ନ ସ୍ଥାନର ସୂଚନା ଦିଅନ୍ତି । ତଥାପି ଶରୀର କେବଳ ସାଧନମାତ୍ର । ତାହାକୁ କଦାପି ସାଧ୍ୟରୂପେ ସ୍ଵୀକାର କରାଯାଇ ପାରିବ ନାହିଁ । ତତ୍ତ୍ଵର ତରାଜୁ ଉପରେ ତଉଲି ଦେଖିଲେ ପରମାତ୍ମା ବୁଦ୍ଧ ନୁହନ୍ତି, ଆଦିମାତା ନୁହନ୍ତି, ସେ ଜଗନ୍ନାଥ ବି ନୁହନ୍ତି । ସେ କେବଳ ଜ୍ୟୋତିସ୍ଵରୂପ-। ଅଚ୍ୟୁତାନନ୍ଦ କହିଚନ୍ତି, “ଜ୍ୟୋତିରୁ ହିଁ ଜ୍ୟୋତିର ପ୍ରକଟ ହେଉଚି, ସମସ୍ତ ସୃଷ୍ଟି ସେହି ଜ୍ୟୋତିରେ ହିଁ ଅବସ୍ଥିତ ରହିଚି ଏବଂ ଶେଷରେ ସବୁ ସେହି ଜ୍ୟୋତିରେ ବିଲୀନ ହୋଇଯିବ-।”

 

(ଗ) ସଗୁଣ ଓ ନିର୍ଗୁଣ : ନାମ ଓ ବ୍ରହ୍ମ–

 

ସାଧନା ଓ ଆରାଧନାର ପର୍ଯ୍ୟାୟରେ ପରମତତ୍ତ୍ଵ ରୂପ ଗ୍ରହଣ କରନ୍ତି । କିନ୍ତୁ ପ୍ରକୃତରେ ତାଙ୍କର କୌଣସି ଆକାର ନାହିଁ । ଧ୍ୟାନ ଏବଂ ସାଧନା ସକାଶେ ହିଁ ନିର୍ଗୁଣ ସଗୁଣ ରୂପରେ ଅବତୀର୍ଣ୍ଣ ହୁଅନ୍ତି ।

 

ପଞ୍ଚସଖା ସାହିତ୍ୟରେ ଆମେ ରାମ ଓ କୃଷ୍ଣ ପ୍ରଭୃତି ନାମର ବର୍ଣ୍ଣନା ଦେଖିବାକୁ ପାଇ ଦେଖି ହଠାତ୍ ଧାରଣା ହୋଇଯାଏ ଯେ ପଞ୍ଚସଖା ପ୍ରକୃତରେ ମୂର୍ତ୍ତିଉପାସକ ଥିଲେ । କିନ୍ତୁ ଧର୍ମର ଦୁଇଟି ବୋଧମାର୍ଗ,–ତତ୍ତ୍ଵ ଏବଂ ସାଧନାର ଯଥାର୍ଥ ସମ୍ବନ୍ଧ ବିଷୟରେ ଧ୍ୟାନ ଦେଲେ ସଗୁଣ ନିର୍ଗୁଣର ଏହି ଦ୍ଵିଧା ଅପସୃତ ହୋଇଯାଏ ।

 

ସାଧକର ହିତାଲାଗି’ ପରମାତ୍ମା ରୂପ ଗ୍ରହଣ କରନ୍ତି । ଅଚ୍ୟୁତାନନ୍ଦଙ୍କର ଭାଷାରେ, “ରୂପ ପୂର୍ବରୁ କେବଳ ନାମ ଥିଲା, ରୂପର ମାଧ୍ୟମରେ ନାମ ଆପଣାକୁ ପ୍ରକାଶିତ କଲା ରୂପର ସେତୁ ଉପରେ ନଗଲେ ନାମରେ ପହଞ୍ଚିବା ଜଗତକୁ ଆସେ ।” ପୁଣି, ‘ଅ ପାରୁ ରୂପରୁ ଆଗମ ହୁଏ, ଶେଷରେ ସେ ସେହିଥିରେ ବିଲୀନ ହୋଇଯାଏ । ଦୁହିଁଙ୍କୁ ଅଭିନ୍ନ ବୋଲି ବୁଝିଲେ ସାଧନା ସଫଳ ହୁଏ ।”

 

କବୀର, ତୁଳସୀଦାସ ଓ ରାମକୃଷ୍ଣ ପ୍ରଭୃତି ସାଧକ ରାମ, କୃଷ୍ଣ ଓ କାଳୀ ପ୍ରଭୃତି ମାଧ୍ୟମ ସାହାଯ୍ୟରେ ତତ୍ତ୍ଵଦର୍ଶନ କରିଚନ୍ତି । ପଞ୍ଚସଖା ସାହିତ୍ୟରେ ରୂପର ଠିକ୍ ଏହି ମହତ୍ତ୍ଵ ରହିଚି, ରୂପ ହେଉଚି ସେହି ଏକକୁ ପାଇବାର ସାଧନ ମାତ୍ର । ସେହି ଏକର ପରିଚୟ ପାଇଲେ ସବୁ ପ୍ରକାର ରୂପର ଅବସାନ ହୋଇଯାଏ । ଏହି ଦୃଷ୍ଟିରୁ ଅଚ୍ୟୁତାନନ୍ଦ ରାଧାକୁ ଜୀବାଆତ୍ମା ଓ କୃଷ୍ଣକୁ ପରମାତ୍ମା ବୋଲି କହିଚନ୍ତି । ଗୋପପୁର, କଦମ୍ବବୃକ୍ଷ ପ୍ରଭୃତି କୃଷ୍ଣଭକ୍ତି-ମାର୍ଗର ବିଭିନ୍ନ ଶବ୍ଦର ତାତ୍ତ୍ଵିକ ଅର୍ଥ ମଧ୍ୟ ସେ ବାହାର କରିଚନ୍ତି । ମାତ୍ର କୌଣସି ପ୍ରକାରର ରୂପ-ଭାବନାରେ ଆବଦ୍ଧ ରହିବାର ନିନ୍ଦା କରି ଅଚ୍ୟୁତାନନ୍ଦ କହିଚନ୍ତି, “ଶୂନ୍ୟର ଦେହ ନାହିଁ, କେବଳ ସାଧକର ଧ୍ୟାନଚକ୍ଷୁରେ ସେ ରୂପ ଗ୍ରହଣ କରେ । କିନ୍ତୁ ପୂଜା, ଜପ ଓ ମନ୍ତ୍ର ପ୍ରଭୃତି ସ୍ଥୂଳମାର୍ଗରେ ତାଙ୍କୁ ପାଇବା ଅସମ୍ଭବ ।”

 

‘ଅଣାକାର ସଂହିତା’ ହେଉଚି ଅଚ୍ୟୁତାନନ୍ଦଙ୍କର ଶେଷ ଗ୍ରନ୍ଥ । ସେଥିରେ ସେ ନାମର ଅନେକ ସ୍ତବଗାନ କରିଚନ୍ତି । ବିଶ୍ଵସଂସାରର ସମସ୍ତ ପ୍ରକାଶର ଆତ୍ମସ୍ଵରୂପ ହେଉଚି ଏହି ନାମ । ତେଣୁ ନାମସାଧନା ହେଉଚି ଉତ୍କୃଷ୍ଟ ସାଧନ । ନାମ ହିଁ ସାଧକକୁ ଲକ୍ଷ୍ୟସ୍ଥଳରେ ଉପନୀତ କରାଇଦିଏ ।

 

ନାମ ହେଉଚି ପ୍ରଣବମନ୍ତ୍ର, ଏହା ହିଁ ଏକାକ୍ଷର ଓଁ । ଉପନିଷଦର ଭାଷାରେ ଏହା ହେଉଚି ଶବ୍ଦସାମାନ୍ୟ ।

 

ତତ୍ତ୍ଵର ସାଧନା ଉର୍ଦ୍ଧ୍ଵମୁଖୀ ସାଧନା । ଅନେକର ବିଭେଦରୁ ଉତ୍ତୀର୍ଣ୍ଣ ହୋଇ ଅଭିଭେଦ ଏକରେ ପହୁଞ୍ଚିବା ହେଉଚି ଏହି ସାଧନାର ଲକ୍ଷଣ । ସେହି ମାର୍ଗର ପ୍ରଥମ ସୋପାନରେ ଅଚ୍ୟୁତାନନ୍ଦ ପୂଜା, ମନ୍ତ୍ର, ଯନ୍ତ୍ର ଓ ଯୋଗାଦି ସାଧନାକୁ ସ୍ଵୀକାର କରିଚନ୍ତି । କିନ୍ତୁ ପ୍ରସ୍ତୁତି ଉଚ୍ଚତର ସ୍ତରକୁ ଆସି ଚେତନା ବସ୍ତୁକୁ ଅତିକ୍ରମ କରି ଚାଲିଯାଏ, ସେତେବେଳେ ସାଧକ କେବଳ ଶବ୍ଦବ୍ରହ୍ମ ବା ଓଁ ମନ୍ତ୍ରର ସାନ୍ନିଧ୍ୟରେ ଅବସ୍ଥାନ କରେ ଏବଂ ତାହାରି ଧ୍ୟାନରେ ତତ୍ତ୍ଵଯୁକ୍ତ ରହେ । ଏହି ଦୃଷ୍ଟିରୁ ଏକାକ୍ଷର ଓଁର ସବୁ ସାଧନଠାରୁ ମହତ୍ତର । ଅଚ୍ୟୁତାନନ୍ଦ ଏହାକୁ ଏକାକ୍ଷର, ଅଜପାମନ୍ତ୍ର ଓ ଅଜପା ଗାୟତ୍ରୀ ବୋଲି କହିଚନ୍ତି । ଯୋଗ-ଉପନିଷଦମାନଙ୍କରେ ଏହିସବୁ ନାମର ଉଲ୍ଲେଖ ରହିଚି ।

 

(ଘ) ମନ୍ତ୍ର, ଯନ୍ତ୍ର ଓ ଯୋଗ

 

ଜ୍ଞାନସମୁଦ୍ରର ସୀମା ଅତି ବିସ୍ତୃତ । ସେହି ସମୁଦ୍ରରେ ସନ୍ତରଣ କରି ତତ୍ତ୍ଵର ପରିଚୟ ଲାଭକରିବାକୁ ସାଧାରଣ ମନୁଷ୍ୟଠାରେ ଆବଶ୍ୟକ ମନଃଶକ୍ତି ନଥାଏ । ସେଥିପାଇଁ ଗହନ ଭାବନାଗୁଡ଼ିକୁ ଅତ୍ୟନ୍ତ ଶବ୍ଦରେ ପ୍ରକାଶ କରିବାର ରୀତି ଭାରତୀୟ ଶାସ୍ତ୍ରରେ ଦେଖାଯାଏ । ବୀଜମନ୍ତ୍ର ହେଉଚି ସେହିପରି ଏକ ଉଦଭାବନ । ଶାସ୍ତ୍ରରେ କୁହାଯାଇଚି ଯେ ସହଜରେ ଓ ଅଳ୍ପ ସମୟ ମଧ୍ୟରେ ବୀଜମନ୍ତ୍ର ଦ୍ଵାରା ହିଁ ସାଧକକୁ ସଫଳତା ମିଳିପାରିବ ।

 

ଭାରତୀୟ ବିଦ୍ୟାରେ ଅକ୍ଷରର ଇତିହାସ ଆଜିମଧ୍ୟ ରହସ୍ୟପୂର୍ଣ୍ଣ ରହିଚି । ଦ୍ରବ୍ୟାତ୍ମବୋଧୀ ଆଦିମ ମାନବ ଆପଣାର ପରିଚିତ ପ୍ରତ୍ୟେକ ବସ୍ତୁଲାଗି ଗୋଟିଏ ଗୋଟିଏ ପ୍ରତୀକଚିତ୍ରରେ କଳ୍ପନା କରିଥିଲା, ବହୁତ ବିବର୍ତ୍ତନର ମଧ୍ୟଦେଇ ଏହିସବୁ ଚିତ୍ର ଶେଷରେ କେତୋଟି ରେଖାରେ ହିଁ ଅବଶିଷ୍ଟ ସମ୍ଭବତଃ ସେହିଥିରୁ ଆଧୁନିକ ଅକ୍ଷରର ଉଭବ ହେଲା । ପ୍ରତୀକ-ଅକ୍ଷରର ସାହାଯ୍ୟରେ ଦେବାଭାବନା ଓ ଆରାଧନା କରିବା ଆମ ଦେଶରେ ଅତି ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସିଚି । ବେଦରେ ମଧ୍ୟ ଏହାର ସୂଚନା ମିଳୁଚି । ସାର ଉଡ଼ରଫଙ୍କର ମତରେ ବୈଦିକ ପ୍ରତୀକପୂଜାରୁ ହିଁ ତନ୍ତ୍ରର ଅକ୍ଷର-ଆରାଧନା ଜନ୍ମଲାଭ କରିଚି ।

 

ପଞ୍ଚସଖା ସାହିତ୍ୟରେ ଯନ୍ତ୍ର ଓ ବୀଜମନ୍ତ୍ର ଭରିରହିଚି । ଅନେକ ସମୟରେ ସେଗୁଡ଼ିକର କୌଣସି ସ୍ପଷ୍ଟ ଅର୍ଥ ପ୍ରକାଶ ପାଉନାହିଁ । ଗୋଟିଏ ଗୋଟିଏ ବିଶେଷ ବରପ୍ରାପ୍ତି ନିମିତ୍ତ ଆମ ଶାସ୍ତ୍ରରେ ଭିନ୍ନ ଭିନ୍ନ ଦେବତାଙ୍କର କଳ୍ପନା କାରାଯାଇଚି ଏବଂ ପ୍ରତ୍ୟେକ ଦେବତାଙ୍କର ପ୍ରତିନିଧି ସ୍ଵରୂପ ଗୋଟିଏ ଗୋଟିଏ ମନ୍ତ୍ର ଦିଆଯାଇଚି ।

 

ଯନ୍ତ୍ରକୁ ଦେବତାମାନଙ୍କର ଶରୀର କୁହାଯାଇଚି । ରେଖାଗୁଡ଼ିକର ବିଭିନ୍ନ ପ୍ରକାର ସନ୍ନିବେଶ ଦ୍ଵାରା ଚିତ୍ର ଅଙ୍କନ କରି ସାଧକ ତାହାରି ଉପରେ ଆରାଧ୍ୟ ଦେବତାର ଆବିର୍ଭାବର କଳ୍ପନା କରେ । ମନ୍ତ୍ର ସାହାଯ୍ୟରେ ଯନ୍ତ୍ର ଭେଦ କରିବାକୁ ଆରାଧନାର ଉପାୟ ବୋଲି ଘୋଷଣା କାରାଯାଇଚି ।

 

ଅଚ୍ୟୁତାନନ୍ଦ ଚଉରାଶି ମନ୍ତ୍ର ଏବଂ ଚଉରାଶି ଯନ୍ତ୍ରର ଉଲ୍ଲେଖ କରିଛନ୍ତି । ତାଙ୍କ ଭାଷାରେ କହିବାକୁ ଗଲେ ଦେହରୂପକ ସୁନାକୁ ଉଜ୍ଜ୍ଵଳ କରିବା ଲାଗି ମନ୍ତ୍ରରୂପକ ଟାଙ୍ଗଣର ସାହାଯ୍ୟ ନେବା ଆବଶ୍ୟକ ।

 

ପଞ୍ଚସଖା-ମତରେ ଯୋଗ ହେଉଚି ତତ୍ତ୍ଵପ୍ରାପ୍ତିର ପ୍ରଥମ ସୋପାନ । ସୁମନ, କୁମନ, ଅମନ, ବିମନ, ଓ ମନ,–ଅଚ୍ୟୁତାନନ୍ଦ ମନର ଏହି ପାଞ୍ଚଗୋଟି ପ୍ରକାରଭେଦ ବତାଇଛନ୍ତି । ଈଶ୍ଵରଙ୍କ ସହିତ ଯୁକ୍ତ ହେବାପାଇଁ ଆମକୁ ମନ ଓ ବିମନର ସ୍ତରକୁ ସୁମନକୁ ଉଠିବାକୁ ପଡ଼ିବ । ପଞ୍ଚସଖା ଏହାକୁ ଜାଗ୍ରତ ନିଦ୍ରାର ଅବସ୍ଥା ବୋଲି କହିଚନ୍ତି । ଏହି ସ୍ଥିତିରେ ଉପନୀତ ହେବା ଲାଗି ଅଚ୍ୟୁତାନନ୍ଦ ବାରବର୍ଷର ଏକ ସଂବଦ୍ଧ ଯୋଗାଭ୍ୟାସକ୍ରମର ପରାମର୍ଶ ଦେଇଛନ୍ତି । ସେଥିରେ ମନ୍ତ୍ରଯୋଗ, ତନ୍ତ୍ରଯୋଗ, ଛାୟାଯୋଗ, ଅବାଡ଼ ଯୋଗ, ଜ୍ୟୋତିଯୋଗ ଓ ସମାଧି ଯୋଗ ପ୍ରଭୃତି ସୋପାନର ଆଲୋଚନା ହୋଇଚି । ପ୍ରତ୍ୟେକ ଯୋଗକ୍ରମେ ଲାଗି ସମ୍ବବତଃ ସେ ଭିନ୍ନ ଭିନ୍ନ ପୁସ୍ତକ ରଚନା କରିଚନ୍ତି ।

 

କିନ୍ତୁ କୁଣ୍ଡଳିନୀ ଯୋଗ ବା ଚକ୍ରଭେଦ ହେଉଚି ସବୁଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ । ଉପନିଷଦ କାଳରୁ ଏହି ବିଦ୍ୟା ଭାରତରେ ପ୍ରଚଳିତ ଅଛି । ତନ୍ତ୍ରପରି ପଞ୍ଚସଖା ମଧ୍ୟ ପ୍ରତ୍ୟେକ ଚକ୍ରରେ ଗୋଟିଏ ଦେବତା ଓ ଗୋଟିଏ ଦେବୀର କଳ୍ପନା କରିଚନ୍ତି ଜଗନ୍ନାଥଙ୍କୁ ସେମାନେ ସହସ୍ରାରଠାରେ ଅଧିଷ୍ଠିତ କରାଇ ଦେଇଚନ୍ତି ।

 

ଆପଣାର ଚେତନାକୁ ଉତକ୍ରାନ୍ତ କରି ବିଶ୍ଵଚେତନା ସହିତ ତାକୁ ଯୁକ୍ତକରିବା ହେଉଚି ଚକ୍ରସାଧନାର ଉଦ୍ଦେଶ୍ୟ । ବେଦାନ୍ତର ପଞ୍ଚୀକରଣ ବିଷୟରେ ଯେଉଁ ବର୍ଣ୍ଣନା ଅଛି, ସେଥିରେ ସୃଷ୍ଟି ପ୍ରବୃତ୍ତିକ୍ରମକୁ ବ୍ୟୋମଠାରୁ କ୍ଷିତି ଆଡ଼କୁ ଦର୍ଶାଯାଇଚି । ଶଙ୍କାରାଚାର୍ଯ୍ୟଙ୍କର ସୌନ୍ଦର୍ଯ୍ୟଲହରୀ ପରି ପଞ୍ଚସଖା ମଧ୍ୟ ମୂଳାଧାରଠାରୁ ବିଶୁଦ୍ଧିପର୍ଯ୍ୟନ୍ତ ପ୍ରତ୍ୟେକ ଚକ୍ରକୁ କ୍ଷିତିଠାରୁ ବ୍ୟୋମ ପର୍ଯ୍ୟନ୍ତ ପ୍ରତ୍ୟେକ ଉପାଦାନ ସହିତ ସମ୍ବନ୍ଧିତ କରିଦେଇଚନ୍ତି । ଏହି ଦୃଷ୍ଟିରୁ ବିଚାରକଲେ ମୂଳାଧାରରୁ ବିଶୁଦ୍ଧି ଚକ୍ର ପର୍ଯ୍ୟନ୍ତ କୁଣ୍ଡଳିନୀକୁ ଜାଗ୍ରତ କରିବା ଅର୍ଥ ପଞ୍ଚଭୂତରୁ ମନର ଅପସାରଣ କରିବାବୋଲି ମଧ୍ୟ କୁହାଯାଇ ପାରିବ । ଅନାଦି ଓ ଆଦିମାତାଙ୍କୁ ପଞ୍ଚସଖା ଆଜ୍ଞାଚକ୍ରର ଦେବତା ଓ ଦେବୀରୂପେ ସ୍ଵୀକାର କରିଚନ୍ତି । ଓଁ ଅର୍ଥାତ୍ ଏକାକ୍ଷର ମନ୍ତ୍ର ହେଉଚି ସେହି ଚକ୍ରର ବୀଜମନ୍ତ୍ର । ମାଣ୍ଡୁକ୍ୟ ଉପନିଷଦରେ ଆଲୋଚିତ ପରଂବ୍ରହ୍ମଙ୍କର ଈଶ୍ଵର ରୂପ ସହିତ ଏହି ଚକ୍ରର ତୁଳନା କରାଯାଇପାରେ । ଆଜ୍ଞାଚକ୍ର ପରେ ସହସ୍ରାର, ଯେଉଁଠାରେ ଶବ୍ଦବ୍ରହ୍ମ ଜପକରି କେବଳ ପରଂବ୍ରହ୍ମ ଅବସ୍ଥିତ ଅଛନ୍ତି, ମୂଳାଧାରରୁ ଚାଳିତ କରି ଚେତନାକୁ ଅବସ୍ଥାପ୍ରାପ୍ତ କରାଇବା । ସହସ୍ରାର ହେଉଚି ଚକ୍ରସାଧନାରେ ଅନ୍ତିମ ଗମ୍ୟସ୍ଥାନ, ପଞ୍ଚସଖାଙ୍କର ଭାଷାରେ କହିବାକୁ ଗଲେ ଯେଉଁଠାରେ ଶୈବଙ୍କର ଶିବ, ବୈଷ୍ଣବଙ୍କର ବିଷ୍ଣୁ ଓ ଶାକ୍ତଙ୍କର ଶକ୍ତି ବା ଦେବୀ ବିରାଜମାନ କରୁଥାନ୍ତି ।

 

ଯୋଗ କେବଳ ସାଧାନମାତ୍ର, ସାଧ୍ୟ ନୁହେଁ । ପରମାତ୍ମାଯୁକ୍ତ ହେବାଲାଗି ଏହା ପ୍ରଥମ ସୋପାନ । ଯେତେ ଅତ୍ୟାବଶ୍ୟକ ହେଲେ ମଧ୍ୟ ସାଧକର ଏହି ସୋପାନରେ କଦାପି ଅଟକିଯିବା ଉଚିତ୍ ନୁହେଁ । ଅଚ୍ୟୁତାନନ୍ଦ କହିଚନ୍ତି, ‘ଯୋଗ-ସାଧନାରେ ହୁଏତ ତୋ’ର ସାରା ଜୀବନ ସରିଯିବ, କିନ୍ତୁ ତଥାପି ତୁ ତାକୁ ଲାଭ କରିପାରିବୁ ନାହିଁ । ତେଣୁ ମୁଁ ବର୍ତ୍ତମାନ ଆତ୍ମଯୋଗରେ ନିମଗ୍ନ ହୋଇ ବ୍ରହ୍ମରୂପର ଧ୍ୟାନ କରୁଚି ।” ପ୍ରକୃତରେ ପଞ୍ଚସଖା ଯୋଗକୁ କେବଳ ଏକ ନିରୋଧ ମାର୍ଗ ବୋଲି ଗ୍ରହଣ କରିନଥିଲେ, କିନ୍ତୁ ପରମାତ୍ମା ସହିତ ଯୁକ୍ତ ହେବାକୁ ହିଁ ସେମାନେ ଏହାର ଅନ୍ତିମ ଉଦ୍ଦେଶ୍ୟ ବୋଲି ମାନୁଥିଲେ ।

 

(ଙ) ସର୍ବ-ସ୍ଵୀକାରୀ ଅନ୍ତର୍ନିଷ୍ଠା–

 

ପଞ୍ଚସଖାଙ୍କ ପୂର୍ବରୁ ଓଡ଼ିଶାରେ ଅନେକ ଧର୍ମପନ୍ଥା ରହିଥିଲା । ସେମାନଙ୍କର ସଂଖ୍ୟା ଏତେ ଅଧିକ ଥିଲା ଯେ ଶୁଦ୍ଧ ଏବଂ ଭ୍ରମଶୂନ୍ୟ ଧର୍ମପଥ କିଏ ତାହା ଠିକ୍ କରିବାକୁ ଯାଇ ଲୋକମାନେ ବଡ଼ ଦ୍ଵନ୍ଦରେ ପଡ଼ି ଯାଉଥିଲେ । ରାଜସଭାରେ ଭାରି ଉତ୍ତେଜନା ସହକାରେ ପଣ୍ଡିତମାନଙ୍କର ଧର୍ମଯୁଦ୍ଧ ଚାଲିଥିଲେ । ମନୁଷ୍ୟର ଅନ୍ତର ଯେ ଧର୍ମଜୀବନ ପ୍ରଧାନ ଭୂମି, ଏହି ସତ୍ୟ କ୍ରମଶଃ ଦୁର୍ବଳ ହୋଇ ଯାଉଥିଲା, ଏହି ଅବସ୍ଥାରେ ଓଡ଼ିଶାରେ ପଞ୍ଚସଖାଙ୍କର ଆବିର୍ଭାବ ହେଲା, ସେମାନଙ୍କର ଧର୍ମବାଣୀ ତତ୍କାଳୀନ କ୍ଷେତ୍ରରେ ଏକ ଶକ୍ତିଶାଳୀ ଆହ୍ଵାନରୂପେ ଆସି ଆଘାତ ଦେବାକୁ ଲାଗିଲା । ପ୍ରତ୍ୟେକ ପ୍ରକାରର ନୁଖୁରା ତର୍କ ଏବଂ ପ୍ରାଣହୀନ ବ୍ୟାଖ୍ୟାନ ବିରୁଦ୍ଧରେ ସେମାନେ ଆପଣାର ପ୍ରତିବାଦ ଜଣାଇଲେ । ଏହି ପ୍ରତିବାଦର ପ୍ରତିଫଳ ମଧ୍ୟ ସେମାନଙ୍କୁ ଏକାଧିକବାର ଭୋଗିବାକୁ ପଡ଼ିଥିଲା । ବଳରାମ ଠାରେ ଲୋକଙ୍କଠାରୁ ଟେକାମାଡ଼ ଖାଇଥିଲେ, ଅଚ୍ୟୁତାନନ୍ଦ ମଧ୍ୟ ରାଜସଭାରେ ଆପଣାର ବିଦ୍ୟାର ପରୀକ୍ଷା ଦେବାକୁ ବାଧ୍ୟ ହୋଇଥିଲେ । ତଥାପି ସେମାନେ ଅପଣା ମାର୍ଗରୁ କ୍ଷାନ୍ତ ହେଲେ ନାହିଁ । ମୂର୍ତ୍ତିପୂଜନ, ତୀର୍ଥାଟନ ଏବଂ ତତ୍ତ୍ଵହୀନ ମନ୍ତ୍ର ଓ ଯନ୍ତ୍ରାଭ୍ୟାସକୁ ସେମାନେ ଖୋଲାଖୋଲି ନିନ୍ଦା କରିବାକୁ ଲାଗିଲେ । ଧର୍ମର ବାହ୍ୟାଚାର ଅତି ଗୌଣ । ଅନ୍ତର ଶୁଦ୍ଧ ଥିଲେ ଯେ କୌଣସି ରାସ୍ତା ପ୍ରାପ୍ତିର ନିଶ୍ଚିତ ସାଧନ ହୋଇପାରିବ, ପଞ୍ଚସଖା ଏହି ସତ୍ୟର ପ୍ରଚାର କଲେ ।

 

ଏହିଠାରେ ସ୍ମରଣ ରଖିବାକୁ ହେବ ଯେ କେବଳ ପ୍ରତିଷ୍ଠିତ ଧର୍ମକୁ ଭାଙ୍ଗି ପକାଇବା ପଞ୍ଚସଖାଙ୍କର ଲକ୍ଷ୍ୟ ନଥିଲା । ବାହ୍ୟ ପୂଜାଡ଼ମ୍ବର ଓ ପଣ୍ଡିତବୃତ୍ତିର ପ୍ରମାଦରେ ପଡ଼ି ଧର୍ମ ଆପଣା କେନ୍ଦ୍ରରେ ବିଚ୍ୟୁତ ହୋଇଯାଇଥିଲା । ଏହି ପ୍ରମାଦ ଦୂରକରି ପୁଣି ଅନ୍ତର୍ନିଷ୍ଠା ଆଡ଼କୁ ଆଲୋକପାତ କରାଇବା ପଞ୍ଚସଖାଙ୍କର ସବୁଠାରୁ ବଡ଼ କାମଥିଲା ।

 

ତନ୍ତ୍ରରେ ଅନ୍ତର୍ଯୋଗ ଉପରେ ଖୁବ୍ ମହତ୍ତ୍ଵ ଦିଆଯାଇଚି । ଉପନିଷଦରୁ ଆରମ୍ଭକରି ମଧ୍ୟଯୁଗର ସନ୍ଥମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଅନ୍ତର ଭିତରକୁ ବାହୁଡ଼ି ଆସିବାକୁ ଆହ୍ଵାନ କରିଚନ୍ତି । ଠିକ୍ ସେହିପରି ଅଚ୍ୟୁତାନନ୍ଦ କହିଚନ୍ତି, “ମନର ସଂଯମ ନ ଆସିବା ପର୍ଯ୍ୟନ୍ତ ଯୋଗାଭ୍ୟାସ ବୃଥା ହୋଇଯିବ । ମନ ହେଉଚି ଗୁରୁ, ସବୁ ସାଧନାରେ ମୂଳ । ମନ ଭାଗବତ, ମନ ହିଁ ଗୀତା । ମନ ତିଆରି ନଥିଲେ ଅମୃତ ମଧ୍ୟ ପିତା ଲାଗିବ ।”

 

ଆପଣାର ପରିଚୟ ଲାଭ କର, ଏହା ହିଁ ହେଉଚି ପଞ୍ଚସଖାଙ୍କର ସର୍ବପ୍ରଧାନ ବାଣୀ । ଏହି ପରିଚୟ ଲାଗି ସେମାନେ ଭକ୍ତିକୁ ଅତ୍ୟାବଶ୍ୟକ ବୋଲି ସ୍ଵୀକାର କରିଚନ୍ତି । ଅଚ୍ୟୁତାନନ୍ଦଙ୍କର ମତରେ ନିଃସ୍ଵାର୍ଥ ସମର୍ପଣର ଭାବ ହେଉଚି ସାଧନାର ସର୍ବଶ୍ରେଷ୍ଠ ଭାବ । ଏହି ଭାବକୁ ସେ ଶୁଦ୍ରଭାବ ବୋଲି କହିଚନ୍ତି ।

 

ଉଚିତ ମାର୍ଗରେ ନିୟତକରି ନେବାଲାଗି ବହୁଳ ଚର୍ଚ୍ଚା କାରାଯାଇଚି । ପଞ୍ଚସଖାଙ୍କର ବିଚାରରେ ଗୁରୁ କେବଳ ଜଣେ ପାର୍ଥିବ ଶିକ୍ଷକ ନୁହନ୍ତି–ସେ ବ୍ରହ୍ମା ଓ ବିଷ୍ଣୁଙ୍କଠାରୁ ମଧ୍ୟ ବଡ଼ । ଅଚ୍ୟୁତାନନ୍ଦ ଆପଣାର ସତୁରି ଗୁରୁଙ୍କର ଉଲ୍ଲେଖ କରିଚନ୍ତି । ଏହି ପରମ୍ପରା ପରଂବ୍ରହ୍ମରୁ ଆରମ୍ଭ ହୋଇଚି । ତଥାପି ଧ୍ୟେୟ ହେଉଚି ପରମାତ୍ମା, ଗୁରୁ କେବଳ ବାଟ ଦେଖାଇବାକୁ ରହିବେ । ସିଦ୍ଧିଲାଭର କାମ ପୂରାପୂରି ସାଧକର । ଅଚ୍ୟୁତାନନ୍ଦ କହିଚନ୍ତି, “ଆପେ ତାଙ୍କୁ ଆପଣାର ଅନ୍ତର ଭିତରେ ପ୍ରତ୍ୟକ୍ଷ କରିବାକୁ ହେବ । ଗୁରୁ ସିନା କେବଳ ବାଟ ବତାଇଦେବେ । ସାଧକର ଆତ୍ମବିଶ୍ଵାସ ଉପରେ ହିଁ ତା’ର ସିଦ୍ଧି ନିର୍ଭର କରେ ।”

 

(ଚ) ଭାଷା, ସମାଜ ଓ ଧର୍ମ–

 

ଜାତିର ଜନ୍ମ ପ୍ରଥମେ ଜାତିର ମନ ଭିତରେ ହିଁ ହୁଏ । ତେଣୁ ଜାତିର ନିର୍ମାଣରେ ସାହିତ୍ୟ ଓ ସାହିତ୍ୟିକ ସର୍ବଦା ଏକ ଶକ୍ତିଶାଳୀ ଅଂଶ ଗ୍ରହଣ କରିବାକୁ ପଡ଼େ ।

 

ଓଡ଼ିଶାରେ ସାରଳା ଦାସଙ୍କୁ ଜାତୀୟ ସାହିତ୍ୟରେ ପିତା କୁହାଯାଇ ପାରିବ । ଅବଶ୍ୟ ତାଙ୍କ ପୂର୍ବରୁ ବଚ୍ଛା ଦାସ ଓ ମାର୍କଣ୍ଡ ଦାସ ତାଙ୍କ ଲାଗି କ୍ଷେତ୍ର ପ୍ରସ୍ତୁତ କରି ଯାଇଥିଲେ । ସାରଳା ଦାସ ପଞ୍ଚସଖାଙ୍କର ଠିକ୍ ପୂର୍ବବର୍ତ୍ତୀ ଥିଲେ । ପ୍ରଧାନତଃ ଧର୍ମସ୍ରଷ୍ଟା ହୋଇଥିଲେ ମଧ୍ୟ ସାହିତ୍ୟସ୍ରଷ୍ଟା ହିସାବରେ ପଞ୍ଚସଖାଙ୍କର ଏକ ଅତ୍ୟୁଚ୍ଚ ସ୍ଥାନ ରହିଚି । ସେହି କାଳର ଓଡ଼ିଆ ସାହିତ୍ୟରେ ସଂସ୍କୃତ ଭାଷାର ମାଧ୍ୟମ ପରିତ୍ୟାଗ କରି ଗତିଶୀଳ ଲୋକଭାଷାରେ ଜାତିର ପ୍ରଧାନ ଚିନ୍ତାଗୁଡ଼ିକୁ ପ୍ରକାଶିତ କରିବାର ଯେଉଁ ପ୍ରଚେଷ୍ଟା ସେତେବେଳେ ଚାଲିଥିଲା, ପଞ୍ଚସଖା ସେହି ପ୍ରଚେଷ୍ଟାର ଅନ୍ୟତମ ପ୍ରତିନିଧି ଥିଲେ । କଠିନ ଦର୍ଶନ ଓ ଧର୍ମଶାସ୍ତ୍ରକୁ ଲୋକ-ସମୀପକୁ ଆଣିବାର ଗୌରବ ପଞ୍ଚସଖାଙ୍କୁ ଦେବାକୁ ହେବ । ଜଗନ୍ନାଥ ଦାସଙ୍କର ଭାଗବତ, ବଳରାମ ଦାସଙ୍କର ଦାଣ୍ଡି ରାମାୟଣ ଓଡ଼ିଆ ସାହିତ୍ୟରେ ଦୁଇଟି ଅମୂଲ୍ୟ ରତ୍ନ ।

 

ଭାଷାତତ୍ତ୍ଵ ଦୃଷ୍ଟିରୁ ମଧ୍ୟ ପଞ୍ଚସଖା-ସାହିତ୍ୟରେ ସ୍ଥାନ ବହୁତ ଉଚ୍ଚରେ । ପ୍ରାକୃତରୁ ଓଡ଼ିଆ ଭାଷାର ସୃଷ୍ଟି ହେବାର ଉଦଭବକ୍ରମରେ ପଞ୍ଚାସଖା ମଧ୍ୟବର୍ତ୍ତୀ କାଳର ପ୍ରତିନିଧି ରୂପେ ରହିଚନ୍ତି । ଶବ୍ଦର ଇତିହାସରେ ଆଗ୍ରହ ରଖିଥିବା ଲୋକଙ୍କ ପାଇଁ ପଞ୍ଚସଖାଙ୍କର ବିସ୍ତୃତ ସାହିତ୍ୟ ଅନେକ ସମ୍ପଦ ଯୋଗାଇ ଦେଇପାରିବ । ସଂସ୍କୃତକୁ ଛାଡ଼ି ବୁଦ୍ଧଦେବ ଲୋକ-ଭାଷାରେ ଆପଣାର ଧର୍ମପ୍ରକାର କରିଥିଲେ । ମଧ୍ୟଯୁଗରେ ରାମାନନ୍ଦଙ୍କୁ ଏହି ପ୍ରବୃତ୍ତିର ଅଗ୍ରଣୀ ବୋଲି କୁହାଯାଇପାରେ । ଓଡ଼ିଶାରେ ପଞ୍ଚସଖାମାନେ ଏହି ପ୍ରବୃତ୍ତିର ଅନ୍ତର୍ଗତ । କଥିତ ଭାଷାକୁ ସାହିତ୍ୟରଚନାର ଆଧାର ବୋଲି ମାନିବାକୁ ଯାଇ ସେମାନଙ୍କୁ ବ୍ରାହ୍ମଣ ଓ ରାଜାଠାରୁ ଅତ୍ୟାଚାର ସହିବାକୁ ପଡ଼ିଥିଲା । ପ୍ରବାଦ ଅଛି ଯେ ରାଜାଙ୍କର ଆଦେଶରେ କଥିତ ଓଡ଼ିଆ ଭାଷାରେ ବଳରାମ ସମ୍ପୂର୍ଣ୍ଣ ଗୀତାର ରଚନା କରିଥିଲେ-। ପଞ୍ଚସଖା-ଧର୍ମ ପ୍ରଧାନତଃ ଅନ୍ତର୍ମୁଖୀ ଥିଲା । ତେଣୁ ସାମାଜିକ ଦୃଷ୍ଟିରୁ ଏହା ଅତ୍ୟନ୍ତ ଉଦାର ଥିଲା । ପଞ୍ଚସଖା କୌଣସି ପ୍ରକରାର ଜାତିଭେଦ ସ୍ଵୀକାର କରିନାହାନ୍ତି । ସବୁ ଜାତିରୁ ସେମାନେ ଶିଷ୍ୟ ଗ୍ରହଣ କରୁଥିଲେ । କୌଣସି ଏକ ଅବହେଳିତ ଜାତିସହିତ ସମ୍ମିଳିତ ହୋଇ ତାହାର ବିକାଶ ଲାଗି ପଞ୍ଚସଖା ଚେଷ୍ଟା ମଧ୍ୟ କରିଥିଲେ । ବଳରାମ ଆପଣାକୁ ବାଉରି ବୋଲି କହିଚନ୍ତି । ଅଚ୍ୟୁତାନନ୍ଦ ଗୋପାଳମାନଙ୍କର ଧର୍ମଗୁରୁ ଥିଲେ । ତାଙ୍କର ‘ଗୋପାଳଙ୍କ ଉଗାଳ’ ପୋଥିରୁ ଏହାର ପ୍ରମାଣ ମିଳୁଚି ।

 

(୪)

 

ଶ୍ରୀଚୈତନ୍ୟ ଦେବ ଓ ପଞ୍ଚସଖା–

 

ପଞ୍ଚସଖା ଶ୍ରେଚୈତନ୍ୟଙ୍କର ସମସାମୟିକ ଥିଲେ । ଶ୍ରୀକ୍ଷେତ୍ର ବା ପୁରୀଠାରେ ଚୈତନ୍ୟଙ୍କର ଅନ୍ତଲୀଳା ହୋଇଥିଲା । ସେତେବେଳେ ପଞ୍ଚସଖା ତାଙ୍କର ସମ୍ପର୍କରେ ଆସିଥିଲେ । ପ୍ରତ୍ୟେକ ସଖା ତାଙ୍କଠାରୁ ପ୍ରଥମ ଦୀକ୍ଷା ଗ୍ରହଣ କରିଥିଲେ । କିନ୍ତୁ ସଂପୂର୍ଣ୍ଣ ଶିଷ୍ୟତ୍ଵ ସ୍ଵୀକାର କରିବା ଉଦ୍ଦେଶ୍ୟରେ ଯଦି ଏହି ଦୀକ୍ଷା ଗ୍ରହଣ କରାଯାଇଥାନ୍ତା, ତେବେ ପଞ୍ଚସଖା-ଧର୍ମ ଓ ଗୋଡ଼ୀୟ ବୈଷ୍ଣବ-ଧର୍ମ ମଧ୍ୟରେ କୌଣସି ପ୍ରଭେଦ ରହିନଥାନ୍ତା । ଜଗନ୍ନାଥ-ଅନୁଷ୍ଠାନରେ ପ୍ରତିକୃତ ହୋଇ ଯେଉଁ ଧର୍ମଧାରା ଦୀର୍ଘକାଳରୁ ଓଡ଼ିଶାରେ ବିକଶିତ ହୋଇ ଆସୁଥିଲା, ପଞ୍ଚସଖା ସେହି ଧାରାର ପାଞ୍ଚଜଣ ଦିଗଦର୍ଶକ ଥିଲେ । ଚୈତନ୍ୟଙ୍କଠାରୁ ଗ୍ରହଣ କରିଥିବା ଦୀକ୍ଷାର ପ୍ରସଙ୍ଗରେ ମଧ୍ୟ ସେମାନଙ୍କର ପ୍ରଭେଦ ସ୍ପଷ୍ଟ ହୋଇଯାଉଚି । ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ଆପଣାର ଇଷ୍ଟ ଦେବତାଙ୍କର ଆଜ୍ଞାରେ ହିଁ ସେମାନେ ଚୈତନ୍ୟଙ୍କଠାରୁ ମନ୍ତ୍ରଦୀକ୍ଷା ନେଇଥିଲେ ।

 

ତତ୍କାଳୀନ ରାଜା ଶ୍ରୀ ପ୍ରତାପରୁଦ୍ର ଦେବ ନବାଗତ ଚୈତନ୍ୟଧର୍ମର ଜଣେ ବଡ଼ ପୋଷାକ ଓ ପ୍ରୋତ୍ସାହକ ଥିଲର, ଶ୍ରୀଚୈତନ୍ୟ ମଧ୍ୟ ଜଗନ୍ନାଥଙ୍କୁ ଆପଣାର ପରମ ଦେବାତରୂପେ ସ୍ଵୀକାର କରି ନେଇଥିଲେ । ପ୍ରଥମ କାଳରେ ରାଜା ପଞ୍ଚସଖା-ଧର୍ମପ୍ରତି ଆଦୌ ପ୍ରସନ୍ନ ନ ଥିଲେ । ବଳରାମ ଓ ଅଚ୍ୟୁତାନନ୍ଦଙ୍କୁ ପୁରୀଠାରେ ଏକାଧିକବାର ରାଜକଟାକ୍ଷ ଦ୍ଵାରା ପୀଡ଼ିତ ହେବାକୁ ପଡ଼ିଥିଲା । ପଞ୍ଚସଖା-ଧର୍ମର ପ୍ରବାହ ସହିତ ଉତ୍କଳର ଏକ ସମାଜ-ଜାଗରଣର ଆଭାସ ଆସିଲା, ଯେଉଁ କାରଣରୁ କି ରାଜା ଏବଂ ତାଙ୍କର ଆଶ୍ରିତ ବ୍ରାହ୍ମଣ ପଣ୍ଡିତମାନେ ପଞ୍ଚସଖାଙ୍କୁ ଶାସ୍ତିଭୋଗ କରିବାକୁ ପଡ଼ିଥିଲା । ସେମାନେ ଯଦି ଚୈତନ୍ୟଙ୍କର କେବଳ ପରିକର ଅନୁଗାମୀ ଥିଲେ, ତେବେ ଏହା କିପରି ସମ୍ଭବ ହେଲା ? ପ୍ରମାଣ ମିଳେ ଯେ ଥରେ ରାଜା ବଳରାମଙ୍କର ମହତ୍ତ୍ଵର ପରିଚାୟ ପାଇ ତାଙ୍କୁ ପରମାଗୁରୁ ରୂପେ ସ୍ଵୀକାର କଲେ, କାରଣ ଚୈତନ୍ୟଦେବଙ୍କୁ ସେ ଆଗରୁ ଗୁରୁବୋଲି ସ୍ଵୀକାର କରି ସାରିଥିଲେ । ପଞ୍ଚସଖା-ଧର୍ମ ଯେ ଚୈତନ୍ୟ-ମାର୍ଗରୁ ଅବଶ୍ୟ ପୃଥକ୍ ଥିଲା, ଏଥିରୁ ଏହି ସଂଶୟ ଆହୁରି ଦୃଢ଼ ହୋଇଯାଉଚି ।

 

ମନ୍ତ୍ର ଓ କୀର୍ତ୍ତଙ୍କୁ ସାଧନରୂପେ ସ୍ଵୀକାର କରି ପଞ୍ଚସଖାଙ୍କର ଦୃଷ୍ଟି ତଥାପି ନାମ ଓ ବ୍ରହ୍ମପର୍ଯ୍ୟନ୍ତ ପ୍ରସାରିତ ହୋଇ ରହିଚି । ଅଚ୍ୟୁତାନନ୍ଦ ନିତ୍ୟରାସର ଓ ଶୂନ୍ୟରାସର ବର୍ଣ୍ଣନା କରିଛନ୍ତି-। ଗୌଡ଼ୀୟ ବୈଷ୍ଣବ-ସାହିତ୍ୟରେ ସ୍ଥାନେ ସ୍ଥାନେ ନିତ୍ୟରାସର ଉଲ୍ଲେଖ ରହିଚି । ତଥାପି ପ୍ରେମ ଓ ମିଳନର ଦ୍ଵୈତ କଳ୍ପନାକୁ ହିଁ ଏଥିରେ ପ୍ରଧାନତା ଦିଆଯାଇଚି । ଅଚ୍ୟୁତାନନ୍ଦଙ୍କର ଗୋଟିଏ ଅପ୍ରକାଶିତ ପୋଥିରେ ରାସର ତତ୍ତ୍ଵମୂଳକ ଦୃଷ୍ଟିର ସ୍ପଷ୍ଟ ପ୍ରମାଣ ମିଳୁଚି । ଏଥିରେ ରାଧାଙ୍କୁ ମୂଳାପ୍ରକୃତି ବୋଲି କୁହାଯାଇଚି । ତନ୍ତ୍ରର ତତ୍ତ୍ଵ ରାଧାକୃଷ୍ଣଙ୍କର ପ୍ରେମକଥାର ମଝିରେ ଏହି ପୁସ୍ତକ ଏକ ସୁନ୍ଦର ସମନ୍ଵୟ କରିବାକୁ ଚେଷ୍ଟା କରିଚି । ‘ଗୁରୁଭକ୍ତି ଗୀତା’ରେ ଅଚ୍ୟୁତାନନ୍ଦ ଲେଖିଅଛନ୍ତି, ‘କେବଳ କୋଟିକେ ଗୋଟିଏ ତାଙ୍କୁ ଚିହ୍ନିପାରନ୍ତି ଏବଂ ଆପଣାର କାମନାଗୁଡ଼ିକୁ ଏକମୁଖ କରି ତାଙ୍କୁ ସମର୍ପଣ କରିଦେଇ ପାରନ୍ତି । ଆପଣାର ଆରାଧନାପଥରେ ଶେଷରେ ପରମରେ ଲୀନ ହୋଇଯିବାକୁ ପଡ଼ିବ । ଶୂନ୍ୟରାସକୁ ଛାଡ଼ିଦେଇ ବିଶୁଦ୍ଧ ରାସର କୌଣସି କଳ୍ପନା କରାଯାଇ ନପାରେ ।”

 

ଚୈତନ୍ୟ ବଳରାମଙ୍କୁ ଜଣେ ଗୁରୁର ସମ୍ମାନ ଦେଇଚନ୍ତି । ଭାଗବତର ଓଡ଼ିଆ ଅନୁବାଦ ଶୁଣି ଜଗନ୍ନାଥଙ୍କୁ ସେ ‘ଅତିବଡ଼ୀ’ ଉପାଧିରେ ଭୂଷିତ କରିଚନ୍ତି । ଭାଗବତର ଓଡ଼ିଆ ଅନୁବାଦ ଶୁଣି ଜଗନ୍ନାଥଙ୍କୁ ସେ ‘ଅତିବଡ଼ୀ’ ଉପାଧିରେ ଭୂଷିତ କରିଚନ୍ତି । ତାଙ୍କର ଜୀବଦ୍ଦଶାରେ ହିଁ ଗୋଡ଼ୀୟ ଧର୍ମରେ ଅଧଃପତନର ସୂଚନା ମିଳିଥିଲା ଏବଂ ପଞ୍ଚସଖାଙ୍କର ଅନ୍ତର୍ମୁଖୀ ଦୃଷ୍ଟିକୁ ଯଥାର୍ଥରେ ବୁଝିପାରି ସମ୍ଭବତଃ ଶ୍ରୀଚୈତନ୍ୟ ଶେଷ ଜୀବନ ପୁରୀରେ କଟାଇବାକୁ ସ୍ଥିର କରିଥିଲେ । କିନ୍ତୁ ଚୈତନ୍ୟଙ୍କର ଅନୁଗାମୀମାନଙ୍କୁ ଏକଥା ଭଲ ଲାଗିଲା ନାହିଁ । ଦିବାକର ଦାସଙ୍କ ଲିଖିତ ଜଗନ୍ନାଥ-ଚାରିତାମୃତରେ ଏହି ଘଟନାର ବିବରଣ ଦିଆଯାଇଚି ଓ ଏହା ଚୈତନ୍ୟଙ୍କର ଅନ୍ତଲୀଳା ଉପରେ ବହୁତ ଆଲୋକପାତ କରୁଚି ।

 

ଓଡ଼ିଆ ବ୍ରାହ୍ମଣ ଜଗନ୍ନାଥ ଦାସଙ୍କର ଅନ୍ତରଙ୍ଗ ହୋଇ ଚୈତନ୍ୟ ଓଡ଼ିଆ ହୋଇଯିବେ, ଏହି ଶଙ୍କାରେ ଚୈତନ୍ୟଙ୍କର ଶିଷ୍ୟମାନେ ଭାରି ଅପ୍ରସନ୍ନ ହୋଇ ପୁରୀରୁ ଯାଜପୁର ଚାଲିଆସିଲେ-। ସେଠାରୁ ପୁଣି ବୃନ୍ଦାବନ ଚାଲିଗଲେ । ଦିବାକର ଦାସ ଲେଖିଚନ୍ତି, “ସେମାନେ ପୁରୁଷୋତ୍ତମର ସକଳ ରୀତି ଛାଡ଼ିଲେ । ହରେ ରାମକୃଷ୍ଣ ଛାଡ଼ି ହରେକୃଷ୍ଣ ରାମ ଜପିଲେ, ଯୁଗଳ-ଗାୟତ୍ରୀ ଛାଡ଼ି କାମଗାୟତ୍ରୀ ଗ୍ରହଣ କଲେ । ଜଗନ୍ନାଥଙ୍କୁ ଛାଡ଼ିଦେଇ ମଦନମୋହନଙ୍କର ଆଶ୍ରୟ ନେଲେ, କଳ୍ପତରୁ ଛାଡ଼ି କଦମ୍ବବୃକ୍ଷକୁ ଗ୍ରହଣ କଲେ ।” ହରେରାମକୃଷ୍ଣ ହେଉଚି ପଞ୍ଚସଖାଙ୍କର ବିଶେଷ ମନ୍ତ୍ର, ଅଚ୍ୟୁତାନନ୍ଦଙ୍କର ‘ନିତ୍ୟରାସ’ ଓ ‘କଳିଯୁଗ ଗୀତା’ରୁ ଏହାର ପ୍ରମାଣ ମିଳୁଚି ।

 

ଶ୍ରୀ ବିମାନବିହାରୀ ମଜମୁଦାର (ଚୈତନ୍ୟଙ୍କ ସମ୍ବନ୍ଧରେ ସେ ଲେଖିଥିବା ବଙ୍ଗଳା ପୁସ୍ତକରେ) ଗୌଡ଼ୀୟ ଏବଂ ଓଡ଼ିଆ ବୈଷ୍ଣବ ମଧ୍ୟରେ ହୋଇଥିବା ଏହି ମତଭେଦକୁ ସ୍ଵୀକାର କରିଚନ୍ତି, କିନରୁ ଉପରେ ଦିଆଯାଇଥିବା ବିବରଣୀକୁ ବିଶ୍ଵାସଯୋଗ୍ୟ ବୋଲି ସ୍ଵୀକାର କରିନାହାନ୍ତି-। ଚୈତନ୍ୟଙ୍କର ଶିଷ୍ୟମାନେ କଦାପି ଏପରି ନୀଚ ଓ ବିଦ୍ଵେଷପରାୟଣ ହୋଇନଥିବେ, କେବଳ ଏହି ଗୋଟିଏ ଯୁକ୍ତି ସେ ଦେଇଚନ୍ତି । ପୁସ୍ତକର ମୁଖବନ୍ଧରେ ଆପଣାର ଦୃଷ୍ଟିକୋଣ ବିଷୟରେ ସେ ଲେଖିଚନ୍ତି ଯେ ଜଣେ ଭକ୍ତିର ଦୃଷ୍ଟି ନେଇ ସେ ଏହି ଗ୍ରନ୍ଥ ରଚନା କରିଚନ୍ତି । ଏବଂ ଏପରି କ୍ଷେତ୍ରରେ ସତ୍ୟକୁ ଗୋପନ କରି ମୁଗଧ ହେବାର ଆଶଙ୍କା ସର୍ବଦା ଅଧିକ ରହିଥାଏ ।

 

ବଙ୍ଗଳା ବୈଷ୍ଣବ-ସାହିତ୍ୟରେ ଚୈତନ୍ୟଙ୍କର ଅନ୍ତଲୀଳାବିଷୟକ ଆଲୋଚନା ବଡ଼ ଅସ୍ପଷ୍ଟ ଓ ସଂକ୍ଷିପ୍ତ । ହୁଏତ ଜାଣି ଶୁଣି ଏପରି କରାଯାଇଚି ବୋଲି ବେଳେ ବେଳେ ସନ୍ଦେହ ହୁଏ । ପଞ୍ଚସଖା ସବୁଠାରେ ଚୈତନ୍ୟଙ୍କୁ ଗୁରୁବୋଲି ସ୍ଵୀକାର କରିଚନ୍ତି, ଏପରିକି ସେମାନେ ତାଙ୍କୁ ଜଗନ୍ନାଥଙ୍କ ସହିତ ଏକାତ୍ମ କରିଦେଇଚନ୍ତି । କିନ୍ତୁ ଅତି ଆଶ୍ଚର୍ଯ୍ୟର ବିଷୟ ଯେ ଗୌଡ଼ୀୟ ବୈଷ୍ଣବ-ସାହିତ୍ୟରେ ପଞ୍ଚସଖାଙ୍କର କୌଣସି ଚର୍ଚ୍ଚା ହୋଇନାହିଁ । ଚୈତନ୍ୟ-ଭକ୍ତ ମାଧବ ପଟ୍ଟନାୟକ ଲେଖିଥିବା ଓଡ଼ିଆ ପୋଥି ‘ଚୈତନ୍ୟ ବିଳାସ’ରେ ମଧ୍ୟ ପଞ୍ଚସଖାଙ୍କ ବିଷୟରେ ଆଦୌ କୌଣସି ଉଲ୍ଲେଖ ନାହିଁ । ଏହାକୁ କେବଳ ଆକସ୍ମିକ ବୋଲି କଦାପି କୁହାଯାଇ ପାରିବ ନାହିଁ । ଏହି ଦୃଷ୍ଟିରୁ ଦେଖିଲେ ଦିବାକର ଦାସଙ୍କର ବିବରଣୀ ସତ୍ୟବୋଲି ମନେହୁଏ । ଭକ୍ତମାନେ ପୁରୀ ଛାଡ଼ି ବୃନ୍ଦାବନ ଚାଲିଯିବା ପରେ ମଧ୍ୟ ଚୈତନ୍ୟ ତାଙ୍କର ଅବଶିଷ୍ଟ ଜୀବନ ପୁରୀଠାରେ କଟାଇଥିଲେ, ଏହି ଘଟଣାଟି ଆମର ଅନୁମାନକୁ ଅଧିକ ପୁଷ୍ଟ କରିଦେଉଚି ।

 

ଆଜି ଓଡ଼ିଶାରେ ଗୌଡ଼ୀୟ ବୈଷ୍ଣବଧର୍ମର ଅଧିକ ପ୍ରସାର ହୋଇଚି । ବଙ୍ଗଳା କୀର୍ତ୍ତନ ଆଜି ମଧ୍ୟ ଓଡ଼ିଶାରେ ବଡ଼ ଲୋକପ୍ରିୟ ହୋଇ ରହିଚି । ତଥାପି ରାଜପୋଷକତା ସତ୍ତ୍ୱେ ଗୌଡ଼ୀୟ ଶାଖାର ବୈଷ୍ଣବଧର୍ମ ଯେ ଓଡ଼ିଶାରେ ଶୀଘ୍ର ଆପଣାର ସ୍ଥାନକୁ ଦୃଢ଼କରି ପାରିନଥିଲା, ଏହା ଆମକୁ ସ୍ଵୀକାର କରିବାକୁ ପଡ଼ିବ ।

 

ତଥାପି ଏହି ବିଷୟରେ କୌଣସି ସ୍ଥିର ନିଶ୍ଚୟରେ ପହଞ୍ଚିବା ଉଚିତ ହେବନାହିଁ । ଚୈତନ୍ୟଙ୍କର ଅନ୍ତଲୀଳାର ପୂର୍ଣ୍ଣ ବିବରଣ ଏପର୍ଯ୍ୟନ୍ତ ଅନ୍ଧକାର ଭିତରେ ରହିଚି । ଏହି ପ୍ରସଙ୍ଗ ଉପରେ ଆଲୋକପାତ କରୁଥିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପୋଥି ଈଶ୍ଵରଦାସଙ୍କର ‘ଚୈତନ୍ୟ ଭାଗବତ’ ଏପର୍ଯ୍ୟନ୍ତ ଅପ୍ରକାଶିତ ରହିଚି । ଚୈତନ୍ୟ–ସମ୍ବନ୍ଧୀୟ ଅନେକ ପୋଥି ଏପର୍ଯ୍ୟନ୍ତ ଓଡ଼ିଶାର ନାନା ସ୍ଥାନରେ ପ୍ରଚ୍ଛନ୍ନ ହୋଇ ରହିଚି । ଆଶା କରାଯାଇପାରେ ଯେ ଆଲୋଚନା ପାଇଁ ଅଧିକରୁ ଅଧିକ ବିବରଣୀ ମିଳିବା ସଙ୍ଗେ ସଙ୍ଗେ ଆମେ ଚୈତନ୍ୟଙ୍କ ବିଷୟରେ ଅଧିକ ସାମଗ୍ରୀ ପାଇପାରିବା ଓ ଅଧିକ ନିର୍ଭରଯୋଗ୍ୟ ଭାବରେ ଆପଣାର ମତ ଦେଇପାରିବା ।

 

(୫)

 

ପଞ୍ଚସଖାଙ୍କର ବର୍ଣ୍ଣ ନିରୂପଣ–

 

ଭାରତୀୟ ସାମାଜିକ ପ୍ରଥାନୁସାରେ ପୁରାତନ କାଳରେ ଆରଣ୍ୟକ ଓ ସନ୍ନ୍ୟାସୀମାନଙ୍କର କୌଣସି ଜାତି ନଥିଲା । ଗୌତମ ବୁଦ୍ଧ ବର୍ଣ୍ଣପ୍ରସଙ୍ଗକୁ ଅସ୍ଵୀକାର କରି ଦେଇଥିଲେ । ଶାସ୍ତ୍ରରେ ଦିଆଯାଇଚି ଯେ ସନ୍ନ୍ୟାସ ଗ୍ରହଣ କରିବାପରେ ବ୍ୟକ୍ତି ଆପଣାର ଜାତି ଛାଡ଼ି ପରମ ପୁରୁଷରେ ପ୍ରତିଷ୍ଠିତ ହୁଏ ।

 

ମଧ୍ୟଯୁଗୀୟ ସନ୍ଥମାନଙ୍କ ବିଷୟରେ ମିଳୁଥିବା ସୂଚନାରୁ ଜଣାଯାଏ, କବୀର ତନ୍ତୀ ଥିଲେ, ଦାଦୁ ଭିଣାଳୀ ଥିଲେ, ରଇଦାସ ମୋଚି ଓ ନାମଦେବ ଦରଜୀ ଥିଲେ । ତିଲ୍ଲିପା, ତନ୍ତିପା, ହାଡ଼ିପା ଓ ଡୋମ୍ବିପା ପ୍ରଭୃତି ବୌଦ୍ଧ ସିଦ୍ଧାଚାର୍ଯ୍ୟଙ୍କର ନାମରୁ ସେମାନଙ୍କ ଜାତିର କ୍ଷୀଣ ଇଙ୍ଗିତ ମିଳୁଚି ଜାତିର କ୍ଷୀଣ ଇଙ୍ଗିତ ମିଳୁଚି । କିନ୍ତୁ ଏହି ସୂଚନା ସେତେ ବିଶ୍ଵାସଯୋଗ୍ୟ ହୋଇ ନ ପାରେ-। ଦୃଷ୍ଟାନ୍ତ ସ୍ଵରୂପ କବୀର ଆପଣାକୁ ଏକାଧାରରେ କୁମ୍ଭାର, ଧୋବା,ମୋଚି, ତେଲି, ହଳିଆ, କ୍ଷତ୍ରିୟ, ଭଣ୍ଡାରି, ବଢ଼େଇ ଓ ଅବଧୂତ ବୋଲି କହିଚନ୍ତି ।

 

ଓଡ଼ିଶାର ପଞ୍ଚସଖାଙ୍କ ବିଷୟରେ ମଧ୍ୟ ଠିକ୍ ଏହି ସନ୍ଦେହ ଜାତ ହୁଏ । ସମାଲୋଚକମାନେ ଅଚ୍ୟୁତାନନ୍ଦଙ୍କୁ ଗଉଡ଼ ଅଥବା କ୍ଷତ୍ରିୟ ବୋଲି ଅନୁମାନ କରିଚନ୍ତି । ସ୍ଵୟଂ ଅଚ୍ୟୁତାନନ୍ଦ ଲେଖିଚନ୍ତି, “ମୋର ପିତାମହ କରଣ ଥିଲେ ଏବଂ ରାଜଦରବାରରେ ନବସିନ୍ଧା କାମ କରୁଥିଲେ । ମୋର ପିତା ଜଗନ୍ନାଥ ମନ୍ଦିରରେ ସେବା ଖଟୁଥିଲେ ଓ ତାଙ୍କୁ ଖୁଣ୍ଟିଆ ଉପାଧି ମିଳିଥିଲା । ଜନ୍ମଗତ ଦୃଷ୍ଟିରୁ ସେମାନେ ଉଭୟେ କରଣ । କିନ୍ତୁ ମୁଁ ତ କରଣର କୌଣସି କାମ କରୁନାହିଁ । ତେଣୁ କରଣର ପୁଅ ହେଲେ ମଧ୍ୟ ମୋତେ କରଣ ବୋଲି କୁହାଯାଇ ପାରିବ ନାହିଁ ।”

 

ଜନ୍ମଜନ୍ମାନ୍ତରରୁ ସେମାନେ ଭକ୍ତିମାର୍ଗରେ ଭଗବାନଙ୍କର ସେବା କରି ଆସିଚନ୍ତି । ଶୂଦ୍ର ହେଉଚି ଭକ୍ତିମାର୍ଗର ପ୍ରତୀକ । ପୂର୍ଣ୍ଣ ସମର୍ପଣ ହେଉଚି ଭଗବତପ୍ରାପ୍ତିର ନିଶ୍ଚିନ୍ତ ମାର୍ଗ ଏବଂ ପ୍ରତୀକ ରୂପରେ ଏହା ହିଁ ଶୂଦ୍ର-ସ୍ଵଭାବ । ଅଚ୍ୟୁତାନନ୍ଦ ଲେଖିଚନ୍ତି, “ବ୍ରାହ୍ମଣ, କ୍ଷତ୍ରିୟ ବା ବୈଶ୍ୟ ହେବାଲାଗି ମୋର କୌଣସି ଅଭିଳାଷ ନାହିଁ । ଆପେ ବିନୀତ ହୋଇଗଲେ ମନ ବି ବିନୀତ ହୋଇଯାଏ । ତେଣୁ ମୁଁ ନିଜକୁ ଶୂଦ୍ର କହିବାକୁ ଠିକ୍ କରିଛି ।” ପୁଣି, “ତିନିଯୁଗରେ ଜଗନ୍ନାଥ ତିନି ଅବତାର ଗ୍ରହଣ କରିଚନ୍ତି । ମୁଁ କେବଳ ତାଙ୍କରି ଚରଣର ଦାସ, ତେଣୁ ମୁଁ ଶୂଦ୍ର । ମୋର ଭାବ ହେଉଚି ଶୂଦ୍ରର ଭାବ, ଶୂଦ୍ରବ୍ୟତୀତ ମୁଁ ଆଉ କିଛି ନୁହେଁ ।”

 

ଏହିପରି ଏକ ଧର୍ମଦୃଷ୍ଟିରୁ ଅଚ୍ୟୁତାନନ୍ଦ ଗୋପାଳ କୁଳରେ ଜନ୍ମ ନେଇଚନ୍ତି ବୋଲି କହନ୍ତି । ତାଙ୍କର ଗୀତାନୁବାଦରେ ବଳରାମ ନିଜକୁ ବାଉରି ବୋଲି ଘୋଷଣା କରିଚନ୍ତି । ବାଉରି ଆର୍ଯ୍ୟେତର ଜାତି ନୁହେଁ ବୋଲି ପ୍ରମାଣ କରିବାକୁ ଶ୍ରୀ ନଗେନ୍ଦ୍ର ନାଥ ବସୁ ବହୁତ ଚେଷ୍ଟା କରିଚନ୍ତି-। କିନ୍ତୁ ସନ୍ଥଙ୍କର ଜାତିକୁ ମନୁଙ୍କର ସମାଜବ୍ୟବସ୍ଥା ଭିତରେ ଖୋଜିବା ନିରର୍ଥକ । ମନ ହେଉଚି ସନ୍ଥମାନଙ୍କରେ ସର୍ବପ୍ରଧାନ ନିୟମଶାସ୍ତ୍ର ।

 

ଅଚ୍ୟୁତାନନ୍ଦଙ୍କର ପିତା ଖୁଣ୍ଟିଆ ପଦବୀ ପାଇଥିଲେ । ତଥାପି ଅଚ୍ୟୁତାନନ୍ଦ ଆପଣା ନାମର ପଛରେ ‘ଦାସ’ ପଦବୀ ଯୋଡ଼ିଚନ୍ତି । ବଳରାମ ଦାସ ପ୍ରଥମେ ବଳରାମ ମହାପାତ୍ର ଥିଲେ-। ଅନନ୍ତ ମହାନ୍ତି ପରେ ଅନନ୍ତ ଦାସ ହେଲେ । ଯଶୋବନ୍ତ ଦାସଙ୍କର ଉପାଧି ମଧ୍ୟ ପରବର୍ତ୍ତୀ କାଳର । ଆଜି ମଧ୍ୟ ପଞ୍ଚସଖାଙ୍କର ଶିଷ୍ୟମାନେ ଏହି ‘ଦାସ’ ଉପାଧିଦ୍ଵାରା ଆପଣାକୁ ପରିଚିତ କରାଉଥାନ୍ତି । ଏହା ସେମାନଙ୍କର ଧର୍ମ-ସମ୍ପ୍ରଦାୟର ସନ୍ତକ ହୋଇ ରହିଚି ।

 

ଓଡ଼ିଆ ସାହିତ୍ୟ ଓ ବୌଦ୍ଧଧର୍ମ

 

ବୁଦ୍ଧ ଜୟନ୍ତୀ ଉପଲକ୍ଷେ ମହାତ୍ମା ଗୌତମ ବୁଦ୍ଧଙ୍କର ଜୀବନ ଓ ଧର୍ମକଥା ସ୍ମରଣ କରିବାର ଶୁଭ ଅବସର ଏ ବର୍ଷ ଆମେ ପାଇଚୁ । ବୁଦ୍ଧଦେବ ବର୍ତ୍ତମାନ କେବଳ ଗୋଟିଏ ଧର୍ମର ପ୍ରଚାରକ ନୁହନ୍ତି ବା ସଂସାରର କେବଳ ଗୋଟିଏ ତଥାକଥିତ ଗୋଷ୍ଠୀର ଉପାସ୍ୟ ନୁହନ୍ତି । ଭାରତୀୟ ସଂସ୍କୃତି ବିକାଶରେ ତାଙ୍କର ପ୍ରେରଣା ସହଜରେ ଅନୁଭବ କରାଯାଇ ପାରିବ । ଏ ଦେଶର ସାହିତ୍ୟ ଓ ଶିଳ୍ପକୁ ମଧ୍ୟ ବୁଦ୍ଧଜୀବନୀ ଅନେକ ସାମଗ୍ରୀ ଯୋଗାଇଚି । ସଂସାରର ବୌଦ୍ଧ ଅବୌଦ୍ଧ ଅନେକ ଦାର୍ଶନିକ, ଅଶ୍ଵଘୋଷଙ୍କଠାରୁ ଆରମ୍ଭ କରି ଜର୍ମାନୀର ଆଧୁନିକ ସାହିତ୍ୟିକ ହେରମାନ୍ ହେସସେଙ୍କ ପର୍ଯ୍ୟନ୍ତ ଅଗଣିତ ଲେଖକ ଓ କବି ବୁଦ୍ଧଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଆସିଚନ୍ତି । କୌଣସି ଗୋଟିଏ ଧର୍ମର ପ୍ରଚାରକ ବା ସଂସ୍କାରକ ହିସାବରେ ନୁହେଁ, ବିଶ୍ଵ-ସଂସ୍କୃତିର ଏକ ନିର୍ମାଣକାରୀ ପ୍ରତିଭା ରୂପେ ବୁଦ୍ଧଙ୍କ ସ୍ମରଣ କରି ପାରିଲେ ଆମେ ସବୁଠାରୁ ଅଧିକ ଉପକୃତ ହୋଇପାରିବା ।

 

ଓଡ଼ିଶା ଭୁଇଁରେ ବୌଦ୍ଧଧର୍ମର ଏକ ବଳିଷ୍ଠ ଇତିହାସ ରହିଚି । ଖାଲି ଇତିହାସର ବିଭିନ୍ନ ଘଟଣା ଦେଇ ନୁହେଁ, ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି ଭିତରେ ଆମେ ବୌଦ୍ଧଧର୍ମର ଅନେକ ସୂଚନା ପାଇବା । ଅନେକ ଶତାବ୍ଦୀ ଧରି ଆଗେ ଓଡ଼ିଶାରେ ବୌଦ୍ଧଧର୍ମର ଲୀଳାଭୂମି ଭିକ୍ଷୁମାନଙ୍କପାଇଁ କେତେକ ବଡ଼ ବିହାର ଓ ବିଦ୍ୟାପୀଠମାନ ଥିଲା । ସେପରି ଅନୁମାନ କରିବାର ଯଥେଷ୍ଟ ପ୍ରମାଣ ଅଛି । ସେତେବେଳେ ଓଡ଼ିଶାର ଭାଷା ଏକ ସ୍ଵତନ୍ତ୍ର ଭାଷା ରୂପେ ଦାନା ବାନ୍ଧି ନଥିଲା, ଅର୍ଥାତ୍ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଏହି ଓଡ଼ିଶାରେ କାହ୍ନୁପାଦ, ସରାହପାଦ ଆଦି କେତେଜଣ ବୌଦ୍ଧ ସିଦ୍ଧଚାର୍ଯ୍ୟ ଥିଲେ ବୋଲି ସୂଚନା ମିଳିଚି । ତିବ୍ଦତରୁ ମିଳିଥିବା ପୋଥିମାନଙ୍କରୁ ଯେଉଁ ଚର୍ଯ୍ୟାପଦମାନଙ୍କର ଉଦ୍ଧାର କରାଯାଇଚି, ସେହିଥିରୁ ଏପରି ଅନୁମାନ କରାଯାଇପାରେ । ତେଣୁ ଓଡ଼ିଆ ସାହିତ୍ୟ ଯେ ସେହି ପ୍ରାରମ୍ଭ-ଯୁଗରୁ ବୌଦ୍ଧଧର୍ମର ଅନେକ ପ୍ରେରଣା ପାଇଥିବ ଏହା ଅତି ସହଜରେ ବୁଝିହେବ । ଓଡ଼ିଶାରେ ଜଗନ୍ନାଥଙ୍କୁ ବୁଦ୍ଧ ଅବତାର ବୋଲି ବହୁ କବି ବର୍ଣ୍ଣନା କରିଚନ୍ତି । ସାରଳା ମହାଭାରତରେ ମଧ୍ୟ ବୌଦ୍ଧଧର୍ମର ଅନେକ ପ୍ରଭାବ ପଡ଼ିଚି । ତତପରବର୍ତ୍ତୀ ପଞ୍ଚସଖା–ସାହିତ୍ୟରେ ବୌଦ୍ଧବିଚାରରେ ଏତେ ପ୍ରଭାତ ପଡ଼ିଚି ଯେ ଅନେକ ସମାଲୋଚକ ସେଥିରୁ ପଞ୍ଚସଖାଙ୍କୁ ପ୍ରଚ୍ଛନ୍ନ ବୌଦ୍ଧ ବୋଲି କହିଚନ୍ତି । ଅଚ୍ୟୁତାନନ୍ଦ ଦାସଙ୍କର ‘ଶୂନ୍ୟ ସଂହିତା’ ବା ସେହି ପର୍ଯ୍ୟାୟର ଆଉ କେତୋଟି ପୋଥି ପଢ଼ିଲେ ତାଙ୍କ ଉପରେ ବୌଦ୍ଧଧର୍ମର ମାର୍କା ଲଗାଇ ଦେବାକୁ ଲୋଭ ହେବା ଅତି ସ୍ଵାଭାବିକ । ଓଡ଼ିଆ ସାହିତ୍ୟର ପଞ୍ଚସଖା-ଯୁଗକୁ ଆମେ ନିର୍ଗୁଣ ସାହିତ୍ୟରେ ଯୁଗ ବୋଲି କହି ପାରିବା । ବଙ୍ଗୀୟ ବୈଷ୍ଣବ ଧର୍ମର ବନ୍ୟା ମାଡ଼ି ଆସିବା ଫଳରେ ଅବଶ୍ୟ ପଞ୍ଚସଖାଙ୍କ ପରେ ସଗୁଣ କଳ୍ପନାର ପ୍ରାଦୁର୍ଭାବ ଓଡ଼ିଶାରେ ବହୁତ ବଢ଼ିଗଲା । ତତକାଳୀନ ଓଡ଼ିଆ ରାଜାଙ୍କର ଆଶ୍ରୟ ଓ ଅନୁଗ୍ରହ ପାଇ ଅବଶ୍ୟ ସଗୁଣ ଧର୍ମ-ଧାରାର ଏକ ରାଜସିକ ଭକ୍ତିମାର୍ଗ ବେଶ ପ୍ରବଳ ହୋଇ ଉଠିଲା । ତଥାପି ଯେତେ କ୍ଷୀଣ ହେଲେ ମଧ୍ୟ ନିର୍ଗୁଣ ଧାରା ଓଡ଼ିଆ ସାହିତ୍ୟରେ ପ୍ରଧାନ ଅବଲମ୍ବନ ହୋଇ ରହିଲା । ଭଗବତ-ପ୍ରେମକୁ ନିମିତ୍ତମାତ୍ର କରି ଓଡ଼ିଶାର ଅନେକ କବି ଆଲଙ୍କାରିକ କାବ୍ୟ ଓ ସାହିତ୍ୟ ରଚନା କରିବାରେ ଲାଗିଲେ । ଓଡ଼ିଆ ସାହିତ୍ୟଲାଗି ଏକ ନୂଆ ସମ୍ଭାବନାକ୍ଷେତ୍ର ଖୋଲିଗଲା ଏବଂ ସେହି କ୍ଷେତ୍ରରେ ଓଡ଼ିଆ କବି ପ୍ରଭୂତ ଚମତ୍କାରିତା ଦେଖାଇ ପାରିଲେ । ତଥାପି ଏ ସମସ୍ତ ରାଜସିକତା ସତ୍ତ୍ୱେ ଅରକ୍ଷିତ ଦାସ, ଦେବାନନ୍ଦ ଦାସ ଓ ଦ୍ଵାରକା ଦାସଙ୍କର କେତୋଟି ଗ୍ରନ୍ଥ ମଧ୍ୟଦେଇ ସାହିତ୍ୟର ନିରାଡ଼ମ୍ବର ନିର୍ଗୁଣ ଧାରାଟି ବଞ୍ଚିରହିଲା । ରାଜକଟାକ୍ଷ ଓ ଲୋକ-ସମର୍ଥନର ଅନେକ ଦୂରରେ ନାନାସ୍ଥାନରେ ଓଡ଼ିଶାର ନିର୍ଗୁଣ ଧର୍ମର ଗୋଷ୍ଠୀମାନେ ବଞ୍ଚିରହିଲେ । ଉନବିଂଶ ଶତାବ୍ଦୀରେ ଏହି ନିର୍ଗୁଣ ଧର୍ମ-ସାଧନାର ପୁଣି ଏକ ବଳିଷ୍ଠ ଆତ୍ମପ୍ରକାଶ ହେଲା ଓଡ଼ିଶାର ମହିମା ଧର୍ମରେ । ସେହି କାଳର ଦୁଇଜଣ କବି ଭୀମ ଭୋଇ ଓ ଜୟକୃଷ୍ଣ ମହିମା ଧର୍ମର ଜରିଆରେ ଓଡ଼ିଆ ନିର୍ଗୁଣ ସାହିତ୍ୟର ପୁନରୁଜ୍ଜୀବନ କରାଇ ପାରିଥିଲେ ।

 

ଭୀମ ଭୋଇ ଜାତିରେ କନ୍ଧ ଥିଲେ । ସେ ଅନ୍ଧ ମଧ୍ୟ ଥିଲେ । ତଥାପି ଭଗବାନଙ୍କ ପ୍ରସାଦରୁ ସେ ଦିବ୍ୟ ଦୃଷ୍ଟି ଲାଭ କଲେ ଓ କାବ୍ୟ ରଚନା କରିବାର ଅଦ୍ଭୁତ ଶକ୍ତି ତାଙ୍କର ଆସିଲା ବୋଲି ସେ କହିଚନ୍ତି । ଓଡ଼ିଆ ସାହିତ୍ୟର ଯେକୌଣସି ସଂଗ୍ରହରେ ତାଙ୍କର ‘ସ୍ତୁତି-ଚିନ୍ତାମଣି’ ସ୍ଥାନ ପାଇ ପାରିବ । ଏତେ ସରଳ ଭାଷାରେ ଏପରି ସରସ ଓ ମଧୁର ସାହିତ୍ୟ ରଚନା କରିବା କେବଳ ପ୍ରତିଭାବାନ୍ କବି ପାଖରେ ସମ୍ଭବ ହୋଇପାରେ । ଏ ପୁସ୍ତକଟିକୁ କେବଳ ମହିମା ଧର୍ମର ପ୍ରଚାର ଲାଗି ଲିଖିତ ହୋଇଥିବା ପୁସ୍ତକ ବୋଲି କହି ଦେବନାହିଁ । ଗୋଷ୍ଠୀର ପ୍ରଚାର କରିବାର ଉତ୍ତେଜନା ଅପେକ୍ଷା ସହଜ ଭକ୍ତିର ଲାଳିତ୍ୟ ଏଥିରେ ଅଧିକ ରହିଚି । ମହିମା ଗୋଷ୍ଠୀର ବାହାରେ ଥିବା ଅନେକ ଗୃହସ୍ଥ ଏହି ଗ୍ରନ୍ଥକୁ ଅତି ଆଦରରେ ପଢ଼ନ୍ତି । ‘ସ୍ତୁତି-ଚିନ୍ତାମଣି’ ବ୍ୟତୀତ ଭୀମ ଭୋଇ ‘ଆଦ୍ୟନ୍ତ ଗୀତା’, ‘ନିର୍ବେଦ ସାଧନ’, ‘ଶ୍ରୁତିନିଷେଧ ଗୀତା’ ଓ ‘ବ୍ରହ୍ମ ନିରୂପଣ ଗୀତା’ ପ୍ରଭୃତି ଅନେକ ଛୋଟ କବିତା ପୋଥି ଲେଖି ଯାଇଚନ୍ତି । ତାଙ୍କର ଲିଖିତ ଶହ ଶହ ଚୌତିଶା ଓ ଭଜନର ସଂଗ୍ରହ ପ୍ରକାଶିତ ହୋଇଚି । ‘ମହିମା ବିନୋଦ’ ବୋଲି ସେ ଗୋଟିଏ ବିରାଟ ପ୍ରକ୍ଷିପ୍ତ ରଚାନ ବାଙ୍ଗାଲା ଭାଷାରେ ମଧ୍ୟ ଲେଖିଛନ୍ତି । ତାହା ଏ ପର୍ଯ୍ୟନ୍ତ ଅପ୍ରକାଶିତ ରହିଚି ।

 

ସାରା ଓଡ଼ିଶା ସଗୁଣ କଳ୍ପନାର ଜୀର୍ତ୍ତନରେ ଭୋଳ ହୋଇ ରହିଥିବାବେଳେ ଭୀମ ଭୋଇ ଓ ମହିମା ଧର୍ମର ଆବିର୍ଭାବ ହୋଇଥିଲା । ତେଣୁ ଆଚାର-ପ୍ରଧାନ ବ୍ରାହ୍ମଣ୍ୟ-ଧର୍ମର ଯେଉଁସବୁ ସଂସ୍କାର ଓ ପରିବର୍ତ୍ତନ ଆଣି ଭାରତରେ ବୁଦ୍ଧଦେବ ଓ ବୌଦ୍ଧଧର୍ମର ଆବିର୍ଭାବ ହେଇଥିଲା, ସେହିସବୁ ସଂସ୍କାର ଓ କଳ୍ପନାମାନ ଭୀମ ଭୋଇଙ୍କ ଲେଖାରେ ପୂରି ରହିଚି । ଭୀମ ଭୋଇ କୌଣସି ଜାତି ମାନି ନାହାନ୍ତି । ଧର୍ମ ସାଧନାରେ କୌଣସି ଜାତିଗତ ଅଧିକାର ସ୍ଵୀକାର କରି ନାହାନ୍ତି । ପୂଜା ପାର୍ବଣ ଓ ଯାବତୀୟ ବାହ୍ୟ ଭେକାଚାରକ ସେ ଧର୍ମର ଭ୍ରମ ବୋଲି କହିଚନ୍ତି-। ଗୃହସ୍ଥ ଓ ସନ୍ନ୍ୟାସୀ ଉଭୟେ ଆପଣା ଆପଣା କ୍ଷେତ୍ରରେ ରହି ଯେ ଧର୍ମର ଆଚରଣ କରି ପାରିବେ, ଏକଥା ସେ ସ୍ପଷ୍ଟ ଭାବରେ ଘୋଷଣାକରି ପାରିଚନ୍ତି । ଧର୍ମର ଭୂମି ବାହାରେ କୌଣସି ପ୍ରକାର ଆଚାର ଆଡ଼ମ୍ବରରେ ନୁହେଁ, ମଣିଷର ସବୁ ଧର୍ମଚର୍ଯ୍ୟା ତା’ର ମନର ଅନୁଭବରେ । ଏହାକୁ ହିଁ ଭୀମ ଭୋଇ ବଖାଣି ଥିବା ଧର୍ମସାହିତ୍ୟର ସାରକଥା ବୋଲି କହିବାକୁ ହେବ । ଧର୍ମ ବା ଭଗବାନଙ୍କର ନିକଟତର ହେବାଲାଗି ଜ୍ଞାନ ଦରକାର, ଭକ୍ତି ଦରକାର, ସେବା ମଧ୍ୟ ଦରକାର । କିନ୍ତୁ ତଥାପି ଏସବୁ ନିମିତ୍ତମାତ୍ର, କେବଳ ସରଣୀମାତ୍ର । ଅନ୍ତର୍ଗତ ଅନୁଭବ ଓ ସମତା ହିଁ ଧାର୍ମିକ ଜୀବନର ସବୁଠାରୁ ବଡ଼ ମାନଦଣ୍ଡ । ଭୀମ ଭୋଇଙ୍କର କବିତାରେ ଏସବୁ ସୂଚନା ଜୀବନର ମହାଯାନ ବୌଦ୍ଧଧର୍ମର ଏକ ପ୍ରଧାନ ଗ୍ରନ୍ଥ ବୌଦ୍ଧଚର୍ଯ୍ୟାବତାରପଞ୍ଜିକା କଥା ମନେ ପଡ଼ିଯାଏ । ସବୁ ଧର୍ମର ମୂଳରେ ଚିତ୍ତ ବା ମନ ରହିଛି । ଏହିକଥା ନାନା ଉପମା ଓ ଅଭିଧା ଦେଇ ସେ ଗ୍ରନ୍ଥରେ କୁହାଯାଇଚି । ଏହିସବୁ ସମାନଧର୍ମୀ ଭାବନା ଓ ଶୂନ୍ୟ ପ୍ରଭୃତି କେତୋଟି ଶବ୍ଦର ବ୍ୟବହାର ଦେଖି ଅନେକେ ଭୀମ ଭୋଇଙ୍କୁ ବୌଦ୍ଧ ବୋଲି କହିଚନ୍ତି । ଏପରି ଏକ ସିଦ୍ଧାନ୍ତ ପଛରେ ଧର୍ମର ଏକ କ୍ଲିଷ୍ଟକଳ୍ପନା ନିହିତ ରହିଚି ବୋଲି ମୁଁ କହିବି । ବୌଦ୍ଧଶାସ୍ତ୍ର ସଦ୍ଧର୍ମ ପୁଣ୍ଡରୀକରେ ଧର୍ମ ଓ ଧର୍ମପର୍ଯ୍ୟାୟକୁ ଭିନ୍ନ ଭିନ୍ନ କରି ବିଚାର କରିବା ଲାଗି ପରାମର୍ଶ ଦିଆଯାଇଚି-। ଗୌତମ ବୁଦ୍ଧ ପ୍ରଚାର କରିଥିବା ମାର୍ଗଟିକୁ ଭାରତୀୟ ଧର୍ମର ଏକ ପର୍ଯ୍ୟାୟ ବୋଲି କହିବାକୁ ହେବ । ଗତ ଅନେକ ଶତାବ୍ଦୀର ବିକାଶ ମଧ୍ୟଦେଇ ବୁଦ୍ଧପୂର୍ବ ନିରୁତା ହିନ୍ଦୁ ଧର୍ମ ଓ ବୁଦ୍ଧଙ୍କର ପ୍ରଚାରିତ ମାର୍ଗ ପରସ୍ପର ସହିତ ଏତେ ଓତଃପ୍ରୋତ ଭାବେ ମିଶିଯାଇଚି ଯେ ବର୍ତ୍ତମାନ ଭାରତୀୟ ସଂସ୍କୃତିରେ ହିନ୍ଦୁ ଧର୍ମଠାରୁ ବୌଦ୍ଧଧର୍ମକୁ ଅଲଗା କରି ଦେଖାଇବାକୁ ଏକ ଅଯୌକ୍ତିକ ପ୍ରୟାସ ବୋଲି କୁହାଯାଇ ପାରିବ । ଭାରତରେ କେବଳ ହିନ୍ଦୁ ବା କେବଳ ବୌଦ୍ଧ କୌଣସିଠାରେ ନାହାନ୍ତି-। ଏ ଦେଶରେ ପ୍ରତ୍ୟେକ ହିନ୍ଦୁଙ୍କୁ ବୌଦ୍ଧ ଓ ପ୍ରତ୍ୟେକ ବୌଦ୍ଧଙ୍କୁ ହିନ୍ଦୁ କହିବା ଅଧିକ ଯୁକ୍ତିଯୁକ୍ତ ହେବ-। ଗୌତମ-ପ୍ରଚାରିତ ଧର୍ମର ଅଧିକ ଗବେଷଣା ହେବା ଫଳରେ ଏ ବିଶ୍ଵାସ ଆମର ଦୃଢ଼ ହୋଇ ଯାଉଚି । ହିନ୍ଦୁଧର୍ମର ଦୀର୍ଘ ଇତିହାସରେ ଗୌତମ ବୁଦ୍ଧଙ୍କୁ ଜଣେ ମହାନ୍ ସଂସ୍କାରକ ହିସାବରେ ଗ୍ରହଣ କରି ପାରିଲେ ଆମେ ସବୁଠାରୁ ଅଧିକ ନ୍ୟାୟବିଚାର କରିପାରିବା । ତତକାଳୀନ ଧର୍ମ ଉପରେ ଯେଉଁସବୁ ରୂଢ଼ିଗତ ମଳିନତା ବସି ଯାଇଥିଲା ଗୌତମ ବୁଦ୍ଧ ସେସବୁ ମଳିନତାକୁ ଅସ୍ଵୀକାର କରି ଭାରତକୁ ଏକ ମାର୍ଜିତ ମୋହମୁକ୍ତ ବାଟ ଦେଖାଇଥିଲେ । ହିନ୍ଦୁ ଧର୍ମର କୌଣସି ତତ୍ତ୍ଵଟିକୁ ସେ ଧର୍ମ ଭିତରୁ ଫୋପାଡ଼ି ଦେଇ ନାହାନ୍ତି । କେବଳ ତତକାଳୀନ ଆବଶ୍ୟକତା ଓ ସଂସ୍କାର ଦୃଷ୍ଟିରୁ ସେ କେତୋଟି ଉପରେ ଅଧିକ ମହତ୍ତ୍ଵ ଦେଇଚନ୍ତି ଓ ଆଉ କେତୋଟି ବିଷୟରେ ନୀରବ ରହିଚନ୍ତି ।

 

‘ଆତ୍ମାନଂ ବିଦ୍ଧି’,-‘ଆତ୍ମାକୁ ବା ଆପଣାକୁ ଜାଣ’ ହେଉଚି ଉପନିଷଦର ତଥା ହିନ୍ଦୁ ଧର୍ମର ପ୍ରଧାନ ସାରକଥା । ‘ବିନିମୟ ପିଟକ’ରେ ଗୌତମ ମଧ୍ୟ ଠିକ୍ ଏହି କଥା କହିଚନ୍ତି- ‘ଅତ୍ତାନଂ ଗବେଷେୟାତଥ’–ଆପଣାର ବା ଆତ୍ମାର ଅନୁସନ୍ଧାନ କର । ସବୁ ଯାଗ, ଯଜ୍ଞ, ଆଚାର ଓ ଆଡ଼ମ୍ବରର ପଛରେ ହିନ୍ଦୁଧର୍ମର ନାନା ଶାସ୍ତ୍ରରେ ଏହା ହିଁ ଉଚ୍ଚାରିତ ହୋଇଚି । ଗୋଟିଏ ଯୁଗରେ ଆଚାର ଓ ଆଡ଼ମ୍ବର ଅତି ପ୍ରଧାନ ଓ ପ୍ରବଳ ହୋଇ ଉଠିଲାବେଳେ ଗୌତମ ମଧ୍ୟ ମଣିଷର ଜୀବନକୁ ଅନ୍ତର୍ମୁଖ କରିବାକୁ ଚେଷ୍ଟା କରିଚନ୍ତି । ଜୀବନକୁ ଧର୍ମ-ମୁଖ କରିବାକୁ ଚେଷ୍ଟା କରିଚନ୍ତି । ତାଙ୍କର ପ୍ରଚାରିତ ନିର୍ବାଣ, ବ୍ରହ୍ମବିହାର, ମୈତ୍ରୀ ଓ କରୁଣା ଶବ୍ଦର ଗଭୀର ଆଲୋଚନା କଲେ ଆମେ ଏହି ସତ୍ୟରେ ଉପନୀତ ହୋଇ ପାରିବା ।

 

ଗୋଟିଏ ଧର୍ମ ଛାଡ଼ି ଆଉ ଗୋଟିଏ ଧର୍ମ ଗ୍ରହଣ କରିବାର ପ୍ରବୃତ୍ତି ଇତିହାସରେ ଅନେକ ଦେଖିବାକୁ ମିଳେ । ହିନ୍ଦୁ ଧର୍ମରେ ଅନେକ ଦୋଷ ରହିଚି, ଅନେକ ଅସାମଞ୍ଜସ୍ୟ ରହିଚି । ତେଣୁ ହିନ୍ଦୁଧର୍ମ ଛାଡ଼ି ବୌଦ୍ଧ ଧର୍ମକୁ ଡେଇଁ ପଡ଼ିଲେ ଆମର ଭାଗ୍ୟୋଦୟ ହେବ ବା ଆମେ ଉଚିତ ବାଟକୁ ଆସିଯିବା, ଏପରି ବିଚାର ସମୟ ସମୟରେ ଶୁଣିବାକୁ ମିଳେ । ଓଡ଼ିଆ ସାହିତ୍ୟରେ ମଧ୍ୟ ବେଳେ ବେଳେ ଏପରି ଗନ୍ଧ ବେଶ୍ ବାରି ହୁଏ । ଗତ ଯେତେ ଶତାବ୍ଦୀ ଧରି ଖ୍ରୀଷ୍ଟିୟାନ ପାଦ୍ରୀମାନେ ଏପରି ଏକ ଧର୍ମାନ୍ତର-ଗ୍ରହଣରେ ଅଣଖ୍ରୀଷ୍ଟିୟାନ୍ ଧର୍ମରୁ ମୁକ୍ତି ନିହିତ ରହିଚି ବୋଲି ବିଶ୍ଵାସ କରି ଆସିଚନ୍ତି । ହିନ୍ଦୁ ଧର୍ମ ହରିଜନଙ୍କ ପ୍ରତି ଯେଉଁ ନିର୍ମମ ଅସମାଜିକତା ଦେଖାଉଚି, ସେଥିରୁ ରକ୍ଷାପାଇବାକୁ ସେମାନେ ସମସ୍ତେ ବୌଦ୍ଧ ହୋଇ ଯାଆନ୍ତୁ, ଏପରି ଏକ ପ୍ରଚାର ମଧ୍ୟ ମଧ୍ୟେ ମଧ୍ୟେ ଶୁଣିବାକୁ ମିଳେ । ଏପରି ବିଚାର ପକ୍ଷରେ ଯେତେ ଯୁକ୍ତି ବା ଖେଦୋକ୍ତି ଥାଉ ପଛକେ, ମୁଁ କହିବି ଏହାଦ୍ଵାରା ହିନ୍ଦୁ କି ବୌଦ୍ଧ କାହାରି କଲ୍ୟାଣ ସାଧିତ ହେବ ନାହିଁ । ସତ୍ୟ ବା ପରିତ୍ରାଣ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ବାଟରେ ନାହିଁ । ମାତ୍ର ଜୀବନକୁ ସତ୍ୟର ଅନୁକୂଳ କରି ଗଢ଼ିବାରେ ଏହା ନିହିତ ରହିଚି । ତୁଳନାତ୍ମକ ଧର୍ମାଲୋଚନାର ପ୍ରଥମ କାଳରେ ବିଶେଷତଃ ଇଉରୋପରେ ଗୋଟିଏ ଧର୍ମକୁ ଭଲ ଓ ଆଉ ଗୋଟିଏ ଧର୍ମକୁ ପ୍ରତିଷ୍ଠା ତ ବଢ଼ିଲା ନାହିଁ; ଓଲଟି ଧର୍ମ ନାଁରେ ଅନେକ ଘୃଣାକୁ ଆମନ୍ତ୍ରଣ କରି ଅଣାଗଲା । ମଣିଷର ବିଚାରରେ ଅନେକ ଘୃଣା ପଶିଗଲା ଘୃଣା ପଶିଗଲା । ଯେଉଁଠି ବିଚାର ଭିତରେ ଘୃଣାର ଲେଶ ମାତ୍ର ରହିଛି, ସେଇଠି ସେ ବିଚାରକୁ କେବଳ ଅନ୍ଧ ବିଚାର ବୋଲି କହିବାକୁ ହେବ । ଏ ଘୃଣାରେ ହିନ୍ଦୁଧର୍ମ ଛାଡ଼ି ବୌଦ୍ଧ ଧର୍ମକୁ ଗଲେ ବା ବୌଦ୍ଧ ଧର୍ମ ଛାଡ଼ି ହିନ୍ଦୁ ଧର୍ମକୁ ଆସିଲେ ମଧ୍ୟ ଆମେ ଯେଉଁ କ୍ଷେତ୍ରକୁ ଯିବା ସେ କ୍ଷେତ୍ରକୁ କଳୁଷିତ କରିଦେବା । ବୁଦ୍ଧଦେବଙ୍କର ଜୀବନ ବା ବାଣୀର କୌଣସି ସ୍ଥାନରେ ଘୃଣାର ଅବକାଶ ନାହିଁ । ସେଠି ଉଦାରତାକୁ ଯଥେଷ୍ଟ ସ୍ଥାନ ଦିଆଯାଇଚି । ମହାବଗଗରେ ଉଲ୍ଲେଖ ଅଛି ଯେ ବୁଦ୍ଧଦେବ ତାଙ୍କର ଜଣେ ଶିଷ୍ୟଙ୍କୁ ଜୈନ ନିଗନ୍ଥମାନଙ୍କୁ ଉତ୍ତମ ଆଦର ଦେଖାଇ ଭିକ୍ଷା ଦେବା ପାଇଁ କହିଚନ୍ତି । ଯିଏ ଆପଣାର ଧର୍ମକୁ ଅଧିକ ସମ୍ମାନ ଦେଖାଇବାକୁ ଯାଇ ଅପର ଧର୍ମର ଅବଜ୍ଞା ବା ଅପମାନ କରେ, ସେ ଆପଣା ସବୁଠାରୁ ବେଶି ଅକଲ୍ୟାଣ କରେ ବୋଲି ଅଶୋକ ତାଙ୍କର ଅନୁଶାସନରେ ଘୋଷଣା କରିଚନ୍ତି ।

 

ଅଙ୍ଗୁରର ନିକାୟର କେଶାପୁତ୍ତ କଥା ଏଠାରେ ଉଲ୍ଲେଖଯୋଗ୍ୟ । କେଶାପୁତ୍ତ ଠାରେ ବୁଦ୍ଧଙ୍କୁ ପଚାରିଲେ, “ଭଗବାନ, ସମସ୍ତେ ଆପଣା ଧର୍ମକୁ ଠିକ୍ ଓ ଅପର ଧର୍ମକୁ ଭୁଲ ବୋଲି କହୁଚନ୍ତି । ଏସବୁ ଭିତରୁ କେଉଁଟା ପାଳନ କରିବି, ଅକଥା ଭାବି ମୁଁ ବଡ଼ ସନ୍ଦେହରେ ପଡ଼ି ଯାଇଚି-।” ଭଗବାନ ବୁଦ୍ଧ ଉତ୍ତର ଦେଲେ, “ମୋର କଥା ଶୁଣ । କାହାରି କଥାରେ ବିଶ୍ଵାସ କର ନା-। ପ୍ରାଚୀନ ବୋଲି କୌଣସି ଧର୍ମକୁ ମାନି ନିଅ ନା । ବଡ଼ ମୁନି, ଋଷି ବା ପଣ୍ଡିତ କହୁଚନ୍ତି ବୋଲି କୌଣସି ଧର୍ମକୁ ସ୍ଵୀକାର କର ନା । ଆପଣା ଅନୁଭୂତି ଓ ଅନୁସନ୍ଧାନ ଦ୍ଵାରା ତୁମର ବିବେକ ଯାହାକୁ ଠିକ୍ ବୋଲି ମାନୁଚି, ଆପଣାର ଓ ସାରା ସଂସାରରେ ମଙ୍ଗଲ ଯାହାଦ୍ୱାରା ହେବ ବୋଲି ତୁମେ ଜାଣୁଚ, ତାହାକୁ ସତ୍ୟବୋଲି ଜାଣ ଓ ସେହି ବାଟରେ ଚାଲ ।”

 

ମୋର ଧର୍ମ ଭଲ, ଅନ୍ୟର ଧର୍ମ ଖରାପ ବା ଏହିଟା ଭଲ, ସେଇଟା ଖରାପ କହିଦେଲେ ଆମ ଧର୍ମ-ଚର୍ଚ୍ଚାର ସମସ୍ୟାମାନ ତୁଟିଯିବ ନାହିଁ । ସବୁ ଧର୍ମ-ପର୍ଯ୍ୟାୟର ତାତ୍ତ୍ଵିକ ଭୂମି ଏକ । ନାନା ସଂସ୍କୃତି ଓ ନାନା ଧର୍ମ-ପର୍ଯ୍ୟାୟର କଳେବର ଜରିଆରେ ମଣିଷର ମାନସିକ ଓ ଆଧ୍ୟାତ୍ମିକ ପ୍ରକାଶେଚ୍ଛା ଆପଣାକୁ ପ୍ରକାଶ କରି ଆସିଚି । ତୁଳନାତ୍ମକ ଧର୍ମ-ଅଧ୍ୟୟନରେ ଏହା ହିଁ ସର୍ବପ୍ରଧାନ ଉଦ୍ଦେଶ୍ୟ ହେବା ଉଚିତ୍ । ଆମେରିକାର କବି ହୁଇଟମ୍ୟାନଙ୍କ ଭାଷାରେ କହିବାକୁ ଗଲେ ମୋର ଧର୍ମ-ଭାବନା କେବଳ ମୋର ମୌଳିକ ସାମଗ୍ରୀ ନୁହେଁ । ମୋତେ ତାକୁ ସବୁକାଳ ଓ ସବୁ ଦେଶର ଧର୍ମଭାବନାରୂପେ ସ୍ଵୀକାର କରିବାକୁ ହେବ । ମୋର ଧର୍ମ-ସମ୍ପଦ ଯଦି ତୁମର ବା ଅପରର ମଧ୍ୟ ସମ୍ପଦ ନ ହୁଏ, ତେବେ ତାହା କେବଳ ଅସାର୍ଥକ ବୋଲି ମୁଁ କହିବି ଗୋଟିଏ ପାଞ୍ଜିରୁ ନାଆଁ କାଟି ଆଉ ଗୋଟିଏ ପାଞ୍ଜିରେ ଭର୍ତ୍ତି ହେଲେ ମଣିଷର ଦୁଃଖ ଯିବ ନାହିଁ । ଇତିହାସର ନାନା ଯୁଗରେ ସେହିପରି କେତେ ନାଁ କଟା ନାଁ ଲେଖା ହୋଇଚି । ଆମେ ପ୍ରତ୍ୟେକ ଧର୍ମର ସାର-ସଂପଦକୁ ଗ୍ରହଣ କରି ଶିଖିବା, ସେସବୁକୁ ଜୀବନରେ ଅବଲମ୍ବନ କରି ଶିଖିବା ଓ ସେହି ଅନୁସାରେ ଜୀବନର ଶୀଳକ୍ରମ ବଦଳାଇବାକୁ ଚେଷ୍ଟା କରିବା । ଏହି ଉଦାର-ଧର୍ମମୟ ଜୀବନ ଲାଗି ହିଁ ଆମର ଶକ୍ତି ନିୟୋଜିତ ହେବା ଉଚିତ । ଏପରି କରି ପାରିଲେ ଆମେ ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମ ଉଭୟ ପ୍ରତି ସାର୍ଥକ ଶ୍ରଦ୍ଧା ଦେଖାଇ ପାରିବା । ଭୀମ ଭୋଇଙ୍କ ପ୍ରତି ମଧ୍ୟ ସାର୍ଥକ ଶ୍ରଦ୍ଧା ଦେଖାଇ ପାରିବା ।

 

(କଟକ ବେତାର କେନ୍ଦ୍ର ସୌଜନରୁ)

Image

 

କବି ବିଦ୍ୟୁତପ୍ରଭା

 

ମୋତେ ଅମୁକଙ୍କର ଉପନ୍ୟାସ ବା ଅମୁକଙ୍କର କବିତା ସବୁଠାରୁ ଭଲଲାଗେ, ଅମୁକଙ୍କର ଉପନ୍ୟାସ ଲେଖାର ଢଙ୍ଗ ମୋତେ ଭଲଲାଗେ ନାହିଁ, ବା ଅମୁକ ବେଶ୍ ଭଲ ନାଟକ ଲେଖି ପାରନ୍ତି–ଏହିପରି ନାନା ପ୍ରାସଙ୍ଗିକ ମତ ଅବଶ୍ୟ ଆମେ କାରଣ ଅକାରଣରେ ଦେଇଥାଉଁ । ଆଗେ ରାଜ୍ୟରେ ରାଜା ଦରକାର ପଡ଼ିଲେ, ହାତୀକୁ ସୁବର୍ଣ୍ଣ କଳସ ଦେଇ ଛାଡ଼ି ଦିଆଯାଉଥିଲା । ହାତୀ ଯାହା ମୁଣ୍ଡରେ କଳସ ଢାଲୁଥିଲା, ସେ ରାଜ୍ୟର ରାଜା ହେଉଥିଲା । କିନ୍ତୁ ସାହିତ୍ୟକ୍ଷେତ୍ରରେ ଏହି ସହଜ ନିର୍ବାଚନ-ସୂତ୍ରଟି ଚଳିପାରିବ ନାହିଁ । ତାର କାରଣ, ବିଭିନ୍ନ ମଣିଷଙ୍କର ବିଭିନ୍ନ ଦୃଷ୍ଟିଗତ ଆଦର୍ଶ ରହିଚି । ସାହିତ୍ୟ କହିଲେ, ସମସ୍ତେ ସମାନ କଥା ବୁଝନ୍ତି ନାହିଁ । ତେଣୁ ସାହିତ୍ୟସୃଷ୍ଟିର କୋଟୀ ନିର୍ଣ୍ଣୟ କରିବାରେ ରୁଚି ଓ ଦୃଷ୍ଟିଗତ ପାର୍ଥକ୍ୟ ନିଶ୍ଚୟ ରହିବ । ମୁଁ ହୁଏତ ଓଡ଼ିଶାର ଜଣଙ୍କୁ ମୋର ପ୍ରିୟା ଲେଖକ ବୋଲି କହିବି, ନାନା ପ୍ରକାର ଯୁକ୍ତି ଦେଖାଇ ମୋର ପକ୍ଷ ପ୍ରମାଣ କରିବାକୁ ଚେଷ୍ଟା କରିବି । ତଥାପି ତଦ୍ୱାରା ମୋର ପ୍ରିୟ ଲେଖକଙ୍କର ପରିଚୟ ଅପେକ୍ଷା ମୋ ଲେଖାଟିରୁ ମୋର ନିଜସ୍ଵ ଦୃଷ୍ଟିକୋଣ ଓ ମୂଲ୍ୟବୋଧର ଅଧିକ ପରିଚୟ ଯେ ମିଳିବ, ଏହା ବୁଝିବାଲାଗି ଖୁବ୍ ବେଶୀ କଷ୍ଟସ୍ଵୀକାର କରିବାକୁ ପଡ଼ିବ ନାହିଁ । ସାହିତ୍ୟରସର ଆସ୍ଵାଦନ-କଳାକୁ ସମଝୁଥିବା ଯେକୌଣସି ବ୍ୟକ୍ତି ଏହାକୁ ବରଂ ଅତି ସ୍ଵାଭାବିକ ବୋଲି ମନେ କରିବେ ।

 

ଓଡ଼ିଶାର ଆୟତନକୁ ଅନାଇ ଓଡ଼ିଶାରେ ଲେଖକସଂଖ୍ୟା କିଛି କମ୍ ନାହିଁ । ପ୍ରତ୍ୟେକ ବର୍ଷ ନାନା ଛାପାଖାନାରୁ ଯଥେଷ୍ଟ ସଂଖ୍ୟାର ବହି ବାହାରି ସାହିତ୍ୟ-ସମୀକ୍ଷା କ୍ଷେତ୍ରରେ ଆପଣାର ସ୍ଥାନ ଦାବୀ କରୁଚନ୍ତି । ଦଶବର୍ଷ ତଳେ ଓଡ଼ିଶାରେ ବର୍ଷକୁ ଯେତିକି ବହି ବାହାରୁଥିଲା, ଆଜି ତା’ର ଦଶଗୁଣ ବାହାରିଗଲାଣି । ମାସିକ ଓ ସାପ୍ତାହିକ ପତ୍ରିକାର ସଂଖ୍ୟା ଓ କଳେବର ସମୃଦ୍ଧ ହୋଇ ଚାଲିଚି । ସାହିତ୍ୟର କ୍ଷେତ୍ରକୁ ଯଦି ଗୋଟାଏ ଯୁଦ୍ଧକ୍ଷେତ୍ର ବୋଲି ଧରିନେବାରେ ଖୁବ୍ ବେଶୀ ଅବାନ୍ତରତା ନ ହୁଏ, ତେବେ ମୁଁ କହିବି ଓଡ଼ିଆ ସାହିତ୍ୟରେ ଏବେ ମଧ୍ୟ ଅନେକ ରଥୀ ଓ ମହାରଥୀ ରହିଚନ୍ତି । ସଭା ଓ ପତ୍ରପତ୍ରିକାର ମଞ୍ଚରେ ଆମ ଓଡ଼ିଶାରେ ବି ଚମତ୍କାର ଯୁଦ୍ଧ ଚାଲିଚି । ବାଣ, ରୋଷନୀ ଓ ଚଢ଼ା-ଉତରା ଲାଗିଚି । ଗୌରବ, ଗାରିମା, ଈର୍ଷା ଓ ଅସୂୟାର ନାନା ଅଭିବ୍ୟଞ୍ଜନାଅସ୍ତ୍ର ମରା ହୋଇ ଶିବିର ଶିବିର ଭିତରେ ବେଶ୍ ଯୁଦ୍ଧ ଆରମ୍ଭ ହୋଇଯାଇଚି । ଅତି ପୁରାତନ ଓ ପୁରାତନ, ପ୍ରବୀଣ ଓ ନବୀନ ଭିତରେ ଭିଡ଼ାଭିଡ଼ି ଲାଗିଚି । ଜାତୀୟ ସାହିତ୍ୟରେ ଅପ୍ରଶସ୍ତ କ୍ଷେତ୍ରରେ ହୁଏତ ବର୍ତ୍ତମାନ ସୁଦ୍ଧା ସବୁରିଲାଗି ଯଥେଷ୍ଟ ସ୍ଥାନର ଅଭାବ ରହିଚି, ସେଥିଲାଗି ଆପଣା ସହିତ ଆଉ ଜଣକୁ ବା ଆଉ ଗୋଟାଏ ପକ୍ଷକୁ ସ୍ଥାନ ଟିକିଏ ଦେବାଲାଗି ଗୋଟାଏ ପକ୍ଷ ଅନେକ ସମୟରେ ସଙ୍କୁଚିତ ହୋଇ ଯାଉଚନ୍ତି । ଆଗେ ଆମ ଦେଶରେ ଯୁଦ୍ଧର ଗୋଟାଏ ସାଧାରଣ ଶିଷ୍ଟତା ବା ନିୟମ ଥିଲା । ବର୍ତ୍ତମାନ ସାହିତ୍ୟକ୍ଷେତ୍ରରୁ ସେତକ ମଧ୍ୟ ଉଠି ଯାଇଚି ।

 

କିନ୍ତୁ ଏ ଯୁଦ୍ଧର ବାହାରେ ଯେଉଁମାନେ ଅଛନ୍ତି, ସେମାନେ ଏ ଯୁଦ୍ଧ ଦେଖି ପ୍ରମାଦ ଗଣୁଚନ୍ତି । ମୁଁ ସେହିମାନଙ୍କ ଭିତରୁ ଜାଣେ । ମୁଁ ଦେଖୁଚି, ଓଡ଼ିଶାର ସାହିତ୍ୟକ୍ଷେତ୍ରରେ ଅବଶ୍ୟ ରଥୀ ବା ମହାରଥୀର ଅଭାବ ନାହିଁ, କିନ୍ତୁ ସାହିତ୍ୟ-ସେବାର ଯଥେଷ୍ଟ ଅଭାବ ରହିଚି । ସାହିତ୍ୟକୁ ଅନେକ ବ୍ୟକ୍ତି ପ୍ରଧାନତଃ ଗୋଟାଏ ବିନୋଦନ ପ୍ରୟାସ (Hobby) ବା ଗୋଟାଏ ଉପଜୀବିକା ହିସାବରେ ଧରିଚନ୍ତି, କିନ୍ତୁ ବ୍ରତ ବୋଲି ଗ୍ରହଣ କରି ନାହାନ୍ତି । ଏ ଦେଶରେ ବଡ଼ ସରକାରୀ କର୍ମଚାରୀ ସାହିତ୍ୟ ଲେଖୁଚନ୍ତି, ବଡ଼ ରାଜା ବା ଜମିଦାର ସାହିତ୍ୟ ଲେଖୁଚନ୍ତି, ବଡ଼ ଅଧ୍ୟାପକ ସାହିତ୍ୟ ଲେଖୁଚନ୍ତି, ବଡ଼ ରାଜନୀତି କଲାବାଲା ସାହିତ୍ୟ ଲେଖୁଚନ୍ତି, କିନ୍ତୁ ସାହିତ୍ୟକୁ ବ୍ରତ ହିସାବରେ ମାନିଲେ ଯେଉଁ ଶୃଙ୍ଖଳା ଦରକାର, ତାହା ସେମାନାଙ୍କଠାରେ ନାହିଁ । ଓଡ଼ିଶାର ଅଧିକାଂଶ ଲେଖକ ପ୍ରଥମେ ସରକାରୀ କର୍ମଚାରୀ, ଅଧ୍ୟାପକ ବା ତାଜନୀତିକ, ପରେ ସାହିତ୍ୟିକ । ଯିଏ ଯୋଉ କ୍ଷେତ୍ରରୁ ଆସି ସାହିତ୍ୟର କମଳ-ବନରେ ଆପଣାର ଭାଗ୍ୟ ପରୀକ୍ଷା କରିବାକୁ ପହଞ୍ଚିଚନ୍ତି, ସିଏ ଆପଣା ଆପଣା କ୍ଷେତ୍ରରୁ ଅନେକ କୁ-ପ୍ରବୃତ୍ତ ମଧ୍ୟ ନେଇ ଆସିଚନ୍ତି । ବାହାର ସଂସାରରେ ହୀନ ପ୍ରତିଯୋଗିତାପରି ଏଠି ମଧ୍ୟ ସେମାନେ ଅସୁସ୍ଥ ପ୍ରତିଯୋଗିତା ଆରମ୍ଭ କରି ଦେଇଚନ୍ତି । ଆପଣା ସୁନାକୁ ସବୁଠାରୁ ଭଲ ବୋଲି ପ୍ରମାଣିତ କରିବାଲାଗି ମତ୍ତ ବଣିକ ସାଜି ସେମାନେ ସାହିତ୍ୟର ପଦ୍ମା-ବନକୁ ଛାରଖାର କରି ପକାଉଚନ୍ତି । ସରକାରୀ ଅମଲା-ରାକଜ୍ୟରେ ଦଳାଦଳି ଚାଲିଲା ପରି ସାହିତ୍ୟକ୍ଷେତ୍ରରେ ମଧ୍ୟ ବେଶ୍ ଦଳାଦଳି ଚାଲିଚି । ଏଠି ଉଦାରତାଠାରୁ ଉଗ୍ରତା ଅଧିକ ରହିଚି । ମଧ୍ୟ ଦେଶ ଓ ଜାତିକୁ ଉଚିତ ନେତୃତ୍ଵ ଦେବାର ଦାୟିତ୍ଵବୋଧ ଯେତେ ନାହିଁ, ଲୋକପ୍ରିୟ ହେବାର ଲାଳସା ତା’ ଠାରୁ ଅଧିକ ଅଛି । ସାହିତ୍ୟକୁ ସାଧନା ବୋଲି ଗ୍ରହଣ କରି ଓ ଆପଣାକୁ ସେହି ସାଧନାର ଶୃଙ୍ଖଳାରେ ରଖି ଆପଣାର ଦୃଷ୍ଟିକୁ ଅଧିକ ବିକଶିତ ଓ ପ୍ରଶସ୍ତ କରିବାର ଉଦ୍ୟମ ଯେତେ ନାହିଁ, ଆପଣାର ସ୍ତାବକ ଓ ଚାରଣସଭାଦ୍ୱାରା ଅନ୍ୟ ପକ୍ଷକୁ ଦାବିଦେବାର ଉତ୍ତେଜନା ତା’ଠାରୁ ଅଧିକ ଅଛି । ଆମ ରୁଗଣ ସମାଜର ହୀନତା ଓ ଅନୁଦାରତା ଆମ ସାହିତ୍ୟକୁ ମଧ୍ୟ ଗ୍ରାସ କରିଚି । ସେଥିପାଇଁ ସାହିତ୍ୟ ସାମାଜକୁ ଯେଉଁ ସ୍ତରର ନେତୃତ୍ଵ ଦିଅନ୍ତା, ସମାଜ ଆଗରେ ଏକ ଉଚ୍ଚତର ଜୀବନ-ଦୃଷ୍ଟିକୁ ଧରି ରଖିବାର ସାହସୀ ଦାୟିତ୍ଵ ଯାହା ଗ୍ରହଣ କରନ୍ତା, ତାହା ସେ କରିପାରୁନାହିଁ ।

 

ମୁଁ ନିରାଶାବାଦୀ ନୁହେଁ । ତେଣୁ ସାହିତ୍ୟ କ୍ଷେତ୍ରରେ ଦୋଷଗୁଡ଼ାକୁ ଦେଖାଇ ଦେଇ ମୁଁ କଦାପି ପଳାଇ ଯିବି ନାହିଁ । ମୁଁ ତ କହିବି, ଓଡ଼ିଆ ସାହିତ୍ୟରେ ଆଉ ଏକ ନୂତନର ଯୁଗ ଆସୁଚି । ସେହି ଯୁଗାରମ୍ଭର ସୂଚନା ମଧ୍ୟ ଆଜିଠାରୁ ମିଳିଲାଣି । ପ୍ରାୟ ତିରିଶ ବର୍ଷ ତଳେ କେବଳ ଜାତୀୟତା-ପ୍ରାଧାନ୍ୟରେ ସନ୍ତୁଷ୍ଟ ନ ହୋଇ ଏକ ବୃହତ୍ତର ମାନବିକତାର ସନ୍ଦେଶ ଦେବାକୁ ଓଡ଼ିଆ ସାହିତ୍ୟରେ ଯେପରି ସବୁଜ ଯୁଗ ଆସିଥିଲା, ସେମିତି ବର୍ତ୍ତମାନର ଶକ୍ତିହୀନତା ଭାଙ୍ଗି ଆଉ ଗୋଟାଏ ଶକ୍ତିଶାଳୀ ଯୁଗ ଆସୁଚି । ପୁରାତନ ମଧ୍ୟରେ ଯେତିକି ସ୍ଥାୟୀ ମୂଲ୍ୟ ରହିଥିଲା, ସେତକ ସେ ଭାଙ୍ଗିଦେବ ନାହିଁ । ଜାତୀୟତା ବା ଦେଶ-ପ୍ରୀତି ଭିତରେ ନିହିତ ଥିଭା ଶକ୍ତିଦାୟୀ ଅଂଶତକ ତାହା ନିଶ୍ଚୟ ସାଇତି ରଖିବ । ତଥାପି ଏହା ଅଧିକ ମାନବିକ ହେବ, କୌଣସି ପ୍ରକାର ସଂକୀର୍ଣ୍ଣତାର କୌଣସି ପ୍ରକାର ଭଲ ନାମକରଣ କରିଦେଇ ଏହା ଆତ୍ମପ୍ରସାଦ ଲାଭ କରିବ ନାହିଁ-। କୌଣସି ପ୍ରକାର ଉତ୍ତେଜିତ ଆଗ୍ରହ ବା ଖଣ୍ଡ ଆଦର୍ଶ ପ୍ରଚାର କରିବା ଅପେକ୍ଷା ମଣିଷକୁ ଅଧିକ ସୁନ୍ଦର, ଅଧିକ ନିର୍ମଲ ଓ ଅଧିକ ଶକ୍ତିଶାଳୀ କରିବାରେ ତାହା ଅଧିକ ସାହାଯ୍ୟ କରିବ । ଏହି ନୂତନତର ଯୁଗର ପ୍ରତୀକ ହିସାବରେ କୌଣସି ଜଣେ ଲେଖକଙ୍କୁ ଗ୍ରହଣ କରିନେଲେ ଅନ୍ୟାୟ ହେବ । ଓଡ଼ିଆ ସାହିତ୍ୟର ଏହି ଆଗାମୀ ଶକ୍ତିଶାଳୀ ଯୁଗର ସୂଚନା ମୁଁ ଯେତେ ଲେଖାରେ ପାଇଚି, ସବୁଟି ମତେ ଭଲ ଲାଗିଚି । ବର୍ତ୍ତମାନର ଅଶୁଭ ବ୍ୟୁହ ଭିତରୁ ବାହାରି ଆସିବାର ଯେତେ ଉଦ୍ୟମ ମୁଁ ସାହିତ୍ୟକ୍ଷେତ୍ରରେ ଯେଉଁଠି ଦେଖିଚି, ତାହା ବର୍ତ୍ତମାନର ଆଖିରେ ଯେତେ କ୍ଷୀଣ ହେଉ ପଛକେ, ସେଠି ମୁଁ ଆପଣାର ଶ୍ରଦ୍ଧାଭିବାଦନ ଜଣାଇଚି । ସେହି ‘ଆଗାମୀ’ର ଜଣେ ପ୍ରତିନିଧି ହିସାବରେ ମୁଁ କେବଳ ଶ୍ରୀମତୀ ବିଦ୍ୟୁତପ୍ରଭାଙ୍କର କିଞ୍ଚିତ୍ ଆଲୋଚନା ଏଠାରେ କରିବି । ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କୁ ମୁଁ ଏହି ଯୁଗର ପୂର୍ବଗାମୀ ବୋଲି କହିବି-। ଏ ଦୁହିଁଙ୍କର କବିତାରେ ହିଁ ଏହାର ସୂଚନା ସବୁଠାରୁ ବେଶୀ ମିଳିବ । ଶ୍ରୀମତୀ ବିଦ୍ୟୁତପ୍ରଭାଙ୍କର ସମକାଳୀନମାନଙ୍କ କଥା ଭବିଲାବେଳକୁ ଶ୍ରୀ ସୁନନ୍ଦ କର ଓ କୁମାରୀ ତୁଳସୀଙ୍କର କଥା ଆଗ ମନେ ପଡ଼ି ଯାଉଚି ।

 

ଶ୍ରୀମତୀ ବିଦ୍ୟୁତପ୍ରଭା ଏ ପର୍ଯ୍ୟନ୍ତ ପ୍ରାୟ ଛଅ ଖଣ୍ଡି କବିତା ବହି ପ୍ରକାଶ କରିଚନ୍ତି । ସାମୟିକ ପତ୍ରିକାମାନଙ୍କରେ ମଧ୍ୟ ତାଙ୍କର କବିତାମାନ ପ୍ରକାଶ ପାଇଥାଏ । ସେ ଜଣେ ସାଧରଣ ଓଡ଼ିଆ ଘରର ଝିଅ । ବାପ ଦାରୁଣ ସଂଘର୍ଷ ଓ ଅଧ୍ୟବସାୟ ବଳରେ ଆପଣାର ସଂସାରଟିକୁ ଠିଆ କରିଚନ୍ତି । ସେହି ସଂଘର୍ଷର ଶିକ୍ଷା ହୁଏତ ବିଦ୍ୟୁତପ୍ରଭାଙ୍କର ଲେଖକ-ମନକୁ ଏତେ ଗ୍ରହଣଶୀଳ, ଅଥଚ ଏତେ ନମ୍ର-ମଧୁର କରିଚି । ତାଙ୍କ ଲେଖା ତାଙ୍କ ହୃଦୟର ପରିଚୟ ଦେଇଥାଏ । ପ୍ରଚାରର ଗନ୍ଧ ତାଙ୍କ ଲେଖାରେ ନାହିଁ, ଭଲ ପ୍ରଚାରରେ ନୁହେଁ, କି ଖରାପ ପ୍ରଚାରର ନୁହେଁ । କୌଣସି ପ୍ରକାର ତାତ୍କାଳିକ ଉତ୍ତେଜନା ତାଙ୍କ କବିତାର ସ୍ଥାୟୀ ମୂଲ୍ୟକୁ ହ୍ରାସ କରିଦେଉ ନାହିଁ । କୌଣସି ପ୍ରକାର ଗୌରବ ପାଇବା ଯେପରି ତାଙ୍କ ଲେଖାର ବାସନା ନୁହେଁ । ସୃଷ୍ଟିରେ ଓ ଆଖିରେ ଯାହା ସାନ ଦିଶୁଚି, ତାହାରି ଭିତରେ ବିରାଟର ସନ୍ଧାନ ପାଇବାକୁ ହିଁ ଯେପରି ସେ ଲେଖକ ଓ ରସଗ୍ରାହୀର ବିପୁଳ ଉତ୍ସାହ ଏବଂ ଧୈର୍ଯ୍ୟ ଘେନି ବାହରିଚନ୍ତି ।

 

ଓଡ଼ିଶାର କେତେଜଣ ଲବ୍ଧପ୍ରତିଷ୍ଠ କବି ବିଦ୍ୟୁତପ୍ରଭାଙ୍କର କେତୋଟି କବିତା ବହିରେ ମୁଖବନ୍ଧ ଲେଖି ଦେଇଚନ୍ତି । ଏପରି ମୁଖବନ୍ଧ ଲେଖା ନ ଯାଇଥିଲେ ମଧ୍ୟ ବହିଗୁଡ଼ିକର ସାହିତ୍ୟିକ ମୂଲ୍ୟ କୌଣସି ଗୁଣରେ କ୍ଷୁନ୍ନ ହୋଇ ନ ଥାନ୍ତା ବୋଲି ମୁଁ ଭାବୁଚି । ବରଂ ଅଧିକ ନିରପେକ୍ଷ ଭାବରେ ବିଦ୍ୟୁତପ୍ରଭାଙ୍କୁ ତାଙ୍କ କବିତା ଭିତର ଦେଇ ବୁଝିବାର ସୁ-ଅବକାଶ ଆମେ ପାଇଥାନ୍ତେ । ମୁଖବନ୍ଧର ଜଣେ ଲେଖକ ତାଙ୍କୁ କୁନ୍ତଳାକୁମାରୀ ଓ ଅପର୍ଣ୍ଣା ଦେବୀଙ୍କର ପର୍ଯ୍ୟାୟରେ ଆଣି ପକାଇଚନ୍ତି । ପ୍ରାୟ ସମସ୍ତେ ଜଣେ ନାରୀକବି ହିସାବରେ ତାଙ୍କର ପର୍ଯ୍ୟାୟରେ ଆଣି ପକାଇଚନ୍ତି-। ପ୍ରାୟ ସମସ୍ତେ ଜଣେ ନାରୀକବି ହିସାବରେ ତାଙ୍କର ପ୍ରଶଂସା କରିଚନ୍ତି । ଅର୍ଥାତ୍ ଓଡ଼ିଶାର ଅଳ୍ପ କେତେଜଣ ନାରୀକବିଙ୍କ ଭିତରେ ବିଦ୍ୟୁତପ୍ରଭା ଜଣେ ଓ ତାଙ୍କ ମଧ୍ୟରେ ଯଥେଷ୍ଟ ପ୍ରତିଭା ରହିଚି, ଏହିପରି ଗୋଟାଏ ଆଶ୍ଵାସନା ମୁଖବନ୍ଧମାନଙ୍କରେ ଦିଆଯାଇଚି । ଆମର ସମାଜ ପୁରୁଷ-ନିୟନ୍ତ୍ରିତ ସମାଜ । ତେଣୁ ଆମର ସାହିତ୍ୟ ଓ ସଂସ୍କୃତିର ଅର୍ଚ୍ଚନା ଓ ଅନୁଶୀଳନ ପୀଠରେ ମଧ୍ୟ ସେହି ପୁରୁଷ-ପ୍ରାଧାନ୍ୟର ଗନ୍ଧ ଭର୍ତ୍ତି ହୋଇ ରହିବା ସ୍ଵାଭାବିକ । ସାହିତ୍ୟ-କ୍ଷେତ୍ରରେ ପୁରୁଷ ଓ ନାରୀଲାଗି ଦୁଇଟି ଶିବିର ହୋଇ ନ ପାରେ । ତିନିଶହ ବର୍ଷ ପୂର୍ବେ ଇଉରୋପରେ ନାରୀର ପ୍ରତିଭା ଓ ଦକ୍ଷତା ସମ୍ବନ୍ଧରେ ଭାରି ସନ୍ଦେହ କରାଯାଉଥିଲା । ମାନବିକତା ଓ ଲୋକତନ୍ତ୍ରରେ ବିଶ୍ଵାସ କରୁଥିବା ଦାର୍ଶନିକ ମଧ୍ୟ ନାରୀର ଯୋଗ୍ୟତା ଉପରେ ବିଶେଷ ଆସ୍ଥା ଦେଖାଇ ନାହାନ୍ତି । ନାରୀ ପୁରୁଷଠାରୁ କମ୍ ବୁଦ୍ଧିଆ, ଏପରି ପ୍ରମାଣ ମଧ୍ୟ ଅନେକ ‘ମନୋବୈଜ୍ଞାନିକ’ କରିଚନ୍ତି । ନାରୀକୁ ସନ୍ତାନ ପ୍ରସବ କରିବାର ଗୁରୁ ଦାୟିତ୍ଵ ବହନ କରିବାକୁ ପଡ଼ୁଥିବାରୁ ନାରୀ ସଂସାରରେ ଯଥେଷ୍ଟ ପ୍ରତିଭା ଦେଖାଇ ପାରୁନାହିଁ–ଏପରି ଗୋଟିଏ କୈଫିୟତ୍ ଆମେରିକାର ଜଣେ ମନୋବୈଜ୍ଞାନିକ ଗତ ବର୍ଷ ଦେଇଚନ୍ତି । କିନ୍ତୁ ଏସବୁ ପ୍ରଧାନତଃ ଆମର ମୁଗ୍ଧ ବୁଦ୍ଧିର ପରିଚୟ ଦେଉଚି । ଆମେ ଯଦି ନାରୀକୁ ପୁରୁଷପରି ଉଚିତ ସମ୍ମାନ ଓ ଉଚିତ ସୁଯୋଗ ଦେଉ, ତେବେ ନାରୀ ମଧ୍ୟ ଉଚ୍ଚକୋଟୀର କଳା ଓ ସାହିତ୍ୟ ନିଶ୍ଚୟ ସୃଷ୍ଟି କରିପାରିବ ।

 

ବର୍ତ୍ତମାନ ସମାଜର ଅସମତାକୁ ଯେକୌଣସି ସଚେତ ମନ ସ୍ଵୀକାର କରି ପାରିବ ନାହିଁ-। ବିଦ୍ୟୁତପ୍ରଭା ମଧ୍ୟ ତାଙ୍କର କବିତାରେ ଏହି ଅସ୍ଵୀକାର ଓ ସଂଶୟ ପ୍ରକାଶ କରିଚନ୍ତି ।

 

“ମାନବ-ଜଗତେ କିମ୍ପା ଏତେ ଭେଦ ହେ ବିଧାତା ତବ ?”

ବା

“ଦୁର୍ବଳ ଅସ୍ଥିପରେ ବଳିଷ୍ଠରେ ଏ କି ଅତ୍ୟାଚାର ?”

 

ସଂସାରରେ ମଣିଷକୁ ଯିଏ ଭଲ ପାଇବ, ସବୁ ମଣିଷକୁ ଯିଏ ଅଧିକ ସୁନ୍ଦର ହେବାକୁ ଚାହୁଥିବ, ସେ ନିଶ୍ଚୟ ବର୍ତ୍ତମାନ ମଣିଷକୁ ଦୀନହୀନ କରି ରଖିଥିବା ଅସମତାର ପ୍ରତିବାଦ କରିବ-। ବିଦ୍ୟୁତପ୍ରଭା ମଧ୍ୟ ସେହି କଥା କରିଚନ୍ତି । ମଣିଷ ଆଉ ମଣିଷର ସମ୍ପର୍କରେ ଆଜି ଅନେକ ଉଦାସୀନତା ପଶି ଯାଇଚି । ତଳ ମଣିଷ ଅକିଞ୍ଚନ ହୋଇ ପଡ଼ି ରହିଚି, ଉପର ମଣିଷ ଦୟା ଦେଖାଇବାର ପଣ୍ୟ ରୂପେ ତାକୁ ବ୍ୟବହାର କରୁଚି । ସେଥିଲାଗି ବାହାଦୁରି ମଧ୍ୟ ନେଉଚି । ‘ରିକସାବାଲା’ କବିତାରେ–

 

“ସେଥିପାଇଁ କି ଆମେ ଦାୟୀ ! ଅଣାଟାଏ ଦିଅ, ଯାଉ ସିଏ-”

 

ଏହି ଦୁଇଟି ଉକ୍ତିରେ ବିଦ୍ୟୁତପ୍ରଭା ଏହି ଭାବଟିକୁ ଅତି ଚମତ୍କାର ଭାବରେ ପ୍ରକାଶ କରିଚନ୍ତି । ଓଡ଼ିଶାରେ ଆଉ ଜଣେ କବି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ମଧ୍ୟ ଦିନେ ସମାଜର ବିଷମତାକୁ ତାଙ୍କ କବିତା ମଧ୍ୟ ଦେଇ ଫୁଟାଇଥିଲେ । ତାଙ୍କର କବିତା ମୁଖ୍ୟତଃ ଏହି ଦ୍ଵନ୍ଦ ବିରୁଦ୍ଧରେ ବିଦ୍ରୋହର କବିତା । ତଥାପି ସମାଜର ଦ୍ଵନ୍ଦକୁ ଦୂର କରିବାକୁ ଯାଇ ସେ ଆହୁରି ଅନେକ ଦ୍ଵନ୍ଦ ଓ ସଂଘାତକୁ ଅବଶ୍ୟମ୍ଭାବୀ ବୋଲି ଧରି ନେଇଥିଲେ । ପୁରୁଣା ଘୃଣାକୁ ଦୂର କରିବାକୁ ହେଲେ ନୂଆ ଘୃଣାର ପ୍ରଚାର କରିବାକୁ ହେବ–ଏକଥା ସେ ମାନି ନେଇଥିଲା ପରି ଜଣାଯାଏ । ଦଳେ ମଣିଷ ଆଉ ଦଳେ ମଣିଷଙ୍କ ସହିତ ଲଢ଼ିବାଲାଗି ସଜ ହେବେ, ସଂସାରର ଶବ ଉପରେ ସର୍ବଭୋଜୀ ଓ ସର୍ବହରାର ଶ୍ରେଣୀ-ସଂଗ୍ରାମ ଚାଲିବ, ଏହାଦ୍ୱାରା ଯେ ସମାଜରେ ସମତା ଓ ଶାନ୍ତି ଆସିବ ନାହିଁ, ଆଜି ଅଧିକ ନିର୍ଭର ସହିତ ସେକଥା କହି ହେବ । ମଣିଷ ମଣିଷକୁ ସମ୍ମାନ କରିବ, ଆପଣା ପରି ଅପର ମଣିଷକୁ ତା’ର ଆସନ ଦେବାକୁ ସେ ନିଜର କର୍ତ୍ତବ୍ୟ ବୋଲି ଜାଣିବ, ସବୁ ମଣିଷ ଭିତରେ ଥିବା ଜୀବନର ମୂଲ୍ୟକୁ ସେ ସ୍ଵୀକାର କରିବ, ଯେତେ ଦୁର୍ଗମ ହେଲେ ମଧ୍ୟ ଏହି ବାଟରେ ବୋଧହୁଏ ସମାଧାନର ଚାବିକାଠି ରହିଚି । ‘ତୁମେ ତ ମଣିଷ ଆମେ ନି ମଣିଷ ଭାଇ’–‘ମରିଚୀକା’ର ଏହି ଧାଡ଼ିଟିରେ ବିଦ୍ୟୁତପ୍ରଭା ଏହାର ଉନ୍ମେଷ ଦେଇଚନ୍ତି । ଉତ୍କଳମଣିଙ୍କ ପରି ସେ ମଧ୍ୟ ତ୍ୟାଗ ଓ ଆତ୍ମୋତ୍ସର୍ଗର ଆଦର୍ଶକୁ ମଣିଷ ଆଗରେ ଦୀପ ପରି ଧରିଚନ୍ତି–

 

“ମାଟି ସନ୍ତାନ ! ଆପଣା ଶକତିମତେ

ଢାଳିଦିଅ ପ୍ରାଣ ବିଶ୍ଵଜୀବନ ପଥେ ।”

 

ଯେଉଁ ବୟସରେ ସାଧାରଣତଃ ପ୍ରତିଭାର ପୂର୍ଣ୍ଣତମ ବିକାଶ ହୁଏ, ବିଦ୍ୟୁତପ୍ରଭା ସେ ବୟସ ଅତିକ୍ରମ କରି ନାହାନ୍ତି । ତେଣୁ ତାଙ୍କର ଭଣ୍ଡାରରୁ ସବୁ ରତ୍ନ ସେ ପରିବେଷଣ କରି ସାରିଲେଣି ବୋଲି କହିଲେ ଠିକ୍ ହେବ ନାହିଁ । ତାଙ୍କ ସାହିତ୍ୟର ବିକାଶଧାରାରୁ ଅନେକ ସମ୍ଭାବନାର ସୂଚନା ମିଳୁଚି । ଅତି ପ୍ରତିକୂଳ କ୍ଷେତ୍ରର ଆଘାତରେ ମଉଳି ନ ଗଲେ। ତାଙ୍କର ପ୍ରତିଭା ଆହୁରି ବିକଶିତ ହେବ ଏବଂ ତା'ପରେ ତାଙ୍କର କବିତା ଓ କବି-ଦୃଷ୍ଟିର ପୂର୍ଣ୍ଣତର ଆଲୋଚନା କରିବାର ଅଧିକ ଅବସର ମିଳିବ ।

 

ପ୍ରକୃତିର ବର୍ଣ୍ଣନା ବିଦ୍ୟୁତପ୍ରଭାଙ୍କ ହାତରେ ଅତି ସୁନ୍ଦର ହୋଇପାରିଚି । ପ୍ରକୃତିର ଦୃଶ୍ୟ ଓ ସୌନ୍ଦର୍ଯ୍ୟ-ସମ୍ଭାର ଭିତରେ ଲାଳିତ ତାଙ୍କର ହୃଦୟ ଅତି ନିପୁଣ ଭାବରେ ତାଙ୍କର ସକଳ ଭାବନାକୁ ଭାଷା ଦେଇ ପାରିଚି । କୌଣସି ତତ୍ତ୍ଵ ବା ତଥ୍ୟ ଖୋଜିବାର ଦୁରୂହ ଅଧ୍ୟବସାୟରେ ନୁହେଁ, ମାତ୍ର ସୌନ୍ଦର୍ଯ୍ୟ ଅନୁଭବ କରିବାର ଓ ସେହି ଅନୁଭୂତିକୁ ସାଇତି ରଖିବା ଆଶାରେ ସାରଳା ମୁଗଧା ବାଳିକାଟି ପରି ସେ ପ୍ରକୃତିର ସୌନ୍ଦର୍ଯ୍ୟବେଳାରେ ଡେଇଁ ବୁଲିଚନ୍ତି । ସେଥିଲାଗି ଅତି ଗହନ ଓ ସୂକ୍ଷ୍ମ ଅନୁଭୂତିମାନ ଅତି ସରଳ ଉପଲକ୍ଷ୍ୟ ଓ ଘଟଣାବଳୀ ମଧ୍ୟଦେଇ ଭାରି ଚମତ୍କାର ଫୁଟି ଉଠିଚି । 'ସ୍ଵପ୍ନଦୀପ'କୁ ବିଦ୍ୟୁତପ୍ରଭାଙ୍କର ସବୁଠାରୁ ଅଧିକ ମୂଲ୍ୟବାନ୍ ସୃଷ୍ଟି ବୋଲି ମୁଁ କହିଚି-। ନାରୀର ଦେହ, ମନ ଓ ଆକାଙକ୍ଷା ବିଷୟରେ ଅନେକ ସାହିତ୍ୟ ଓଡ଼ିଶାରେ ଲେଖା ଯାଇଚି । କିନ୍ତୁ ପ୍ରଧାନତଃ ପୁରୁଷ ତାହା ଲେଖିଚି । ସମାଜର ପ୍ରମତ୍ତତାଗ୍ରସ୍ତ ନାୟକ ଓ ବିଧାୟକ ହିସାବରେ ନାରୀକୁ ପରିପୂର୍ଣ୍ଣ ସମଗ୍ର ଦୃଷ୍ଟି ଦେଇ ସେ ଦେଖି ପାରିନାହିଁ । ତା'ର ଆଖିରେ ନାରୀ ପ୍ରଧାନତଃ କୌତୁକ-ପିତୁଳା ହୋଇ ରହିଚି । ତା'ର ଭୋଗ-ମୁଣିରେ ଲୋଭ-ସଞ୍ଚିତ ଭିକ୍ଷାମୁଠି ମାତ୍ର ହୋଇ ନାରୀ ପଡ଼ି ରହିଚି-। ନାରୀ ଯେ କେବଳ ଶରୀର ନୁହେଁ, କେବଳ ଚାହାଣି ଓ ଚାତୁରୀର ଚୁଆ ଚନ୍ଦନରେ ମଠା ହୋଇଥିବା ଭୋଗ-କଳ୍ପନାର ସାମଗ୍ରୀ ନୁହେଁ- ନାରୀ ଯେ ଜଣେ ମଣିଷ, ଠିକ୍ ପୁରୁଷପରି ଜଣେ ମଣିଷ-ବିଦ୍ୟୁତପ୍ରଭାଙ୍କର 'ସ୍ଵପ୍ନଦୀପ' ଓଡ଼ିଶାରେ ତାହାର ସନ୍ତକ ହୋଇ ରହିବ । ନାରୀ ତା'ର ଜୀବନକୁ ଯେ ସମସ୍ତଙ୍କଠାରୁ ଅଧିକ ନିପୁଣ ଓ ସ୍ଵାଭାବିକ ଭାବରେ ଭାଷା ଦେଇ ଫୁଟାଇ ପାରିବ, 'ସ୍ଵପ୍ନଦୀପ' ତାହାରି ପ୍ରମାଣ ଦେଇ ଯାଉଚି ।

 

(୧୯୫୬ରେ 'ଡଗର'ରେ ପ୍ରକାଶିତ ହୋଇଥିଲା ।)

Image

 

ଗୋପବନ୍ଧୁ ଓ ଓଡ଼ିଆର ଜାତୀୟତା

 

ବିପଦରୁ ମଣିଷ ଶିଖେ । ସାମୂହିକ ଦୃଷ୍ଟିରୁ ଦେଖିଲେ ବିପଦରୁ ଗୋଷ୍ଠୀ ବା ଜାତି ମଧ୍ୟ ଶିଖେ । ବିଭିନ୍ନ ସମସ୍ୟା ବା ସଙ୍କଟର ସମ୍ମୁଖୀନ ହେବାକୁ ଯାଇ ସଭ୍ୟତା ଓ ସଂସ୍କୃତି ଲାଗି ବିକାଶର ନୂଆ ବାଟ ଖୋଲିଯାଏ । ଇତିହାସ କେବଳ ଘଟନାବଳୀର ପୁନରାବୃତ୍ତି ନୁହେଁ । ଭଗବାନ କୌଣସି ଗୋଟାଏ ଜାତିକୁ ଆପଣାର ଗେହ୍ଲାପୁଅ କରି ତାହାର ଉନ୍ନତି ବା ସମୃଦ୍ଧି ଲାଗି ସାମାଜିକ ଇତିହାସର ଐଚ୍ଛିକ ଅଭିନୟ କରନ୍ତି ନାହିଁ । ସମସ୍ୟା ଓ ସମାଧାନ, ସଙ୍କଟ ଓ ବିକାଶ ହେଉଚି ଆଦିକାଳରୁ ଇତିହାସର ନିତ୍ୟ ନିୟମ, ଟଏନବୀ (ବିଖ୍ୟାତ ଐତିହାସିକ Arnold J. Toybnee) ଆହ୍ଵାନ (Challenge) ଓ ଉତ୍ତର (Response) ବୋଲି କହିଚନ୍ତି । ଯେଉଁ ସଭ୍ୟତା ବା ଯେଉଁ ଜାତି ସଙ୍କଟର ସୁନିପୁଣ ସମାଧାନ କରେ, ସେ ଆଗକୁ ଯାଏ; ଯିଏ କରି ନପାରେ, ସେ ଅଟକିଯାଏ । ନୂତନ ସୃଷ୍ଟିଲାଗି ସେହି ଦୁର୍ବଳ ସଭ୍ୟତାର କୌଣସି ଜୀବନୀ-ଶକ୍ତି ନଥାଏ । ଓଡ଼ିଶାର ଇତିହାସକୁ ମଧ୍ୟ ଏହି ଭୂମି ଉପରେ ବିଚାର କରାଯାଇପାରେ । ସ୍ଵୟଂ ଜଗତର ନାଥ ପୁଣ୍ୟଭୂମି ଓଡ଼ିଶାର ସଞ୍ଚାଳକ । ତେଣୁ ଏହାର ବିକାଶ ବା ଉତ୍କର୍ଷ ସୁନିଶ୍ଚିତ,-ଏହିପରି ଅତିଶୟୋକ୍ତିରୁ ପ୍ରତ୍ୟେକ ଓଡ଼ିଆକୁ ଅଧିକ ସଚେତନ ଓ କର୍ମତତ୍ପର ହେବାକୁ ଅନେକ ପ୍ରେରଣା ମିଳେ ସତ, କିନ୍ତୁ ଇତିହାସର ଦୃଷ୍ଟିକୋଣରୁ ଦେଖିଲେ, ଏଥିରେ ଖୁବ୍ ବେଶୀ ସାରବତ୍ତା ନଥାଏ ।

 

ଓଡ଼ିଆର ଜାତୀୟତାର ଇତିହାସର ଗତ ଶହେବର୍ଷର ଇତିହାସ । ଆଗେ ଆମର ଏଠି ସ୍ଵତନ୍ତ୍ର ରାଜା ଥିଲେ, ରାଜାଙ୍କର ସ୍ଵତନ୍ତ୍ର ପଦବୀ ବା ପତାକା ମଧ୍ୟ ଥିଲା, ଅନ୍ୟ ରାଜାମାନଙ୍କ ପରି ଓଡ଼ିଶାର ରାଜା ମଧ୍ୟ ଚତୁର୍ବର୍ଗ ସୈନ୍ୟ ନେଇ ରାଜ୍ୟ ଜୟ କରିବାକୁ ଯାଉଥିଲେ, ରାଜାଙ୍କର ଜୟ ଓ ପରାଜୟ ଅନୁସାରେ ରାଜ୍ୟର ସୀମା ସ୍ଫୀତ ବା ଖଣ୍ଡିତ ହୋଇ ଯାଉଥିଲା । କିନ୍ତୁ ରାଜା ଆଉ ସାମ୍ରାଜ୍ୟମତ୍ତତାର ଏହି ପର୍ଯ୍ୟାୟକୁ ଜାତୀୟତାର ପର୍ଯ୍ୟାୟ ବୋଲି କୁହାଯାଇ ନ ପାରେ । ଓଡ଼ିଆର ଭାଷାଗତ ବିଭିନ୍ନତା ଓ ସ୍ଵକୀୟତା ଆସିବା ଦିନରୁ ଅବଶ୍ୟ ସାହିତ୍ୟ-କ୍ଷେତ୍ରରେ ଏକ ଅନୁକୂଳ ସଚେତନାର ସୂଚନା ମିଳିଥିଲା । ତଥାପି ଓଡ଼ିଶା ବା ଓଡ଼ିଆ ଜାତି କହିଲେ ଯଦି ପ୍ରଥମେ ଓଡ଼ିଶାରେ ବାସ କରୁଥିବା ମଣିଷଙ୍କର ଜୀବନ-ସଂସ୍କୃତିକୁ ବୁଝାଇବ, ତେବେ ସେତେବେଳେ ଆମର ଜାତୀୟତା ଦାନା ବାନ୍ଧି ନଥିଲା କହିଲେ କାହାରିକୁ ବଧିବା ଉଚିତ ନୁହେଁ । ବିପଦରୁ ହିଁ ଓଡ଼ିଆ ଏକାଠି ହେଲା । ମରହଟ୍ଟା, ବଙ୍ଗ ଓ ବିହାର ସହିତ ଲାଙ୍ଗୁଡ଼ ହୋଇ ତା’ର ପ୍ରାଣ ଶକ୍ତି ଶିଥିଳ ହୋଇ ଯାଇଥିଲା । ଶାସନଗତ ପ୍ରୟୋଜନୀୟତା ଦୃଷ୍ଟିରୁ ଇଂରେଜସରକାର ମନଇଚ୍ଛା ଓଡ଼ିଶାକୁ ୟା’ ସହିତ ଯୋଡ଼ି ଦେଉଥିଲେ । ଏ ରାଜନୀତିକ ଦୌରାତ୍ମ୍ୟର ପ୍ରତିବାଦ କରିବାକୁ ଓଡ଼ିଶାରେ ନେତୃତ୍ଵ ନେଇଥିଲା । ସଙ୍କଟ ବଢ଼ିଲା, ଓଡ଼ିଶାକୁ କଣ୍ଠରୁଦ୍ଧ କରାଇ ମାରିବାର ନାନା ଷଡ଼ଯନ୍ତ୍ର ମାଡ଼ିଗଲା । ଏଇଠି ସଙ୍କଟରୁ ବଞ୍ଚିବାକୁ ଓ ନୂତନ ରାସ୍ତା ତିଆରି କରିବାକୁ ନୂତନ ନେତୃତ୍ଵ ମିଳିଲା-। ସାହିତ୍ୟର ନେତୃତ୍ଵ ଜାତିର ମଧ୍ୟ ନେତୃତ୍ଵ ଦେଲା । ସେଥିଲାଗି ମହୁସୂଦନ ରାଓ, ରାଧାନାଥ ବା ଫକୀର ମୋହନଙ୍କୁ କେବଳ ସାହିତ୍ୟ କ୍ଷେତ୍ରର ନୂତନ ସନ୍ଧାନୀ ବୋଲି କହିଲେ ଠିକ୍ ହେବ ନାହିଁ । ସେମାନେ ଏକ ବୃହତ୍ତର କ୍ଷେତ୍ରର ସଙ୍କଟରୁ ଓଡ଼ିଶାକୁ ବଞ୍ଚାଇଲେ । ସବୁ କ୍ଷେତ୍ରରେ ସ୍ଵତନ୍ତ୍ର ହୋଇ ଆଗକୁ ଯିବାର ନୂଆ ବାଟ ଖୋଲାଇବାରେ ଏହିମାନଙ୍କ ପ୍ରେରଣା ହିଁ ପୌରୋହିତ୍ୟ କରିଥିଲା । ଜାତୀୟତାର ଜନ୍ମ ହେଲା; ସ୍ଵତନ୍ତ୍ର ଭାଷା, ସ୍ଵତନ୍ତ୍ର ସଂସ୍କୃତି ଓ ସ୍ଵତନ୍ତ୍ର ଉଦ୍ୟମର ଜନ୍ମ ହେଲା । ପୁରୀ କୋଣାରକରୁ ଏଥର ଓଡ଼ିଆ ନୂତନ ପ୍ରେରଣା ପାଇଲା, ଓଡ଼ିଶାର ରାଜା ପରାଭୂତ ହୋଇଥିବା ଦୟାତୀରର ରଣଭୂମିରେ ସେ ନୂତନ ଅର୍ଥର ବ୍ୟଞ୍ଜନା ଲଗାଇଦେଲା; କାର୍ତ୍ତିକ ପୁନେଇଁରେ ବୋଇତାଭସା ଓ ତଅପୋଇ ଓଷାରୁ ସେ ଆପଣାକୁ ଏକ ଉନ୍ନତ ଐତିହ୍ୟର ଅଧିକାରୀ ବୋଲି ପ୍ରଥମେ ଚିହ୍ନିଲା । ଜାତୀୟତାର ନୂଆ ସନ୍ତକ (symbol) ଜାତିଜୀବନର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରେ ଏକ ନୂଆ ଚେତନା ଲଗାଇଦେଇ ଗଲା ।

 

ଏହି ଜାତୀୟ ସଚେତନାର ତେଜସ୍ଵର ପ୍ରକାଶ ହେଲା ଉତ୍କଳଗୌରବ ମଧୁସୂଦନଙ୍କର ଜୀବନରେ । ତାଙ୍କରି ପ୍ରତିଭା ମଧ୍ୟଦେଇ ଆମର ଜାତୀୟତା ସାହିତ୍ୟର ସୀମିତ କ୍ଷେତ୍ରରୁ ଜୀବନର ବହୁମୁଖୀ କ୍ଷେତ୍ରକୁ ପ୍ରସାରିତ ହେଲା ଚୀନର ବକ୍ ସର୍ ବିପ୍ଲବ, ଆୟରଲାଣ୍ଡର୍ ସିନ୍ ଫିନ୍ ଆନ୍ଦୋଳନ ଓ ଇତାଲୀର ମାଜିନ ଓ ଗାରିବାଲ୍ଡ଼ି ଭାରତର ଜାତୀୟତା ଓ ଭାରତୀୟ ଯୁବକର ପ୍ରଧାନ ଖାଦ୍ୟ ହୋଇଥାଏ । ସେ ଏକ ଅଦ୍ଭୁତ ଅନୁପ୍ରେରଣାର ଯୁଗ, ଏକ ଅଦ୍ଭୁତ ଆତ୍ମପରିଚୟର ଯୁଗ । ଓଡ଼ିଶାରେ ବି ତାହା ହିଁ ହେଲା । ଇଉରୋପର ଆୟତନ ଭାରତଠାରୁ ଖୁବ୍ ବେଶୀ ବଡ଼ ନୁହେଁ । ସେଠାରେ ଦେଖୁଁ ଦେଖୁଁ ଅଟୋମାନ୍ ସାମ୍ରାଜ୍ୟ ଭାଙ୍ଗିଲା, ସ୍ପେନର ବୁର୍ବନ ସାମ୍ରାଜ୍ୟ ଭାଙ୍ଗିଲା, ପୋପଙ୍କର ଧର୍ମ ସାମ୍ରାଜ୍ୟ ଭାଙ୍ଗିଲା । ମନୁଷ୍ୟ-ସମୂହର ସେହି ଅତିକାୟ ଅରଣ୍ୟ ଚକ୍ଷୁ ଓ ମନଃତୃପ୍ତିକର ଗୋଟିଏ ଗୋଟିଏ ଜାତୀୟ ଉପବନରେ ବିଭକ୍ତ ହୋଇଗଲା । ପ୍ରତ୍ୟେକ ଜାତି ସେମାନଙ୍କର କର୍ଷଣଭୂମି ପାଇଲେ । ଡେନମାର୍କ, ନରଓୟେ, ସୁଇଡ଼େନ, ପୋଲାଣ୍ଡ, ହଲାଣ୍ଡ ଓ ବେଲଜିୟମ୍–ଏଗୁଡ଼ାକ ତ ଆମ ଏ ବିରାଟ ଦେଶର ଗୋଟାଏ ତାଲୁକା ବା ଜିଲ୍ଲା ପରି । ଆମେ କାହିଁକି ଆପଣା ଆପଣା ସଂସ୍କୃତିର କ୍ଷୁଦ୍ର ଉପବନମାନ ସୃଷ୍ଟି ନ କରିବା ? ସେତେବେଳେ ସମସ୍ତେ ଏହି ଉନ୍ମାଦନାରେ ମାତିଲେ । ବଙ୍ଗାଳୀ, ପଞ୍ଜାବୀ ଓ ମରହଟ୍ଟା ପ୍ରତ୍ୟେକ ପ୍ରତ୍ୟେକଙ୍କଠାରୁ ଅଲଗା ହୋଇଗଲେ । ଜାତୀୟ ଭାଷା ଓ ସାହିତ୍ୟର ଉଦ୍ଦୀପନାମୟ ବହୁଳତା ଆରମ୍ଭ ହେଲା । ଏହିପରି ଏକ ଊଦ୍ଦୀପନାରେ ଅନ୍ଧ ହୋଇ କେତେଜଣ ବଙ୍ଗୀୟ ଜାତୀୟବାଦୀ ଓଡ଼ିଶାକୁ ମଧ୍ୟ ଗିଳିବାକୁ ବସିଲେ । ଏହି ସଙ୍କଟରେ ଓଡ଼ିଶାର ନିଦ ଭାଙ୍ଗିଲା । ନା,–ଓଡ଼ିଆ କେବଳ ଅନ୍ୟର ଜୁଆଳିରେ ଯୋଡ଼ା ହେବାକୁ ଯିବ ନାହିଁ, ଓଡ଼ିଆ ମଧ୍ୟ ବଙ୍ଗାଳୀ, ବିହାରୀ ଓ ଆନ୍ଧ୍ରବାସୀଙ୍କ ପରି ଜଣେ ହୋଇ ଠିଆ ହେବ । ଓଡ଼ିଆ ସ୍ଵତନ୍ତ୍ର ମନ୍ଦିରପରି ଓଡ଼ିଆର ସ୍ଵତନ୍ତ୍ର ଶିଳ୍ପ ରହିବ, ବହିର୍ଜଗତ ସହିତ ସ୍ଵତନ୍ତ୍ର ସମ୍ପର୍କ ରହିବ; ଅନ୍ୟମାନଙ୍କର ଅନୁଗତ ହୋଇ ନୁହେଁ, ସମାନସ୍କନ୍ଧ ହୋଇ ଓଡ଼ିଆ ଜୀଇରହିବ । ମଧୁସୂଦନ ଏହି ଜିଦର ସର୍ବୋତ୍ତମ ପ୍ରତିନିଧି ହୋଇ ବାହାରିଲେ । ସଭାମଞ୍ଚରେ ବକ୍ତୃତା ଦେବାଠାରୁ ଆରମ୍ଭ କରି ବିଚାରଳୟରେ ବାରିଷ୍ଟର ହେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଏହି ଜିଦ୍ ହିଁ ତାଙ୍କୁ ସଞ୍ଚାଳିତ କରୁଥିଲା । ସବୁ ପ୍ରଳୟ ହୋଇଯାଉ, କିନ୍ତୁ ଓଡ଼ିଆ ବଞ୍ଚିରହୁ । ଭାରତର ରାଜଦାଣ୍ଡରେ ଜାତିରେ ଜାତିରେ ଚକକର ହେଲାବେଳେ ଓଡ଼ିଆ ସେଠାରୁ କୌଣସିମତେ ହଟି ନ ଯାଉ, ଏହା ହିଁ ପ୍ରଧାନ ଉଦ୍ଦେଶ୍ୟ ରହିଲା । ଓଡ଼ିଶାର ତାରକସୀ ଓ ସିଙ୍ଗ ଶିଳ୍ପକୁ ସେ ସୁସଂଗଠିତ କଲେ, ଉତ୍କଳ ଟେନେରୀ ପ୍ରତିଷ୍ଠିତ ହେଲା । ଇଉରୋପ ଓ ଆମେରିକାକୁ ଓଡ଼ିଆ ଗୋରୁଙ୍କର ଚମଡାରେ ଓଡ଼ିଆ ମୋଚିଙ୍କ ହାତତିଆରି ସୁଦୃଶ୍ୟ ଜୋତାମାନ ପଠାର ମଧୁସୂଦନ ଆପଣାର ସ୍ଵପ୍ନ ସଫଳ ହୋଇ ଚାଲିଚି ବୋଲି କେତେ ଆନନ୍ଦ ପାଇଥିବେ । କେତେ ସାହେବଙ୍କୁ ସେ ଓଡ଼ିଶାକୁ ଆଣି ବୁଲାଇଚନ୍ତି, କେତେ ସାହେବଙ୍କ ଆଗରେ ସେ ଓଡ଼ିଶା କଥା କହିଛନ୍ତି । ଭାରତ ବାହାରର ମଣିଷ ଭାରତକୁ ଚିହ୍ନିଲାବେଳେ, ବଙ୍ଗାଳୀ, ବିହାରୀ ଓ ତେଲେଙ୍ଗାକୁ ଚିହ୍ନିବା ସଙ୍ଗେ ସଙ୍ଗେ ଓଡ଼ିଆକୁ ମଧ୍ୟ ଚିହ୍ନନ୍ତୁ, ମଧୁସୂଦନଙ୍କର ଜାତୀୟତା ପ୍ରଧାନତଃ ଏଇଥିଲାଗି ଉଦ୍ୟମ କରିଥିଲା ।

 

ଭାରତର ଜାତୀୟତାର ଇତିହାସରେ ବଙ୍ଗବିଚ୍ଛେଦ ଆନ୍ଦୋଳନ ପରି ଓଡ଼ିଶାର ଜାତୀୟତା-ଇତିହାସରେ ମଧୁସୂଦନଙ୍କ ଯୁଗକୁ ଆରମ୍ଭ ଯୁଗ ବୋଲି କୁହାଯାଇ ପାରିବ । ପ୍ରତିକୂଳ ପ୍ରତିବେଶୀ-ସଂସାରରେ ତିଷ୍ଠି ରହିବାହିଁ ଏ ଯୁଗର ପ୍ରଧାନ ସମସ୍ୟା ଥିଲା, ଏବଂ ଏହି କାମଟି ଏ ଯୁଗ ଅତି ଦକ୍ଷତାର ସହିତ ସମ୍ପନ୍ନ କରିଥିଲା । ଓଡ଼ିଶା ମଧ୍ୟରେ ଯେତେ ଉପାଦାନର ଯେତେ ବ୍ୟକ୍ତି ବା ଗୋଷ୍ଠୀ ଥିଲେ, ସମସ୍ତଙ୍କ ଏହି ଆନ୍ଦୋଳନର ଆୟତନରେ ସାମିଲ କରାଗଲା । ଓଡ଼ିଆକୁ ସ୍ଵତନ୍ତ୍ର କରି ବଞ୍ଚାଇ ରଖିବା ଲାଗି ଯାହାଠାରୁ ଯେତେ ସେବା ନେଇହେବ, ତାହା ନିଆଯାଇଥିଲା । କରଦ ରାଜ୍ୟର ରାଜମାନଙ୍କୁ ମଧ୍ୟ ଏହି ଲକ୍ଷ୍ୟସିଦ୍ଧିର ପଥରେ ଗୋଟିଏ ଗୋଟିଏ ପୃଷ୍ଠପୋଷାକ ବୋଲି ଧରିନିଆଗଲା । ପ୍ରତିଯୋଗିତାର ବଜାରରେ ଓଡ଼ିଆଲଗି ଖ୍ୟାତି ଓ ସମ୍ମାନ କିଣିବାକୁ ଏମାନଙ୍କୁ ଶ୍ରେଷ୍ଠୀ ସଜାଇ ପଠାଇବାର ଆକାଂକ୍ଷା ପ୍ରବଳ ହୋଇଉଠିଲା । ଏମାନେ ନେ ହେଲେ ଓଡ଼ିଶାର ଶିଳ୍ପ ଚାଲିପାରିଲା ନାହିଁ, ଏମାନେ ନ ହେଲେ ଓଡ଼ିଶାରେ କଲେଜ ଖୋଲି ପାରିଲା ନାହିଁ, ବହିଟିଏ ମଧ୍ୟ ଛପା ହୋଇ ପାରିଲା ନାହିଁ । ଚିଲିକା-କାବ୍ୟର ପ୍ରକୃତି-ବର୍ଣ୍ଣନାରେ ମଧ୍ୟ ରାଧାନାଥ ରାଜସ୍ତୁତିରେ ବିଡ଼ମ୍ବନାପୂର୍ଣ୍ଣ ଉପସଂହାର ନ ଯୋଡ଼ି ଗ୍ରନ୍ଥ ପୂରଣ କରାଇ ପାରିଲେ ନାହିଁ । ଓଡ଼ିଆର ଜାତୀୟତା ସାଧନା ଓ ଆନ୍ଦୋଳନର ରୂପ ଦେଇଥିବା ତତ୍କାଳୀନ ଏକମାତ୍ର ଅନୁଷ୍ଠାନ ‘ଉତ୍କଳ ସମ୍ମିଳନୀ’ରେ ମଧ୍ୟ ଏହି ରାଜାମାନଙ୍କ ଲାଗି ସ୍ଥାନ ଛାଡ଼ି ଦିଆଗଲା । ଏତିକିବେଳେ ଜାତୀୟ ଜୀବନର ବିକାଶ ଇତିହାସରେ ପୁଣି ସଙ୍ଘାତ ଆସି ପହଞ୍ଚିଥିଲା ।

 

ଭାରତର ଜାତୀୟ ଆନ୍ଦୋଳନକୁ ମହାତ୍ମା ଗାନ୍ଧୀ ଯେ କେବଳ ନୂଆ ନେତୃତ୍ଵ ଦେଲେ ତା’ ନୁହେଁ, ଜାତୀୟତାର ଅର୍ଥ-ପରିସରକୁ ହିଁ ବଦଳାଇ ଦେଲେ । ଜାତୀୟ ଆନ୍ଦୋଳନକୁ ସେ ନୂଆ ଦୃଷ୍ଟି ଓ କଳ୍ପନା ଆଣିଦେଲେ । ସମସ୍ତ ଖଣ୍ଡ-ଜାତୀୟତା ଉପରେ ସେ ସମଗ୍ର ଭାରତର ଏକତା ଓ ଏକଭାଗ୍ୟତାକୁ ସ୍ଵୀକାର କଲେ । ଭାରତକୁ ଖଣ୍ଡ ଖଣ୍ଡରେ ପରିଣତ କରିବାକୁ ଜାତୀୟ ଉତ୍ତେଜନାର ପର୍ଯ୍ୟାୟ ବୋଲି କୁହାଗଲା । ଆମ ସମସ୍ତଙ୍କର ସାଂସ୍କୃତିକ ଉତ୍ସ ଏକ, ନାନା ସଂଘର୍ଷ ସତ୍ତ୍ୱେ ଏକ ଅଭିନବ ସମନ୍ଵୟ ସୂତ୍ରରେ ଭାରତର ସଂସ୍କୃତି ଆପଣାକୁ ପରିପୂର୍ଣ୍ଣ କରି ଚାଲିଚି, ନୂତନ ଯୁଗର ନୂତନ ନାୟକ ଗାନ୍ଧୀ ଓ ରବୀନ୍ଦ୍ରନାଥ ଦୃଢ଼ଭାବରେ ଏହାର ଘୋଷଣା କଲେ । ରବୀନ୍ଦ୍ରନାଥଙ୍କର ‘ଭାରତବର୍ଷରେ ଇତିହାସରେ ଧାରା’ ଓ ଅନ୍ୟାନ୍ୟ ଅନେକ ପ୍ରବନ୍ଧରୁ ଏହାର ସୂଚନା ମିଳିବ । ଏକ ଇଂରାଜଶକ୍ତି ସମସ୍ତ ଭାରତ ଉପରେ ଅଧିପିତ ହୋଇ ବସିଚି, ଏଥିଲାଗି ଆପଣାର ସମସ୍ତ ବଳ ଏକତ୍ର କରି ତାକୁ ଦୂର କରିଦେବା ଜାତୀୟ ଆନ୍ଦୋଳନର ସର୍ବ ପ୍ରଧାନ କଥା ବୋଲି ଗାନ୍ଧୀଜୀ ମଧ୍ୟ କହିଲେ । ଜାତୀୟତା ଓ ଜାତୀୟ ସ୍ଵାଧୀନତାର ସେ ଯେଉଁ ଅର୍ଥ କଲେ, ଭାରତର ପୂର୍ବତର ନେତୃତ୍ଵ ଓ ନେତାଙ୍କଠାରୁ ତାହା ଯୋଜନେ ଛାଡ଼ିଆସିଲା । ଦେଶ କହିଲେ ଗୋଟାଏ ମାନଚିତ୍ରକୁ ବୁଝାଏ ନାହିଁ, ସଂସ୍କୃତି କହିଲେ ମୁଷ୍ଟିମେୟ ଭୂରିଭୋଜୀଙ୍କର ଅନୁଗ୍ରହପ୍ରସୂତ ସଭା ସମିତିର ସୁଆଙ୍ଗକୁ ବୁଝାଏ ନାହିଁ, ବା ସ୍ଵାଧୀନତା କହିଲେ କେତେକ କଳା ଲୋକଙ୍କର ଶୋଷଣ କରିବାର ସ୍ଵାଧିନତାକୁ ବୁଝାଏ ନାହିଁ । ଭାରତର ସାତଲକ୍ଷ ଗାଁ ଭାରତର ସର୍ବପ୍ରଧାନ ଅଙ୍ଗ । ସବୁ ଭାରତୀୟଙ୍କ ପେଟ ପୂରିବ, ଜ୍ଞାନାର୍ଜନର ସୁଯୋଗ ରହିବ, ସରଳ ଜୀବନଯାପନ କରିବାର ସ୍ଵାଧୀନତା ରହିବ, ଏଠି କାହାରି ଉପରେ କେହି କୌଣସି ପ୍ରକାର ଶୋଷଣ କରିପାରିବ ନାହିଁ, କାହାରିକୁ କୌଣସି ପ୍ରକାରେ ଅକିଞ୍ଚନ କରି ରଖାଯିବ ନାହିଁ । ‘ସ୍ଵରାଜ୍ୟ’ କହିଲେ ଗାନ୍ଧୀଜୀ ଏହି କଥା ବୁଝିଲେ । ଭାରତର ମୁକ ଜନତା ନେତା ବୋଲି ବରଣ କରିନେଲା । ତାଙ୍କରି କଥାରେ ଭାରତରେ ମଣିଷର ପ୍ରାଣ ପାଇଲା । ପୂର୍ବତନ ନେତା ମାନେ ଅତି ସ୍ଵାଭାବିକ ଭାବରେ ଅପସରିଗଲେ । ଗୋପବନ୍ଧୁଙ୍କର ଆବିର୍ଭାବ ହେଲା ।

 

ଓଡ଼ିଶାର ଜାତୀୟ ଆନ୍ଦୋଳନରେ ନୂଆ ସମସ୍ୟାର ଆହ୍ଵାନ ଆସି ପହଞ୍ଚିଲା । ଏହି ନୂତନ ଆହ୍ୱାନର ଯୋଗ୍ୟ ଜବାବ୍ ଦେବାକୁ ହେଲେ ‘ଉତ୍କଳ ସମ୍ମିଳନୀ’ କୁ ତାହାରି ଭୂମିକୁ ଆହୁରି ପ୍ରସାରିତ କରିବାକୁ ହେବ, ତାହାର ଆଦର୍ଶକୁ ଆହୁରି ଉଦାର ଓ ଗ୍ରହଣଶୀଳ କରିବାକୁ ପଡ଼ିବ । ଖାଲି ଓଡ଼ିଶା ନୁହେଁ, ଭାରତର ଜାତୀୟତାକୁ ଆଗରେ ଉଚ୍ଚକରି ଧରିବାକୁ ପଡ଼ିବ, ବିଦେଶୀ ହାତରୁ ମୁକ୍ତ ହେବାକୁ ସାରାଭାରତରେ ଯେଉଁ ଅଭିନବ ବିପ୍ଳବର କଳ୍ପନା କରାହେଉଚି, ଓଡ଼ିଶା ମଧ୍ୟ ସେଥିରେ ଯୋଗ ଦେବ । ଓଡ଼ିଆକୁ ବଙ୍ଗାଳୀ ବା ବିହାରୀଠାରୁ ସ୍ଵତନ୍ତ୍ର ଭାବେ ଦେଖାଇବା ନୁହେଁ, ଓଡ଼ିଶାରୁ ଶୋଷଣ ଓ ଦାରିଦ୍ର୍ୟ ଦୂର କରିବା ଆମର ନୂତନ ଲକ୍ଷ ହେବ । ଓଡ଼ିଶାରେ ରାଜାମାନେ ରହିବେ, କିନ୍ତୁ ପ୍ରପୀଡ଼କ ହିସାବରେ ନୁହେଁ, ପାଳକ ବା ସେବକ ହିସାବରେ ରହିବେ । ଜାତୀୟତାର ଏହି ନୂତନ ବ୍ୟାଖ୍ୟା ‘ଉତ୍କଳ ସମ୍ମିଳନୀ’ ଗ୍ରହଣ କରିପାରିଲା ନାହିଁ । ଗୋପବନ୍ଧୁ, ‘ଉତ୍କଳ ସମ୍ମିଳନୀ’ରୁ ଅଲଗା ହୋଇଗଲେ, ତାଙ୍କର ସେବା କ୍ଷେତ୍ର ଅଲଗା ହୋଇଗଲା । ଜାତୀୟତାର ପୁରୁଣା ପର୍ଯ୍ୟାୟରେ ପଡ଼ି ରହିବାରୁ ‘ଉତ୍କଳ ସମ୍ମିଳନୀ’ ନୂଆ ପର୍ଯ୍ୟାୟର ନେତୃତ୍ଵ ନେଇ ପାରିଲା ନାହିଁ । ଜାତୀୟ ଦୃଷ୍ଟିର ଭାରକେନ୍ଦ୍ର ବଦଳିଗଲା । ମଧୁସୂଦନଙ୍କର ଯୁଗ ପରେ ଓଡ଼ିଶାର ଜାତୀୟତାର ଇତିହାସରେ ଗୋପବନ୍ଧୁ ଏକ ନୂତନତର ଯୁଗର ପ୍ରବର୍ତ୍ତକ ଥିଲେ ବୋଲି କହିବାକୁ ହେବ । ତାଙ୍କର ଦୁରଦୃଷ୍ଟିକୁ ବୁଝିଥିଲେ ଓ ସେହି ଅନୁସାରେ ଆପଣାକୁ ସଜାଡ଼ି ପାରିଥିଲେ ‘ଉତ୍କଳ ସମ୍ମିଳନୀ’ ହିଁ ଓଡ଼ିଶାରେ ଜାତୀୟ ଆନ୍ଦୋଳନର ନେତୃତ୍ଵ ନେଇଥାନ୍ତା । ଆପଣାର ଆଦର୍ଶଗତ ଜଡ଼ତା (inertia) ହେତୁ ତାହା ସେ କରିପାରିଲା ନାହିଁ ।

 

ଗତ ଶତାବ୍ଦୀର ଇଂରେଜ କବି ମ୍ୟାକଲେଙ୍କୁ ଅନୁକରଣ କରି ଗୋପବନ୍ଧୁ ଲେଖିଛନ୍ତି, -

 

“ପୂର୍ବ ପୁରୁଷର ପବିତ୍ର ଶ୍ମଶାନ,

ଦେଶର ଜାତିର ଗୌରବ ଗାନ,

ପୂଣ୍ୟ ଜନ୍ମ ମାଟି ପୁଣ୍ୟ ଦେବାଳୟ,

ଉଦ୍ଧରିବା ପାଇଁ ତନୁ କଲେ କ୍ଷୟ,

ମାନବ ଜନମ ହୁଅଇ ସଫଳ....... ”

 

କିନ୍ତୁ ମ୍ୟାକଲେଙ୍କର ଜାତୀୟତା ବୋଧ ଓ ଗୋପବନ୍ଧୁଙ୍କର ଜାତୀୟତାବୋଧ ଭିତରେ ଯଥେଷ୍ଟ ଫରକ ରହିଚି । ଗୋପବନ୍ଧୁଙ୍କର ଜାତୀୟତାରେ କୌଣସି ସଂକୀର୍ଣ୍ଣତା ନାହିଁ, କୌଣସି ଭୌଗଳିକ ବା ସଂସ୍କୃତିକ ମୋହର ଚାରିକାନ୍ଥ ଭିତରେ କ୍ଷୁଦ୍ରକାୟକୁ ଫୁଲାଇ ବସିବାର କୌଣସି ପ୍ରବୃତ୍ତି ତାଙ୍କର ନାହିଁ । ପରିପୂରକ ସ୍ୱରୂପ ଗୋପବନ୍ଧୁଙ୍କର ଆଉ ଧାଡ଼ିଏ ଆମେ ଉଦ୍ଧୃତ କରିପାରିବା ।

 

“ଜାତୀୟ ମମତା ବିଶ୍ଵଜନ ପ୍ରୀତି,

ଉତ୍କଳବାସୀର ହେଉ ଏହା ନୀତି ।”

 

ଯୋଉଠି ଜାତୀୟତା ସହିତ ଅଚଳ ଭଗବଦବିଶ୍ଵାସ ରହିଚି, ବିଶ୍ଵମାନବିକତା ରହିଚି, ସେଠି ଜାତୀୟତା ସମୃଦ୍ଧିମାର୍ଗର ହିଁ ସହାୟକ ହେବ । ଗୋପବନ୍ଧୁଙ୍କର କଳ୍ପନାର ଓଡ଼ିଶା ଏକ ଆବଦ୍ଧ ଜଳାଶୟ ନୁହେଁ, ଜଗତ-ପାରାବାରର ଏକ ପ୍ରତୀକ ମାତ୍ର । ସବୁଠାରେ ସେ ମଣିଷକୁ ସୁଖୀ ଓ ସୁନ୍ଦର ଭାବେ ଦେଖିବାକୁ ବ୍ୟଗ୍ର, ସବୁଠାରେ ଅତ୍ୟାଚାର ଦେଖିଲେ ତାଙ୍କର ଆଖିରୁ ଲୁହ ଗଡ଼ୁଚି ମାନବ–ଶିଶୁର ଅବମାନତା ଦୂର କରିବାକୁ ସେ କୌଣସି କ୍ଷେତ୍ରଭେଦ ରଖିନାହାନ୍ତି । ମଣିଷକୁ ନେଇ ସେ ଏକ ଆଦର୍ଶ ସମାଜର କଳ୍ପନା କରିଚନ୍ତି ।

 

“ନ ସହିବ କଷ୍ଟ କେହି ଅନାହାରେ,

ନ ମରିବ ଦୁଃଖୀ ଧନୀଙ୍କ ପ୍ରହାରେ ।

ଡରାଇ ଶାସିବା ନୀତି ଭାଙ୍ଗିଯିବ,

ପ୍ରଜାଙ୍କ ମତରେ ଶାସନ ଚାଲିବ ।”

 

ଗୋପବନ୍ଧୁଙ୍କ ଲାଗି ଜାତୀୟତା କୌଣସି ପତାକା ବା କୌଣସି ଦେଶରେ ସୀମାବଦ୍ଧ ନୁହେଁ, ମନୁଷ୍ୟତା ହେଉଚି ଏହାର ସନ୍ତକ । ଜଗତ ପ୍ରଧାନତଃ ଏକ ଧର୍ମଭୂମି, ମଣିଷ–ଜୀବନ ଧର୍ମ ସାଧନାର ପ୍ରଧାନ ପ୍ରମାଣପତ୍ର । ସେଠି କୁଟନୀତି ନାହିଁ , ମିଥ୍ୟା ନାହିଁ, ପାପ ବା ପ୍ରମତ୍ତତା କିଛି ନାହିଁ । କେବଳ ତତ୍ତ୍ଵ ହିଁ ଅଛି । ତତ୍ତ୍ଵାଗତ ଜୀବନ ସବୁ କାଳରେ ଓ ସବୁ ଦେଶରେ ମଣିଷର ଲକ୍ଷ୍ୟ ହୋଇ ରହିବା ଉଚିତ ।

 

“ମାନବ ଜୀବନ ନୁହେଁ ମିଥ୍ୟାଭାଣ,

କିବା କୂଟନୀତି କୌଶଳପ୍ରଧାନ ।

ଏ ଜୀବନ ସତ୍ୟ ଶୁଦ୍ଧ ସାରତତ୍ତ୍ଵ,

ତତ୍ତ୍ଵ ଅନୁବନ୍ଧ ମାନବର ସତ୍ତ୍ଵ ।

ଯା’ ଜୀବନ ଗତି ତତ୍ତ୍ଵ ଅଭିମୁଖୀ,

ସେହି ଏକା କୃତା ସେହି ଏକା ସୁଖୀ ।”

 

ଓଡ଼ିଶା ଲାଗି ମଧ୍ୟ ଗୋପବନ୍ଧୁ ଏହି ଧର୍ମବଳର ଆହ୍ଵାନ ଦେଇଚନ୍ତି ।

 

“ମାତ୍ର ବୁଝ ଭାଇ ହେଲେ ଧର୍ମବଳ,

ନବ ତେଜେ ପୁଣି ଜଗିବା ଉତ୍କଳ ।”

 

ଭାରତବର୍ଷକୁ ଗୋପବନ୍ଧୁ ଜାତୀୟ ଜୀବନର ଏକକ ବୋଲି ଗ୍ରହଣ କରିଚନ୍ତି । ଭାରତ ବର୍ଷ ସୂତ୍ର ପରି ରହି ଯେଉଁ ସାଂସ୍କୃତିକ ମାଳଟି ସମ୍ଭାଳି ଧରିଚି, ଓଡ଼ିଶା ସେହି ମାଳର ଗୋଟିଏ ମାଳି । ଏଥିଲାଗି ଭାରତ ଓ ଉତ୍କଳ ପ୍ରତି ଅନୁରକ୍ତିରେ ସେ କୌଣସି ପ୍ରକାର ବିଭେଦ ଦେଖାଇ ନାହାନ୍ତି ।

 

“ଥିଲେ ଯହିଁ ତହିଁ ଭାରତ ବକ୍ଷରେ,

ମଣିବି ମୁଁ ଅଛି ଆପଣା କକ୍ଷରେ ।

ମୋ’ ନେତ୍ରେ ଭାରତ ଶିଳା ଶାଳଗ୍ରାମ

ପ୍ରତିସ୍ଥାନ ମୋର ପ୍ରିୟ ପୁରୀଧାମ ।”

ପୁଣି, “ଯେତେ ଧର୍ମ ଯେତେ ବର୍ଣ୍ଣ ଜାତି କୁଳ,

ଭାରତ ଜନନୀ ସମସ୍ତଙ୍କ ମୂଳ ।”

 

‘ଅବକାଶ ଚିନ୍ତା’ ଗୋପବନ୍ଧୁଙ୍କର ପ୍ରଥମ ବୟସର ଲେଖା । ଏଥିରେ ତାଙ୍କର କବିଜୀବନର ଦର୍ଶନ ପରିପକ୍ଵ ହୋଇନାହିଁ । ତଥାପି ସେଥିରେ ମଧ୍ୟ ଆମେ ତାଙ୍କର ସେହି ମୌଳିକତାର ସୂଚନା ପାଇବା–‘ଭାରତର ମହାଜାତୀୟ ତରଙ୍ଗେ ମିଶୁ ଉତ୍କଳ ପ୍ରବାହ ଯେ ।”

 

ସ୍ଵାଧୀନତାର ସାଧନା ପରେ ଆଜି ସମ୍ଭୋଗର ବେଳ ଆସିଚି ବୋଲି ଅନେକେ ବିଚାରୁଚନ୍ତି । ବର୍ତ୍ତମାନ ଦେଶର ସମାପତ୍ତି ବଢ଼ୁଚି, କାର୍ଯ୍ୟକ୍ଷେତ୍ର ବଢ଼ୁଚି, ଶିକ୍ଷାର ପରିସର ମଧ୍ୟ ବଢ଼ୁଚି । ସମସ୍ତେ ଯେମିତି ଏହି ସମୃଦ୍ଧିର କୋଳାହଳ-କ୍ଷେତ୍ରରୁ ଆପଣା ଆପଣା ଅଧିକାର ଛଡ଼ାଇ ନେବାକୁ ଧାଇଁଚନ୍ତି । ଦେଶସାରା ତୁମୁଳ ପ୍ରତିଯୋଗିତା ଚାଲିଚି । ଇଉରୋପର ଜାତୀୟ ବିକାଶରେ Laisserz-Faireର ଦିନ ସରି ଆସୁଚି । ଘଟନାଚକ୍ରର ଆଘାତ ଓ ଆବଶ୍ୟକତା ସେମାନଙ୍କୁ ପରସ୍ପର ସହିତ ସହଯୋଗ କରିବାକୁ ବାଧ୍ୟ କରୁଚି । ଏଣେ ଭାରତରେ ଆମେ ଯେମିତି ପଛକୁ ଫେରି ସେଇ Laisser-Faire ଯୁଗର ଉତ୍ତେଜନା ଓ ପ୍ରତିଯୋଗିତାକୁ ଜାତୀୟ ଆଚରଣ ଭିତରକୁ ନିମନ୍ତ୍ରଣକରି ଆଣୁଚୁ । ମନୋବିଜ୍ଞାନର ଭାଷାରେ ପଛକୁ ଫେରି ଉତ୍ତେଜିତ ହୋଇ ବସିବାର ଏହି ପ୍ରବୃତ୍ତିକୁ ଏକ ସାମାଜିକ ମନୋବିଜ୍ଞାନର (Regression) ବୋଲି କହିବାକୁ ହେବ । ଉପସ୍ଥିତ ଦାୟିତ୍ଵକୁ ଫାଙ୍କି ଦେବାଲାଗି ଅନେକ ସମୟରେ ମଣିଷ ପଛର ଉତ୍ତେଜନାରେ ମାତିରହେ । ନୂତନ ଭାରତ ଓ ନବଲବଧ ଜାତୀୟତାର ଦାୟିତ୍ଵ ଆମେ ତୁଲାଇ ପାରିବାନାହିଁ । ଭିତରେ ଭିତରେ ଯିଏ ନିଜକୁ ଛୋଟ ମନେକରେ, ଉପସ୍ଥିତ ଦାୟିତ୍ଵକୁ ଫାଙ୍କିଦେଇ ଯିବାର ଫନ୍ଦି ସେହି ବାହାର କରେ । ଓଡ଼ିଶାରେ ଏହିପରି ଏକ ମନୋବୃତ୍ତି କ୍ରମେ ଉଗ୍ରରୁ ଉଗ୍ରତର ହୋଇ ଦେଖାଦେଉଚି । ଓଡ଼ିଆ ଭିତରେ ପ୍ରତିଯୋଗିତାର ମନୋଭାବ ସୃଷ୍ଟି କରିବାକୁ ହେବ, ଏପରି କଥା ମଧ୍ୟ ଶୁଣିବାକୁ ମିଳିଗଲାଣି । ୧୯୪୬ର ହାଣକାଟବେଳେ ମୁସଲମାନମାନଙ୍କ ହାତରେ ବଳିପଡ଼ି ମାଟିଆ ବୁରୁଜର ଓଡ଼ିଆମାନେ ଯେଉଁ ଅପକୀର୍ତ୍ତି ଦେଖାଇଲେ, ତାହାରି ଦ୍ଵାହି ଦେଇ ଓଡ଼ିଶା-କବିଙ୍କର କ୍ଷତ୍ରିୟ ରକ୍ତ ମଧ୍ୟ ବିଦ୍ରୋହ କରି ଉଠୁଚି । ଯେକୌଣସି ସବୁଦ୍ଦେଶ୍ୟରେ ଘୃଣାର ପ୍ରଚାର କରାଯାଉ ନା କାହିଁକି, ତାହା ମାନସିକ କ୍ଳାନ୍ତିର ହିଁ ପରିଚୟ ଦିଏ । ଓଡ଼ିଆ ଆଜି ଆପଣାକୁ କାହିଁକି ଏତେ ଛୋଟ ବୋଲି ଭାବୁଛି, କାହିଁକି ସେ ଅନ୍ୟ ସହିତ ଆପଣାକୁ ତୁଳନା କରି ଏତେ ନ୍ୟୁନ ହୋଇ ପଡ଼ୁଚି ? ଏକ ଅସୁନ୍ଦର ତ୍ରାସର ବଶବର୍ତ୍ତୀ ହୋଇ ସେ ଯେକୌଣସି ପ୍ରକାରେ ତିଷ୍ଠି ରହିବାକୁ ଚାହୁଚି । କିନ୍ତୁ ଏ ହୀନ ସମାଧାନ-ପନ୍ଥା ଆଜିର ଆହ୍ୱାନର ଯଥାର୍ଥ ଓ ବଳିଷ୍ଠ ଉତ୍ତର ଦେଇପାରିବ ନାହିଁ । ଜାତୀୟତାର ଗୋପବନ୍ଧୁ-ଯୁଗରେ ମଧୁସୂଦନ ଯୁଗର ଏକାର୍ଥୀ ମନ ନେଇ ଆମେ କେତେଦୂର ଯୋଗ୍ୟ ହୋଇ ବଞ୍ଚିପାରିବା, ଆଜି ପ୍ରତ୍ୟେକ ଓଡ଼ିଆ ସେହି କଥାରେ ବିଚାର କରୁ ।

ଚମ୍ପତିମୁଣ୍ଡା,

୨୬/୫/୫୬

[ଦୈନିକ ‘ସମାଜ’ର ଗୋପବନ୍ଧୁ ବିଶେଷ ସଂଖ୍ୟା ୧୯୫୬ରେ ପ୍ରକାଶିତ]

Image

 

କମୁନିଷ୍ଟ ଓ ଭୟ

 

ଖବରକାଗଜ ପଢ଼ିଲେ ବର୍ତ୍ତମାନ କେବଳ ଦୁଇଟି କଥା ଖୁବ୍ ବେଶୀ ଦେଖିବାକୁ ମିଳିବ-। ଗୋଟିଏ ହେଉଚି ନେତାମାନଙ୍କର ଭାଷଣ, ଆଉ ଗୋଟିଏ ହେଉଚି କମୁନିଷ୍ଟ ଭୟ । କମୁନିଷ୍ଟ ପାର୍ଟି ଏ ଦେଶରେ ଅନେକ ବର୍ଷ ହେଲା ରହିଚି । କିନ୍ତୁ ଏବକା ପରି ସେମାନଙ୍କର ଏତେ ବିଜ୍ଞାପନ ଆଉ କେବେ ହୋଇ ନଥିଲା । ରାଜନୀତିରେ ଯେକୌଣସି ଦଳର ଦୁଇ ପ୍ରକାର ପ୍ରଚାର ହୁଏ । ପ୍ରଥମଟି ଆପଣାର ଲକ୍ଷ୍ୟ ଓ କାର୍ଯ୍ୟପନ୍ଥାର ବ୍ୟାପକ ବିଶେଷଣ ଦ୍ଵାରା, ସେହି କାର୍ଯ୍ୟପନ୍ଥା ଅନୁଯାୟୀ ଲୋକ-ସାଧାରଣଙ୍କ ଭିତରେ କାର୍ଯ୍ୟ କରି ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବା ଦ୍ଵାରା । ଦ୍ଵିତୀୟ ପ୍ରଚାରଟି ହୁଏ ବିରୋଧୀ ଶିବିରର ନିନ୍ଦା ଦ୍ଵାରା । ସ୍ଵାଧୀନତା ପୂର୍ବରୁ ବ୍ରିଟିଶ ସରକାରଙ୍କ ଜରିଆରେ କଂଗ୍ରେସର ଟିକିନିଖି ଅନେକ ବ୍ୟାପାର କିପରି ସାରା ପୃଥିବୀରେ ଡିବିଡ଼ିବି ବାଜିଚି, ସେକଥା ଯେକୌଣସି କଂଗ୍ରେସୀ ନେତା ନିଶ୍ଚୟ ସ୍ଵୀକାର କରିବେ । ବର୍ତ୍ତମାନ କମୁନିଷ୍ଟ ପାର୍ଟିର ସେହିପରି ପ୍ରଚାର ଚାଲିଚି । ଭୟ ବା ବଡ଼ିମା, ଯେକୌଣସି କାରଣରୁ ହେଉ ବର୍ତ୍ତମାନର ସରକାରୀ ଓ ବେସରକାରୀ କଂଗ୍ରେସ ନେତାମାନେ ଆପଣାର ସଭା, ସମିତି ଓ ସାମ୍ବାଦିକ ସମ୍ମିଳନୀମାନଙ୍କରେ ଏହି କମୁନିଷ୍ଟଦଳର ଚର୍ଚ୍ଚା ନ କରି ସନ୍ତୁଷ୍ଟ ହୋଇପାରୁ ନାହାନ୍ତି । ୧୯୪୩ ମସିହାରେ କଂଗ୍ରେସ ବା ସାମ୍ୟବାଦୀ ସମସ୍ତେ ଜେଲରେ ଥିଲେ, କେବଳ କମୁନିଷ୍ଟ ଲାଗି ଦେଶର ଗଣକ୍ଷେତ୍ର ମୁକ୍ତ ପଡ଼ିଥିଲା । ତଥାପି ସେତେବେଳେ କମୁନିଷ୍ଟ ପାର୍ଟି ଆପଣାର ଯେତେ ପ୍ରଚାର କରି ପାରିନଥିଲେ, ଆଜି କଂଗ୍ରେସ ତରଫରେ ଏତେ ସଭା, ସମିତି ଓ ପ୍ରଚାର ବିଭାଗ ଥାଇ ମଧ୍ୟ ଦେଶର ଅଧିକାଂଶ ଲୋକଙ୍କ ମୁହଁରେ କମୁନିଷ୍ଟ ନାମଟା ଅତି ପରିଚିତ ହୋଇଗଲାଣି ।

 

ବିରୋଧୀ ପ୍ରଚାରରେ ବିରକ୍ତ ହୋଇ ଅନେକ ନେତା କମୁନିଷ୍ଟମାନଙ୍କୁ ଗାଳି ଦେବାକୁ ଆରମ୍ଭ କଲେଣି । ଖବରକାଗଜ ସେମାନଙ୍କ ପ୍ରତି ଗୁଣ୍ଡା ଶ୍ରେଣୀର ନାନା ଶବ୍ଦ ପ୍ରଯୁକ୍ତ ହୋଇ ସାରିଲାଣି । କଂଗ୍ରେସ ବା କମୁନିଷ୍ଟ, ଦୁହିଙ୍କ ଭିତରୁ ଯିଏ ଠିକ୍ ଯିଏ ବେଠିକ ହୋଇଥାଉ ପଛକେ, ଏତିକି ସ୍ଵୀକାର କଲେ ସତ୍ୟର ହାନି ହେବ ନାହିଁ ଯେ କମୁନିଷ୍ଟ ଶବ୍ଦଟା କ୍ରମେ ବେଶୀ ବେଶୀ ଆମର ଆଲୋଚନା ଭିତରକୁ ଆସୁଚି, କମୁନିଷ୍ଟ ରୂପକ ଗୋଟାଏ ଅଦୃଶ୍ୟ ଆଶଙ୍କା ଆମ ଦେଶରେ ଅନେକଙ୍କ ଜାତୀୟ ପରିକଳ୍ପନାର ସ୍ଵପ୍ନଭଙ୍ଗ କରୁଚି ।

 

କିନ୍ତୁ ଏଇଠି ସିଧା ଜାଣିରଖିବା ଉଚିତ ଯେ ଯାହା ସକାଶେ ରାଜନୀତି କ୍ଷେତ୍ରରେ ଏତେ ରକମ ର ଓ ଅପଭାବନା ଉପୁଜୁଚି, ତାହା କମୁନିଷ୍ଟ ପାର୍ଟି ନୁହେଁ, ତାହା ହେଉଚି ‘କମୁନିଷ୍ଟ ଧାରଣା’-। ହୁଏତ ସେହି ଧାରଣାକୁ ପୁଞ୍ଜି କରିଥିବାରୁ ଗୋଟାଏ ପାର୍ଟି ଏ ଦେଶରେ ତାହାର ଅପବ୍ୟବହାର କରୁଚି । କିନ୍ତୁ କେବଳ ପାର୍ଟିର ମନ୍ଦ ଆଚରଣକୁ ଗାଳି ଦେଇ ଆମେ ସେହି ଆଶଙ୍କାରୁ ବର୍ତ୍ତି ପାରିବା ନାହିଁ । କୋଉଠି ଦି’ ତିନିଟା ଚୋରି ଓ ହତ୍ୟାକାଣ୍ଡର ଉଦାହରଣ ଦେଇ କଲିକତା ବା ହାଇଦାରାବାଦର ଭଲୁଗୁଣା ଦେଇ ଆମେ ଯଥେଷ୍ଟ ଶାନ୍ତି ପାଇ ପାରିବା ନାହିଁ । ଶାନ୍ତି ପ୍ରତିଷ୍ଠା କରିବା ଯଦି ଆମର ସାଧୁଆ ଉଦ୍ଦେଶ୍ୟ ହୋଇଥାଏ, ତେବେ ଆମକୁ ଅଶାନ୍ତିର ଉତ୍ସକାରଣ ଖୋଜି ବାହାର କରିବାକୁ ହେବ । କାହିଁକି ଏପରି ହେଉଚି ? ଏତେ ଲାଠି ଓ ବନ୍ଧୁକ ଥାଇ ମଧ୍ୟ କାହିଁକି କମୁନିଷ୍ଟର ଭୟ ଦୂର ହୋଇପାରୁ ନାହିଁ ? ହୁଏତ ବର୍ତ୍ତମାନ ସ୍ଥିତିରେ ‘କମୁନିଷ୍ଟ’ ଶବ୍ଦର ଏପରି ଏକ ପ୍ରେରଣା ରହିଚି, ଯାହା ଶତ ଦମନ ସତ୍ତ୍ୱେ ଲୋକଙ୍କର ମନରେ ଆଶ୍ରୟ ପାଇ ପାରୁଚି । ଉପସ୍ଥିତ ସଂସ୍ଥାନ-ବ୍ୟବସ୍ଥାରେ ବିରକ୍ତ ହୋଇ ଫିଡ଼ିକି ଗଲାବେଳେ ହୁଏତ ‘କମୁନିଷ୍ଟ’ ଧାରଣାଟା ସେମାନଙ୍କବ ମନକୁ ଆଶା ଓ ନିର୍ଭର ଦେଇ ପାରୁଚି ।

 

କାର୍ଲ ମାର୍କସଙ୍କ ଅନେକ ପୂର୍ବରୁ ମଧ୍ୟ କମୁନିଷ୍ଟ ଧାରଣା ଏ ପୃଥିବୀରେ ଥିଲା । ପୁରାଣ ଯୁଗର ଗ୍ରାମ ବ୍ୟବସ୍ଥା, ହିନ୍ଦୁ ଧର୍ମନେତାମାନଙ୍କର ସାମାଜିକ ଉପଦେଶମାନ ସହଜରେ କମୁନିଷ୍ଟ ସାହିତ୍ୟର ଅନ୍ତର୍ଗତ ହୋଇପାରିବ । ଯୁଗେ ଯୁଗେ ଯେତେ ବିଦ୍ରୋହୀ ମହାପୁରୁଷ ଜନ୍ମ ଗ୍ରହଣ କରିଚନ୍ତି, ହୁଏତ ଏ ଯୁଗରେ ସେମାନଙ୍କ ଭାଷାର ପୁନରାବୃତ୍ତି କରିଥିଲେ ସେମାନଙ୍କୁ ପ୍ରତ୍ୟେକ ସରକାର କମୁନିଷ୍ଟ ବୋଲି କହିଥାନ୍ତେ । ଯୀଶୁଖ୍ରୀଷ୍ଟ, ସକ୍ରେଟିସ ଓ ଗୌତମ ବୁଦ୍ଧଙ୍କ ଜୀବନର ସେହି ବିଦ୍ରୋହୀ ଦିଗଟା ଲେଖା ହେବାକୁ ଏ ପର୍ଯ୍ୟନ୍ତ ବାକୀ ରହିଚି । ସେଗୁଡ଼ିକ ଲୋକାନୁଶୀଳର ଆୟତନକୁ ଆସି ପାରିଲେ ପ୍ରତ୍ୟେକ ଧର୍ମର ସାମାଜିକ ବିପ୍ଳବୀ ଦିଗଟା ଲୋକ ସମକ୍ଷକୁ ଆସି ପାରନ୍ତା ।

 

ମୋକ୍ଷ ମଣିଷ-ଜୀବନର ଚରମ ଲକ୍ଷ୍ୟ । ଆତ୍ମୋପଲବଧି ହେଉଚି ମୋକ୍ଷର ସର୍ବଶ୍ରେଷ୍ଠ ସଜ୍ଞା । ବିରାଟ ପୃଥିବୀ ମଧ୍ୟରେ ଆପଣାର ଅନ୍ତର୍ନିହିତ ସମସ୍ତ ସମ୍ଭାବନାକୁ ବିକଶିତ କରିବା ହେଉଚି ଆତ୍ମୋପଲବଧିର ପ୍ରଥମ ସୋପାନ । ବିଶ୍ଵର ସୁରଭିକୁ ଅନ୍ତରର ସୁରଭିରୂପେ ପରିଣତ କରିବାକୁ ହେଲେ ପ୍ରଥମେ ଚିତ୍ତକମଳର ସମସ୍ତ ସୁପ୍ରବୃତ୍ତିକୁ ଫୁଟାଇ ଦେବାକୁ ହେବ । ସବୁ ଧର୍ମରେ ଶରୀରର ମାହାତ୍ମ୍ୟ ବର୍ଣ୍ଣନ ସ୍ପଷ୍ଟ ଦେଖିବାକୁ ମିଳେ । ଉପନିଷଦରେ ଅନ୍ନକୁ ହିଁ ବ୍ରହ୍ମ କୁହାଯାଇଚି । ତୁଳନାତ୍ମକ ଦୃଷ୍ଟିରେ ଦେଖିଲେ ଆନନ୍ଦ ବା ବିଜ୍ଞାନମୟ କୋଷଠାରୁ ଅନ୍ନମୟ କୋଷର ମହତ୍ତ୍ଵ କୌଣସି ଗୁଣରେ କମ୍ ନୁହେଁ । ‘ଦେହଭାବେ କୁତଃ ସୌଖ୍ୟଂ ?’ –ଦେହ ନଥିଲେ ସୁଖ କାହିଁ ? ବୁଦ୍ଧଙ୍କର ଉକ୍ତି ହିସାବରେ ମହାଯାନ ଏହା ହିଁ ଘୋଷଣା କରିଚି । ତନ୍ତ୍ର ଓ ଯୋଗଶାସ୍ତ୍ର ଜୀବନ-ବିକାଶର ଏହି ପ୍ରଥମ ସ୍ତରଟିକୁ ବୋଧହୁଏ ସବୁଠାରୁ ବେଶୀ ଗୁରୁତ୍ଵ ଦେଇଚି-। ମାନବଜନ୍ମକୁ ସଂସାରର ସବୁଠାରୁ ଦୁର୍ଲଭ ପଦାର୍ଥ ବୋଲି ଘୋଷଣା କରି ତନ୍ତ୍ର ଏହି ଦେହର ସଂରକ୍ଷଣ ଲାଗି ଅନେକାନେକ ଉପଦେଶ ଦେଇଚି । ମଧ୍ୟ ଯୁଗର ଓଡ଼ିଶାରେ ଯେତେ ମହାତ୍ମା ଜନ୍ମଗ୍ରହଣ କରିଥିଲେ, ସମସ୍ତେ ଏହି ‘ଶରୀରାର୍ଥ’ର ମହିମା କୀର୍ତ୍ତନ କରିଯାଇଚନ୍ତି ।

 

କଥାଟା ଆହୁରି ସଳଖ କରି ଆଧୁନିକ ଭାଷାରେ କହିଦେବା ଉଚିତ । ମଣିଷର ଦୃଷ୍ଟି ଦୁରନ୍ତ-ପ୍ରସାରୀ । ଧନକ୍ଷୁଧା, ମାନକ୍ଷୁଧା ବା ଫ୍ରୟେଡ଼ଙ୍କର ଯୌନକ୍ଷୁଧା ହେଉ ପଛକେ, କୌଣସି ଗୋଟିଏ କ୍ଷୁଧାରେ ମଣିଷର କ୍ଷୁଧା ପରିସମାପ୍ତ ହୋଇ ନାହିଁ । ତା’ର କ୍ଷୁଧା ଅନେକ, ତା’ର ସ୍ଵପ୍ନ ଅଶେଷ । ତଥାପି ଏଇ ଅଶେଷ କ୍ଷୁଧାର ମୂଳଦେବୀ ହେଉଚି ଅନ୍ନ । ସମସ୍ତ ପ୍ରକାର ସମ୍ଭାବ୍ୟ ସ୍ଵର୍ଗକୁ ହାତ ବଢ଼ାଇବା ମଣିଷର ଧର୍ମ ହେଲେ ମଧ୍ୟ ଅନ୍ନ ବା ଶରୀରର ପ୍ରଥମ ସୋପାନ ଦେଇ ସଭିଙ୍କୁ ଗତି କରିବାକୁ ହେବ । ମଣିଷ-ଜୀବନ ଗଢ଼ିବାର ପ୍ରଥମ ସର୍ତ୍ତ ହେଉଚି ଶରୀରର ପ୍ରାଥମିକ ଆବଶ୍ୟକତାମାନ ମେଣ୍ଟାଇବା । ଯଥେଷ୍ଟ ଖାଇବା, ଯଥେଷ୍ଟ ପିନ୍ଧିବା ଓ ଯଥେଷ୍ଟ ବାସଦ୍ଵାରା ଜୀବନର ପ୍ରଥମ ଗୁଜୁରାଣକୁ ତୁଷ୍ଟ କରି ନ ପାରିଲେ ମଣିଷ କୌଣସି ଗୁଜୁରାଣକୁ ତୁଷ୍ଟ କରି ପାରିବ ନାହିଁ । କୌଣସି ଧର୍ମ ଅନ୍ନକୁ ଅସ୍ଵୀକାର କରିନାହିଁ । ମାୟାବାଦୀ ଶଙ୍କର ମଧ୍ୟ ଏହି ଦେହକୁ ଦେବାଳୟ ବୋଲି ବର୍ଣ୍ଣନା କରିଚନ୍ତି ।

 

କିନ୍ତୁ ଇତିହାସରେ ସ୍ପଷ୍ଟ ଦେଖିବାକୁ ମିଳିବ ଯେ ମଣିଷ ଅନେକ ସମୟରେ ଧର୍ମର ହିତ-ପରାମର୍ଶ ଗ୍ରହଣ କରି ପାରିନାହିଁ । ଜୀବନ-ବିକାଶର ସ୍ଵାଭାବିକ ପନ୍ଥା ଛାଡ଼ି ସେ ସ୍ଵାର୍ଥବଶ ହୋଇ ଅବାଟକୁ ଚାଲିଯାଇଚି । ଯୁଗେ ଯୁଗେ ଏ ପୃଥିବୀର ଶାସକମାନେ ଲୋଭ ଓ କ୍ଷମତାର ଜାଲରେ ପଡ଼ି ଇତରର ଅଧିକାରକୁ ଆପେ ଆତ୍ମସାତ କରିଚନ୍ତି । ଆପଣା ହାତରେ ସମାଜର ରଜ୍ଜୁ ଚଳାଇବାର ସୁଯୋଗ ପାଇ କୌଣସି ବିଶେଷ ଶ୍ରେଣୀ ବା ଦଳ ହୁଏତ ଅନ୍ୟ ଶ୍ରେଣୀକୁ ତା’ର ବିକାଶ-ସାଧନରୁ ବଞ୍ଚିତ କରି ଆପେ ପୁଷ୍ଟ ହେବାକୁ ବସିଚି । ତେଣୁ ଅନେକ ଦିନରୁ ଆମର ଇତିହାସ ଅବାଗିଆ ହୋଇ ଯାଇଚି । ସଭିଙ୍କର ବିକାଶରେ ଯେ ସମାଜର ସମୃଦ୍ଧି ନିର୍ଭର କରେ, ସେକଥା ଆମେ ପାସୋରି ପକାଇଚୁ । ତେଣୁ ଅନେକ ଲୋକଙ୍କୁ ଉପବାସୀ ଓ ଉଲଗ୍ନ ରଖି ଚିରଦିନ କେତେକ ଶାସକଙ୍କର ସୌଧଗଢ଼ା ଓ ସ୍ଵପ୍ନବିଳାସ ଚାଲିଚି । ସାହିତ୍ୟ, ସଂସ୍କୃତି, ଜାତି, ଦେଶ ପ୍ରଭୃତି ନାନାପ୍ରକାର ଆତସବାଜି ଦେଖାଇ ପୃଥିବୀର ଅନେକ ଲୋକଙ୍କୁ ଖାଇବା, ପିନ୍ଧିବା ଓ ରହିବାର ପ୍ରଥମ ଉପକରଣମାନ ଦିଆଯାଇ ନାହିଁ । ତେଣୁ ଉପରେ ଦେଖିବାକୁ ପୃଥିବୀ ଯେତେଦୂର ଦଉଡ଼ି ଯାଇଥିଲେ ହେଁ ସମାଜର ସବୁ ସ୍ଥାନରେ ନାନପ୍ରକାର ଦାରିଦ୍ର୍ୟ ସନାତନ ବିଶ୍ଵବ୍ୟଙ୍ଗ ପରି ଆମକୁ ଉପହାସ କରି ଆସିଚି । ଏହି ଅସମ-ବ୍ୟବସ୍ଥା ହିଁ ଇତିହାସର ଯାବତୀୟ ଦ୍ଵନ୍ଦ୍ଵ ଓ ବିଗ୍ରହର ମୂଳ କାରଣ ହୋଇ ଆସିଚି ।

 

ତଥାପି ଏଇ ଅସମ ସମାଜରେ ଯୁଗନ୍ଧର ମହାପୁରୁଷ ଭାବରେ ବାରବାର ଅବତୀର୍ଣ୍ଣ ହୋଇ କେତେ କେତେ ମହାତ୍ମା ଆମର ଭୁଲ ରାସ୍ତା ବିଷୟରେ ସତର୍କ କରି ଯାଇଚନ୍ତି । ସେମାନଙ୍କର ଯୁଗରେ ହୁଏତ ମଣିଷ ସେମାନଙ୍କୁ ଠିକ୍ ଠିକ୍ ବୁଝିପାରି ନାହିଁ । କୋଉଠି ସେମାନଙ୍କର ବିଚାର ହୋଇ ସେମାନଙ୍କୁ ଫାଶୀରେ ଲଟକାଇ ଦିଆଯାଇଚି, କୋଉଠି ନିଆଁରେ ପୋଡ଼ି ମାରି ଦିଆଯାଇଚି । ତଥାପି ଆମର ସଂସାର ଯେ ସୁସମ ପରିପୂର୍ଣ୍ଣ ହୋଇ ନାହିଁ, ଏକାଧିକ ମହାତ୍ମାଙ୍କର ମୃତ୍ୟୁ ଏଇକଥା ଘୋଷଣା କରାଯାଇଚି । ଏପର୍ଯ୍ୟନ୍ତ ପୃଥିବୀରେ ଅନେକେ ଉପାସରେ ମରୁଚନ୍ତି, ପରିତୁଷ୍ଟ ଭୁରିରୋଗୀର ବକ୍ତିମାବିଳାସ ତଳେ ମଣିଷରୂପୀ କୋଟି କୋଟି ପିପାସିତ ପ୍ରାଣ ଆମର ଏଇ ସମାଜରେ ଦାରୁଣ ଭୋଗ କରୁଚନ୍ତି, ଅନ୍ନ, ମନ ଓ ଧନ ନାନା ଦୃଷ୍ଟିରୁ ଏପର୍ଯ୍ୟନ୍ତ ଅନେକ ଲୋକ ଗହନ ମୋହନିଦ୍ରାରେ ଶୋଇ ରହିଚନ୍ତି, ଟିକିଏ ଗଭୀର ଓ ଭିନ୍ନ ଦୃଷ୍ଟିରେ ଦେଖିଲେ ଅଧିକାଂଶ ମାନବ-ପୂତ୍ର (Son of Man) ଏହି ଉଚ୍ଚାଟ ବାଣୀ ଶୁଣାଇ ଦେଇ ଯାଇଚନ୍ତି ।

 

ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ପୁଞ୍ଜିବାଦୀ ସମାଜର ବିରାଟ ଅସମତା ପ୍ରଥମେ ଜଣାପଡ଼ିଲା । ଗୋଟାଏ ଦିଗରେ ଅତୁଳ ଐଶ୍ଵର୍ଯ୍ୟ, ଆଉ ଗୋଟାଏ ଦିଗରେ ଅତୁଳ ଦୈନ୍ୟ-ଏହି ବୈଷମ୍ୟର ବାଣୀ ପ୍ରଥମେ କାର୍ଲ ମାର୍କସଙ୍କର ଜୀବନ ମଧ୍ୟଦେଇ ଘୋଷିତ ହେଲା । ଅଦମ୍ୟ ପରିଶ୍ରମ ସହକାରେ ସେ ପ୍ରମାଣ କରିଦେଲେ ଯେ ଇତିହାସର ସକଳ ପ୍ରକାର ଆଡ଼ମ୍ବର ଓ ଆୟୋଜନ ମଧ୍ୟରେ ଏକ ଶ୍ରେଣୀଗତ ଦ୍ଵନ୍ଦ୍ଵ ବା ବିଷମତା ଆଦିକାଳରୁ ରହିଆସିଚି । ଏହାକୁ ଦୂର ନ କଲେ ମାନବର ଶାନ୍ତି ନାହିଁ । ମାର୍କସଙ୍କ ପ୍ରେରଣା ହିଁ ସମାଜର ତଳିଆ ମଣିଷ ପ୍ରାଣରେ ନୂଆ ପ୍ରେରଣାର ସୃଷ୍ଟି କଲା । ନାନାଦେଶରେ ଓ ନାନାକ୍ଷେତ୍ରରେ ପରୀକ୍ଷିତ ହୋଇ ସେହି ପ୍ରେରଣା ଶେଷରେ ଋଷିଆ ଦେଶରେ ଆପଣାର ପ୍ରଥମ ସଫଳତା ହାସଲ କଲା ।

 

କାର୍ଲ ମାର୍କ୍ସଙ୍କ ପରେ ମଧ୍ୟ ନାନାଦେଶରେ ଅନେକ ମନୀଷୀ ଜଗତର ଦ୍ଵନ୍ଦ୍ଵରେ ବ୍ୟଥିତ ହୋଇ ‘କମୁନିଷ୍ଟ’ ପ୍ରେରଣାକୁ ଏକମାତ୍ର ଶ୍ରେୟ ବୋଲି ଗ୍ରହଣ କରିଚନ୍ତି । ପୃଥିବୀର ଯାବତୀୟ ଦ୍ଵନ୍ଦ୍ଵ ଦୂର କରିବାକୁ ହେଲେ ଅର୍ଥନୀତିକ ସାମ୍ୟ ଯେ ପ୍ରଥମ ଆବଶ୍ୟକତା, ଏହା ହିଁ ଦିନୁ ଦିନ ଅଧିକ ଲୋକ ଅନୁଭବ କରୁଅଛନ୍ତି । ଯେପର୍ଯ୍ୟନ୍ତ ସମାଜର ଗୋଟାଏ ଶ୍ରେଣୀ ଜୀବନର ମୌଳିକ ପ୍ରୟୋଜନସବୁରୁ ବଞ୍ଚିତ ହୋଇ ରହିଚନ୍ତି, ସେପର୍ଯ୍ୟନ୍ତ ସଂସାରର କୌଣସି କଳ୍ପନା ବା ଯୋଜନା ସାର୍ବଜନୀନ ବା ସ୍ଥାୟୀ ହୋଇପାରିବ ନାହିଁ । ଏହା ହିଁ ଏଯୁଗର ସବୁଠାରୁ ବଡ଼ ପ୍ରତିକ୍ରିୟା । ଯିଏ ନିଃସ୍ଵାର୍ଥ ଓ ନିର୍ଲିପ୍ତ ଭାବରେ ସମାଜ ବିଷୟରେ କିଛି ଚିନ୍ତା କରିବାକୁ ଯାଇଚି, ଆଦିକାଳରୁ ରୁଦ୍ଧକରି ରଖାଯାଇଥିବା ଏହି ଅବିଚାର ଓ ଅସମତା ହିଁ ତା’ର ଆଖିରେ ଅତି ପରିଷ୍କାର ଦେଖାଦେଇଚି । ଆଗକୁ ଯିବାକୁ ହେଲେ ସମସ୍ତଙ୍କୁ ଅନ୍ନ ଦେଇ ଆଗେଇବାକୁ ହେବ, ତା’ ନହେଲେ ଆମର ସମସ୍ତ କଳ୍ପନାର ଶାନ୍ତିଭଙ୍ଗ କରିବାକୁ କୌଣସି ନା କୌଣସି ଉପଲକ୍ଷ୍ୟ ଯୁଗେ ଯୁଗେ ବାରବାର ଜନ୍ମଲାଭ କରୁଥିବ ।

 

ଏହି ପ୍ରତିକ୍ରିୟାକୁ ପ୍ରଥମ ସତ୍ୟ ବୋଲି ଜାଣି ‘ଆନାକାରେନିନା’ର ଲେଖକ ଲିଓ ଟଲଷ୍ଟୟଙ୍କୁ ‘What then we must do ?’ ବହିଟି ଲେଖିବାକୁ ପଡ଼ିଥିଲା । ଜଣକ ଲାଗି ଦଶଟା ଫରମାସ କରିବା ଆଗରୁ ଦଶଜଣଙ୍କୁ ଯେପରି ଗୋଟାଏ ଘରେ ରହିବାକୁ ନପଡ଼େ, ଏକଥା ଦେଖିବାକୁ ହେବ ବୋଲି ଉକ୍ତ ପୁସ୍ତକରେ ସେ ଦୃଢ଼ଭାବେ ଘୋଷଣା କଲେ । ଫ୍ରାନ୍ସର ଲେଖକ ଆନାତୋଲ୍ ଫ୍ରାଁସେଙ୍କର ଶେଷ ଜୀବନର ବହି ଦୁଇଟି, ‘Gods are athirst’ ଏବଂ ‘Revolt of the Angels’ ପଢ଼ିଲେ ଏହି କଥା ହିଁ ସୂଚିତ ହୁଏ । ଆଧ୍ୟାତ୍ମିକ ଦୃଷ୍ଟିରେ ପରମ ଆଶ୍ରୟ ଲାଭ କରିଥିବା ମହାତ୍ମା ରୋମାଁରୋଲାଁଙ୍କୁ ମଧ୍ୟ ଏହି କଠୋର ସତ୍ୟକୁ ଦେବାକୁ ପଡ଼ିଥିଲା-। ଜୀବଦ୍ଦଶାରେ ଶେଷ ଲେଖା ତାଙ୍କର ଶେଷ ବହି ‘I will not rest’ ରେ ସେ ଅର୍ଥନୀତିକ ଶାନ୍ତି ଓ ସମତା ପ୍ରତିଷ୍ଠିତ ନହେଲେ ସଂସାରର ଭଲଗତି ନାହିଁ ବୋଲି ଦୃଢ଼ସିଦ୍ଧ ହୋଇ ଆପଣାକୁ କମୁନିଷ୍ଟ ବୋଲି ଘୋଷଣା କରିଥିଲେ । ଆଜିପର୍ଯ୍ୟନ୍ତ ଅନେକ ଦାର୍ଶନିକ ଓ ବୈଜ୍ଞାନିକ ମଧ୍ୟ ଏହି କମୁନିଷ୍ଟ ପ୍ରେରଣାର ସମାଧାନ ଖୋଜି ବୁଲୁଚନ୍ତି । ଋଷିଆରେ କମୁନିଷ୍ଟବାଦର କାର୍ଯ୍ୟକଳାପ ବିଷୟରେ ଯେତେ ମତଭେଦ ରହିଥିଲେ ହେଁ ଯେକୌଣସି ସମାଜ ଗଢ଼ିବା ପୂର୍ବରୁ ପ୍ରଥମେ ଯେ ସଭିଙ୍କର ଆବଶ୍ୟକ ସଂସ୍ଥାନ କରିବାକୁ ପଡ଼ିବ, ଏହା ସମସ୍ତେ ସ୍ଵୀକାର କରିଚନ୍ତି । ପ୍ରସିଦ୍ଧ ମନସ୍ତତ୍ତ୍ଵବିତ୍ ହାରେଲକ୍ ଏଲିସଙ୍କ ଭାଷାରେ କମୁନିଷ୍ଟବାଦ ହେଉଚି ଏକ ଧର୍ମ । ଏହାର ଦୃଷ୍ଟି ସବୁ ଜାତି ଓ ଦେଶକୁ ଅତିକ୍ରମ କରି ସମସ୍ତଙ୍କୁ ଏକ ସହଯୋଗୀ ସମାଜ ଗଢ଼ିବାଲାଗି ଉଦବୁଦ୍ଧ କରିପାରିଚି । ଭ୍ରାତାରୂପରେ ଭଗବାନଙ୍କର ଉପଲବଧି କରିବା ହେଉଚି କମୁନିଜମର ବିଶିଷ୍ଟ ଆହ୍ଵାନ । ଏ ଯୁଗର ଅନ୍ୟତମ ଦାର୍ଶନିକ ନିକୋଲାସ୍ ବର୍ଡ଼ିଆଏଫ୍ ଋଷିଆର ଶାସନସଂସ୍ଥାକୁ ଯେତେ ନାପସନ୍ଦ କରୁଥିଲେ ମଧ୍ୟ କମୁନିଜମର ମୂଳ-ନୀତି ପ୍ରୀତି ସବୁବେଳେ ସଚେତ ରହିବାକୁ ଉପଦେଶ ଦେଇ ଆସିଚନ୍ତି ।

 

ବିଦେଶରେ ଏଇ କମୁନିଷ୍ଟ ରୂଢ଼ି ସହିତ ତାଳ ମିଳାଇବାକୁ ଭାରତବର୍ଷର ମଧ୍ୟ ଗୋଟିଏ ସ୍ଵତନ୍ତ୍ର ଧାରା ରହିଚି । ପ୍ରାଚୀନ ଭାରତର ନାଗରିକ-ବୃତ୍ତି ମଧ୍ୟରେ ଏହି ସାମ୍ୟଧର୍ମର ସ୍ପଷ୍ଟ ଇଙ୍ଗିତ ପରିଲକ୍ଷିତ ହୁଏ । ଏକାବେଳେକେ ଆଧୁନିକ ଯୁଗକୁ ଚାଲିଆସିଲେ ସ୍ଵାମୀ ବିବେକାନନ୍ଦ ହେଉଚନ୍ତି ଏହି ଧର୍ମର ପ୍ରଥମ ଧ୍ଵଜାଧାରୀ । ହିନ୍ଦୁଧର୍ମର ସାମାଜିକ ଦୃଷ୍ଟିକୁ ଅସ୍ଵୀକାର କରି ଦେଶର ଲୋକଚରିତ୍ର କ୍ରମେ ଦୀନ, ହୀନ, ଓ ମଳିନ ହୋଇ ଆସୁଥିଲା । ସମାଜର ବିରାଟ ଅସମତା ଉପରେ ବିଦେଶୀ ଶାସନର ପରାକ୍ରମୀ ପ୍ରଭୁତ୍ଵ ଏ ଦେଶରେ ମୁଖବନ୍ଦ କରି ରଖିଥିଲା । ସେହି ଧର୍ମକୁ ଲୋକସଂଗ୍ରହ ମାର୍ଗରେ ସଚଳ କରାଇ ବିବେକାନନ୍ଦ ପ୍ରଥମେ ଜାତିପ୍ରାଣରେ ସନ୍ଦନ ଆଣିଲେ । ତାଙ୍କପରେ ମହାତ୍ମାଗାନ୍ଧୀଙ୍କର ଜୀବନରେ ସେହି ପ୍ରେରଣା ଆହୁରି ବାପ୍ତି ଲାଭକଲା । ରାଜନୀତି, ସମାଜନୀତି ଓ ଶିକ୍ଷାନୀତି, ସବୁ କ୍ଷେତ୍ରରେ ସମାଜକୁ ସମାନ ଭାବରେ ଗଢ଼ିବାର କଳ୍ପନା ଗାନ୍ଧୀ କଥାରେ ଅତି ପ୍ରାଞ୍ଜଳ ହୋଇ ଉଠିଚି । କେବଳ କଳ୍ପନା ନୁହେଁ, ଗାନ୍ଧୀଜୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମ ଏହି ନୂତନ ଦୃଷ୍ଟିକୁ କାର୍ଯ୍ୟକାରୀ କରାଇବାର ଦମ୍ଭ ଚିରଦିନ ରଖିଆସିଚି । ଏହି ବିଶ୍ଲେଷିତ କାର୍ଯ୍ୟକ୍ରମ ଦ୍ଵାରା ହିଁ ଗାନ୍ଧୀଜୀ ଏ ଦେଶର ସର୍ବନିମ୍ନ ସ୍ତରକୁ ସ୍ପର୍ଶ କରିପାରି ଥିଲେ । ସେଥିପାଇଁ ଦେଶର ସର୍ବନିମ୍ନ ମଣିଷ ମଧ୍ୟ ଗାନ୍ଧୀଜୀଙ୍କୁ ତାର ନେତା ବୋଲି ଚିହ୍ନିପାରିଲା ଓ ରାଜନୀତି ଭିତରେ ଆପଣାଲାଗି ତା’ର ଯୋଗ୍ୟ ସ୍ଥାନ ଠଉରାଉ ନେଇ ପାରିଲା ।

 

ଦିଲ୍ଲୀ ନଗରୀର ଉଚ୍ଚ ଦରବାର କଡ଼ରେ ଗରିବର କୁଡ଼ିଆ ଦୀନଭାବେ ପଡ଼ି ରହିଥିବ, ସ୍ଵାଧୀନ ଭାରତରେ ଦିନକଲାଗି ମଧ୍ୟ ଏହା ସମ୍ଭବ ହେବନାହିଁ, ଗାନ୍ଧୀଜୀ ଏକଥା ଦୃଢ଼ଭାବରେ ଘୋଷଣା କଲେ । ଦେଶର ଦରିଦ୍ରତମ ଲୋକ ତା’ର ରାଷ୍ଟ୍ରଶାସନରେ ଭାଗ ନେଇ ପାରିବାର ଯେପରି ସକଳ ସୁଯୋଗ ସୁବିଧା ପାଇ ପାରିବ, ଗାନ୍ଧୀକଳ୍ପିତ ଶାସନ ଓ ଅର୍ଥନୀତି-ବ୍ୟବସ୍ଥା ସେଇଆକୁ ପ୍ରଥମ ପ୍ରାଧାନ୍ୟ ଦେଉଥିଲା । ଇଂରାଜୀ ଜାଣି ନଥିବା ଜଣେ କୃଷକ ଏ ଦେଶର ପ୍ରଧାନମନ୍ତ୍ରୀ ହେଲେ ପଣ୍ଡିତ ଜବାହାରଲାଲ ଆନନ୍ଦରେ ତାଙ୍କର ସେକ୍ରେଟାରୀ କାମ ତୁଲାଇବେ, ଏପରି ଏକ କଥା କହିବାର ସାହସ କେବଳ ସେହି ଗାନ୍ଧୀଙ୍କର ଥିଲା, କାରଣ ଦେଶର ସବୁଠୁଁ ସତ୍ୟପୂର୍ଣ୍ଣ ଦୀନାତିଦୀନ ଦରିଦ୍ର ସହିତ ସେ ଆପଣାର ଭାବଧାରାକୁ ମିଞ୍ଜାଇ ପାରିଥିଲେ ।

 

ଦେଶର ଗାନ୍ଧୀ ଆଉ ବିଦେଶର କମୁନିଷ୍ଟ । ଲକ୍ଷ୍ୟରେ ଉଭୟେ ମିଳିଗଲେ ମଧ୍ୟ ପନ୍ଥାରେ ଅନେକ ପ୍ରଭେଦ ରହିଚି । ବିଦେଶର କମୁନିଷ୍ଟ-ଜ୍ଵର କେବଳ ପୁଞ୍ଜିବାଦର ପ୍ରତିକ୍ରିୟାର ଫଳ, ସ୍ଥିରସିଦ୍ଧ କୌଣସି ନେତୃତ୍ଵ ନ ପାଇ ଦଳିତ ଜନତା ସଂତ୍ରାସବାଦୀ କମୁନିଷ୍ଟ ମାର୍ଗରେ ପଶିଯାଇଚି । କିନ୍ତୁ ଗାନ୍ଧୀବାଦର ଦୃଷ୍ଟି ସକାରାତ୍ମକ, ଭାଙ୍ଗିବାଠାରୁ ଗଢ଼ିବା ବିଷୟରେ ହିଁ ତାହା ଅଧିକ ସ୍ଵପ୍ନ ଦେଖେ । ତେଣୁ ଲକ୍ଷ୍ୟ ସହିତ ସାଧନର ଏଥିରେ ପୂର୍ଣ୍ଣ ସଂଗତି ରହିଚି । ଏହା ହିଁ ଅହିଂସା; ଲୋକସଙ୍ଗରହ ବା ଆଦର୍ଶ ସୃଷ୍ଟି ଯଦି ଆମର ଲକ୍ଷ୍ୟ, ତେବେ ସେହି ଆଦର୍ଶସୃଷ୍ଟିର ସାଧନ ମଧ୍ୟ ସେହିପରି ଆଦର୍ଶସ୍ଥାନୀୟ ହେବା ଉଚିତ । ସେଥିଲାଗି ଗାନ୍ଧୀମାର୍ଗରେ ଭୋଗ ଅପେକ୍ଷା ଆହ୍ଵାନ ବେଶୀ । ତେନ ତ୍ୟକ୍ତେନ ଭୁଞ୍ଜିଥାଃ–ତ୍ୟାଗ ଦ୍ଵାରା ହିଁ ତାକୁ ଉପଭୋଗ କର । ଏହା ହିଁ ଗାନ୍ଧୀଧର୍ମର ମନ୍ତ୍ର । ରଚନାତ୍ମକ କାର୍ଯ୍ୟକ୍ରମ ଏକାଧାରରେ ବର୍ତ୍ତମାନ ଲଢ଼ାଇ ଲାଗି ଅଧିକ ଶକ୍ତି ଦିଏ ଓ ଭବିଷ୍ୟତର ନିର୍ମାଣ ଲାଗି ମୂଳଦୂଆ ତିଆରି କରି ରଖେ । ତେଣୁ ରୁଷିଆ ଦେଶରେ କମୁନିଷ୍ଟ ଯୋଜନାର ଯେଉଁ ଦଶା ହୋଇଚି, ଗାନ୍ଧୀବାଦ ସେହି ଦେଶର ଭୟକୁ ମୂଳରୁ ଦୂରରେ ରଖିବାର ଚେଷ୍ଟା କରିଚି ।

 

ସ୍ଵାଧୀନତାର ଶିଶୁକୁ ତିନିବର୍ଷ ପୂରିବାକୁ ଯାଉଚି । କିନ୍ତୁ ସେ କି ସର ବା କି ଲବଣୀ ଖାଇ ବଢ଼ୁଚି କେଜାଣି, ତା’ର ଜନନୀ ଏଇ ଦେଶରେ କୋଟି କୋଟି ଆଶାନ୍ଵିତ ଜନତା ଏ ପର୍ଯ୍ୟନ୍ତ ସେହିପରି ଗୋଟିଏ ଶିଶୁ ହୋଇଚି ବୋଲି ଅନୁଭବ କରି ପାରିଲେ ନାହିଁ । ଉପରନ୍ତୁ ଭାତ, ଲୁଗା, ଚିନି ଓ କିରୋସିନୀ ଦାଉରେ ନିତିନିୟତ ବିରକ୍ତ ହୋଇ ସେମାନେ ଏହି ଶିଶୁଟିକୁ ବ୍ରିଟିଶ୍ ସରକାରର ଏକ ଅଭିଳାଷ ବୋଲି କହିବାକୁ ଆରମ୍ଭ କଲେଣି । ନିତି ହୁଏତ ଏ ଦେଶରେ କୋଟି କୋଟି ଟଙ୍କା ଖରଚ ହେଉଚି, କିନ୍ତୁ ଏକମୁହାଁ ନାଳୀପରି ଟଙ୍କାର ସୁଅ କେବଳ ଖରଚ ମୁହଁରେ ହିଁ ବୋହିଚାଲିଛି । ତିନିବର୍ଷ ଭିତରେ ଏ ଦେଶରେ ବ୍ୟବସାୟୀ କଣ୍ଟ୍ରାକ୍ଟରଙ୍କର ସଂଖ୍ୟା ବେଶୀ ବଢ଼ିଚି, ଅବିଶ୍ଵାସ ବଢ଼ିଚି, ଆପଣା ଦେଶସେବା ଅର୍ଥାତ୍ ଜେଲ୍ ଯିବାର ରେକର୍ଡ଼ ଦେଖାଇ ଦଶ ପଚିଶଠାରୁ ଶହେ ହଜାରେ ଉପାୟ କରିବାର ସୁଯୋଗ ଅଧିକ ବଳବତ୍ତର ହୋଇଚି । ତଥାପି ପ୍ରଚାର ଊଣା ହୋଇନାହିଁ । ବିଦେଶରେ ହଜାର ହଜାର ଖରଚ ହୋଇ ଦୂତମାନଙ୍କର କାଇଦାକାୱାଜରେ ଭାରତର ସମ୍ମାନ ରଖିବାକୁ ଚେଷ୍ଟା କରାଯାଉଚି । ଏ ଦେଶର ସାହିତ୍ୟ ଓ ଇତିହାସ ନାମରେ ଟଙ୍କା ଗଣାହୋଇ ଭୋକିଲା ପେଟକୁ ବୁଝାଇ ରଖିବାର ଖୁବ୍ ଆୟୋଜନ ହେଉଚି । ସବୁ କାମ ହେଉଚି, କିନ୍ତୁ କିଏ ଯେ କି ଉଦ୍ଦେଶ୍ୟରେ ଦଉଡ଼ିବି, ଦଉଡ଼ିଲାବାଲାର ନିଜର ବି ସେ ଦିଗରେ ହେଜ ନାହିଁ । ମୋଟ କଥା ହେଉଚି, ଏ ଦେଶରେ ବର୍ତ୍ତମାନ କୌଣସି ଯୋଜନା ନାହିଁ, ଉପରୁ ମିଳୁଥିବା ଶୁଖିଲା ଶପଥମାନ ଗୋରା ଅମଳର ସାନ୍ତ୍ଵନାଠାରୁ କମ ପିତା ଲାଗୁନାହିଁ । ସମବେତ ମନ ଓ ସମବେତ ଦୃଷ୍ଟିର ଏକାବେଳେକେ ଅଭାବ ରହିଚି ।

 

ଅଥଚ ଲୋକେ ଆପଣାର ଅସନ୍ତୋଷ ପ୍ରକାଶ କଲେ ଦେଶ ଓ ଜାତିର ଦ୍ଵାହି ଦିଆଯାଉଚି । ଅହିଂସା ଓ ଗାନ୍ଧୀର ଦ୍ଵାହି ଦିଆଯାଉଚି । ଗତ ମହାଯୁଦ୍ଧ ପରେ ପୂର୍ବ ଇଉରୋପର ସମସ୍ତ ଦେଶ କମୁନିଷ୍ଟ ହୋଇ ଯାଇଚନ୍ତି । ଜାତୀୟ ସରକାରର କୁଟିଳ ଶୋଷଣ ସେମାନଙ୍କୁ ଏତେ ବିରକ୍ତ କରିଦେଇଥିଲା ଯେ ପ୍ରଥମ ସୁବିଧାରେ ହିଁ ସେମାନେ ଜାତିର ସମସ୍ତ ମୋହ ଛାଡ଼ି କମୁନିଷ୍ଟ ମତବାଦ ଗ୍ରହଣ କରିଚନ୍ତି । ଭୋକ ମଣିଷକୁ ସବୁ କରିପାରେ । ଭୋକିଲା ଜର୍ମାନ୍ ଜାତି ହିଟଲର୍ ପଛରେ ଦଉଡ଼ିବାକୁ ଦ୍ଵିଧା ବୋଧ କରିନାହିଁ । ତିନିବରଷ ହେଲା ଏ ଦେଶ ଦାରିଦ୍ର୍ୟ ଓ ଅଭାବ ଭିତରେ ସଢ଼ୁଚି । ଅଥଚ ଖବର କାଗଜର କାରସାଦି ଭିତରେ ଦେଇ ଦେଶ ଓ ଜାତିର ଶୁଷ୍କ ଉଦବୋଧନ ଦେଖାଇ ଏ ଦେଶର ଜୀଅନ୍ତା ମଣିଷଙ୍କୁ ଜଡ଼ କରିବାର ଚେଷ୍ଟା କରାଯାଉଚି । ଜାତି ଓ ଦେଶ ପଛ, ଜୀବନ ଓ ସମ୍ମାନ ଆଗ । ବାହାରି ସଂସ୍କୃତି ଓ ଜାକଜକମର ଆନ୍ତର୍ଜାତିକତାଠାରୁ ବୁଭୁକ୍ଷୁ ମନର ଆନ୍ତର୍ଜାତିକତା ହିଁ ମଣିଷକୁ ଅଧିକ ଶୀଘ୍ର ଏକାଠି କରିପାରେ । ଦେଶ ଯଦି ମଣିଷକୁ ଦାନା ଯୋଗାଇ ନ ପାରିଲା, ଜାତି ଭିତରେ ରହି ଯଦି ମଣିଷର ଲାଜ ନ ଲୁଚିଲା, ତେବେ ଦେଶ ଓ ଜାତିର ମୋହ ଏଡ଼ି ମଣିଷ ଅଜାତିଆ ଓ ଅଦେଶିଆ ଭୋକିଲା ଶିବିରକୁ ନିଶ୍ଚୟ ଚାଲିଯିବ; ଭୁଲ ଠିକ୍ ଧର୍ମ ଅଧର୍ମର ଗୁରୁଜନ-କଥା କହି ତାକୁ କେହି ଅଟକାଇ ପାରିବ ନାହିଁ । ଏହାହିଁ କମୁନିଷ୍ଟ ପ୍ରେରଣା । ଆଉ ହିଂସା ଅହିଂସାର ପ୍ରଶ୍ନ ତ ଏକାବେଳେକେ ଅବାନ୍ତର । ଅହିଂସା ଅର୍ଥ ଆଳସ୍ୟର କାତରତା ଭିତରେ ପଡ଼ି ରହିବା ନୁହେଁ । ହିଂସା ଅପେକ୍ଷା ଭୀରୁତାକୁ ଗାନ୍ଧୀଜୀ ଅଧିକ ନିନ୍ଦା କରିଚନ୍ତି । ଅହିଂସା ଦ୍ଵାରା ଅନ୍ୟାୟ ଓ ଅବିବେଚନର ପ୍ରତିରୋଧ କରିବାର ଶକ୍ତି ନଥିଲେ ବରଂ ହିଂସାଦ୍ୱାରା ଆପଣାର ପ୍ରତିବାଦ ଜଣାଇବା ଶ୍ରେୟସ୍କର, କିନ୍ତୁ ଭୀରୁତା କଦାପି ଶୋଭନୀୟ ନୁହେଁ,–ଏହା ହିଁ ଗାନ୍ଧୀଜୀ ବାରବାର କହିଚନ୍ତି । ତେଣୁ ଅହିଂସାର ଧମକ ଦେଖାଇ ଏ ଦେଶର ଅଧୈର୍ଯ୍ୟ ଓ ଆକୁଳତାକୁ କେହି ଅଟକାଇ ପାରିବ ନାହିଁ ।

 

ଚୀନ ଦେଶର ଇତିହାସରୁ ଆମର ଅନେକ ଶିଖିବାର ଅଛି । ଜାତି ଓ ଦେଶର ଅଫିମ ଦିଆଯାଇ ସେ ଦେଶର ଜନତାକୁ ଏ ପର୍ଯ୍ୟନ୍ତ ଅନ୍ଧ କରି ରଖାଯାଇଥିଲା, ଦେଶ ମଧ୍ୟରେ ଏତେ ଦାରିଦ୍ର୍ୟ, ଏତେ ଅକିଞ୍ଚନତା,–ଅଥଚ ବାହାରେ ସାହିତ୍ୟ, ସଂସ୍କୃତି ଓ ଶୁଭେଚ୍ଛୁ ଦଳଦେଇ ସେଠାରେ ଏପରି ଏକ ସୌଖୀନ ମଣ୍ଡଳ ଗଢ଼ା ଯାଇଥିଲା ଯେ ସେ ଦେଶର ଅସଲ ରୂପ ମୋଟେ ଜାଣି ହେଉ ନଥିଲା । କିନ୍ତୁ ଜନାର୍ଦ୍ଦନ ଜନ-ଭଗବାନ ତୁନି ରହିପାରିଲା ନାହିଁ । ପ୍ରଥମ ସୁଯୋଗରେ ହିଁ ସେ ଜାତୀୟ ସରକାରର ସିଂହାସନକୁ ଧକକା ମାରି ଚୂନା କରି ଦେଲା । ନୂଆ ସରକାର କମୁନିଷ୍ଟ ହେଉ କି ଆଉ ଯାହା ହେଉ, ସେହି ବିଷୟ ନେଇ ଚୀନ ଜନତାର ମୁଣ୍ଡ ବଥାଉ ନାହିଁ । ଯିଏ ଖାଇବାକୁ ଦେଇ ପାରିଲା, ଯିଏ ଲୋକଙ୍କର ଅଭାବକୁ ସ୍ଵୀକାର କଳା, ତାହାକୁ ହିଁ ଲୋକମାନେ ଆପଣାର କରି ନେଲେ ।

 

ଋଷବିପ୍ଲବ ପରେ ସେ ଦେଶର ଜନତା ଓ ସରକାର ଉଭୟେ ମିଶି ଦେଶକୁ ନୂଆକରି ତିଆରି କରିବାର କାମରେ ଲାଗି ପଡ଼ିଲେ । ସେଥିପାଇଁ ଯାହା କଷ୍ଟ ସହିବାକୁ ପଡ଼ିଲା, ସେମାନେ ତାହାକୁ ଆନନ୍ଦରେ ବରଣ କରିନେଲେ । ରବୀନ୍ଦ୍ରନାଥଙ୍କର ‘ଋଷିଆ ଚିଠି’ ବହିରୁ ଏହାର ଭୂରି ଭୂରି ପ୍ରମାଣ ମିଳେ । କିନ୍ତୁ ଆମ ଦେଶରେ କୌଣସି ଜାତୀୟ ଉଦ୍ୟମ ହେଉଚି ବୋଲି ଜନତା ଏପର୍ଯ୍ୟନ୍ତ ଅନୁଭବ କରି ପାରିଲା ନାହିଁ । ତା’ର କାରଣ ଏ ଦେଶର ଗୋଟାଏ ଦଳ କେବଳ କଷ୍ଟ ସହିବାର ପରାମର୍ଶ ଦେଇ ନିଜେ ସମସ୍ତ ସୁବିଧା ଭୋଗ କରୁଚି, ଅଥଚ କଷ୍ଟ ସହୁଛି ଆଉ ଗୋଟାଏ ଦଳ । ଫଳରେ ବ୍ୟବଧାନ ବଢ଼ି ବଢ଼ି ଚାଲିଚି, ଅସନ୍ତୋଷ ଓ ବିଦ୍ରୋହର ଧୂଆଁ କୁହୁଳି କୁହୁଳି ଚାଲିଚି । କାର୍ଯ୍ୟକ୍ଷେତ୍ରରେ ଦେଶଚରାଳିମାନେ ଗାନ୍ଧୀକୁ କୋଉପଛରେ ପକାଇ ଆସିଲେଣି-। କେବଳ ସ୍ଵାଧୀନତା-ଯୁଦ୍ଧର ସେନାପତି ଛଡ଼ା ଦେଶ-ନିର୍ମାଣର ପ୍ରଧାନ ନେତା ହିସାବରେ ଯେ ବର୍ତ୍ତମାନର ଶାସକମାନେ ମହାତ୍ମା ଗାନ୍ଧୀଙ୍କୁ କେବେ ଗ୍ରହଣ କରି ନଥିଲେ, ସେକଥା ବଡ଼ ବଡ଼ ଗାନ୍ଧୀବାଦୀମାନେ ମଧ୍ୟ କହିବାକୁ ଆରମ୍ଭ କଲେଣି ।

 

ନିର୍ଭୀକ ହେବା ଗାନ୍ଧୀବାଦର ପ୍ରଥମ ଅନୁଶାସନ । ଯାହା ନ୍ୟାୟ, ଯାହା ସତ୍ୟ, ଜୀବନ ଯିବାଯାଏ ସେଥିପାଇଁ ଲଢ଼ିବା ହେଉଚି ଗାନ୍ଧୀଙ୍କର ପ୍ରଥମ ମନ୍ତ୍ର । କମୁନିଷ୍ଟବାଦ ଓ ଗାନ୍ଧୀବାଦ ମଧ୍ୟରେ ଅନେକ ଦୂର ପର୍ଯ୍ୟନ୍ତ ସମାନତା ରହିଚି । କିନ୍ତୁ ଗାନ୍ଧୀଙ୍କର ନାମ ଦେଇ ଦେଶକୁ ଏ ପ୍ରଥମ ବାଟରେ ଯିବାକୁ କେହି ଅଟକାଇ ପାରିବ ନାହିଁ । ହିଂସା ଓ ଅହିଂସାର ପ୍ରଶ୍ନ ବା ଜାତି ଦେଶର ପ୍ରଶ୍ନ ନେଇ ଜନତା ଖୁବ୍ ବେଶୀ ଘୁରାଇବ ନାହିଁ । ପ୍ରଥମେ ସେ ଖାଦ୍ୟ ଚାହେ, ମଣିଷ ହୋଇ ବଞ୍ଚିରହିବାକୁ ଚାହେ, ଜନସଭା ମଧ୍ୟରେ ସମ୍ମାନଜନକ ବ୍ୟବହାର ଚାହେ । ଏହା ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସେ ନିଶ୍ଚୟ ବାରବାର ବିଦ୍ରୋହ କରିବାକୁ ମୁଣ୍ଡ ଟେକିବ । ନିଜର ପ୍ରତିବାଦ ଜଣାଇବାକୁ ବାରବାର ଚେଷ୍ଟା କରିବ । ମହାତ୍ମା ଗାନ୍ଧୀ ତାକୁ ବ୍ୟକ୍ତିଗତ ଓ ସମବେତ ଭାବରେ ଆପଣାର ନ୍ୟାଯ୍ୟ ଅଧିକାର ହାସଲ କରିବାର ଉପାୟ ଶିଖାଇ ଦେଇ ଯାଇଚନ୍ତି । ତେଣୁ କମୁନିଷ୍ଟମାନଙ୍କୁ ଚୋର ବା ଦେଶଦ୍ରୋହୀ କହିଲା ବେଳେ ପ୍ରଥମେ ଭାବିବାକୁ ହେବ ଆମେ ଗାନ୍ଧୀବାଟର ପ୍ରଥମ ସର୍ତ୍ତଟି ପୂରଣ କରି ପାରିଚୁ କି ନାହିଁ । ସମସ୍ତଙ୍କର ପେଟ ପୂରାଇବାରେ ସାଧୁ ଉଦ୍ୟମ ନ ହେବା ପର୍ଯ୍ୟନ୍ତ ଖବରକାଗଜରେ ଓ ବକୃତାମଞ୍ଚରେ ଗାଳି ଦେବାଟା ଆମକୁ ଖୁବ୍ ବେଶୀ ସାହାଯ୍ୟ କରି ପାରିବ ନାହିଁ । କମୁନିଷ୍ଟ ବାଟରେ ଅବଶ୍ୟ ବିପଦ ଅଛି, ପଥ ଭୁଲିବାର ଖୁବ୍ ଆଶଙ୍କା ରହିଚି । କିନ୍ତୁ ଜନତାକୁ ଅସନ୍ତୁଷ୍ଟ କରି ରଖିଥିବା ପର୍ଯ୍ୟନ୍ତ ସେହି ବିପଦର ଦ୍ଵାହି ଦେଇ ଶକ୍ତିର ସୁଅକୁ ଅଟକାଇ ହେବ ନାହିଁ । ଯାହା ଫଳିବାର ତାହା ଅବଶ୍ୟ ଫଳିବ ।

 

ଶାନ୍ତିନିକେତନ,

ଜୁଲାଇ, ୧୯୫୦

Image

 

ଖଣ୍ଡିଏ ଚିଠି

 

ଜୟୀ,

 

ମୋତେ କହିଥିଲୁ ନିୟମିତ ଭାବେ ଚିଠି ଦେବାକୁ । ଗଲାଥର ଗାଆଁରୁ ଆସିଲାବେଳେ ଏଇ କଥାଟା ମୋର ବେଶ୍ ମନେଅଛି ।

 

ଆଜିଯାଏ ତୋ ପାଖକୁ ଖଣ୍ଡିଏ ହେଲେ ଚିଠି ଦେଇନାହିଁ । ତୁ ବଡ଼ ବିରକ୍ତ ହେଉଥିବୁ, ନା ? ମୋ ନାଆଁରେ ମନେ ମନେ କେତେ କଣ ଭାବି ସାରିବୁଣି ୟା’ରି ଭିତରେ ।

 

ତୁ ଯାହା ଭାବିଥାଆ ପଛକେ, ଏପର୍ଯ୍ୟନ୍ତ ଧୀରସ୍ଥିର ହୋଇ କଲମ ଧରି ବସିବାର ଯୋଗ କେବେ ହୋଇ ନାହିଁ । ସଂସାରର ଅନେକ କଥା ଦେଖିଚି, ଟିକିଏ ଫୂର୍ସତ୍ ପାଇଲେ ଗୋଟାଏ ନୂଆ ଜାଗାକୁ ଦଉଡ଼ି ଯାଇଚି, କିଛି ନୂଆକଥା ଦେଖିବି ବୋଲି, ନୂଆ ଦୃଷ୍ଟିକୋଣରୁ, ନୂଆ ବିଚାରଭଙ୍ଗୀରୁ ମଣିଷକୁ ଦେଖି କିଛି ନୂଆ ଅନୁଭୂତି ପାଇବି ବୋଲି । ଅନେକ ଜାଗାରେ ଅନେକ କଥା ଦେଖିଚି, ଅନେକ ଲୋକଙ୍କୁ ଦେଖି ମନ ପୂରିଯାଇଚି, ଅନେକ ଧ୍ୱନି ଶୁଣି ନାନା ଭାବନାରେ ହୃଦୟ ଭିତରଟା କୁଣ୍ଢେମୋଟ ହୋଇଯାଇଚି । କେତେଥର ତୋ’ ପାଖକୁ ଭଲକରି ଲମ୍ବା ଚିଠିଟାଏ ଲେଖିବି ବୋଲି ଖୁବ ଦମ୍ଭ ବାନ୍ଧିଚି । କିନ୍ତୁ ଫଳ ହୋଇଚି ଓଲଟା । ମନକୁ ନାନାପ୍ରକାରେ ପାକଳାପାକଳି କରି ଆଲୁଅ ଜାଳି, ଖାତା କଲମ ନେଇ ଯେତେବେଳେ ଚିଠି ଆରମ୍ଭ କରିବାକୁ ଯାଇଚି, ଠିକ୍ ସେତିକିବେଳେ ଅନ୍ତରଗହ୍ଵରରୁ ଗୋଟାଏ ମହାବିତୃଷ୍ଣାର ରାକ୍ଷସ ଆସି ମୋର ସବୁ ଉଦଯୋଗପୂର୍ବକୁ ଭଣ୍ଡୁର କରିଦେଇଚି । ମନର ଶତ ଧ୍ୟାନର ଏକାଗ୍ରତା ଭାଙ୍ଗିଯାଇଚି, ସହସ୍ର ଘଟନାକୁ ଗଅଁଣ୍ଠେଇ ରଖିବାର ସୂତାଖିଅଟା ଛିଣ୍ଡି ଯାଇଚି ।

 

କ’ଣ ଲେଖିବି ? ସବୁଦିନର ଘଟନାଗୁଡ଼ିକୁ ଗୋଟି କରି ତୋ’ ପାଖରେ ବଖାଣି ତୋ’ର ମୁଁ କି ଉପକାର କରିବି ? ଏଇସବୁ ବିଚ୍ଛିନ୍ନ ଘଟନାରୁ ମୁଁ ବା କି ଉପକାର ପାଇଚି ? ଏହିପରି ନାନାଆଡ଼ୁ ନାନାନପ୍ରକାର ପ୍ରଶ୍ନ ମୋତେ ବ୍ୟାକୁଳ ଓ ବ୍ୟତିଗ୍ରସ୍ତ କରି ପକାଇଚି । ମନର ଦୁଷ୍ଟାମି ଆରମ୍ଭ ହେଲେ, ସେହି ଦୁଷ୍ଟାମିକୁ ସମର୍ଥନ କଲାଭଳି ନାନା ଯୁକ୍ତି ଓ ନାନା ସନ୍ଦେହର ଅଭାବ ରହେ ନାହିଁ କେବେହେଲେ । ସେହି ଦଶା ହିଁ ମୋର ହୋଇଚି ।

 

ଦିନେ ମୁଁ ପିଲା ଥିଲି । ଠିକ୍ ତୋ’ପରି । ବାପା, ମାଆ, ପରିବାର ଓ ଆତ୍ମୀୟସ୍ଵଜନଙ୍କର ସୀମାବଦ୍ଧ ସଂସାରରୁ ବାହାରି ସେତେବେଳେ ଖୁବ୍ ଖୁସୀ ହୋଇଥିଲି । ପୃଥିବୀରେ କେତେ ଲୋକ, କେତେ କଥା, କେତେ ଆଦର୍ଶ । ଏତେବଡ଼ ପୃଥିବୀ ଭିତରେ ଜନ୍ମଲାଭ କରିଚି ବୋଲି ସେ ବୟସର ମୋର କିଶୋର-ମନ କୁଣ୍ଢେ ମୋଟ ହୋଇଯାଇଥିଲା । ଅତି ଆନନ୍ଦରେ ଏଇ କଥାର ମଣିଷର ସୁଅରେ କୁଟାଖଣ୍ଡକ ପରି ନିଜକୁ ଭସାଇ ଦେଇଥିଲି । ପହିଲେ ପହିଲେ ଖୁବ୍ ଆନନ୍ଦ ପାଇଲି , ଠିକ୍ ଜଳକଲ୍ଲୋଳର ଶିହରଣ ଉପରେ ନିଜକୁ ଭସାଇ ଦେବାର ଆନନ୍ଦ ଭଳି ।

 

ସେସବୁ ଆଉ ଭଲକରି ମନେ ନାହିଁ । କିଶୋର ଜୀବନର ନାନାକଥା ଆଜି ଉପନ୍ୟାସର ଗପପରି ଲାଗୁଚି । କେତେ ସହଜରେ ବିଶ୍ଵାସ କରି ପାରୁଥିଲି, ବୋଲ ମାନି ପାରୁଥିଲି, ସାରା ଦୁନିଆଟାକୁ ଆପଣାର କରି ପାରୁଥିଲି ।

 

ଜୀବନର ସେ ପର୍ଯ୍ୟାୟଟା ଆଜି ଅନେକ ଦୂରକୁ ଚାଲିଯାଇଚି । ପ୍ରଥମ ଦେଖା, ପ୍ରଥମ ଶୁଣା ବା ପ୍ରଥମ ଅନୁଭବ କରିବାର ରୋମାଞ୍ଚକର ଉଷ୍ଣତା ଆଉ ନାହିଁ । ଆଜି ଖାଲି ସବୁ ଶୀତଳ ଲାଗୁଚି, ସେଇ ଅବଦଳା ସମାଜ ଓ ସଂସାରକୁ ବରାବର ଖିଅଖିଅ କରି ଦେଖିବାକୁ ମନ ଭିତରୁ ଗୋଟାଏ ଅନିଚ୍ଛା ଜାଗି ଉଠୁଚି । ସେଇ ଅସମ୍ପୂର୍ଣ୍ଣ ପୃଥିବୀ, ସେଇ ଅଦୃଶ୍ୟ ଆଦର୍ଶ, ସେଇ ପୁରୁଣା ସାମଗ୍ରୀଗୁଡ଼ାକ ମନକୁ ଯେପରି ତା’ର ଅଭିଳଷିତ ଖାଦ୍ୟ ଯୋଗାଇ ପାରୁନାହିଁ ।

 

ଆଜିଯାଏ ଯାହା ଦେଖିଚି, ଯାହା ପଛରେ ଧାଇଁଛି, ଯାହାର ଆକର୍ଷଣରେ ମୁଗଧ ହୋଇଚି, ତାକୁଇ ଆଜି ପଛକୁ ଅନାଇ ପରଖି କରି ଦେଖିଚି । କି ମାଟିଆ ଚିକିଟା ପୁରୁଣା ଜିନିଷଗୁଡ଼ାକ ! ବରଷ ବରଷ ପୂର୍ବେ ଯାହା ଥିଲା, ଏବେ ବି ସେଇଆ ପଡ଼ିରହିଚି । ମଝିରେ ମଝିରେ ଜଣେ ଜଣେ ଯାଦୁକର ଆସି ଖାଲି ଛାଞ୍ଚ ବଦଳେଇ ସମସ୍ତଙ୍କୁ ଚମକାଇ ଦେଇ ଯାଉଚନ୍ତି; ମନେ ହେଉଚି, ସତେ ଯେମିତି ଯୁଗ ଲେଉଟିଗଲା, କାଳକାଳର କୁହୁଡ଼ି କଟିଗଲା ! କିନ୍ତୁ ସଂସାରଟା ଯୋଉ ଥୋବରାକୁ ସେଇ ଥୋବରା ହେଇ ପଡ଼ିରହିଚି । ଖାଲି କଣଭଙ୍ଗା ମୋଡ଼ଭଙ୍ଗା ହେଉଚି ସିନା, କିନ୍ତୁ ସେଇ ପୁରୁଣା ମାଟି ପଡ଼ିରହିଚି ।

 

ଏଯାଏ ପଢ଼ି ତୁ ମନେ ମନେ ନିରାଶ ହୋଇ ସାରିବୁଣି । ଯଦି କିଛି ବଦଳିବାର ନୁହଁ, ତେବେ ଏ ଚିଠିରେ ମୁଁ ତୋ’ ପାଖକୁ ଏସବୁ ଏତେ ଭଣିତା କରି ଲେଖୁଚି କିଆଁ ? ମନେ ମନେ ତୋତେ ଭାରି ଚିଡ଼ି ମାଡ଼ିବଣି, ନା ?

 

ଏତେଗୁଡ଼ାଏ ନିରାଶିଆ କଥା ତୋ’ପାଖକୁ ଲେଖୁଚି, ସେକଥା ମୁଁ ଖୁବ୍ ଭଲକରି ଜାଣେ । ତଥାପି ଲେଖୁଚି । କାହିଁକି ଜାଣୁ ? ଆଜିଯାଏ ସମସ୍ତେ ମଣିଷକୁ ନିଶା ଖୁଆଇ ଚାରିପହଣ୍ଡ ଦଉଡ଼ାଇ ନେବାର ଚେଷ୍ଟା କରିଚନ୍ତି । ସମାଜ-ସୁଧାରକର ନାଆଁରେ ଯେଉଁମାନେ ନୂଆ ନୂଆ କଥା ଗଢ଼ିଦେଇ ଯାଇଚନ୍ତି, ସେମାନେ ସମସ୍ତେ କୌଣସି ନା କୌଣସି କିମିଆର ସାହାଯ୍ୟ ନେଇଚନ୍ତି । ନାନା ରକମର ସ୍ଵପ୍ନଚିତ୍ରର ପରିବେଶ ସୃଷ୍ଟି କରି, ନାନା ଦୂର ଅବାସ୍ତବ ଭବିଷ୍ୟତର ଉଜ୍ଜ୍ଵଳ କଳ୍ପିତ ମୂର୍ତ୍ତି ଲୋକସମକକ୍ଷକୁ ଆଣି ଅଧିକାଂଶ ଲୋକ-ସୁଧାରକ କେବଳ ମଣିଷକୁ ନିଜ ପଛରେ ଦଉଡ଼ାଇ ନେବାର ଚେଷ୍ଟା କରିଚନ୍ତି । କିଏ ଜାତିକୁ ଦେବତା କରିଚି, କିଏ ଦେଶକୁ ବାପା ବା ମାଆ ରୂପରେ ସଜାଇଚି, କିଏ ଶାସ୍ତ୍ରପୁରାଣରୁ ଉପଲକ୍ଷ୍ୟମାନ ଦେଇଚି, ସବୁ ଶତାବ୍ଦୀର ଇତିହାସରେ ଏହି ଯାଦୁର ପ୍ରହସନ ସବୁ ଦେଶରେ ଚାଲିଆସିଚି ।

 

ତା’ ପଛରେ କାରଣ ରହିଚି । ଏବଂ ଏହି କାରଣଟାର କାର୍ଯ୍ୟକ୍ଷେତ୍ର ହେଉଚି ମଣିଷର ମନଭିତରେ । ଦୁଇ ରକମର ମଣିଷ ସମାଜକୁ ଚଳାଇପାରନ୍ତି, ଯୁଗକୁ ବଦଳାଇ ପାରନ୍ତି । ପ୍ରଥମ ରକମର ଲୋକଙ୍କ ଭିତରେ ପ୍ରଧାନ ଧର୍ମ ହେଉଚି ଅସ୍ଥିରତା, ଅସନ୍ତୋଷ ଓ ଅଶ୍ଵସ୍ତି, ସବୁ ଖାଲି ‘ଅ’ ଦେଇ ଆରମ୍ଭ । ସମାଜର କୌଣସି ଜିନିଷକୁ ସେମାନେ ସହିପାରନ୍ତି ନାହିଁ । ସମାଜର ସମସ୍ତ ଅନ୍ୟାୟ ସେମାନଙ୍କୁ ଶାଣ ଛୁରୀପରି ସଦାସର୍ବଦା ଚୋଟ ମାରୁଥାଏ । ଏଇ ଅସ୍ଥିରତାର ବଶବର୍ତ୍ତୀ ହୋଇ ସେମାନେ ପଣ କରନ୍ତି ସମାଜକୁ ବଦଳାଇବାକୁ । ନିଜ ଭିତରେ ରହିଥିବା ଅସ୍ଥିରତାର ପ୍ରଚାର କରି ସେମାନେ ସହସ୍ର ସହସ୍ରଙ୍କୁ ଅସ୍ଥିର କାରଣଟି,–ଗୋଟାଏ ସୁଚିତ୍ରିତ ଭବିଷ୍ୟର ଲୋଭ ଦେଖାଇ ସେମାନେ ସାଧାରଣ ମଣିଷକୁ ଘରଛଡ଼ା କରନ୍ତି । ସଭିଙ୍କର ଅସ୍ଥିରତାର ଆଘାତରେ ପୁରୁଣା ସ୍ଥିତିର ବନ୍ଧ ଭାଙ୍ଗିଯାଏ,–ଲୋକମୁଖରେ ଚାରିଆଡ଼େ ଏଇ ବନ୍ଧ ଭାଙ୍ଗିବାର ଅସ୍ଥିର ଜୟନାଦ ଉଠେ ।

 

ଦ୍ଵିତୀୟ ଶ୍ରେଣୀର ସୁଧାରକ ମଧ୍ୟ ସମାଜର ଅନ୍ୟାୟ ଦେଖି ଅସ୍ଥିର, ଅସନ୍ତୁଷ୍ଟ ଓ ଅଶ୍ଵସ୍ତ ହୁଅନ୍ତି, କିନ୍ତୁ ଏଇ ଅସ୍ଥିରତା ଆହୁରି ଗାଢ଼ହୋଇ ଆତ୍ମପ୍ରକାଶ କରେ ସେମାନଙ୍କର ସାଧନାରେ । ଖାଲି ପୁରୁଣା ସ୍ଥିତିକୁ ବଦଳାଇବାକୁ ନୁହେଁ, ତା’ ଜାଗାରେ ନୂତନ ସ୍ଥିତି ସୃଷ୍ଟି କରିବାକୁ ମଧ୍ୟ ସେମାନେ ପଣକରି ବସନ୍ତି । ଅତୀତ ଓ ବର୍ତ୍ତମାନ ସୀମା ଡେଇଁ ସେମାନଙ୍କର ଦୃଷ୍ଟି ଭବିଷ୍ୟତ ଉପରେ ମଧ୍ୟ ପ୍ରତିଫଳିତ ହୁଏ । ବାଲିତଟର ତରଙ୍ଗ-ବିକ୍ଷୋଭକୁ ସାଗରବକ୍ଷର ପ୍ରଶାନ୍ତ ପଟ୍ଟଭୂମିରେ ପୂର୍ଣ୍ଣକରି ଦେଖିବାକୁ ସେମାନେ କେବେହେଲେ ଭୁଲନ୍ତି ନାହିଁ । ଏଇ ପୂର୍ଣ୍ଣ କଳ୍ପନାର ରୂପା ସେମାନେ ମଣିଷ ସମାଜରେ ପ୍ରଚାର କରନ୍ତି, ବାସ୍ତବ ଓ ପ୍ରକୃତ ବ୍ୟାଖ୍ୟା ଦେଇ ସେମାନେ ମଣିଷର ବିଚାରଶକ୍ତିକୁ ଉଦବୁଦ୍ଧ କରନ୍ତି । ମଣିଷକୁ ସେମାନେ ନିଜ ପଛରେ ହୁରୁଡ଼ାଇ ନେବାକୁ ଚାହାନ୍ତି ନାହିଁ, ନିଜ ସାଙ୍ଗରେ ସାଥୀସୈନିକ ହିସାବରେ ପ୍ରତ୍ୟେକକୁ ଶକ୍ତ କରି ଗଢ଼ିବା ସେମାନଙ୍କର ଲକ୍ଷ୍ୟ ଥାଏ । ଲୋକନେତା ନ ହୋଇ ସେମାନେ ଲୋକପ୍ରତିନିଧି ହୁଅନ୍ତି ।

 

ଗୋଟାଏ ଅତିପରିଚିତ ଉଦାହରଣ ଦେଲେ କଥାଟା ଆଉ ଟିକିଏ ସହଜ ହୋଇଯିବ । ଗୋଟାଏ ଦେଶର ସ୍ଵାଧୀନତାଲାଗି ଯୁଦ୍ଧ ଚାଲିଚି । ନେତାମାନେ ଚରମ ସଂଗ୍ରାମ ପାଇଁ ପ୍ରଚାର କରି ବୁଲୁଚନ୍ତି । ଦେଶକୁ ବାପ ବା ମାଆର ଆସନରେ ବସାହୋଇଚି । ଦେଶର ପତାକା, ଦେଶର ସମ୍ମାନ ଓ ଦେଶର ଅତୀତର ଦ୍ଵାହି ଦିଆହୋଇ ଅଜ୍ଞାନ ମଣିଷର ମନକୁ ଟାଣିଆଣିବାରେ ଚେଷ୍ଟା କରାଯାଉଚି । ନେତା ଭାବୁଚି, ଯେକୌଣସି ପ୍ରକାରେ ଏହି ସ୍ଵାଧୀନତା ସଂଗ୍ରାମପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିବାକୁ ହେବ; ନାୟକ ଭାବୁଚି, ଯେନତେନ ପ୍ରକାରେଣ ବହୁସଂଖ୍ୟକ ଲୋକଙ୍କୁ ତା’ର ଶିବିରକୁ ଆଣିବାକୁ ହେବ । ସତେଅବା ଦେଶ ଓ ଦେଶର ସ୍ଵାଧୀନତା କେବଳ ତା’ରି ଦେଶର ଉଦ୍ଧାର ପାଇଁ ଯେମିତି କେବଳ ତା’ରି ମୁଣ୍ଡ ବଥେଇଲେ ଦେଶୋଦ୍ଧାର ହୋଇଯିବ ।

 

ସଂଖ୍ୟା ଖୋଜିବସିଲେ ମଣିଷର କେବେହେଲେ ଅଭାବ ହୁଏ ନାହିଁ । ଧର୍ମ ଓ ଦେଶସେବାର ନାନା ଧୂର୍ତ୍ତ ବିଜ୍ଞାପନ କରି ମଣିଷ ଟାଣିବାକୁ ବେଶୀ ବେଳ ଲାଗେ ନାହିଁ । ସବୁ ଦେଶର ଇତିହାସରେ ଏହାର ଭୂରି ପ୍ରମାଣ ମିଳିବ । ସୁଅ ଛୁଟିଚି, ନେତାମାନେ ଦିବ୍ୟ ସାଧନା ? କରି ପଥରର ଗୁମ୍ଫା ଫୁଟାଇ ଗଙ୍ଗାକୁ ଆଣି ସାରିଚନ୍ତି, ଖାଲି ସେଇ ସୁଅକୁ ଡେଇଁ ପଡ଼ିଲେ ମୁକ୍ତି ହୋଇଯିବ; ଦେଶ ଓ ଜୀବନ ଧନ୍ୟ ହୋଇଯିବ । ଏଇ ସହଜ ପ୍ରଚାରର ପ୍ରଲୋଭନରେ ଯୁଗେ ଯୁଗେ ମଣିଷ ଭୁଲିଚି ଓ ସୁଅ ଭିତରକୁ ଆଖିବୁଜିଆ ଡେଇଁ ପଡ଼ିଚି । ଫଳରେ କୁଟାଖଣ୍ଡେ ପରି ସେ ଖାଲି ଭାସି ଚାଲିଚି । ତା’ପାଇଁ ବଡ଼ ମୁଣ୍ଡମାନେ ରାସ୍ତା କାଢ଼ି ଦେଉଚନ୍ତି, ସେ ସେହି ରାସ୍ତାରେ ଚାଲିବାରେ ଲାଗିଚି । ଛାଞ୍ଚରେ ଢଳାହୋଇ ଦେଶର ମୁକ୍ତି ଓ ଆଲୁଅର ସୁଅରେ ଝାମ୍ପ ଦେଇ ଯୁଗେ ଯୁଗେ ଖାଲି ବାଉଳା ହୋଇ ଧାଇଁଚି ।

 

ପୃଥିବୀର ଇତିହାସ ଅନେକ ପରିମାଣରେ ଖାଲି ଏଇ ନିଶା ଖୋଇବାର କାହାଣୀରେ ପୂରିଚି । ଗୋଟାଏ ନିଶାର ମୋହ ତୁଟିଗଲେ ମଣିଷ ଯେତେବେଳେ ଧାଇଁ ଆସିଥିବା ବାଟଟାକୁ ସନ୍ଦେହ କରୁଚି, ଠିକ୍ ସେତିକିବେଳେ ଆଉ ଗୋଟାଏ ଓଲଟ ନିଶା ଖୁଆଇ ଦିଆହୋଇ ତାକୁ ଆଉଗୋଟାଏ ବାଟରେ ଦଉଡ଼ାଇ ନିଆହେଉଚି । ବିଚାର କରିବାର ବେଳ କାହିଁ ?

 

ବିଚାର କରିବାର ବେଳ ପାଇନାହିଁ ବୋଲି ମଣିଷ ଆଜିଯାଏ ତା’ର ଜୀବନଟିକୁ ସୁଚାରୁରୂପେ ଗଢ଼ିପାରି ନାହିଁ । କଥାରେ ଭୁଲି ମାତି ଯାଇଚି ବୋଲି ବାର ବାର ନିରାଶ ହୋଇ ତାକୁ ଫେରି ଆସିବାକୁ ହୋଇଚି ।

 

କାଳର ବିଷକଳା ରହିଚି ଏଇଠି, ଗଠନରେ ଏଇଠି ଗଲତି ରହିଯାଇଚି । ଦୁଆ ପରେ ଦୁଆ ଚାଲିଚି, କଳେବର ପରେ କଳେବର ବଦଳା ହେଉଚି, କିନ୍ତୁ ସେଇ ସନାତନ କୀଟ ଆଜିଯାଏ ଆମର ମର୍ମ କାମୁଡ଼ି ଧରିଚି । ନିଶା ଖୁଆଇ ଯିଏ ଯେତେବଡ଼ ସୌଧ ଠିଆ କରାଇଲେ ମଧ୍ୟ ଅଚିରେ ସବୁ ଧୂଳିସାତ ହୋଇ ଯାଉଚି । ମଣିଷ ବୁଝିନାହିଁ ସେ କଣ କରୁଚି । କୌଣସି କଥାର ‘କାହିଁକି ?’ ଟା ଜାଣିବାର ପରିଶ୍ରମ କରିନାହିଁ ବୋଲି ଧୂର୍ତ୍ତ ନେତାର ଧନ୍ଦାରେ ପଡ଼ି ବାରବାର ତାକୁ ବିବଶ ହେବାକୁ ପଡ଼ୁଚି । ତା’ ପାଇଁ ଆଉ ଜଣେ କାମ କରୁଚି, କେତେଜଣ ବଛା ଲୋକ ଗଡ଼ ତିଆରି କରୁଚନ୍ତି, ଖାଇ ଖୋଲି ଗଡ଼କୁ ନିରାପଦ ରଖୁଚନ୍ତି, ସିଏ ଖାଲି ହଁ ଭରି ଚାଲିଚି । ନିଜର ବୁଦ୍ଧି ଓ ବିଚାରଶକ୍ତି ତା’ର କୋଉଦିନୁ ପଙ୍ଗୁ ହୋଇ ସାରିଲାଣି । ହଠାତ୍ ଦୁର୍ଯୋଗକୁ ଯେତେବେଳେ ବେକରେ ଯୁଆଳି ପଡ଼ୁଚି, ଅସଲ ପରୀକ୍ଷାରେ ଯେତେବେଳେ ତା’ର ବଛା ଲୋକର ଅଣ୍ଟା ଭାଙ୍ଗିପଡ଼ୁଚି, ସେତେବେଳେ ତା’ର ଆଶା ଭରସାର ଭେଳା ବୁଡ଼ିଯାଉଚି । ଅଶେଷ ଅନିଶ୍ଚିତତାର ସୁଅ ଭିତରେ ପଡ଼ି ସେ ହାବୁଡ଼ୁବୁ ଖାଉଚି, ପୁଣି ଆଉ କେଉଁ ନୂଆ ନେତାର ଖେଳନା ହେବ ବୋଲି, ଆଉ କିଛି ନୂଆ ନିଶା ଖାଇ ପୁଣି କେତେ ଦିନ ବହଲେଇ ନେବ ବୋଲି ।

 

ସଂସାରର ରାଜା ଓ ରାଜନୀତି ପଛରେ ଅନେକ ଜାଗାରେ ଏଇ ନିଶାଖୋଇବା ନୀତିଟା ହିଁ ବେଶୀ କାମକରି ଆସିଚି । ସଂସାରର ଶତଶତ ପ୍ରଜା, ଯୁବକ ଓ ଛାତ୍ର ଏଇଥିରେ ଭୁଲିଚନ୍ତି, ଆଖିବୁଜି ‘ମାଆ’ ପାଇଁ, ‘ଜାତି’ ପାଇଁ ଝାମ୍ପ ଦେଇଚନ୍ତି ।

 

ଏହିପରି ଝାମ୍ପ ଦେଇ ଲକ୍ଷ ଲକ୍ଷ ଜର୍ମାନ ଯୁବକ ହିଟଲରର ଦଳରେ ଯୋଗ ଦେଇଚନ୍ତି, ହିଟଲରଙ୍କ ଅଭ୍ୟୁତଥାନ ବେଳେ ଇତିହାସ ସେମାନଙ୍କର ଗୌରବ ଗାଇଚି, ପୁଣି ତାଙ୍କର ପତନରେ ଇତିହାସରେ ସମସ୍ତ ଜର୍ମାନ ଜାତିର ପତନ ହୋଇଚି । ଦିନେ ନ ବୁଝି ମିଛ ନେତୃତ୍ଵର ନିଆଁକୁ ବୋଲି ଜର୍ମାନୀ ଆଜି ମଧ୍ୟ ତା’ର ଫଳ ଭୋଗ କରୁଚି ।

 

ନୂଆ ସଂଗଠନକୁ ସ୍ଥାୟୀ କରିବାକୁ ହେଲେ ଏଇ ଡେଇଁବା ଦୁର୍ବୁଦ୍ଧିଟି ଛାଡ଼ିବାକୁ ହେବ । ଆଗାମୀ ଯୁଗ ବିଚାରର ଯୁଗ,–ଯିଏ ଜାଣିବ, ବୁଝିବ, କଳାଧଳାକୁ କଳାଧଳା ବୋଲି ଚିହ୍ନିନେବ, ସେଇ ଆଗାମୀ କାଳର ଉଦୀୟମାନ ନାଗରିକ ହେବ ।

 

ରାଜନୀତି, ସମାଜନୀତି, ଧର୍ମନୀତି ସବୁ ମଣିଷ ପାଇଁ । ନିଜର ସୁବିଧା ପାଇଁ ମଣିଷ ତା’ର ରାଜନୀତିକ ଭୂଗୋଳ ସୃଷ୍ଟି କରିଚି । ଦେଶ, ଜାତି, ଏସବୁ ପଛ; ମଣିଷ ଆଗ । ସବୁଦେଶର ସବୁପ୍ରକାରର ଆନ୍ଦୋଳନ କେବଳ ଏଇ ସଚ୍ଚା ମଣିଷ ଗଢ଼ିବାର ଆନ୍ଦୋଳନ ହେବା ଉଚିତ ।

 

ଯୁବକ ହିସାବରେ ଆମର ସ୍ଥାନ ଏଇ ମଣିଷ ଜାତିର ଉଚ୍ଚତମ ପାହାଚ ଉପରେ । ଆମେ ସେହି ବୃହତ୍ତମ ଭିତ୍ତିଭୂମି ଉପରେ ସବୁକଥା ଦେଖିବା, ସବୁ ଆନ୍ଦୋଳନର ଓଜ ପରୀକ୍ଷା କରିବା । କାହାର ବିସ୍ତାର କେତେଦୂରକୁ, କାହାର କଳ୍ପନା କେତେ ଉପରକୁ, ଏହି କଥାଟି ଭଲକରି ବୁଝି ଆମକୁ ଜଗତକୁ ଓହ୍ଲାଇବାକୁ ହେବ ।

 

ସାଧନାର ଆୟୁଷ ଅଶେଷ । ସେ ଚାଲିଚି, ଚିରଦିନ ଚାଲିଥିବ । ମନ ମୁତାବକ ନହେବାଯାଏ ମଣିଷ ନିଜକୁ ନୂଆ ନୂଆ ଛାଞ୍ଚରେ ପକାଇ ବାରବାର ପରୀକ୍ଷା କରୁଥିବ । ସେହି ସାଧନାପ୍ରବାହରେ ନିଜର ସେବା ଟିକକ ଦେଇ ପାରିଲେ ଆମର ଏ ଜନ୍ମରେ ସେଇ ଯଥେଷ୍ଟରୁ ଅଧିକ ହେବ । ନଦୀ ଜଳରେ ମିଶିବାରେ ହିଁ ବୃଷ୍ଟି ବିନ୍ଦୁର ସାଥାର୍କତା ।
 

ତୋ’ର ମୋ’ର ଜଣକର ଜୀବଦ୍ଦଶା ଭିତରେ ଏଇ ସାଧନା ସରିଯିବ ନାହିଁ । ତେଣୁ ଅସ୍ଥିର ଭାବରେ ନିଜ ନିଜର ନିର୍ଦ୍ଦିଷ୍ଟ ପଥକୁ ସମସ୍ତ ଜନଗଣଙ୍କୁ ଟାଣିବାର ଦୁଃସାହସ ଆମେ କରିବାନାହିଁ । ଦଳ ବଢ଼ାଇବାର ଅବରିତ ଜ୍ଵର, ନିଜର ମତକୁ ଅନ୍ୟ ଉପରେ ଲଦିବାର ଅବିରାମ ଆଶା, ମୋ’ ଛାଞ୍ଚରେ ଖାପ ନ ଖାଇଲା ଭଳି ଆଉ ସବୁ ସଂଗଠନକୁ ଭାଙ୍ଗିରୁଜି ପକାଇବା ପାଇଁ ଏକ ଆସୁରିକ ଈର୍ଷା, ଏସବୁ ଦ୍ଵାରା ରାଜନୀତି ହୁଏ, ମୁକୁଟ ମିଳେ ସତ, କିନ୍ତୁ ମଣିଷର ସେବା ହୁଏ ନାହିଁ, ମଳୁ ଭଲ ହୁଏନାହିଁ । ଜ୍ଵରରୋଗୀର ପ୍ରଳାପ ପରି ଏ ଯୁଗର ରାଜନୀତି କେବଳ ଅସ୍ଥିର ଓ ଚଞ୍ଚଳ କରିପକାଏ । କିନ୍ତୁ ସାଧନାର ଉଦୟ ହୁଏ ପୂର୍ଣ୍ଣୋପଲବଧିର ପ୍ରଶସ୍ତିମନ୍ତ୍ର ପରି । ରାଜନୀତିର ନେତା ସମସ୍ତଙ୍କୁ ନିଜ ଆଡ଼କୁ ଟାଣେ, ସାଧକ ସମସ୍ତଙ୍କ ସାଙ୍ଗରେ ନିଜକୁ ମିଶାଇ ଦେଇ ଧନ୍ୟ ହୁଏ ।

 

କିନ୍ତୁ ଆଜି ଏଇଠି ବନ୍ଦ ଥାଉ ।

 

ଶାନ୍ତିନିକେତନ

୧୯୪୭

(‘ଡଗର’ରେ ପ୍ରକାଶିତ)

Image

 

Unknown

ଭଗବାନ ଓ ଓଡ଼ିଆ ଜାତି

 

ମଣିଷ-ସଭ୍ୟତାର ଇତିହାସରେ ଭଗବାନ-କଳ୍ପନା କେବେଠାରୁ ଆରମ୍ଭ ହେଲା, ତାହା କେହି ଠିକଣା କହିପାରିବ ନାହିଁ । ଭଗବାନ ଶବ୍ଦଟା ମଣିଷର ମୁଣ୍ଡକୁ କେବେ କେଉଁ ଉପଲକ୍ଷରେ ଆସି ଯୁଟିଗଲା, ସେ ବିଷୟରେ ମଧ୍ୟ ଆଜିଯାଏ ଯଥେଷ୍ଟ ଗବେଷଣା ଓ ଅନୁସନ୍ଧାନ କରାଯାଇ ନାହିଁ । କିନ୍ତୁ ଭଗବାନ ଶବ୍ଦ ବା ଭଗବାନର କଳ୍ପନାଟାକୁ ବିଭିନ୍ନ ସାଂସ୍କୃତିକ ପର୍ଯ୍ୟାୟରେ କେମିତି ମଣିଷ ବ୍ୟବହାର କରି ଆସିଚି, ତାହା ଇତିହାସରୁ ଘାଣ୍ଟି ବସିଲେ ଗୋଟିଏ ଭାରି ଚମତ୍କାର ପୋଥି ହୋଇ ପାରିବ । ଭଗବାନ କହିଲେ କଣ ବୁଝାଏ ବା କାହାକୁ ବୁଝାଏ, ସେ ବିଷୟରେ ବିଭିନ୍ନ ଦେଶର ଦର୍ଶନ କିଛି କିଛି ହୁଏତ ଜାଣିଚି, ବଖାଣିଚି ଓ ଆହୁରି ଅନେକ ବେଶୀ ଅନୁମାନ କରିଚି । କିନ୍ତୁ ଭଗବାନଙ୍କୁ ମଣିଷ ନାନା ବିଚିତ୍ର ଭାବେ ବ୍ୟବହାର କରିଚି । ନାନା କ୍ଷେତ୍ରରେ ନାନା ପ୍ରକାର ଉଦ୍ଦେଶ୍ୟ ସାଧନ କରିବା ଲାଗି ସେ ଭଗବାନଙ୍କୁ ଆଣି ଆପଣା କାମରେ ଲଗାଇ ଦେଇଚି, ନାନା ଭାବରେ ଆପଣା ସଂସ୍କୃତିର ମଣ୍ଡନ କରିବାକୁ ମନ ବଳାଇଚି । କଳ୍ପନାରେ, କଥାରେ, ସ୍ତ୍ରୋତରେ ଆଉ ସଙ୍ଗୀତରେ ମଣିଷ ଯାହାକୁ ଉଚ୍ଚତମ ଆସନରେ ବସାଇ ଦେଇଚି, ଯାହାର କାଳ୍ପନିକ ନ୍ୟାୟାଳୟରେ ଆପଣା ପାପପୂଣ୍ୟର ଚରମ ବିଚାର-ଭାର ସମର୍ପି ଦେଇଚି, ତାହାକୁ ସେ ଆପଣାର ବେଶି କାମରେ ଖଟାଇଚି । ସବୁଠାରୁ ଅଧିକ ଅମାନୁଷିକ ହେଲାବେଳେ ସେ ତାହାରି ନାମ ନେଇଚି । ତାହାରି କାନି ଧରି ସେ ଆପଣାର ସବୁ ଅପରାଧକୁ ଜଳକା ପରି କ୍ଷମା ଦେଇଚି । ମଣିଷ ଆଉ ଭଗବାନ ଭିତରେ ଲାଗିରହିଥିବା ସମ୍ପର୍କର ଇତିହାସରେ ବୋଧହୁଏ ଏହା ହିଁ ସବୁଠାରୁ ଅଧିକ ଚମତ୍କାର କଥା ।

 

ଇହୁଦୀ ଜାତିର ଇତିହାସରେ ଆମେ ଏହାର ପ୍ରାଚୀନ ଦୃଷ୍ଟାନ୍ତ ଦେଖିବାକୁ ପାଇବା । ଦୁରନ୍ତ ସିନାଇ ମାଳଭୂମିର ପାହାଡ଼ିଆ ମରୁ ଭିତରେ ଭଗବାନ କୋଉ ଅଶୁଭ ମୂହୁର୍ତ୍ତରେ ଇହୁଦୀ-ସର୍ଦ୍ଦାର ମୋଶେଙ୍କୁ ତାଙ୍କର ଦଶ-ଆଜ୍ଞା କହିଲେ କେଜାଣି, ସେହି ସମୟରୁ ଇହୁଦୀ-ସମାଜ କ୍ଷେତ୍ର ଅକ୍ଷେତ୍ରରେ ଆପଣାକୁ ସଂସାରରେ ସବୁଠାରୁ ଗେହ୍ଲା କରି ଦେଖାଇବା ଖେଳ ଆରମ୍ଭ କରିଦେଲା-। ଭଗବାନ ସ୍ଵର୍ଗରେ କି ଆଉ କେଉଁଠି ଯେତେବେଳେ ମଣିଷ ଗଢ଼ିବା ପାଇଁ ଜୀବନ ଉପାଦାନର ଚୂନା ଯନ୍ତିଲେ, ସେତେବେଳେ ଗୋଟିଏ ପାଗକୁ ସେ ଭଲକରି ମନଦେଇ ଯନ୍ତିଲେ, ଯୋଉଥିରୁ କି ଇହୁଦୀ ଜାତି ତିଆରି ହେଲେ । ତେଣୁ ଇହୁଦୀ ଜାତି ହେଉଚନ୍ତି ପୃଥିବୀର ସବୁ ଜାତି ଭିତରେ ବଛା ଜାତି (Chosen People) । ଇହୁଦୀର ମାଟି ଅର୍ଥାତ୍ ଇସରାଏଲ୍ ହେଉଚି ପୃଥିବୀର ସବୁଠାରୁ ପବିତ୍ର ମାଟି । ଭଗବାନ ସଂସାରରେ ମଣିଷ ପାଇଁ ଯେତେ ଯାହା ଭଲ କାମ କରିବେ, ତାହା କେବଳ ଇହୁଦୀ ଜାତି ଜରିଆରେ କରାଇବେ, ଅନେକ ଶିକ୍ଷିତ ସଭ୍ୟ ଇହୁଦୀ ଆଜି ମଧ୍ୟ ଅତି ନିଷ୍ଠାପର ଭାବରେ ଏପରି ବିଶ୍ଵାସ କରନ୍ତି । ଜେରୁଜେଲମରେ ଜଣେ ପ୍ରବୀଣ ଜ୍ଞାନବୃଦ୍ଧ ଅଧ୍ୟାପକ ଥରେ ମୋତେ ବୁଝାଇବାକୁ ଭାରି ଚେଷ୍ଟା କରିଥିଲେ ଯେ ଇହୁଦୀମାନଙ୍କର ହିବ୍ରୁଭାଷା ସଂସାରର ଅନ୍ୟାନ୍ୟ ଭାଷାମାନଙ୍କଠାରୁ ନିଆରା, କାରଣ ଅନ୍ୟାନ୍ୟ ଭାଷା ମଣିଷର ଭାଷା, ଆଉ ହିବ୍ରୁ ଭାଷା ସ୍ଵୟଂ ଭଗବାନଙ୍କର ଭାଷା । ମୋଶେଙ୍କୁ ଦଶ ଆଜ୍ଞା ଦେଲାବେଳେ ଭଗବାନ ଯେ ହିବ୍ରୁ ଭାଷାରେ କଥା କହିଥିଲେ, ଅଧ୍ୟାପକ ମହାଶୟ ଏପରି ଏକ ଦାମ୍ଭିକ ବିଶ୍ଵାସର ସହିତ ମୋତେ ବୁଝାଇବାକୁ ଚେଷ୍ଟା କରିଥିଲେ, ସତେ ଯେମିତି ଦରକାର ପଡ଼ିଲେ ତା’ର ବୈଜ୍ଞାନିକ ପ୍ରମାଣ ମଧ୍ୟ ସେ ଦେଇ ପାରିବେ ।

 

ଭାରତରେ ଆର୍ଯ୍ୟ ଜାତି ସହିତ ଭଗବାନଙ୍କୁ ଯୋଡ଼ିବାକୁ ଚେଷ୍ଟା କରି ଆମେ କମ ତୁମୁଳ ବାହାଦୂରୀ ଦେଖାଇ ନାହୁଁ । ଭଗବାନ ଦଶରଥଯାକ ଏଇ ଭାରତରେ ଅବତାର ଗ୍ରହଣ କରିଚନ୍ତି । ଆର୍ଯ୍ୟମାନେ ସିଧା ସ୍ଵର୍ଗକୁ ଗଙ୍ଗାକୁ ଆଣି ଏଠି ବୁହାଇ ଦେଇଚନ୍ତି, ବ୍ରହ୍ମା କୁଆଡ଼େ ଆପଣା ତୁଣ୍ଡରେ ନିର୍ଭୁଲ ସଂସ୍କୃତ ଭଷାରେ ଭାରତବାସୀଙ୍କ କଲ୍ୟାଣଲାଗି ବେଦୋଚ୍ଚାରଣ କରିଚନ୍ତି-। ତେଣୁ ଇହୁଦୀଙ୍କର ହିବ୍ରୁ ପରି ଆମର ସଂସ୍କୃତ ମଧ୍ୟ ଦେବ-ଭାଷା । ଆଜି ଏ ଦେଶରେ ଅନେକ ସୁଜ୍ଞ, ବିଜ୍ଞ ଓ ପ୍ରକୃତିସ୍ଥ ମଣିଷ ରହିଚନ୍ତି, ଯୋଉମାନେ ଆପଣାକୁ ଆର୍ଯ୍ୟ ବୋଲି କହି ସାଧାରଣ ମଣିଷଠାରୁ ନିଜକୁ ପାହାଚେ ଉଚ୍ଛ ବୋଲି ବିଶ୍ଵାସ କରନ୍ତି ଏବଂ ଆର୍ଯ୍ୟୋତର ପ୍ରତ୍ୟେକ ମଣିଷକୁ ଅନାର୍ଯ୍ୟ କହି ଅବଜ୍ଞା କରନ୍ତି । ଅଖଣ୍ଡ ଭାରତର ଉତ୍ତର ଓ ଦକ୍ଷିଣ ଭିତରେ ଆଜି ଯେଉଁ ଖଣ୍ଡଯୁଦ୍ଧ ଚାଲିଚି, ଆର୍ଯ୍ୟମାନଙ୍କର ଏହି ଭଗବତ-ଲାଳସାକୁ ହୁଏତ ଏଥିଲାଗି କିଛି ଅଂଶରେ ଦାୟୀ କରିବାକୁ ହେବ ।

 

ଖ୍ରୀଷ୍ଟିଆନ ଜଗତରେ ଅନେକ ଜାଣିବା ଶୁଣିବା ମଣିଷ ବି ଆପଣାକୁ ଭଗବାନଙ୍କ ଅତି ପାଖଲୋକ ବୋଲି ବିଶ୍ଵାସ କରନ୍ତି । ଭଗବାନ ନିଜେ ବିଶେଷ ଶ୍ରଦ୍ଧା କରି ନିଜର ଏକମାତ୍ର ପୁଅକୁ ଖ୍ରୀଷ୍ଟିଆନମାନଙ୍କର ପରିତ୍ରାଣ ଲାଗି ଜଗତକୁ ପଠାଇଥିଲେ ବୋଲି ସେମାନେ କହନ୍ତି । କେବଳ ଖ୍ରୀଷ୍ଟିଆନମାନେ ସ୍ଵର୍ଗକୁ ଯାଇ ପାରିବେ, ସ୍ଵର୍ଗର ଉପର ମହଲାମାନଙ୍କରେ ବସବାସ କରି ପାରିବେ, ଅନ୍ୟମାନେ ସମସ୍ତେ ନରକରେ ପଡ଼ିବେ, ଏହିପରି ଏକ ସତ୍ୟର ପ୍ରତିପାଦନ କରିବାକୁ ଆଜି ମଧ୍ୟ ଅନେକ ଧର୍ମପ୍ରାଣ ଧର୍ମ-ଓକିଲ ଖ୍ରୀଷ୍ଟିଆନ୍ ସମାଜରେ ବାହାରିବେ । ବିଶ୍ଵାସୀ ଖ୍ରୀଷ୍ଟିଆନମାନେ ଆଜି ମଧ୍ୟ ଆପଣା ଆପଣ ମନ ଭିତରେ ସ୍ଵର୍ଗର ଯେଉଁ କଳ୍ପନା କରନ୍ତି, ସେଥିରେ କେବଳ ଆପଣାର ବହୁ ସଂସ୍କାରରର ସମ୍ପତ୍ତି ଦ୍ଵାରା ଗଢ଼ାହୋଇଥିବା ଯୀଶୁ ପିତୁଳାକୁ ସେମାନେ ଭଗବାନଙ୍କ ଡାହାଣ ପାଖରେ ନେଇ ବସାଇ ଦିଅନ୍ତି । ଅନ୍ୟ ପିତୁଳାମାନେ ହୁଏତ ପାଦତଳେ ବସିବେ, ବା ଖୁବ୍ ହେଲେ ଡେବିରି ପାଖରେ ବସିବେ, କିନ୍ତୁ ଭୁଜୁଣି ପାଖରେ କଦାପି ବସି ପାରିବେ ନାହିଁ । ମଣିଷର କୃପାରୁ ଯାହାହେଉ ଭଗବାନଙ୍କ ବାମ ଓ ଡାହାଣ ଭିତରେ ମଧ୍ୟ ମଣିଷର ସଂସାର ପରି ବାଛବିଚାର ରହିପାରୁଚି ।

 

ଇସଲାମ ଧର୍ମର କାଫେର ଓ ହିନ୍ଦୁ ଧର୍ମର ଯବନ ମ୍ଳେଚ୍ଛ ପ୍ରଭୃତି ଶବ୍ଦଗୁଡ଼ିକର ଯଥେଷ୍ଟ ସମାଜ-ବୈଜ୍ଞାନିକ ଆଲୋଚନା ହେଲେ ମଣିଷର ଭଗବାନଙ୍କୁ ଆପଣା ଅନୁବର୍ତ୍ତୀ ଓ ଅନୁରକ୍ତ କରି ରଖିବାର ଏହି ପ୍ରବୃତ୍ତି ବିଷୟରେ ଅନେକ ମଜାମଜା ତଥ୍ୟ ଜଣା ପଡ଼ନ୍ତା । ପୃଥିବୀରେ ଆପଣାକୁ ସବୁଠାରୁ ଅଧିକ ଧର୍ମପ୍ରାଣ କରି ଦେଖାଇବାକୁ ମଣିଷର ଯେତେ ବ୍ୟାକୁଳତା ଦେଖାଇଚି, ପୃଥିବୀରୁ ଅଧର୍ମ ଦୂର କରିବାଲାଗି ହୁଏତ ତାର ମୁଣ୍ଡ ସେତେ ବଥାଇ ନାହିଁ । ଆପଣାକୁ ଭଗବାନଙ୍କର ଅଧିକ ସମୀପବର୍ତ୍ତୀ ବୋଲି ଦେଖାଇବାକୁ ହେଲେ ଅନ୍ୟମାନଙ୍କୁ ଭଗବାନ ପାଖରୁ ବର୍ଜିତ ଓ ପରିତ୍ୟକ୍ତ ବୋଲି ଦେଖାଇବାକୁ ପଡ଼ିବ, ଏହିପରି ଏକ ସହଜ ବିଚାର-ସୂତ୍ରର ଖିଅ ଧରି ମଣିଷ ଅନ୍ୟକୁ କାଫେର ବା ଯବନ ବୋଲି କହିଚି । ଧର୍ମର ଇତିହାସକୁ ବୁଦ୍ଧଦେବଙ୍କ ଭାଷାରେ ସୂତ୍ରନିପାତର ଇତିହାସ ବୋଲି ନ କହି କାଫେର ବା ଯବନନିପାତର ଇତିହାସ ବୋଲି କହିଲେ ଆମେ ମଣିଷ ପ୍ରତି ଆଦୌ ଅନ୍ୟାୟ କରିବା ନାହିଁ । ଏହି ନିପାତପ୍ରଧାନ ମନୋଭାବ ଫଳରେ ଆସ୍ତିକ ନାସ୍ତିକ ଦୁଇଟା ଶବ୍ଦର ଅର୍ଥ ଆଜି ବଦଳି ଗଲାଣି । ଆସ୍ତିକ କହିଲେ ମୂଳତଃ ଭଗବାନଙ୍କୁ ସ୍ଵୀକାର କରୁଥିବା ଓ ନାସ୍ତିକ କହିଲେ ଭଗବାନଙ୍କୁ ଅସ୍ଵୀକାର କରୁଥିବା ଲୋକଙ୍କୁ ବୁଝାଇବା କଥା । କିନ୍ତୁ ଆଜି ଆମ ଧର୍ମରେ ବିଶ୍ଵାସ ନ କରୁଥିବା ପ୍ରତ୍ୟେକ ଲୋକଙ୍କୁ ତା’ର ସମସ୍ତ ଭଗବଦ-ବିଶ୍ଵାସ ସତ୍ତ୍ୱେ ଆମେ ନାସ୍ତିକ କହିବାକୁ ଆରମ୍ଭ କଲୁଣି । ତେଣୁ ପ୍ରତ୍ୟେକ ପକ୍ଷ ଆଜି ଆପଣାକୁ ଆସ୍ତିକ ଓ ଅପରକୁ ନାସ୍ତିକ ବୋଲି କହୁଚନ୍ତି । ଇଉରୋପରେ ପ୍ରୋଟେଷ୍ଟାଣ୍ଟ୍ ଧର୍ମପର୍ଯ୍ୟାୟର ଝଡ଼ ଜମି ଆସୁଥିବାବେଳେ ଠିକ୍ ଏମିତି ତାମସା ହେଉଥିଲା । ନୂତନ ଧର୍ମର ନିଶା ଖାଇ ମାର୍ଟିନ୍ ଲୁଥର ପୋପଙ୍କୁ ପାମର ଇହୁଦୀ ବୋଲି ଗାଳି ଦେଉଥିଲେ । ସ୍ଵୟଂ ପୋପ୍ ମଧ୍ୟ ସମାନ ଘୃଣା ଓ ନିଷ୍ଠା ରଖି ଲୁଥରଙ୍କୁ ଇହୁଦୀ କହି ଅଭିଶାପ ଦେଉଥିଲେ । ଭଗବାନଙ୍କୁ ଆପଣା ପକ୍ଷର ଅଧସ୍ତନ କରି ରଖିବାର ଦୁରାଗ୍ରହୀ କ୍ଷମତା ବଳରେ ହିଁ ସେମାନେ ଉଭୟେ ଇହୁଦୀ ଶବ୍ଦର ଏ ପ୍ରକାର ଅଭିନବ ବ୍ୟାଖ୍ୟା କରି ପାରୁଥିଲେ ।

 

ଆପଣା ଘରେ ଆମେ ଓଡ଼ିଆ ଜାତି ମଧ୍ୟ ଭଗବାନଙ୍କୁ ଆପଣାର କରି ଖଟେଇବାର କିଛି କମ୍ କରାମତି ଦେଖେଇନାହୁଁ । ନବମ ଅବତାରରୁ ତ ନିଜେ ଭଗବାନ ଏଇ ଓଡ଼ିଶା ଭୂଇଁରେ ଆପଣାର ସ୍ଥାୟୀ ଘର କରି ରହିଲେଣି । ଗଉଡ଼ମାନେ ଏକାଠି ହେଲେ ଆପଣା ଆପଣା ଗାଈର ପ୍ରଶଂସା କରନ୍ତି, ଘରଣୀମାନେ ଏକାଠି ହେଲେ ଆପଣା ଆପଣା ଗୃହସ୍ଥ ଓ ଗହଣାର ପ୍ରଶଂସା କରନ୍ତି । ଆମ ଘରେ ଭୋଗ ଖାଇ ଆମରି କାମ ପାଇଁ ବନ୍ଧାହୋଇ ରହିଥିବା ଦେବତା ଯେ ଅନ୍ୟ ସବୁ ଦେବତାଙ୍କଠାରୁ ବଡ଼, ଏ କଥା ପ୍ରମାଣ କରିବାକୁ ଆମେ କୌଣସି କ୍ଷେତ୍ରରେ ହାତ ନ ମାରି ଛାଡ଼ିଥିଲା ପରି ଜଣାଯାଏ ନାହିଁ । ଆମର ଭଗବାନ ପୁରୁଷ-ଉତ୍ତମ, ଜଗତର ନାଥ, ସମସ୍ତଙ୍କ ସାଦା କଥାରେ ଠାକୁରଙ୍କ ଭିତରେ ସେ ବଡ଼ଠାକୁର । ତାଙ୍କ ଦେଉଳ, ତାଙ୍କ ଦାଣ୍ଡ ବଡ଼ ଦାଣ୍ଡ, ତାଙ୍କ ଘର-ଭାତ ପୁଣି ମହାପ୍ରସାଦ । ତାଙ୍କ ଇଲାକାର ମଶାଣି ମଶାଣି ନୁହେଁ–ସ୍ଵର୍ଗଦ୍ଵାର, ଅର୍ଥାତ୍ ସ୍ଵର୍ଗକୁ ପ୍ରମୋଶନ ପାଇବାର ଦ୍ଵାର । ଓଡ଼ିଆ ସାହିତ୍ୟରେ ଅନେକ କୌଶଳ ସହିତ ଅନେକ ଭାବପ୍ରବଣତା ମିଶାଇ ଆମେ ପୁରୀର ଠାକୁରଙ୍କୁ ବଡ଼ ଠାକୁର ବୋଲି ଦେଖାଇବାକୁ ଭାରି ଚେଷ୍ଟା କରିଚୁ । ଓଡ଼ିଶାର କାୟାସାଧକ ଯୋଗୀମାନେ ସହସ୍ର-କମଳ ଭିତରେ ଜଗନ୍ନାଥଙ୍କ କଳ୍ପନା କରିଚନ୍ତି । ତାନ୍ତ୍ରିକମାନେ ଜଗନ୍ନାଥଙ୍କୁ ପରମ ପୁରୁଷ ଓ ସୁଭଦ୍ରାଙ୍କୁ ପରମା ଶକ୍ତି ବୋଲି କହିଛନ୍ତି । ଓଡ଼ିଆ ବୌଦ୍ଧମାନେ ପୁଣି ବୁଦ୍ଧଦେବତାଙ୍କୁ ଜଗନ୍ନାଥଙ୍କ ସହିତ ସମତୁଲ କରିଦେଇଚନ୍ତି । ଚୈତନ୍ୟଦେବ ମଧ୍ୟ ପୁରୀକୁ ଆସି ଜଗନ୍ନାଥଙ୍କର କୃଷ୍ଣକୋମଳ-କାନ୍ତି ରୂପା ଦେଖି ସେଇଠି ଦ୍ଵାପର ଯୁଗର କୃଷ୍ଣଙ୍କୁ ଦର୍ଶନ କରିଥିଲେ ବୋଲି ଆମେ ଏଠି ଚମତ୍କାର ଧର୍ମୋପନ୍ୟାସ ରଚନା କରି ଦେଇଚୁ । ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚାରିତାମୃତ’ ବହିରେ ଶ୍ରୀ ଗୌରାଙ୍ଗଙ୍କ ତୁଣ୍ଡରେ ଓଡ଼ିଶା ମାଟି ତଥା ଜଗନ୍ନାଥ ଦେବତାଙ୍କର ଯେତେ ସ୍ତୁତି କୁହାଇଚନ୍ତି, ସେଥିରୁ ତ ଯେକୌଣସି ଓଡ଼ିଆର ଭାବପଲ୍ଲବ ହୋଇଯିବା କଥା । ଏସବୁ ଭାବାବେଶର କାହାଣୀ ମିଶାଇ ଦେଇ ଏ ଯୁଗରେ ଆମେ ତାକୁ ଜଗନ୍ନାଥ-ଧର୍ମ ବୋଲି ଏକ ମଧୁର ଓ ସଙ୍ଗତ ନାଆଁ ମଧ୍ୟ ଦେଇ ସାରିଲୁଣି, ଟାକୁ ଭାରତ ତଥା ପୃଥିବୀର ଅନ୍ୟାନ୍ୟ ନାନା ଧର୍ମର ତୁଳନାରେ ଉଚ୍ଚତର କୋଟୀର ବୋଲି ଅଭିମାନ କରିବାର ଆଡ଼ମ୍ବର ମଧ୍ୟ ବେଶ୍ ଆରମ୍ଭ କରିଦେଲୁଣି । ଜଗନ୍ନାଥ ତ ଆମରି ସମ୍ପତ୍ତି, ତେଣୁ ତାଙ୍କରି ଧ୍ଵଜାରେ ଉଡ଼ୁଥିବା ଧର୍ମକୁ ଯଦି ଆମେ ଗୋଟାଏ ଉତ୍ତମ ଧର୍ମ ବୋଲି ପ୍ରତିଯୋଗିତା ବଜାରରେ ଚଳାଇ ଦେଇ ପାରିବା, ତେବେ ମାଲିକ ହିସାବରେ ତ ସବୁ ସାଂସ୍କୃତିକ ସତ୍ତ୍ଵ ଆମେମାନେ ହିଁ ଭୋଗ କରିବା ।

 

ଓଡ଼ିଶାର ଇତିହାସରେ ମଧ୍ୟ ଠିକ୍ ଅନୁରୂପ ପ୍ରବୃତ୍ତିମାନ ଭାରି ଦେଖିବାକୁ ମିଳେ । ଆମ ରାଜା ହେଉଚନ୍ତି ଠାକୁର ରଜା । ତେଣୁ ତାଙ୍କର ଯାବତୀୟ କାର୍ଯ୍ୟ ଅକାର୍ଯ୍ୟରେ ଠାକୁରଙ୍କୁ ଆସି ଆବଶ୍ୟକ ସେବା ଖଟିବାକୁ ପଡ଼ିବ ହିଁ ପଡ଼ିବ । ଆମ ଦେଶର ରଜାଏ ଭାରି ଠାକୁର-ଭକ୍ତ, ଠାକୁରଙ୍କୁ ପାଖେ ପାଖେ ବାନ୍ଧି ରଖିବାପରି ରଖିଚନ୍ତି । ଓଡ଼ିଶାରେ କୌଣସି ଦେଉଳ ତୋଳା ହେବା ଆଗରୁ ଠାକୁର ଆଗେ ରାଜାଙ୍କୁ ସପନରେ ଦେଖା ଦେଇଚନ୍ତି, ଅନେକ ସମୟରେ ଦେଉଳର ଗୋଟାଏ ମୋଟାମୋଟି ପ୍ଳାନ୍-ଏଷ୍ଟିମେଟ୍ ମଧ୍ୟ ତିଆରି କରି ସେ ସାଙ୍ଗରେ ଆଣିଥାନ୍ତି । ଭକ୍ତ ରାଜା କେବଳ ସେଥିପାଇଁ ରାଜସ୍ୱ ଯୋଗାନ୍ତି, ମଣିଷ ଲଗାନ୍ତି । ଆଲାଦିନର ପ୍ରଦୀପ ଭିତରେ ଥିବା ଭୂତ ପରି ଓଡ଼ିଶାର ପ୍ରତ୍ୟେକ ନିର୍ମାଣ ଓ ନିୟନରେ ଭଗବାନ ନିଜେ ନିଜର ଅଂଶତକ ପୂରା କରିବାକୁ ଅବଶ୍ୟ ହାଜର ହୋଇ ଯାଇଚନ୍ତି । ତେଣୁ ଓଡ଼ିଶାରେ ଯାହା ତୋଳା ହୋଇଚି କି ଖୋଲା ହୋଇଚି ସେ ସବୁଥିରେ ସ୍ଵୟଂ ଭଗବାନଙ୍କ ହାତ ଅବଶ୍ୟ ଲାଗିଚି ।

 

ଆମରି ଓଡ଼ିଶାର ରାଜା ପୁରୁଷୋତ୍ତମଦେବ କୁଆଡ଼େ ସୁଦୂର କାଞ୍ଚିପୂରମରେ ରାଜକନ୍ୟା ପଦ୍ମାବତୀଙ୍କୁ ନିଜର ରାଣୀ କରିବାକୁ ଚାହିଁଥିଲେ । ଦକ୍ଷିଣର ରାଜା ଆପଣାର କନ୍ୟା ବିଷୟରେ ଏ ପ୍ରସ୍ତାବକୁ ଅଙ୍ଗୀକାର କଲେ ନାହିଁ । ତେଣୁ ଆମ ରାଜା ସୈନ୍ୟସାମନ୍ତ ଓ ଦଳ ବାନ୍ଧି କାଞ୍ଚିପୂରମକୁ କନ୍ୟାଜୟ କରିବାକୁ ବାହାରିଲେ । ଓଡ଼ିଆ ଜାତିର ପାଟପୁଅ ଯେତେବେଳେ ଏଡ଼େବଡ଼ କୀର୍ତ୍ତି ରଖିବାକୁ ବାହାରିଲେ, ଓଡ଼ିଆ ଦେଉଳର କୋଠିଆ ଦେବତା କେମିତି ତାଙ୍କ ସହିତ ବାହାରି ନ ପଡ଼ନ୍ତେ ! କଳା ଘୋଡ଼ାରେ କାଳିଆ ଆଉ ଧଳା ଘୋଡ଼ାରେ ବଳିଆ, ଦୁହେଁ ସଜବାଜ ହୋଇ ରଜାଙ୍କ ଆଗରୁ ରଜାଙ୍କର ସାହାପକ୍ଷ ହେବାକୁ ବାହାରି ପଡ଼ିଲେ । ଭଗବାନଙ୍କୁ ଆପଣାର ଅତି ଅନ୍ତରଙ୍ଗ ଓ ଅନୁଗତ ବୋଲି ଗ୍ରହଣ କରି ନଥିଲେ ଆମେ କଦାପି ତାଙ୍କୁ ଆଣି ଏପରି ଏକ ମାନୁଷିକ କାଣ୍ଡରେ ସଂପୃକ୍ତ କରିପାରି ନଥାନ୍ତେ । ସବୁଠାରୁ ମଜାକଥା ହେଉଚି ଏଇ କାହାଣୀଟି ପୁଣି ଅତି ଛୋଟ ପିଲାଙ୍କର ଇତିହାସ ବହିରେ ଭାରି ଉତ୍ସାହର ସହିତ ଭରି ଦିଆଯାଇଚି ଓ ଓଡ଼ିଆ ଜାତିର ଗୌରବ ଗାଥା ହିସାବରେ ଚାଟଶାଳୀରେ ପଢ଼ାଯାଉଚି ।

 

ଇତିହାସ ଓ ଐତିହାସିକ କାହାଣୀର ପେଡ଼ି ଖୋଲି ବସିଲେ ଏମିତି କେତେ ଉଦାହରଣ ବାହାରିବ । ଓଡ଼ିଆଙ୍କୁ ଆପଣାର ବଛା କରି ତାଙ୍କର ଜୟକୁ ପ୍ରତିଷ୍ଠିତ କରିବାପାଇଁ ସତେଅବା ଭଗବାନ ଆମ ଓଡ଼ିଆ ଘରର ମହୁଡ଼ ଉପରେ ଜଗିରହିଚନ୍ତି । ଏ ବିଜ୍ଞାନ ଓ ବିବେକର ଯୁଗରେ ମଧ୍ୟ ଆମେ ଏହି ଭଗବାନଙ୍କୁ ଆମର କରି ବାନ୍ଧି ରଖିଚୁ । ତେଣୁ ଥଳରେ ଅଥଳରେ ତାଙ୍କରି ସକାଶେ ଆମେ ଭାରି ଫୁଲୁଚୁ, ଫୁଲିଯାଇ ଦୁନିଆରା ବା ଭାରତର ଅନ୍ୟମାନଙ୍କଠାରୁ ଆପଣାକୁ ବଡ଼ ଦେଖାଉଚୁ । ଏହିପରି ଗୋଟିଏ ପ୍ରମତ୍ତ ବିଶ୍ଵାସ ଫଳର ଘରେ ଶୋଇ ମଧ୍ୟ ଆମେ ସମସ୍ତଙ୍କର ଆଗରେ ରହିଚୁ ବୋଲି ଭାରି ସାନ୍ତ୍ଵନା ପାଉଚୁ । ବଙ୍ଗାଳି, ବିହାରୀ ବା ତେଲେଙ୍ଗାଙ୍କଠାରୁ ଓଡ଼ିଆ ଜାତି ବଡ଼, ତାର ସାହିତ୍ୟ ବଡ଼, ତା’ର ସଭ୍ୟତା ବଡ଼, ତା’ର ବିଚାର ବଡ଼, ଏପରି ନାଏକ ଘୋଷଣା ଓଡ଼ିଶା-ଡିହରେ ଚିତ୍କାର କରୁଥିବା ପଣ୍ଡିତମାନଙ୍କଠାରୁ ଶୁଣିବାକୁ ମିଳେ । ଓଡ଼ିଶାରେ ଯେଉଁମାନେ ପାଠ ପଢ଼ିଚନ୍ତି, ଆପଣା ଆପଣା ଭିତରେ ଓଡ଼ିଆ କହିବାକୁ ବା ଲେଖିବାକୁ ସେମାନଙ୍କୁ ଲାଜ ଲାଗୁଥିଲେ ମଧ୍ୟ ସେହିମାନେ ଓଡ଼ିଆକୁ ଅନ୍ୟାନ୍ୟ ଭାଷାମାନଙ୍କଠାରୁ ଅଧିକ କ୍ଳାନ୍ତ ଓ ଅଧିକ କୋମଳ ବୋଲି ଜାହିର କରି ବସନ୍ତି । ଓଡ଼ିଶାର ଜଣେ ଜଣେ କବିଙ୍କ ପରି ସୁନ୍ଦର କାବ୍ୟ କବିତା ପୃଥିବୀରେ ଆଉ କେହି ଲେଖି ନାହାନ୍ତି, ପୃଥିବୀର କଥା ତ ଛାଡ଼ିଦିଅ, ପଡ଼ୋଶୀ ସାହିତ୍ୟ ସମ୍ବନ୍ଧରେ କୌଣସି ପରିଚୟ ନ ଥିଲେ ହେଁ ଓଡ଼ିଶାର ପଣ୍ଡିତମାନେ ଅତି ସନ୍ତର୍ପଣ ସହିତ ଏଭଳି ମତ ପୋଷଣ କରନ୍ତି ।

 

ପୃଥିବୀର ସବୁ ଜାତି ଓ ସବୁ ସାହିତ୍ୟକୁ ଗାଳି ଦେବାର ଅମର୍ଯ୍ୟାଦିତ ଅଧିକାର ଓଡ଼ିଶାରେ ହିଁ ରହିଚି, କାରଣ ଖୋଦ୍ ଭଗବାନ ଆମ ପଛେ ପଛେ ଅଛନ୍ତି । ଜଗନ୍ନାଥ ଧର୍ମ ପୃଥିବୀର ମଣିଷକୁ ବର୍ତ୍ତମାନର ଅନ୍ଧାର ଭିତରୁ ବାଟ ଦେଖାଇ ଆଣିବ, ଏକଥା କହିଲାବେଳେ ମଧ୍ୟ ପାଞ୍ଚ-ପଡ଼ୋଶୀଙ୍କୁ କାମୁଡ଼ି ଦେଇ ନ ଆସିଲେ ଆମର ତୁଣ୍ଡ ଶାନ୍ତ ହୁଏ ନାହିଁ । ପୃଥିବୀରେ ଆଉ କେହି ନଥାନ୍ତେ, କୌଣସି ଜାତି ନଥାନ୍ତା କି କୌଣସି ସାହିତ୍ୟ ନଥାନ୍ତା, କେବଳ ଆପଣା ଗମ୍ଭୀରା ଭିତରେ ଭଗବାନଙ୍କୁ ଭର୍ତ୍ତିକରି ସଂସାରରେ ଆମେ ଓଡ଼ିଆ ଜାତି ହିଁ ଅଦ୍ଵିତୀୟ ଓ ବଡ଼ ବୋଲାଇବାର ପରିପୂର୍ଣ୍ଣ ପ୍ରଶୟ ପାଇଥାନ୍ତୁ,–ହୁଏତ ଏ ପୁଣ୍ୟ ମାଟିର ଅନେକ ଉତ୍ସାହୀ ପଣ୍ଡିତ ଏହିପରି ଏକ ଆଦର୍ଶ ଏକାବସ୍ଥାନର କଳ୍ପନାରେ ବଞ୍ଚିରହନ୍ତି । ସେଦିନ ଜଣେ ପକ୍ଵକେଶ ସାହିତ୍ୟିକ ବଡ଼ କ୍ରୋଧ କରି ବଙ୍ଗାଳୀମାନଙ୍କୁ ଭାରତର ଇହୁଦୀ ବୋଲି କହୁଥିଲେ । ସାରା ଇଉରୋପ ଯେମିତି ନାନା କାରଣରୁ ଇହୁଦୀ ଜାତିକୁ ଘୃଣା କରେ, ସେ ବୋଧହୁଏ ବଙ୍ଗାଳୀ ଜାତିକୁ ସେମିତି ଘୃଣା କରନ୍ତି । ଗତ ମହାଯୁଦ୍ଧ ବେଳେ ଇଉରୋପ ଦଶଲକ୍ଷ ପିଲାସମେତ ଷାଠିଏ ଲକ୍ଷ ଇହୁଦୀଙ୍କୁ ନାନା ନୃଶଂସ ଓ ଅକଳ୍ପନୀୟ ଉପାୟରେ ମାରିବାର କୀର୍ତ୍ତି ଅର୍ଜିଚି । ଆମ ଜଗନ୍ନାଥ-ଦେଶର ଏହି ପଣ୍ଡିତ ହୁଏତ ସାହିତ୍ୟ ଓ ସଂସ୍କୃତିର ଛତା-ଉଢ଼ୁଆଳରେ ରହି ସେହିପରି କିଛି ମହାନିଧନର ଇଚ୍ଛା ପୂରଣ କରୁଚନ୍ତି । ତାଙ୍କର ମତ ଯେ ବଙ୍ଗଳାର ଧର୍ମ, ବଙ୍ଗଳାର ସାହିତ୍ୟ ଓ ଲୋକବିଚାର ଓଡ଼ିଶାକୁ ଆସି ଏଠି ସବୁ ନାରଖାର କରିଦେଲା, ଓଡ଼ିଶାର ସବୁ ଶୁଦ୍ଧି ଭିତରେ ଅଶୁଦ୍ଧ ହେବାଲାଗି ନାନା ଉନ୍ମାଦନା ପୂରାଇ ଦେଇଗଲା । ଭଗବାନ ଓ ଭଗବାନଙ୍କ ସହିତ ସବୁ ସାହିତ୍ୟ, ସଂସ୍କୃତି ଓ ଶୁଦ୍ଧାଚାରକୁ କାଖ ତଳେ ଯାକି ରଖିବାର ଯେଉଁ ପ୍ରବୃତ୍ତିର ଚର୍ଚ୍ଚା ଆମେ ଏ ପ୍ରବନ୍ଧରେ କରିଆସିଲୁ, ଏବର ଓଡ଼ିଶାରେ ସେ ବୋଧହୁଏ ସେହି ପ୍ରବୃତ୍ତିର ଏକ ପୁରୁଖା ପ୍ରତିନିଧି ହୋଇ ରହିଚନ୍ତି ।

 

ମଣିଷ ଯେତେବେଳେ ମନେ ମନେ ଦୁର୍ବଳ ହୋଇପଡ଼େ, ଖୁବ୍ ସମ୍ଭବ ସେତିକିବେଳେ ସେ ଭଗବାନଙ୍କୁ ଆପଣ ଦୁର୍ବଳତାକୁ ଘୋଡ଼ାଇ ରଖିବା କାମରେ ନିଯୁକ୍ତ କରିପକାଏ । ଆପଣାକୁ ଗଢ଼ିବାଲାଗି ଯିଏ ଯଥେଷ୍ଟ ବଳ ପାଏ ନାହିଁ, ସେହି ଅପରର ଦୋଷକୁ ନେଇ କଳହ-ସଂକୀର୍ତ୍ତନ ଆରମ୍ଭ କରିଦିଏ ଓ ତାହାରି ଜରିଆରେ ଆପଣାକୁ ବଳବାନ୍ ମନେ କରି ସାନ୍ତ୍ଵନା ପାଏ । ସବୁ ଆଦର୍ଶ, ସବୁ କର୍ତ୍ତବ୍ୟ ଓ ସବୁ ପୁରୁଷାର୍ଥକୁ ଫାଙ୍କି ଦେବାର ବେଳ ଆସି ପହଞ୍ଚିଲେ ମଣିଷ ଭଗବାନଙ୍କୁ ଆପଣା ସାଙ୍ଗକୁ ଡାକି ଆଣେ ଓ ଆପଣାକୁ ବଡ଼ ବୋଲି ଦେଖାଇ ହେବାର ସୁଆଙ୍ଗ ଆରମ୍ଭ କରେ । ଭଗବାନଙ୍କୁ ଏହି ମଣିଷ କାଳେ କାଳେ ଦୁର୍ବଳର ବଳ ବୋଲି କହି ଆସିଚି । କିନ୍ତୁ ଦୁର୍ବଳକୁ ଅଧିକ ଆତ୍ମବଳର ବଳୀୟାନ କରିବା ପାଇଁ ନୁହେଁ, ଦୁର୍ବଳର ଦୁର୍ବଳତାକୁ ମୋହ-ଭକ୍ତିର ଚୂନରେ ଟିକିଏ ଧଉଳାଇ ଦେଇ ତାହାରି ଭିତରେ ଅଫିମ ଖାଇ ବସିବାଲାଗି ମଣିଷ ଭଗବାନଙ୍କୁ ଅଧିକତର ବ୍ୟବହାର କରିଚି । ଓଡ଼ିଆ ଜାତି ବି ଅତୀତରେ ଅନେକ ଥର ସେଇଆ କରିଚି, ବର୍ତ୍ତମାନ ମଧ୍ୟ ସେଥିଲାଗି ନାନା ନୂଆ ଫନ୍ଦି ବାହାର କରିଚି । ଜାତୀୟତାକୁ ସେ ଏହିପରି ଏକ ଫନ୍ଦି ବୋଲି ଧରିଚି । ଯିଏ ଅଫିମିଆଙ୍କ ପରି ଭଗବାନଙ୍କୁ ବ୍ୟବହାର କରିଚି, ସେ ବୋଧହୁଏ ସଂସାରକୁ ମହତୀ ବିନଷ୍ଟିର ଫାନ୍ଦରେ ପକାଇ ଦେଇଚି । ସେ ଘୃଣା କରିଚି ଓ ଶୋଇ ରହିଚି । ଯେତିକି ସେ ଆସ୍ଫାଳନ କରିଚି, ସେତିକି ଶୋଇ ରହିଚି; ସେତିକି ସେ ଲୁଚି ଲୁଚି ପଳାଇଚି ।

 

ଇଉରୋପୀୟ ସଭ୍ୟତାର ସମାଲୋଚକ ଆଲବର୍ଟ ସ୍ଵାଇତଜରଙ୍କୁ ଥରେ ଜଣେ କେହି ପ୍ରଶ୍ନ କଲେ, ‘ଆମେ ଇଉରୋପର ଧର୍ମ, ସଂସ୍କୃତି ଓ ସାହିତ୍ୟରେ ଅନେକ ଉତ୍ତମ ଓ ଉପାଦେୟ କଥା ରହିଚି ବୋଲି କଣ ଆପଣ ଜାଣନ୍ତି ନାହିଁ ?’ ସ୍ଵାଇତଜର୍ ଉତ୍ତରରେ କହିଥିଲେ, ‘ହଁ ଅନେକ ଉତ୍ତମ ଓ ଉପାଦେୟ କଥା ରହିଚି, କିନ୍ତୁ ସେ ସବୁକୁ ଜୀବନରେ ଅନୁଭବ କରିବାକୁ ହେବ, ଜୀବନରେ ଫଳାଇବାକୁ ପଡ଼ିବ ।’ ଓଡ଼ିଆ ଜାତି ବା ଓଡ଼ିଆର ସଂସ୍କୃତି କଥା ଆଲୋଚନା କଲାବେଳେ ଠିକ୍ ଏହିକଥା ମନେ ପଡ଼ିଯାଏ । ଏଠି କ’ଣ ଅଛି, ଅନ୍ୟଥାରେ କ’ଣ ନାହିଁ, ଏପରି ଏକ ଲଡ଼ୁ ଖାଇ ଆସ୍ଫାଳନ କଲେ ଆଉ ପୋଷେଇବ ନାହିଁ । ଏଠି ଯାହା ଅଛି, ତାକୁ ଜୀବନରେ ଅନୁଭବ କରିବାକୁ ହେବ । ଜୀବନର ସତ୍ୟରୂପେ ଫଳାଇବାକୁ ହେବ । ତା’ ନ ହେଲେ ଯେତେ କାଳ୍ପନିକ ଭଗବାନଙ୍କୁ ଭାଡ଼ିତଳେ ବାନ୍ଧି ରଖିଲେ ମଧ୍ୟ ଏ ଦେଶର ଜୀବନରେ ଖାଲି ଭୂତ ହିଁ ରାଜୁତି କରିବ, ଯେତେ ଧର୍ମ ଓ ସଂସ୍କୃତିର ଚାଉଳ ଚୋବାଇଲେ ହେଁ ଆମର ଜୀବନରେ ଖାଲି ଅଧର୍ମ ଓ ଅସଂସ୍କୃତି ହିଁ ସାର ହୋଇ ରହିବ ।

 

(‘ଡଗର’ର ଏକବିଂଶ ବର୍ଷ ଦଶମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା)

Image

 

ଓଡ଼ିଶାରେ ଆସ୍ଥାନ କାହିଁ ?

 

ଗତ ବର୍ଷ ପଣ୍ଡିତ ଗୋଦାବରୀଶଙ୍କ ମୃତ୍ୟୁପରେ ଶୋକ ପ୍ରକାଶ କରି ଯେତେ ଯିଏ ପ୍ରବନ୍ଧ ବା ସ୍ମରଣିକାମାନ ଲେଖିଥିଲେ, ସେମାନେ ପ୍ରାୟ ସମସ୍ତେ ସତ୍ୟବାଦୀ ବିଦ୍ୟାଳୟ ବିଷୟରେ ପଦେ ପଦେ ମନେ ପକାଇଥିଲେ । ସତ୍ୟବାଦୀର ବକୁଳବନ ଦିନେ ଓଡ଼ିଆ ଜାତୀୟତା ଓ ସଂସ୍କୃତିର କେନ୍ଦ୍ର ପୀଠ ଥିଲା । ଦଳେ ଯୁବକ ସେଠି ସବୁ ପ୍ରକାର ସ୍ଵାର୍ଥ ଓ ସଫଳ ଜୀବନର ଛାଡ଼ି ଆଦର୍ଶ ଦେଶ, ଆଦର୍ଶ ଶିକ୍ଷା ଓ ଜାତୀୟତାର ସ୍ଵପ୍ନ ଦେଖୁଥିଲେ । ପ୍ରତିଦିନର ସାଧନାମୟ ଜୀବନରେ ସେହିସବୁ ସ୍ଵପ୍ନରେ ଜୀବନ-ପ୍ରତିଷ୍ଠା କରିବାର ଉଦ୍ୟମ କରିଥିଲେ । ସେତେବେଳେ ଜାତୀୟ କ୍ଷେତ୍ରକୁ ସମୃଦ୍ଧ ଓ ଗୌରବମୟ କରି ରଖିଥିବା ସମସ୍ତ ତ୍ୟାଗର ଉତ୍ସ ସେହି ସତ୍ୟବାଦୀର ବିଦ୍ୟାଳୟରେ ଥିବାପରି ବୋଧ ହେଉଥିଲା । ଜାତି-ନିର୍ମାଣର ପ୍ରତ୍ୟେକ କାର୍ଯ୍ୟରେ ସେତେବେଳେ ସମସ୍ତେ ସତ୍ୟବାଦୀକୁ ଲୋଡ଼ୁଥିଲେ । ଉଚିତ ନେତୃତ୍ଵ ଲାଗି ସମସ୍ତେ ସତ୍ୟବାଦୀକୁ ଅପେକ୍ଷା କରି ରହୁଥିଲେ । ଓଡ଼ିଶାର ସାହିତ୍ୟ, ରାଜନୀତି ଓ ସମାଜ-ସେବାରେ ଏହି ସତ୍ୟବାଦୀ-ପର୍ଯ୍ୟାୟକୁ ଉତ୍କଳବାସୀ ସବୁଦିନ ପାଇଁ ମନେ ରଖିଥିବେ, ସେହି ପର୍ଯ୍ୟାୟଟି ସହିତ ପରିଚିତ ହୋଇ ସେମାନେ ସବୁଦିନ ପ୍ରେରଣା ପାଉଥିବେ ।

 

ଗୋଦାବରୀଶଙ୍କ ପ୍ରସଙ୍ଗରେ ଏହି ସତ୍ୟବାଦୀର ପ୍ରସଙ୍ଗ ପଡ଼ିଥିଲାବେଳେ ମୋର ମନ ଭିତରେ ଗୋଟିଏ ସ୍ଵତନ୍ତ୍ର ଭାବନା ଆସି ସ୍ଥାନ ପାଉଥିଲା । ସତ୍ୟବାଦୀର ବିଦ୍ୟାପୀଠ ଯଦି ଏବେ ବି ଥାଆନ୍ତା ! ଏବେ ମଧ୍ୟ ଯଦି ସେହିଠାରେ ଯଥେଷ୍ଟ ସେବକକର୍ମୀ ଏକାଠି ହୋଇ ପୂର୍ବପରି କାମ କରୁଥାନ୍ତେ ! ସାରା ଓଡ଼ିଶାର ନିର୍ମାଣ ଲାଗି ଯଦି ସତ୍ୟବାଦୀରୁ ଯୁବକ ତିଆରି ହୋଇ ବାହାରି ପାରୁଥାନ୍ତେ, ତେବେ ତାହା ଆମ ସମସ୍ତଙ୍କ ପକ୍ଷରେ କେଡ଼େ ସୌଭାଗ୍ୟର କଥା ହୋଇନଥାନ୍ତା ! ସତ୍ୟବାଦୀ ବିଦ୍ୟାଳୟର କାହାଣୀ ସହିତ ଯେଉଁମାନଙ୍କର ସାଧନା ଗୁନ୍ଥା ହୋଇ ରହିଥିଲା, ସେମାନେ ସମସ୍ତେ ଏ ଜାତିର ନମସ୍ୟ । ସେମାନଙ୍କର ଜାତିପ୍ରାଣତା, ସେମାନଙ୍କର ପାଣ୍ଡିତ୍ୟ ଓ ସାହିତ୍ୟାନୁରାଗ ସବୁଦିନ ସ୍ମରଣୀୟ ରହିଥିବ । କିନ୍ତୁ ଉତ୍କଳମଣିଙ୍କ ଦୃଷ୍ଟିକୁ ମୂର୍ତ୍ତିମନ୍ତ କରି ଏଇ ଅଳ୍ପ କେତେ ବର୍ଷ ତଳେ ସତ୍ୟବାଦୀର ବଣରେ ଯେଉଁ ଆସ୍ଥାନଟି ତିଆରି ହୋଇଥିଲା, ତାହା ଅଧିକଦିନ ଜୀଇ ରହିଲା ନାହିଁ କାହିଁକି ? ଏ ଦେଶରେ କାହିଁକି ସେତିକି ଧୈର୍ଯ୍ୟ କେହି ଦେଖାଇ ପାରିଲେ ନାହିଁ ? ଅନ୍ୟରକମର ନାନା ଅନୁରକ୍ତି କାହିଁକି ସେଠିକାର ସେବକକର୍ମୀକୁ ଅନ୍ୟତ୍ର ଟାଣି ନେଇଗଲା ? ସମସ୍ତ ବିଫଳତା ସତ୍ତ୍ୱେ ସତ୍ୟବାଦୀକୁ ଓଡ଼ିଆ ଜାତୀୟ-ସଂସ୍କୃତିର ପ୍ରଥମ ପ୍ରୟୋଗଶାଳା ବୋଲି କହିବାକୁ ହେବ । କିନ୍ତୁ ସେହି ପ୍ରୟୋଗଶାଳାଦ୍ଵାରା ଉପକୃତ ହେବାର ସୌଭାଗ୍ୟ ଓଡ଼ିଶା ପାଇ ପାରିଲା ନାହିଁ । ସେହି ପ୍ରଥମ ଆସ୍ଥାନଟି ମଧ୍ୟ ଚାହୁଁ ଚାହୁଁ ଭାଙ୍ଗିଗଲା ଏବଂ ଏ ପର୍ଯ୍ୟନ୍ତ ଯେ ସଂସ୍କୃତି ଲାଗି ଓଡ଼ିଶାରେ ଦ୍ଵିତୀୟ ଆସ୍ଥାନ ତିଆରି ହୋଇନାହିଁ, ଅତି ଖେଦର ସହିତ ତାହା ସ୍ଵୀକାର କରିବାକୁ ପଡ଼ିବ ।

 

ଓଡ଼ିଶାରେ ବର୍ତ୍ତମାନ ସାହିତ୍ୟ ଚର୍ଚ୍ଚା ଓ ବିଜ୍ଞାନ-ଚର୍ଚ୍ଚା ଅବଶ୍ୟ ହେଉଚି । ନାନା ଉତ୍ସବ ଓ ଅନୁଷ୍ଠାନରେ ଆମର ବଡ଼ ସାନ ପ୍ରାଚୀନ କବି ଓ ସାହିତ୍ୟିକମାନଙ୍କର ଶ୍ରାଦ୍ଧ ବା ଜନ୍ମତିଥିରେ ଅନେକ ବକ୍ତୃତା ହେଉଚି । ଅତି ଆଡ଼ମ୍ବର ସହିତ ଆମେ ସେମାନଙ୍କର ପ୍ରଶଂସା କରୁଚୁ । ଆଜିକାଲି ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ବେଶ୍ ସାହିତ୍ୟିକ ଆଲୋଚନା ହେଉଚି । କିନ୍ତୁ ଏସବୁକୁ ଆସ୍ଥାନ କୁହାଯାଇ ପାରିବ ନାହିଁ । ସାମୟିକ ଉପଲକ୍ଷର ଉତ୍ତେଜନାରେ ଘଡ଼ିକ ଲାଗି ଯେଉଁଠି ଲୋକେ ଏକାଠି ହୋଇ ବକ୍ତୃତା ଦିଅନ୍ତି ବା ବକ୍ତୃତା ଶୁଣନ୍ତି, ତାକୁ ଆମେ ସଂସ୍କୃତିର ଆସ୍ଥାନ କହିପାରିବା ନାହିଁ । ମଧୁବାବୁଙ୍କ ସମୟରେ ଉତ୍କଳ ସମ୍ମିଳନୀ ଦିନେ ଏହିପରି ଆସ୍ଥାନ ଯୋଗାଇ ପାରୁଥିଲା । ଓଡ଼ିଶାର ସଂସ୍କୃତି ଲାଗି ଓ ଭବିଷ୍ୟତ ରଚନା ଲାଗି ହୁଏତ ତାହା ଆଜି ନେତୃତ୍ଵ ଦେଇ ପାରୁଥାନ୍ତା । କିନ୍ତୁ କାଳକ୍ରମେ ଏହି ଆସ୍ଥାନଟି ଆପଣାର ଆଦର୍ଶକୁ ସଙ୍କୁଚିତ କରି ପକାଇଲା । ନିଷ୍ଠାପର ସେବା ଓ ନିର୍ମଳ ସଂସ୍କୃତିବିକାଶର କ୍ଷେତ୍ର ହେବାର ଦାୟିତ୍ଵକୁ ଉତ୍କଳ ସମ୍ମିଳନୀ ଭୁଲିଗଲା । ପଡ଼ୋଶୀ ସହିତ କଳହ କରିବା ଓ ପଡ଼ୋଶୀ ନାମରେ ଅଭିଯୋଗ କରିବା ଏହାର ପ୍ରଧାନ କାମ ହେଲା । କେତୋଟି ବିଚ୍ଛିନ୍ନାଞ୍ଚଳ ଦାବୀ କରିବା ଛଡ଼ା ଅନ୍ୟ କୌଣସି ଉଦ୍ଦେଶ୍ୟ ସାଧନ କରିପାରିବା ଲାଗି ଏହା ପାଖରେ ଆଦର୍ଶଗତ ମାଲମସଲା ରହିପାରିଲା ନାହିଁ । ତେଣୁ ସମ୍ମିଳନୀ କେବଳ କେତୋଟି ସମ୍ମିଳନ ବା ବୈଠକରେ ପର୍ଯ୍ୟାପ୍ତ ରହିଲା । ଆପଣ ଭାଗ୍ୟ ଓ ଆଦର୍ଶର ନିୟନ୍ତ୍ରଣ ଲାଗି କେହି ତା’ ଆଡ଼କୁ ଅନାଇଲେ ନାହିଁ । ସତ୍ୟବାଦୀ ବିଦ୍ୟାଳୟ ମଧ୍ୟ ଉତ୍କଳମଣି ବଞ୍ଚି ରହିଥିବାଯାଏ ବଞ୍ଚି ରହିଥିଲା । ସାରା ଓଡ଼ିଶାର ଆଖି ତାହାରି ଉପରେ ପଡ଼ୁଥିଲା-। ଓଡ଼ିଆ ସାହିତ୍ୟ, ଓଡ଼ିଶାର ସଂସ୍କୃତି ଓ ଓଡ଼ିଶାର ନିର୍ମାଣ ବିଷୟରେ ସବୁବେଳେ ସମସ୍ତେ ସତ୍ୟବାଦୀ ବନର ସ୍ଵତନ୍ତ୍ର ମତ ଶୁଣିବା ଲାଗି ଅପେକ୍ଷା କରୁଥିଲେ । ସତ୍ୟବାଦୀ ମଧ୍ୟ ସ୍ଥାୟୀ ହୋଇପାରିଲା ନାହିଁ । ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ସଫଳତା ପାଇବାର ବ୍ୟସ୍ତତା ଭିତରେ ପଡ଼ି ସତ୍ୟବାଦୀର ପ୍ରତିଭା ବିକ୍ଷିପ୍ତ ହୋଇଗଲା । ସତ୍ୟବାଦୀର କର୍ମୀ ଓଡ଼ିଶାର ବୃହତ୍ତମ ମଞ୍ଚକୁ ଆସି ବଡ଼ ସାହିତ୍ୟିକ ହେଲେ ବା ବଡ଼ ବଡ଼ ରାଜନୀତିରେ ଭାଗ ନେଇ ନାମ ଅର୍ଜିଲେ ସତ, କିନ୍ତୁ ସତ୍ୟବାଦୀର ପ୍ରାଣଶକ୍ତି କ୍ରମେ ମରିଗଲା । ସେଠାରେ ଦିନେ ଅଜସ୍ର ସ୍ଵପ୍ନ କାର୍ଯ୍ୟକ୍ରମ ନେଇ ତିଆରି ହୋଇଥିବା ଅସ୍ଥାନଟି ଭାଙ୍ଗି ପଡ଼ିଲା ।

 

କୌଣସି ରାଜନୈତିକ ଦଳ ଦେଶ ବା ସଂସ୍କୃତିକୁ ନେତୃତ୍ଵ ଦେଇ ପାରିବ ନାହିଁ । ଆମଲାଗି ଆସ୍ଥାନ ଯୋଗାଇ ପାରିବ ନାହିଁ । ରାଜନୈତିକ ଉଚ୍ଚ ମଣ୍ଡପରୁ ବେଳେ ବେଳେ ଲୋକନିର୍ମାଣର ନାନା ଆଲୋଚନା ଶୁଣାଯାଉଥିଲେ ମଧ୍ୟ ସଫଳତା ହିଁ ଓଡ଼ିଶାରେ ସମସ୍ତ ରାଜନୀତିକ ବିନୋଦନର ଧେୟ ହୋଇ ରହିଛି । ସଫଳତା ବା କ୍ଷମତାର ମୁଦ୍ରାରେ ରାଜନୀତି ବଜାରର କିଣାବିକା ଚାଲୁଚି । ଏହି ସଫଳତାର ଦୁରାଗ୍ରହରେ ପଡ଼ି ରାଜନୀତି ଅନେକ ସମୟରେ ସାହିତ୍ୟ ଓ ସଂସ୍କୃତିର କ୍ଷେତ୍ରକୁ ମଧ୍ୟ ଆପଣା କାରବାର ପ୍ରସାରୀ ଦେଉଚି । ସାହିତ୍ୟ ଓ ସଂସ୍କୃତିକୁ ଗ୍ରାସ କରି ଅବଶ୍ୟ ରାଜନୀତିର କ୍ଷମତା ବଢୁଚି, କିନ୍ତୁ ସାହିତ୍ୟ ଓ ସଂସ୍କୃତି କ୍ଷୁର୍ଣ୍ଣ ହୋଇ ଯାଉଚି ।

 

ଓଡ଼ିଶାରେ ଏପରି ଅସ୍ଥାନ ଥାଆନ୍ତା, ଯେଉଁଠାରୁ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିକୁ ନେତୃତ୍ଵ ମିଳୁଥାନ୍ତା । କେତେଜଣ ଉଚ୍ଚପାହିଆ କର୍ମଚାରୀଙ୍କୁ ଏକାଠି କରି ଗୋଟାଏ ସଂସ୍ଥା ବା ସମିତି ଗଢ଼ିଦେଲେ ତାହା ଅସ୍ଥାନ ହେବାର ଯୋଗ୍ୟ ହୋଇ ପାରିବ ନାହିଁ । ସ୍ଵର୍ଣ୍ଣଲୋରୀ କେତେଜଣ ପଣ୍ଡିତଙ୍କୁ ଗୋଟିଏ ସଭା ମଣ୍ଡାଇ ବସାଇଦେଲେ ସେମାନେ ଏ ଦରିଦ୍ର ଦେଶର ଅଭାବ ପୂରଣ କରିପାରିବେ ନାହିଁ । ସାହିତ୍ୟ ଓ ସଂସ୍କୃତିରେ ଦରିଦ୍ର ହୋଇ ପଡ଼ିଥିବା ଓଡ଼ିଶାକୁ ସେମାନେ ଆସ୍ଥାନଟିଏ ଯୋଗାଇ ଦେଇ ପାରିବେନାହିଁ । କୌଣସି ପ୍ରକାରର ଭୋଗାଦର୍ଶ ବା ପ୍ରେୟକାମନା ଆମକୁ ଏ ଆସ୍ଥାନ ଯୋଗାଇ ପାରିବ ନାହିଁ । ଓଡ଼ିଶାର ବର୍ତ୍ତମାନ ଅଧିକାଂଶ କ୍ଷେତ୍ରରେ ଯେଉଁ ସାହିତ୍ୟ, ସଂସ୍କୃତି ବା ରାଜନୀତି ଚର୍ଚ୍ଚା ହେଉଚି, ପ୍ରଧାନତଃ ଭୋଗ ହିଁ ତାହାର ଆଦର୍ଶ ହୋଇ ରହିଚି । ସଫଳତାକୁ ସେମାନେ ଆପଣାର ଧ୍ୟେୟ ବୋଲି ମାନିଚନ୍ତି । ପ୍ରତିଯୋଗିତା ଏହି ଧ୍ୟେୟ ହାସଲ କରିବାର ସାଧନ ହୋଇଚି । ଆପଣାର ସାଧନାକୁ ଅଧିକ ବଳିଷ୍ଠ ବା ଏକନିଷ୍ଠ କରିବା ଉପରେ ଯେତେ ଯୋର ଦିଆଯାଉନାହିଁ; ଅପରକୁ ଅତିକ୍ରମ କରି ଯିବାରେ ତା’ଠାରୁ ବେଶୀ ଉତ୍ସାହ ଦେଖା ଯାଉଚି । ସାହିତ୍ୟ ମଣିଷକୁ ସ୍ଵଛ କରାଏ, କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ପ୍ରଚାରିତ ଅଧିକାଂଶ ସାହିତ୍ୟ ଓ ସଂସ୍କୃତି ଆମକୁ କରାଇ ପାରୁନାହିଁ । ଅପରଠାରୁ ଆପଣାକୁ ବଡ଼ କରି ଦେଖାଇ ହେବାର ଏକ ହୀନ ବ୍ୟସ୍ଥତା ଆମ ସମସ୍ତଙ୍କୁ ଗ୍ରାସ କରି ରହି ଥିଲା ପରି ବୋଧ ହେଉଚି । ସେଥିଲାଗି ଆମର ସାହିତ୍ୟ ଓ ସଂସ୍କୃତି ଅନେକ ଘୃଣା ଓ ବିଦ୍ଵେଶକୁ ଆମ ଭିତରେ ବଞ୍ଚାଇ ରଖୁଚି । ସାଧନାକୁ ଏହା ପ୍ରଧାନତା ଦେଉନାହିଁ, ତେଣୁ ଲୋକ-ମନକୁ ଏହା କୌଣସି ଶକ୍ତି ଦେଇ ପାରୁନାହିଁ । ଗୋଟାଏ ପ୍ରକାର ସଂସ୍କୃତିକ ଜଡ଼ତାକୁ ଜାତୀୟ ଜୀବନର ଅଳଙ୍କାର କରି ଆବୋରି ରଖିବାର ଅଳସ ସାନ୍ତ୍ଵନା ହୁଏତ ଆମେ ତା’ଠାରୁ ପାଉଚୁ ।

 

ଓଡ଼ିଶାରେ ଏପରି ଗୋଟିଏ ଏକ ଆସ୍ଥାନ ରହନ୍ତା ଯୋଉଠି ସାଧନାର ଦ୍ଵାର ସମସ୍ତଙ୍କ ଲାଗି ଉନ୍ମୁକ୍ତ ହୋଇ ରହନ୍ତା । ବ୍ରାହ୍ମଣ ଶୂଦ୍ର କରି ଦେଖିବାର କୌଣସି ବିଭେଦକାରୀ ଦୃଷ୍ଟି ଏ ଆସ୍ଥାନର ପବିତ୍ରତାକୁ ଆଘାତ କରି ପାରନ୍ତା ନାହିଁ । ଓଡ଼ିଶାର ସଂସ୍କୃତି ଓ ଧର୍ମରେ ଯେଉଁ ସ୍ଥାୟୀ ମୂଲ୍ୟମାନ ନିହିତ ହୋଇ ରହିଚି, ତାହାର ଅନୁସନ୍ଧାନ ଓ ଅନୁଶୀଳନ ସେହିଠାରେ ହୁଅନ୍ତା । ଭାରତର ଧର୍ମ ଓ ସଂସ୍କୃତିକୁ ଛାଡ଼ି ଅବଶ୍ୟ ଓଡ଼ିଶାର ଧର୍ମ ଓ ସଂସ୍କୃତିର ସ୍ଵତନ୍ତ୍ର କଳ୍ପନା କରି ହେବନାହିଁ । ତଥାପି ବୃହତ୍ତର ସଂସ୍କୃତିର ପରିପୂରକ ଭାବେ ଓଡ଼ିଶାରେ ଯେତିକି ସୃଷ୍ଟି କରିବା କଥା, ତାହା ଆମେ କରିପାରିବୁ ନାହିଁ । ଏ ରାଜ୍ୟରେ ଧର୍ମ ଓ ସଂସ୍କୃତିର ସ୍ରୋତ ଯେପରି ହଠାତ୍ କେଉଁ ଆତ୍ମ-ବିସ୍ମରଣ ଓ ହୀନ ଅନୁକରଣ ବାଲିବନ୍ଧ ପାଖରେ ଅଟକି ଯାଇଚି । ଆମର ଜୀବନରେ ଏହି ସ୍ରୋତଟିର ଅନୁଭବ ହିଁ ଆମେ କରିପାରୁନାହିଁ । ଆମର ପଡ଼ୋଶୀଙ୍କୁ ଆମଠାରୁ ହୀନ ବୋଲି ଦେଖାଇ ଆପଣାର ଗଡ଼ର ପରିସୀମା ଭିତରେ ଆପଣାକୁ ସମସ୍ତଙ୍କଠାରୁ ବଡ଼ ବୋଲି କହି ଆମର ବୃଦ୍ଧି କ୍ରମେ ଜଡ଼ ହୋଇଯାଉଚି । ଓଡ଼ିଶାରେ ଅନେକ କାର୍ଯ୍ୟ ଏ ପର୍ଯ୍ୟନ୍ତ ବାକୀ ରହିଚି । ସାହିତ୍ୟ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ଓଡ଼ିଶା ଆପଣାର ନିଜସ୍ଵ ପ୍ରତିଭାର ପ୍ରତିଷ୍ଠା କରାଇ ପାରିନାହିଁ । ଯୁଗ ଓ ମଣିଷର ମନକୁ ନେତୃତ୍ଵ ଦେବାର ଯୋଗ୍ୟତା ଏ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ହୋଇନାହିଁ । ସେଥିଲାଗି ଓଡ଼ିଶାର ଜୀବନରେ ଓଡ଼ିଶାର ନିଜସ୍ଵ ସୁସ୍ଥ ସଂସ୍କୃତିକ ଜଳବାୟୁ ସୃଷ୍ଟି କରିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ । ଓଡ଼ିଶାର ସଙ୍ଗୀତ ଓ ନୃତ୍ୟ ଦିନେ ଯଥେଷ୍ଟ ଉନ୍ନତ ଥିଲା । କିନ୍ତୁ ଆମେ ଏ ପର୍ଯ୍ୟନ୍ତ ଆମର ଏକମାତ୍ର ପାଟଲୁଗା କରି ତାକୁ ସାଇତି ରଖିଲେ । ନାନା ନୂତନ ଉପାଦାନ ଓ ସମନ୍ଵୟ ଦ୍ଵାରା ତାକୁ ଅଧିକ ବିକଶିତ ଓ ସମୃଦ୍ଧ କରିବାର ଉଦ୍ୟମ ଓଡ଼ିଶାରେ ଆରମ୍ଭ ହେବାକୁ ଏବେ ବି ବାକୀ ରହିଚି । ଏସବୁ ଲାଗି ଓଡ଼ିଶାରେ ଗୋଟିଏ ଆସ୍ଥାନ ଦରକାର ।

 

ଶିକ୍ଷା, ସାହିତ୍ୟ ଓ ସଂସ୍କୃତି-ପ୍ରଧାନତଃ ଏଇ ତିନୋଟି କ୍ଷେତ୍ରକୁ ନେଇ ଏହି ଆସ୍ଥାନ ତିଆରି ହେବ । ଖାଲି ଓଡ଼ିଶାରେ କାହିଁକି, ସାରା ଭାରତବର୍ଷରେ ଆମେ ଶିକ୍ଷାର ଅଭାବ ହିଁ ଅନୁଭବ କରୁଚୁ । ସେ ଅଭାବ ପୂରଣ ଆମକୁ କରିବାକୁ ହିଁ ହେବ । ନ ହେଲେ ଆମର ଆଉ ଗତି ରହିବ ନାହିଁ । ପ୍ରାଚୀନ ଭାରତର ଉପବନରୁ ଆଜିଯାଏ ଭାରତର ଏକ ସ୍ଵତନ୍ତ୍ର ଶିକ୍ଷା-ପରମ୍ପରା ରହି ଆସିଚି । ସଂସାରର ନାନା ଦେଶରେ ନାନା ଶିକ୍ଷାବିତ୍ ନୂତନ ଶିକ୍ଷା ଉଦ୍ଭାବନ କରି ମଣିଷ ଗଢ଼ିବାର ନବ ନବ ସମ୍ଭାବନାର ସୂଚନା ଦେଇ ଆସିଛନ୍ତି । ଏ ସମସ୍ତ ଉଦ୍ୟମରୁ ସାର ନେଇ ଆମକୁ ପଦ୍ଧତିଟି ବାହାର କରିବାକୁ ହେବ । ନୂଆ ପଦ୍ଧତିଟିକୁ ନିଜର କରିବାକୁ ପୁରୁଣା ଅଶିକ୍ଷାକୁ ଛାଡ଼ିବା ଲାଗି ଆମେ କାର୍ପଣ୍ୟ କଲେ ଚଳିବ ନାହିଁ । ଆମ ବିଦ୍ୟାଳୟରୁ ଯେଉଁମାନେ ବାହାରିବେ, ଆମ ସଂସ୍କୃତିର ଦାୟାଦ ହୋଇ ବାହାରିବେ । ଖାଲି ଭୋଗ କରିବାର ଦାୟାଦ ନୁହେଁ, ସବୁ ପ୍ରକାର ତ୍ୟାଗ ସ୍ଵୀକାର କରି ନୂଆ ସୃଷ୍ଟି କରିବାର ଶକ୍ତିମନ୍ତ ଦାୟାଦ ହୋଇ ସେମାନେ ବାହାରିବେ । ଏହି ଆସ୍ଥାନରୁ ହିଁ ସେହି ଉଦ୍ୟମର ଶୁଭାରମ୍ଭ ହେବ ।

 

ସେବାକୁ ମୁଁ ଶିକ୍ଷାର ଅନ୍ତର୍ଗତ କରିଚି । ଆଜିକାଲି ତ ସେବାର ସଂଜ୍ଞା ହିଁ ବଦଳି ଗଲାଣି-। ସମାଜରେ ପ୍ରଚିଷ୍ଠା ପାଇବା ଲାଗି ସେବାକୁ ଏକ ଚତୁର ରାସ୍ତା ପରି ବ୍ୟବହାର କରାଯାଉଚି । ଅପରକୁ କିଞ୍ଚିତ ଦୟା ଦେଖେଇବାକୁ ହିଁ ଅନେକ ସେବାର ସର୍ବସାର ବୋଲି ଭାବୁଚନ୍ତି । ଲୋକ-ସଂସ୍କୃତି ଅଧୋଗତ ହେଲେ ସବୁଠି ଏପରି ହୁଏ । ଏ ଦେଶରେ ଯିଏ ପାଠ ପଢ଼ିବ, ତାର ଜୀବନ ସେବାମୟ ହେବା ଉଚିତ । ଗୋପବନ୍ଧୁଙ୍କ ଦେଶରେ ସେବାର ବାଖ୍ୟା କରିବାକୁ ପଡ଼ିବ ନାହିଁ । କେବଳ ସେହି ଦୃଷ୍ଟାନ୍ତ ଆପଣ ଜୀବନରେ ଗ୍ରହଣ କରିବାର ସାଧନା ଆମକୁ କରିବାକୁ ହେବ । ଏହି ସାଧନା ଆମ ନୂଆ ଶିକ୍ଷାର ଅନ୍ତର୍ଭୁକ୍ତ ହୋଇ ରହିବ ।

 

ତା’ପରେ ସାହିତ୍ୟ । ଓଡ଼ିଶାରେ ଅନେକ ବହି ଏବେ ବାହାରିଲାଣି । ଅନେକ ପତ୍ର ପତ୍ରିକା ବାହାରୁଚି । ଆହୁରି ଅନେକ ହୁଏତ ବାହାରିବ । କିନ୍ତୁ ତଥାପି ମୁଁ କହିବି ଓଡ଼ିଶାରେ ସାହିତ୍ୟିକ ଅତି ବିରଳ, ସାହିତ୍ୟଜୀବୀ ହିଁ ବହୁତ ରହିଚନ୍ତି । ପ୍ରତ୍ୟେକ ପ୍ରତ୍ୟେକଙ୍କ ନିଜ ପଥରେ ଚାଲିଚନ୍ତି, ପ୍ରାୟ ସବୁରି ଅନ୍ତରକୁ ଗୋଟିଏ ପ୍ରକାରର ଆଦର୍ଶଗତ ଅନିଶ୍ଚୟତା ଗ୍ରାସ କରି ପକାଇଚି-। ଓଡ଼ିଶାର ସାହିତ୍ୟରେ ଯଥେଷ୍ଟ ସଂଗଠିତ ଉଦ୍ୟମ ନାହିଁ, ଯଥେଷ୍ଟ ଶୃଙ୍ଖଳା ନାହିଁ, ସେଥିଲାଗି ଅନେକ ସମୟରେ ସଞ୍ଜମର ଅଭାବ ରହିଯାଉଚି । ଜୀବନର ନାନା ସମସ୍ୟାରେ ମଣିଷକୁ ବାଟ ବତାଇବାକୁ ଓଡ଼ିଆ ସାହିତ୍ୟ ଯଥେଷ୍ଟ ଶକ୍ତି ଅର୍ଜନ କରି ପାରିନାହିଁ । ଏ ଯୁଗରେ କେବଳ ବିନୋଦନ କରିବାର ବା କେବଳ ମଜଲିସ୍ ମଣ୍ଡାଇବାର ସାମଗ୍ରୀ ହେଲେ ସାହିତ୍ୟର କର୍ତ୍ତବ୍ୟ କଦାପି ସରିଯିବ ନାହିଁ । ଜୀବନରୁ ନାନା ଛିନ୍ନ ଅନୁଭୂତିର ଜଞ୍ଜାଳ ଭିତରୁ ମଣିଷକୁ ସମଗ୍ର ପରିଚୟର ଶ୍ରଦ୍ଧା ଭିତରକୁ ନେଇଯିବା ହେଉଚି ସାହିତ୍ୟର କାମ । ଓଡ଼ିଶାର ସାହିତ୍ୟ କେବେ ସେ ଦାୟିତ୍ଵ ଗ୍ରହଣ କରିବ ? ସେ ଦିନ ଆହୁରି ଅନେକ ଡେରି ଅଛି । ଏବେ ବି ତ ଅନେକ ସାହିତ୍ୟକଙ୍କୁ ପ୍ରଧାନତଃ ପ୍ରକାଶକ ଓ ରଙ୍ଗମଞ୍ଚର ଫରମାସ ପୂରଣ କରିବାକୁ ହିଁ ପଡ଼ୁଚି ।

 

ଶିକ୍ଷା ଓ ସାହିତ୍ୟକୁ ନେଇ ସଂସ୍କୃତି । ଆମର ସଂସ୍କୃତି ଆମ ଜୀବନକୁ ସରଳ କରିବ, ସାମଗ୍ରୀ ଅପେକ୍ଷା ମଣିଷକୁ ଅଧିକ ସମ୍ମାନ ଦେବ, ଭୋଗ ଅପେକ୍ଷା ସୃଷ୍ଟିକୁ ଅଧିକତର ମୂଲ୍ୟ ଦେବ । ଅର୍ଥାତ୍ ବର୍ତ୍ତମାନ ମଣିଷର ସାଂସ୍କୃତିକ ମନୋଭୂମିରେ ଏକ ସମଗ୍ର ପରିବର୍ତ୍ତନ ଆଣିବାକୁ ପଡ଼ିବ । ଏଥିଲାଗି ଓଡ଼ିଶାର ଶିକ୍ଷକ ଓ ସାହିତ୍ୟିକ ଏକାଠି ହେବା ଦରକାର, ଆପଣାର ପଥ ଉପରେ ସେମାନେ ପରସ୍ପରକୁ ଚିହ୍ନି ରଖିବା ଦରକାର । ସତ୍ୟବାଦୀର ବକୁଳବନ ପରି ଗୋଟିଏ ଆସ୍ଥାନ ହୁଏତ ଏମାନଙ୍କୁ ଏକତ୍ର କରାଇ ପାରନ୍ତା ।

 

ସବୁ କିଛି ସାରିଲା ପରେ ତଥାପି ସେହି ପ୍ରଶ୍ନଟି ପଚାରିବାର ଅବକାଶ ରହିଯାଉଛି : ଓଡ଼ିଶାରେ ଆସ୍ଥାନ କାହିଁ ?

 

(‘ଡଗର’ର ଏକବିଂଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା)

Image

 

ଶ୍ରାଦ୍ଧ

 

ଓଡ଼ିଶାରେ କୌଣସି ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କର କାନ ହୋଇଗଲେ ହଠାତ୍ ସବୁ ଘରୁ ଉଚ୍ଛ୍ଵସିତ କ୍ରନ୍ଦନ ଶୁଣିବାକୁ ମିଳେ । ଅମୁକଙ୍କ ବିନା ଦେଶଟା ସାରା ଅନ୍ଧାର ହୋଇଗଲା ବୋଲି କିଏ କହନ୍ତି । ଅମୁକଙ୍କ ପରି ଓଡ଼ିଶାର ସେବା ଆଉ କେହି କରୁନଥିଲେ କି କରିବେ ନାହିଁ, ଏପରି ଆଉ କେହି କହନ୍ତି । ଅମୁକ ଯୁଗ ଯୁଗ ଧରି ଓଡ଼ିଶା ଓ ଓଡ଼ିଆ ଜାତିର ଆଦର୍ଶ ଓ ଅନୁକରଣୀୟ ହୋଇ ରହିଥିବେ, ଏପରି ଭବିଷ୍ୟତବାଣୀ ମଧ୍ୟ କେହି କେହି କରନ୍ତି । ଏସବୁ କରୁଣ ଉକ୍ତିମାନ ପଢ଼ି ଓ ଶୁଣି ମନେହୁଏ, ଯେପରି ଅମୁକଙ୍କ କାଳ ହୋଇଗଲା ପରେ ହିଁ ଆମେ ତାଙ୍କର ପରିଚୟ ପାଇଲୁ । ସେ ଯେ ଏ ଦେଶରେ କିଛି କରୁଥିଲେ, ତାହା ଅନୁଭବ କଲୁ । ଯେପରି ତାଙ୍କର ବ୍ୟକ୍ତିତ୍ଵକୁ ଅନୁଭବ କରିବାପାଇଁ ଆମେ ତାଙ୍କର ଦେହାବସାନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲୁ । ହୁଏତ ସେ ବଞ୍ଚିଥିବା ସମୟରେ ଆମେ ତାଙ୍କୁ ଜୀବନର ଯାବତୀୟ ଧାଁଧପଡ଼ରେ ଦିନେ ହେଲେ ଲୋଡ଼ି ନଥିଲୁ, ଆମଠାରୁ ଅନ୍ୟ ପଥରେ ତାଙ୍କୁ ଯିବାର ଦେଖି ହୁଏତ ଆମ ମନରେ ଗୋଟାଏ ପ୍ରକାର ସଦୟତା ଜାତ ହେଉଥିଲା । ସେ ଏ ଦେଶର କିଛି କରୁଚନ୍ତି ବା କାହାର କିଛି କରୁଚନ୍ତି ବୋଲି ଭାବିବାର ସ୍ଥିର ଅବସର ଆମ ଜୀବନରେ ଦିନେହେଲେ ଆସି ନଥିଲା, ତଥାପି ତାଙ୍କର ଦେହାନ୍ତବେଳେ ସେ ଗୋଟାସୁଦ୍ଧା ଆମର ହୋଇଗଲେ । ଆମର ଲୁହ ଗଡ଼ାଇବାର ଆକ ଆର୍ତ୍ତ ଉପଭୋଗ ଲାଗି ତାଙ୍କୁ ଆମେ ସହଜ ନିମିତ୍ତ ରୂପେ ବ୍ୟବହାର କରିଦେଇ ପାରିଲୁ । ଓଡ଼ିଶାରେ ଏହିପରି ବେଶୀ ହୁଏ । କାରଣ ହରାଇ ବସିବା ପରେ ବୋଧ ହୁଏ ଆମେ ରତ୍ନକୁ ଚିହ୍ନିପାରୁ । କାନିରୁ ଖସି ପଡ଼ିବା ପରେ ହିଁ ଆମେ ରଙ୍କପରି ବାଉଳା ହୋଇଯାଉ । ଓଡ଼ିଶାରେ ଯେତେବେଳେ କୌଣସି ପ୍ରମୁଖ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ବା ଶ୍ରାଦ୍ଧବାସର ଆସି ପହଞ୍ଚେ, ସେତେବେଳେ ସତେଅବା ଆମମାନକଙ୍କର ହୃଦୟ ଭିତରେ ଏଇ ହଠାତ୍ ଉପଲବଧିର ଗୋଟାଏ ଛନକା ଆସି ପଶିଯାଏ ଓ କେତେଟା ଦିନ ପାଇଁ ଆମକୁ ମାଡ଼ି ବସିଥାଏ । ପୁଣି ପ୍ରାତ୍ୟହିକ ସଂସ୍କାରର ନାନା ଅନ୍ୟମନସ୍କତା ଭିତରେ ଅଳ୍ପ କେତେଦିନ ପରେ ତାହା ଆମକୁ ଛାଡ଼ି ଚାଲିଯାଏ । ଆମ ଆଖିରୁ ଲୁହ ଶୁଖିଯାଏ । ଆମର ସବୁ ଉପଲବଧି ହଜି ହଜି ଯାଏ ।

 

ଶ୍ରଦ୍ଧାରୁ ଶ୍ରାଦ୍ଧର ଉତ୍ପତ୍ତି । ଆମର ପୁରାତନ ଶାସ୍ତ୍ରରେ ଶ୍ରଦ୍ଧାର ବିଶଦ ଆଲୋଚନା କରାଯାଇଚି । ଶ୍ରଦ୍ଧାର ପୁଣି ଭକ୍ତି ସହିତ ସମ୍ବନ୍ଧ ରହିଚି । ଭକ୍ତି କରିବା ଅର୍ଥ କାହା ପାଖରେ ଆପଣାର ସର୍ବସ୍ଵ ସମର୍ପଣ କରିଦେବାକୁ ବୁଝାଏ ବୋଲି ଅନେକ ଅନୁମାନ କରନ୍ତି । କେତେକ ପୁରାଣରେ ବି ଏହିପରି ଏକ ଦୁର୍ବଳ ଭକ୍ତିର ପ୍ରସଙ୍ଗ ରହିଚି । ତଥାପି ଆମ ଇତିହାସରେ ଭକ୍ତିର ବଳିଷ୍ଠ ବାଖ୍ୟାର ଅଭାବ ନାହିଁ । ଶଙ୍କରଚାର୍ଯ୍ୟ ଭକ୍ତିକୁ ‘ସ୍ଵସ୍ଵରୂପାନୁସନ୍ଧାନ’ ବୋଲି କହିଚନ୍ତି । ଭକ୍ତି କରିବା ଅର୍ଥ ଆପଣାର ସତ୍ୟରୂପର ଅନୁସନ୍ଧାନ କରିବା, ଆପଣାର ମହତ୍ତମ ପରିଚୟର ଅନୁସନ୍ଧାନ କରିବା । ଆପଣାର ସବୁ ବିବେକ ଓ ହୃଦୟକୁ କାହାରି ଶରଣରେ ସମର୍ପି ଦେଇ ଆପେ ନିଷ୍କ୍ରିୟ ଓ ନିଶ୍ଚିନ୍ତ ହୋଇ ବସିବା ନୁହେଁ । ଗୀତା (୧୭/୩)ରେ ଏହି ଭକ୍ତି ବା ଶ୍ରଦ୍ଧାର ଆଲୋଚନା ଅତି ଚମତ୍କାର । ‘ଶ୍ରଦ୍ଧାମୟୋଽୟ˚ ପୁରୁଷୋ ଯୋ ଯଚ୍ଛଦ୍ଧଃ ସ ଏବ ସଃ’–ଆପଣାର ଶ୍ରଦ୍ଧାନୁରୂପ ମଣିଷ । ଯାହାର ଶ୍ରଦ୍ଧା ଯେମିତି, ସେ ମଣିଷ ବି ସେମିତି । ଏହାର ବିଶ୍ଳେଷଣ କରି ଶ୍ରୀ ରଧାକୃଷ୍ଣନ୍ କହିଛନ୍ତି ଯେ ଗୋଟାଏ ମତ ବା ପଥକୁ ନିର୍ବିବାଦରେ ଗ୍ରହଣ କରି ନେବାଟାକୁ ଭକ୍ତି କୁହାଯାଏ ନାହିଁ । କୌଣସି ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଉପରେ ମନ ଓ ହୃଦୟର ଯାବତୀୟ ଶକ୍ତି ଆରୋପିତ କରି ଆପଣାର ପରିଚୟ ଲାଭ କରିବା ହେଉଚି ଭକ୍ତି । ଭକ୍ତି ହେଉଚି ମଣିଷ ଉପରେ ଦିବ୍ୟଶକ୍ତିର ଦାବି; ଯାହା ମଣିଷକୁ ଉପରକୁ ନେଇଯାଏ, ଜ୍ଞାନ ଓ ଆଧ୍ୟାତ୍ମିକ ଜୀବନରେ ଆଗେଇ ନେଇଯାଏ । ଆମର ଶ୍ରଦ୍ଧାପ୍ରସୂତ ଶ୍ରାଦ୍ଧ ମଧ୍ୟ ଏହିପରି ହେବା ଉଚିତ । କୌଣସି ଜଣେ କୁଳବୃଦ୍ଧ ବା ବୟୋଜ୍ୟଷ୍ଠଙ୍କର ସ୍ମରଣ କଲାବେଳେ ଆମର ଏହି କଥାଟି ମନେ ରହିବ ଉଚିତ । ଗୁରୁଜନମାନଙ୍କର ଦେହାନ୍ତ ଖାଲି ଆମର କାନ୍ଦିବା ଲାଗି ଯଦି ଏକ ଅନୁଷ୍ଠାନିକ ବାୟୁମଣ୍ଡଳ ସୃଷ୍ଟି କରିବାକୁ ଆସେ, ତେବେ ଆମର ଶ୍ରଦ୍ଧାକୁ କେବଳ ଅଯୋଗ୍ୟ ଶ୍ରଦ୍ଧା ହିଁ କହିବାକୁ ପଡ଼ିବ । ଓଡ଼ିଶାର କେହି ନାୟକ ଆମକୁ ଛାଡ଼ି ଚାଲିଗଲେ, ଆମେ ଆଗ ଶାନ୍ତ ଓ ସଚେତ ଭାବରେ ଆମର ସ୍ଥିତି ବିଷୟରେ ଚିନ୍ତା କରିବା । ଏହି ସ୍ଥିତିର ଭୂମି ଉପରେ ଆମେ ସ୍ଵରୂପର ଅନୁସନ୍ଧାନ କରିବା, ଆପଣାର ତଥା ଜାତିର ସ୍ୱରୂପ ଅନୁସନ୍ଧାନ କରିବା । ପରଲୋକଜଗତ ଗୁରୁଜନମାନଙ୍କର ଜୀବନ-କାହାଣୀ ଏହି ସଚେତ ଅନୁସନ୍ଧାନ ଲାଗି ଆମକୁ ପ୍ରେରଣା ଯୋଗାଇବ, ଆପଣାର ବାଟ ଆପେ କାଢ଼ିବାକୁ ଶିଖାଇବ, ମୁଗଧ ହେବାର ହୀନ ଦଶାରୁ ଆମକୁ ମୁକ୍ତ କରି ରଖିବ ।

 

ଆମର ସବୁ ବାହୁନିବା, ଭିଳିଯିବା ବା ଏଡ଼ି ଦେବାର ସମସ୍ତ କୁଶଳତା ସତ୍ତ୍ୱେ ଆମକୁ ବର୍ତ୍ତମାନ ସ୍ଵୀକାର କରିବାକୁ ପଡ଼ିବ ଯେ ଓଡ଼ିଶାର ସଂସ୍କୃତିକ ସଙ୍କଟନ ଅତି ଆସନ୍ନ ହୋଇ ଆସିଲାଣି । ସଂସ୍କୃତି କହିଲେ ଅନ୍ନମୟଠାରୁ ଆରମ୍ଭ କରି ଆନନ୍ଦମୟ ଯାଏ ଜୀବନ ବଞ୍ଚିବାର ଯାବତୀୟ ସ୍ତରର କାର୍ଯ୍ୟକଳାପକୁ ମୁଁ ବୁଝେ । ସଂସ୍କୃତିର ଉଜାଣି ଓ ପକାଣି ମାପିବାଲାଗି ଯଦି କାଗଜ ଉପରେ ଏକ ଗ୍ରାଫ୍ (Graph) ଟଣାଯାଇପାରେ, ତେବେ ମୋର ଆଶଙ୍କା ଯେ ଆମ ଓଡ଼ିଶାର ସଂସ୍କୃତିରେଖା ଦେୱାଲିଆ ଗାରର ଅତି ସମୀପବର୍ତ୍ତୀ ହୋଇଯିବ । ଅତୀତରେ ଅନେକ ଉନ୍ନତ ସଂସ୍କୃତି ଏମିତି ଭାଙ୍ଗିପଡ଼ିଚି, ଏମିତି ଦେୱାଲିଆ ହୋଇପଡ଼ିଚି । ବର୍ତମାନ ଜଗତର ଯନ୍ତ୍ର-ସଭ୍ୟତା ଓ ଯନ୍ତ୍ର-ପ୍ରଚାଳିତ ମଣିଷ ସେମିତି ଗୋଟାଏ ପତନର ଧାରରେ ଆସି ଠିଆ ହେଲାଣି ବୋଲି ଅନେକେ ଆଶଙ୍କା କରୁଛନ୍ତି । ସେ ଆଶଙ୍କାରୁ ସଂସାରକୁ କିପରି ବଞ୍ଚାଇବାକୁ ହେବ, କିପରି ମଣିଷର ବିକାଶକୁ ସୁସ୍ଥ ଅନୁପ୍ରେରଣା ସହିତ ଆହୁରି ଆଗକୁ ମୁହାଁଇଦେଇ ହେବ, ସେଥିଲାଗି ଜ୍ଞାନ ଓ ଲୋକନିର୍ମାଣର ନାନା କ୍ଷେତ୍ରରେ ପୁରୋଧାମାନେ ଭାବିବାକୁ ଆରମ୍ଭ କଲେଣି-। ମଣିଷର ଭାଗ୍ୟ ତା’ର ଆପଣା ହାତରେ । ସେ ସ୍ଵାଧୀନ, ସେ ସୃଷ୍ଟିଶୀଳ, ତେଣୁ ବିନାଶ ବା ବିକାଶରୁ ଗୋଟାଏ ପଥ ବାଛିନେବାର ସ୍ଵାଧୀନତା ଏଇ ମଣିଷର ସର୍ବଦା ରହିଚି । ବିନାଶର ପଥ ଏଡ଼ି ବିକାଶର ପଥକୁ ମଣିଷ କିପରି ଆଗ୍ରହର ସହିତ ଗ୍ରହଣ କରିବ, ସେଥିଲାଗି ମଣିଷସମାଜର ସାମୂହିକ ପ୍ରେରଣାଗୁଡ଼ିକୁ ଉଚିତ ମାର୍ଗ ଦେଖାଇବା ପାଇଁ ବର୍ତ୍ତମାନ ନାନାମତେ ମସୁଧା ଚାଲିଛି । ବାଟା କାଢ଼ିବା ଆଗରୁ ପ୍ରଥମେ ଆପଣାର ବର୍ତ୍ତମାନ ସ୍ଥିତି ବିଷୟରେ ଯଥେଷ୍ଟ ସଚେତ ରହିବାକୁ ହେବ । ପ୍ରଥମେ ତଟସ୍ଥ ରହି ଆପଣାର ଅବଧାରଣ କରିବାକୁ ହେବ । ଏଥିରେ କହାରିକୁ ବିରକ୍ତ ବା କ୍ଷିପ୍ତ କରିବାର ପ୍ରଶ୍ନ ଉଠୁନାହିଁ । ସମାଲୋଚନା କରିବାର ଅର୍ଥ ନିନ୍ଦା କରିବା ନୁହେଁ । ବିଚାର କରିବାର ଅର୍ଥ ଦେୟ କରି ଫିଙ୍ଗିଦେବା ନୁହେଁ । ଆମକୁ ସମ୍ୟକ୍ ରୂପେ ଆଲୋଚନା କରି ଶିଖିବାକୁ ହେବ ।

 

ଓଡ଼ିଶା ବିଷୟରେ ବର୍ତ୍ତମାନ ଏମିତି ଗୋଟାଏ ସମୋଲୋଚନା ଆରମ୍ଭ କରିବାର ବେଳ ଆସି ପହଞ୍ଚିଚି ବୋଲି ମୁଁ ବିଚାର କରୁଚି । ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଆର୍ଥିକ ସମ୍ପନ୍ନତା ବା ରାଜନୀତି ସବୁକ୍ଷେତ୍ରରେ ଆମକୁ ଯେଉଁ ଦୈନ୍ୟସମ ବ୍ୟାଧି ଘୋଟିଲାପରି ମନେହେଉଚି, ତାକୁ ଏକପ୍ରକାର ମାନବୀୟ ସଙ୍କଟ ଘୋଟିବାର ବ୍ୟାଧି ବୋଲି କହିବାକୁ ହେବ । ଏ ଦେଶ ସ୍ଵାଧୀନତା ପାଇବା ପରେ ଆମେ ସମସ୍ତେ ଯେଉଁ ନୂତନ ପରିସ୍ଥିତିର ସମ୍ମୁଖୀନ ହେଲୁ, ଦ୍ଵିତୀୟ ମହାସମର ପରେ ମଣିଷ-ସଂସାରର ନିର୍ମାଣ ଓ ପୁନ୍ନରୁଜ୍ଜୀବନ ବିଷୟରେ ନାନା ଦେଶରେ ସଚେତ ମନ ଯେଉଁସବୁ ନୂଆ ନୂଆ କଥା ଚିନ୍ତା କରିବାକୁ ଆରମ୍ଭ କଲା, ସେସବୁ ବିଷୟରେ ଆମେ ଏଠି ଯଥେଷ୍ଟ ସଚେତ ହୋଇ ପାରିଲୁ ନାହିଁ । ନୂଆ ମଣିଷ ହେବା ତ ଦୂରର କଥା, ପୁରୁଣା ଢଙ୍ଗ ଛାଡ଼ି ନୂଆ ରକମର ବିଚାର କରିବା ମଧ୍ୟ ଆମଦ୍ଵାରା ହୋଇପାରିଲା ନହିଁ । ସ୍ଵାଧୀନ ମଣିଷ ଭାବରରେ ଆପଣାକୁ ଓ ଆପଣାର ସଂସ୍କୃତିକୁ ଗଢ଼ିବା ତ ଦୂରର କଥା, ଆମ ମନଭିତରେ ଆମକୁ କାମୁଡ଼ି ଧରିଥିବା ଅନେକ ପୁରୁଣା ପରାଧୀନତା, ଏପରି କି ଅନେକ ପୁରୁଣା ଅରାଜକତାକୁ ଆମେ ତଥାକଥିତ ସ୍ଵାଧୀନତାର ପାଟକନା ଦେଇ ଘୋଡ଼ାଇ ରଖିବାର ବେଶ୍ ଅପଚେଷ୍ଟା ମଧ୍ୟ କଲୁ । ଆମ ମୁହଁରେ ନୂଆ କଥା ଶୁଣାଗଲା । ଭିତରେ ପୁରୁଣା ମନକୁ ଆମେ ନାନା ସନ୍ତନା ଓ ସଂସ୍କାରର ଗୋଳିପାଣି ଭିତରେ ଲୁଚାଇ ରଖିଲୁ । ଉପରେ ସବୁ ବଦଳିଲା, ଭେକ ବଦଳିଲା ଓ ଢ଼ଙ୍ଗ ବଦଳିଲା-। କିନ୍ତୁ ଭିତରେ ଆମେ ଯୋଉ ତାମସିକ ଥିଲୁ ସେଇ ତାମସିକ ହୋଇ ରହିଲୁ । ଉପରକୁ ଆମର ଜାତି ଉଠିଗଲା, ଛୁଆଁ ଅଛୁଆଁ ଉଠିଗଲା, କିନ୍ତୁ ଭିତରେ ଆମେ ଆପଣାର ଲାଭ ଓ ସ୍ଵାର୍ଥ ଅନୁସାରେ ଆହୁରି ହୀନତର ଜାତି ଓ ବିଭାଗରେ ବିଭକ୍ତ ଓ ବିଚ୍ଛିନ୍ନ ହୋଇଗଲୁ । ଆମେ ପ୍ରତ୍ୟେକେ ଅପର ପାଖରେ ଅଛୁଆଁ ହୋଇ ରହିଲୁ । ଉପରକୁ ଆମେ ଦେଶକୁ ତିଆରି କରିବାର ଦୁଆ ଧରି କ୍ଷମତା ଭିତରକୁ ପଶିଲୁ, ଭିତରେ କ୍ଷମତାଲାଗି ହିଁ ଦେଶସେବା କରିବାର ଅଧର୍ମ ଭିତରେ ବୁଡ଼ିଗଲୁ । ଉପରେ କହିଲୁ, ଆମେ ଦେଶକୁ ସମାଜବାଦୀ କରି ଗଢ଼ିବୁ, ଆମେ କଲ୍ୟାଣବାଦୀ ହେବୁ, କିନ୍ତୁ ଭିତରେ ଆମର ସେଇ ପୁରୁଣା ସାଆନ୍ତିଆ ମନଟା ଆମକୁ ଟାଣି ଧରିଲା । ବର୍ତ୍ତମାନ ଯୋଉ କ୍ଷେତ୍ରକୁ ଆମେ ଆଖି ପକାଇବା, ସେ କ୍ଷେତ୍ରରେ ଦେଖିବା ଯେ ଏଇ ସାମନ୍ତବାଦୀ ମନ, କ୍ଷମତାର ଲୋଭ ଓ ଆପଣାକୁ ସମସ୍ତଙ୍କ ଆଗରେ ବୋଲି ପ୍ରମାଣ କରିବାକୁ ଅପରକୁ ପଛକୁ ଟାଣି ଧରିବାର ପ୍ରବୃତ୍ତି ହିଁ ଆମର ଆଠପହରିଆ ଜୀବନ ଉପରେ ରାଜତ୍ଵ କରୁଚି-। ଏ ଦେଶରେ ମଣିଷ ମରିଗଲାଣି, ସଂସ୍କୃତି ମରିଗଲାଣି । ଏ ଦେଶରୁ ମଣିଷପରି ବଞ୍ଚିବା ଓ ମଣିଷପରି ବଞ୍ଚିବାକୁ ଦେବାର ସମ୍ମାନ ମରିଗଲାଣି । ନାନା ଅତୃପ୍ତି ଓ ଦୂର୍ବାସନାର ତାଡ଼ନାରେ ପ୍ରପୀଡ଼ିତ ହୋଇ ଆମେ କେବଳ ଗୋଟାଏ ପ୍ରତିଯୋଗୀ ପଲଭିତରେ ଦଉଡ଼ିଚୁ । ଆମେ ଆପେ ଆଦୌ ଆଗକୁ ଯାଉଚୁକି ନାହିଁ ସେକଥା ଭାବିବାଲାଗି ଆମର ଅବସର ହିଁ ନାହିଁ । ଅପରକୁ ପଛକୁ ଟାଣିଧରିବାଟାକୁ ହିଁ ଆମେ ପ୍ରଗତିତର ପରିଚୟ ବୋଲି ମାନି ନେଲୁଣି । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସାଂସ୍କୃତିକ ମାନ ନିରୂପଣ କରି ବସିଲେ ଆମେ ଏକଥା ଅଧିକ ସ୍ପଷ୍ଟ ଭାବରେ ବୁଝି ପାରିବା ।

 

ପ୍ରଥମେ ରାଜନୀତି-କ୍ଷେତ୍ର ଉପରେ ହିଁ ଆଖି ପଡ଼ିଯାଉଚି । ଗତ ସାଧାରଣ ନିର୍ବାଚନଠାରୁ ଅର୍ଥାତ୍ ଗତ ଏକବର୍ଷ ହେଲା ଓଡ଼ିଶାର ରାଜନୀତିରେ ଗୋଟାଏ ବିଚିତ୍ର ଅସାଂସ୍କୃତିକ ସୁଆଙ୍ଗ ଆରମ୍ଭ ହେଲାପରି ଲାଗୁଚି । ଦେଶର ନିରକ୍ଷରତା ଓ ସଂଖ୍ୟାଗରିଷ୍ଟ ଅଧିବାସୀଙ୍କର ରାଜନୀତିକ ଉଦାସୀନତା ଏ ସୁଆଙ୍ଗକୁ ବେଶ୍ ଜମେଇ କରି ରଖିଚି । ଆଗକାଳରେ ରାଜା ଥିଲେ , ଭଲ ହେଉ କି ମନ୍ଦ ହେଉ ସେମାନଙ୍କର ଗୋଟାଏ ନୀତି ଥିଲା, ସେମାନଙ୍କୁ ବୁଝି ହେଉଥିଲା । ଏ ରାଜନୀତି -ଯୁଗରେ ଯୋଉମାନେ ରାଜା ହେବାର ଯୁଦ୍ଧରେ ସାମିଲ୍ ହୋଇଚନ୍ତି, ସେମାଙ୍କର ନୀତି ହୁଏତ ସେମାନଙ୍କୁ ମଧ୍ୟ ସ୍ପଷ୍ଟ ହେଉନଥିବ । ସ୍ଵାଧିନତା ପରେ ଆମେ ଗଣତନ୍ତ୍ରକୁ ଭୋଗ କରିବାର ସୁଯୋଗ ପାଇଲୁ । ପୃଥିବୀରେ ଗଣତନ୍ତ୍ର ପଛରେ ଦୀର୍ଘ ହଜାର ବରଷର ଇତିହାସ ରହିଛି । ଇଂଲଣ୍ଡ, ଫ୍ରାନ୍ସ ବା ଆମେରିକାରୁ ପରିପ୍ରେରିତ ହୋଇ ସେ ଗଣତନ୍ତ୍ର ଓଡ଼ିଶୀ ରୂପ ଧାରଣ କାଳବେଳକୁ ତାକୁ ଯେ ଠିକ୍ କୋଉ ତନ୍ତ୍ର କୁହାଯାଇ ପରିବ, ତାହା ଠିକଣା କରି କହିହେବ ନାହିଁ । କେତେଦିନ ପୂର୍ବେ ଇଂରାଜୀ ଉପନ୍ୟାସକାର ହଜସଲେ ‘ମାଙ୍କଡ଼ ଓ ସତ୍ୟସାର’ (Ape and essence) ବୋଲି ଖଣ୍ଡେ ଉପନ୍ୟାସ ଲେଖିଥିଲେ । ଆମେ ବୋଧହୁଏ ଗଣତନ୍ତ୍ରର ସତ୍ୟସାରକୁ ମାଙ୍କଡ଼ ପରି ବ୍ୟବହାର କରିବାର ଅପପରୀକ୍ଷା ଏଠି ଆରମ୍ଭ କରି ଦେଇଚୁ । ବିଶେଷ କରି ଗତ ଦୁଇମାସ ଭିତରେ ଓଡ଼ିଶାର ରାଜନୀତିରେ ଯେଉଁ ବାନରଲୀଳା ଚାଲିଲା, ଖବରକାଗଜରେ ଯେଉଁ ଅଦଭୂତ ଭାଷା ଓ ଅଦଭୂତ ବିଭୂଷଣରେ ସେହି ଲୀଳାର ପରିବେଷଣ ହେଲା, ତାହାଦ୍ଵାରା ଓଡ଼ିଶାରେ ଆଉ ଯାହା ହୋଇଥାଉ କି ନ ହୋଇଥାଉ ପଛକେ, ଅନେକ ସାମାଜିକ ଓ ଅରାଜନୀତିକ ଲୋକଙ୍କ ମନରେ ମଧ୍ୟ ତାହା ଯେ ଆଚରିତ ଗଣତନ୍ତ୍ର ବିଷୟରେ ଅତି ଖରାପ ଧାରଣା ହୋଇଗଲା, ଏହା ଆମକୁ ସ୍ଵୀକାର କରିବାକୁ ହେବ । ଏହିସବୁ କଥା ଘଟୁଥିବା ବେଳେ ଜଣେ ଶିକ୍ଷକ ହିସାବରେ ମୁଁ ଏ ଦେଶରେ ପିଲାମାନଙ୍କ କଥା ଭାବୁଥିଲି । ସେମାନେ ସୁସ୍ଥ ନାଗରିକ ହେବେ ବୋଲି ନୂଆ ପାଠ୍ୟକ୍ରମ ଅନୁସାରେ ଆମେ ସେମାନଙ୍କୁ ଏବେ ନୂଆ ନୂଆ ପାଠ ପଢ଼ାଉଚୁ, ସେମାନଙ୍କ ତୁଣ୍ଡରେ ନୂଆ ନୂଆ ବହି ମୁଖସ୍ଥ କରାଇ ରଖିଚୁ । କିନ୍ତୁ ଏ ଦେଶର ପିଲା ଆମର ଖବରକାଗଜ ପଢ଼ୁଥିବେ, ପ୍ରତ୍ୟକ ଦିନ ସେମାନେ ଦୁଇପାଖର ଚଡାଉତୁରା ବେଶ୍ ଶୁଣିଥିବେ । ସମାଜରେ ଯୋଉମାନେ ମଣିଷ ଚରାଉଛନ୍ତି, ସେମାନଙ୍କୁ ଏପରି ବିଚିତ୍ର ଅଭିନୟର ଅବତାରରେ ଦେଖି ସେମାନେ ଯେ କେତେଦୂର ସୁସ୍ଥ ଓ ସାଧୁ ହେବାର ପ୍ରେରଣା ପାଉଥିବେ, ତାହା ଚିନ୍ତା କରିବା ବିଷୟ । ଏଠି କୌଣସି ଗୋଟାଏ ପକ୍ଷକୁ ନିନ୍ଦା ଅଜାଡ଼ି ଦେବାର ପ୍ରଶ୍ନ ଉଠୁନାହିଁ । ସେମାନେ ଅବଶ୍ୟ ପ୍ରତ୍ୟେକେ ଅପର ଉପରେ ସବୁ ଅପକୃତ୍ୟର ଅପବାଦ ଅଜାଡ଼ି ଦେଉଛନ୍ତି; କିନ୍ତୁ ଯିଏ ବାହାରେ ଥାଇ ସେମାନଙ୍କର ନାଟ ଦେଖିଥିବ, ସେ ଅବଶ୍ୟ କହିବ ଯେ ଦୁଇ ପକ୍ଷଯାକ ମର୍ଯ୍ୟାଦା ଅତିକ୍ରମ କରିଗଲେଣି । ଦୁଇପକ୍ଷଯାକ ଗଣତନ୍ତ୍ର ବା ଲୋକାଚାରକୁ ପୋଡ଼ି ଖାଇ ସାରିଲେଣି । ଆମେ ସମସ୍ତେ ଯେଉଁ ହୀନ ଅସାଂସ୍କୃତିକ ସ୍ତରରେ ଆସି ପହଞ୍ଚିଲୁଣି, ସେମାନେ ତାହାରି ଏପିକର କେବଳ ଗୋଟାଏ ବିଶିଷ୍ଟ କ୍ଷେତ୍ରର ଅଭିନୟରେ ପାତ୍ରପାତ୍ରୀ ହୋଇ ବାହାରିଛନ୍ତି । ସେମାନଙ୍କର ଦର୍ପଣରେ ଆମ ନିଜକୁ ଦେଖିବାକୁ ପଡ଼ିବ ଓ ଆମ ସମଗ୍ର ସାଂସ୍କୃତିକ ଦଶାର ଦର୍ପଣ ଉପରେ ସେମାନେ ଭିଆଉଥିବା ସୁଆଙ୍ଗକୁ ଦେଖିବାକୁ ପଡ଼ିବ ।

 

ତା’ ପରେ ସାହିତ୍ୟ ଓ ଶିକ୍ଷା । ଅତି ପରିଚାପର ସହିତ କହିବାକୁ ପଡ଼ିବ ଯେ ଓଡ଼ିଶାରେ ଆଜି ସାହିତ୍ୟିକ ନାହାନ୍ତି । ହୁଏତ କେବଳ ସଫଳ ସାହିତ୍ୟ- ବ୍ୟବସାୟୀ ବା ସଫଳ ସାହିତ୍ୟଲେଖକ ହିଁ ଅଛନ୍ତି । ସାହିତ୍ୟ ଯେ ଜୀବନରେ ଶକ୍ତି ଦେଇପାରେ, ଜାତୀୟ ଜୀବନକୁ ସୁନ୍ଦର କରି ଗଢ଼ିବାରେ ସହାୟତା କରିପାରେ, ସେପରି ଅନୁଭବ କରିବାର ଯଥେଷ୍ଟ କ୍ଷେତ୍ର ହିଁ ଓଡ଼ିଶାରେ ନାହିଁ । ସାହିତ୍ୟକୁ ଆଜି କାଙ୍ଗାଳ ମନର ଦୁର୍ଦ୍ଦଶା ଗ୍ରାସ କରିଚି । ସାହିତ୍ୟ ଲେଖୁଥିବାବେଳେ ମଧ୍ୟ ସାହିତ୍ୟିକ ଅନ୍ୟମାନଙ୍କ ତୁଳନାରେ ଆପଣାକୁ ଦୀନହୀନ କାଙ୍ଗାଳ ବୋଲି ମନେ କରୁଚି । ତୁଚ୍ଛା ସାହିତ୍ୟିକ ହୋଇ ଆପଣାର ପରିଚୟ ଦେବାର ସାହସ ହିଁ ତା’ ର ନାହିଁ । ପେଟ କାଳେ ନ ପୁରିବ, ଏହିପରି ଏକ ପୋଷାକୀ ଭୟରେ, ପେଟ ପୁରୁଥିଲେ ମଧ୍ୟ ସେ ଆଗ ପେଟର ଚିନ୍ତା କରୁଚି, ତା’ ପରେ ସରସ୍ଵତୀଙ୍କର ଚିନ୍ତା କରୁଚି । ତେଣୁ ସେ ଆପଣା ଶକ୍ତିକୁ ଆପେ ଅନୁଭବ କରି ପାରୁନାହିଁ । ଅନ୍ୟକୁ ସେ କି ଶକ୍ତି ଦେବ? ସମୟ ଯାହା ଚାଲୁଚି,ସେହି ଅନୁସାରେ ସମୟର ସ୍ଵୀକୃତି ଓ ପୁରଷ୍କୃତି ପାଇବା ଲାଗି ସେ ପରିତପ୍ତ ହୋଇ ଧାଇଁଚି । ତେଣୁ କୌଣସି ନୂତନ ସୃଷ୍ଟି ବା ଦୃଷ୍ଟି ତା’ ର ଲେଖନୀରେ ସମ୍ଭବ ହୋଇ ପାରୁନାହିଁ । ସପ୍ଲାଇ ବିଭାଗର ନ୍ୟାୟରେ ଆଜି ସାହିତ୍ୟିକ ଆପଣାର ବ୍ୟବସାୟକୁ ବିଚାର କରିବା ଆରମ୍ଭ କରିଦେଲାଣି । ଓଡ଼ିଆ ଭାଷା ବି ଏଣେ ମରି ମରି ଯାଉଚି । ତାର କଳେବର ବୃଦ୍ଧି ପାଇବା ତ ଦୂରର କଥା,ସାଧାରଣ ଓଡ଼ିଆ କଥୋପକଥନରେ ମଧ୍ୟ ଓଡ଼ିଆ ଶଦ୍ଧର ଅନୁପାତ କ୍ରମେ କମି କମି ଯାଉଚି । ଓଡ଼ିଆ ପାଠଙ୍କର ସଭାରେ ଓଡ଼ିଆ ସାହିତ୍ୟିକ ଇଂରାଜୀରେ ତା’ର ବକ୍ତୃତା ବଖାଣିବାକୁ ଏଠି ଲଜ୍ଜା ବୋଧ କରୁନାହିଁ-। ହୁଏତ ସେ ନିଜେ ମଧ୍ୟ ଓଡ଼ିଆ ଭାଷାକୁ ଭଲ ପାଉନାହିଁ, ହୁଏତ ପ୍ରଧାନତଃ ଖାତିରି ଓ କୃତ୍ରିମ କରମତିର ଦରବାରରେ ତା’ର ଇପସିତ ସମ୍ମାନ ପାଇବାର ଲାଳସାରେ ଆଜି ଓଡ଼ିଆ ଭାଷା ସବୁଠାରୁ ଅଧିକ ଆଦର ଓ ଅଧିକାର ପାଉଥାନ୍ତା, ସେଠାରୁ ଯେପରି ତାହା ସବୁଠାରୁ ଅଧିକ ବିତାଡ଼ିତ ହୋଇ ରହିଚି । ଓଡ଼ିଆର କୋର୍ଟକଚେରୀରେ ଓଡ଼ିଆ ନାହିଁ । ତା’ ଭୂଇଁର କୌଣସି ଊଚ୍ଛ ଆନୁଷ୍ଟାନିକ କାରବାରରେ ଓଡ଼ିଆ ନାହିଁ । ତଥାପି ଆମେ ସମସ୍ତେ ସଂସ୍କୃତି ନାମରେ ନାନା ସଂସ୍କାର ଦାରୁଣ ଦୁର୍ବହ ବୋଝଗୁଡ଼ାକ ମୁଣ୍ଡରେ ଲଦି ଓଡ଼ିଶାକୁ ଆଗେଇ ନେବାକୁ ବାହାରିଚୁ । କବିବର ରାଧାନାଥ ଦରବାରୀ ଜୀବନର ଏକ ଚମତ୍କାର ସମାଲୋଚନା ସେ ଯୁଗରେ କରିଥିଲେ । ସେତେବେଳେ ସେବାକାର ଦରବାରରେ ସାହିତ୍ୟିକ ନଥିଲା, ସେ ପ୍ରହସନର ବାହାରେ ଥିଲା । ବର୍ତ୍ତମାନ ସମାଜ ଓ ସଂସ୍କୃତିକୁ ନେଇ ଯୋଉ ଦରବାର ଦେଶରେ ବସିଚି, ଲାଳସା ଓ ବଚସାର ମିଟର୍ ଦେଇ ମାପିଲେ ସେଠି ସାହିତ୍ୟିକ ଯେ ଅନ୍ୟମାନଙ୍କଠାରୁ କୌଣସି ପ୍ରକାରେ ପଛରେ ପଡ଼ିଯିବେ ନାହିଁ, ଏହା ସେମାନେ ନିଜେ ମଧ୍ୟ ନିଶ୍ଚିତ ଭାବରେ ଅନୁଭବ କରୁଥିବେ ।

 

ଶିକ୍ଷା ତ ଆମ ଜାତୀୟ ଯୋଜନା ଭିତରେ ରହିଚି । ତେଣୁ ତା’ର ବରାଦ ଅନେକ ଶୂନ୍ୟସମ୍ବଳିତ ସଂଖ୍ୟାର ଅନୁକ୍ରମରେ ଚାଲିଚି । ପଠଶାଳା ବାଢ଼ୁଚି, ପାଠ କମୁଚି; ବିଧାନ ବଢ଼ୁଚି, ବିଦ୍ୟା କାମୁଚି । ସ୍ଵାଧୀନତା ପୂର୍ବରୁ ଯେଉଁ କର୍ମଚାରୀ-ମନ ଏ ଦେଶର ସମସ୍ତ ସତପ୍ରେରଣା ଦବାଇ ଦଣ୍ଡ ଦେଇ ରଖୁଥିଲା, ଏ ଦେଶର ମଣିଷ ଏ ଦେଶକୁ ଆପେ ଗଢ଼ିବ ବୋଲି ଯେଉଁ ମନ କଳ୍ପନା କରିପାରି ନଥିଲା, ସେହି ମନ ହିଁ ବର୍ତ୍ତମାନ ଆମ ଶିକ୍ଷା-ଭଣ୍ଡାରର ଭଣ୍ଡାରୀ ହୋଇ ରହିଚି । ଜାତୀୟ ଶିକ୍ଷା-ଯୋଜନାର ସମସ୍ତ୍ତ ନବୀନତାକୁ ସିଏ ଆପଣାର କ୍ଷମତାପ୍ରସୂତ ଉପଦ୍ରବ (Backwaler) ଭିତରକୁ ଟାଣିଆଣି ଗତିହୀନ ଓ ନିଷ୍ପ୍ରଭ କରି ଦେଉଚି । ଚାକିରିର ମୁଦ୍ରାରେ ବିଦ୍ୟାର କିଣାବିକା ଚାଲିଚି । ପାଠ ବିକିବା, ପାଠ କିଣିବା,ପାସ୍ ବା ଫେଲ୍ କରାଇଦେବା ବିଷୟରେ ଆମର ଏଠି ପଇସାର ଯେଉଁ ବ୍ୟବସାୟ ଚାଲିଚି, ଓଡ଼ିଶାରେ ଯେକୌଣସି ଶିକ୍ଷାଳୟକୁ ଭୂମି କରି ଏକ ଚମତ୍କାର ଉପନ୍ୟାସ ଲେଖାଯାଇ ପାରନ୍ତା । ଯୋଉମାନେ ପୁଣି ବିଦେଶକୁ ଉଚ୍ଚଶିକ୍ଷା ପାଇ ଆସି ଏ ଦେଶରେ ପାରିଷଦ ହୋଇ ବସୁଛନ୍ତି, ସେମାନେ ଏ ଉପଦ୍ରବ (Backwater) ଭିତରେ ବ୍ରାହ୍ମଣୀ ବେଙ୍ଗ ପରି ବେଶୀ ଫୁଲୁଛନ୍ତି, ବେଶୀ ରଡ଼ି କରୁଛନ୍ତି । ବିଦେଶର ସାମାଜିକ ଓ ସୁରକ୍ଷିତ ବାତାବରଣରେ ବର୍ଷ ବର୍ଷ ରହିବା ପରେ ମଧ୍ୟ ଏ ଦେଶକୁ ଆସି ସେମାନେ ସବୁଠାରୁ ଅସାମାଜିକ ଓ ଅଶିକ୍ଷିତ ବୃତ୍ତି ଅବଲବନ କରୁଛନ୍ତି । ଚାରିଆଡ଼ୁ କଙ୍ଗାଳ ହୋଇ ବସିଥିବା ଏ ଦେଶାବସୀଙ୍କ ଆଖିରେ ଏହି ଉତଫୁଲ୍ଲ କାଙ୍ଗାଳମାନେ ଯେ ଆଦର୍ଶ ଓ ମହାଜନ ହୋଇ ରହିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?

 

ଏସବୁ ଦୁର୍ଗତିକୁ ଗୋଳିଆ ପାଣିର ମୁଣ୍ଡ ଦେଇ ସୁହାଇ ରଖୁଚି ଆମର ଆର୍ଥିକ ଦାରିଦ୍ର୍ୟ-। ଅଧମରୁ ଅଧମତର ଦାରିଦ୍ର୍ୟ ଭିତରେ ଯେ ତଥାପି ମଣିଷ ଜୀଇପାରେ, ତଥାପି ଯେ ମଣିଷ ସହିଯାଇପାରେ, ତା’ର ଅନେକ ନମୁନା ଓଡ଼ିଶାରେ ଆଖି ବୁଲାଇ ଦେବା ମାତ୍ରକେ ଦେଖିବାକୁ ମିଳିବ । ସ୍ଵାଧୀନତାର ଦଶବର୍ଷ ପରେ ମଧ୍ୟ ଏ ଦେଶର ମଣିଷ ଘୁଷୁରିଠାରୁ ଅଧିକ ଅନାଦରରେ ବଢ଼ୁଚି । ଏ ଦେଶର ଅଜ୍ଞାନ ବାଳକ ଭିକ ମାଗୁଚି, କୁଲି ହେଉଚି ବା ଜୋତା ସଫା କରୁଚି । ଏ ଦେଶର ନାରୀ ସବୁଦିନ ସକାଳେ କାଖରେ ଟୋକେଇ ଧରି ସଭ୍ୟ ଓ ଶିକ୍ଷିତ ମଣିଷର ପୂରୀଷ ବୋହୁଚି । ତଥାପି ଯିଏ ଉପରେ ଅଛି, ତା’ର ଆବଶ୍ୟକତା ଓ ଆଡ଼ମ୍ବର ବଢ଼ି ବଢ଼ି ଚାଲିଚି-। ପଇସା ଖରଚ କରିବାର ଫନ୍ଦା ମେଲାଇ ଦେଇ ତା’ ଘରେ ନାନା କୃତ୍ରିମ ଅବସରମାନ ସୃଷ୍ଟି କରାଯାଉଚି । ଏହି ହେଉଚି ଆମ ଦେଶର ଯୋଜନା, ଯାହାକୁ ଜାତୀୟ ଯୋଜନା ବୋଲି କୁହାଯାଉଚି, ଯୋଉଠି ଦଳେ ସବୁବେଳେ ଲଜ୍ଜା ଛାଡ଼ି ମୂଲ ଖଟୁଚନ୍ତି, ଆଉ ଦଳେ ସବୁବେଳେ ଲଜ୍ଜା ବରାଦ କରୁଚନ୍ତି ଓ ଭୋଗ କରୁଚନ୍ତି । ସଂସାରରେ ଆଜି ସବୁଠାରୁ ବଡ଼ ଯୁଦ୍ଧ ହେଉଚି ଏଇ ଦାରିଦ୍ର୍ୟ ବୀରୁଦ୍ଧରେ ଯୁଦ୍ଧ । ଦାରିଦ୍ର୍ୟକୁ ନେଇ ଭାବପ୍ରବଣ ସାହିତ୍ୟ ରଚନା କରିବାର ଯୁଗ ଗତ ହୋଇଗଲାଣି । ତଥାପି ଏ ଦେଶରେ ସେହି ପୁରୁଣା Sadismର ଶୋଭାଯାତ୍ରା ସବୁଠି ଚାଲିଚି। ଆଗେ ରାଜା କୋଉଠିକି ବାହାରିଲେ ପ୍ରଜାମାନେ ମଧ୍ୟ ଆଗେ ଆଗେ ବେଠି ଖଟି ଚାଲୁଥିଲେ । ଜଙ୍ଗଲ କାଟି ରାସ୍ତା କରୁଥିଲେ, ଶିକାରପାଇଁ ଭାଡ଼ି ବସାଉଥିଲେ, ଖେଦା ଲାଗି ଖାତ ଖୋଲୁଥିଲେ-। ବର୍ତ୍ତମାନ ଆମ ସମାଜରେ ଶିକ୍ଷା, ସଂସ୍କୃତି,ଶାସନ ଓ ଯୋଜନାର ରାଜାମାନେ ଯୁଆଡ଼େ ଯାଉଚନ୍ତି, ସେମାନଙ୍କ ଆଗରେ ସବୁଠି ଗୋଟାଏ ଗୋଟାଏ ମ୍ଳେଚ୍ଛ ଶୋଭାଯାତ୍ରା ବାହାରୁଚି । ଦଳେ ଆମରି ବୋଲ ମାନି ଘୁଷୁରି ବା ଗଧ ହେଲେ ଯାଇ ଆମେ ମଣିଷ ହେବାର ଆଡ଼ଡ଼ା ଜମାଇ ପାରୁଚୁ । ଦଳେ ସବୁ ଲାଜ ଛାଡ଼ି ଖଟିଲେ ଆମେ ଲାଜ ରଖିବାର ଦମ୍ଭ କରି ପାରୁଚୁ। ଏ ଦେଶର ଆର୍ଥିକ ଅବସ୍ଥା ଯୁଗଯୁଗ ଧରି ଆମକୁ ଏ ପରି କରି ଦେଇଚି ଯେ ଆମେ ମଣିଷକୁ ଆଉ ମଣିଷ ପରି ଦେଖି ପାରୁନାହୁଁ । ଆମର ଭାଗୀଦାର ପରି ଦେଖି ପାରୁନାହୁଁ । କେବଳ ବ୍ୟବହାରଯୋଗ୍ୟ ସାମଗ୍ରୀ ପରି ଦେଖୁଚୁ । ଯାହାର ଯେତେ ବେଶୀ ପାଠ, ସେ ସେତେ ବେଶୀ ମଣିଷଙ୍କୁ ସେତେ ବେଶୀ ସନ୍ତର୍ପଣରେ ସାମଗ୍ରୀ ପରି ଖଟାଇବାର କୌଶଳ ହାସଲ କରିଚି-। ଯିଏ ଭିତରେ ଆପଣାର ସବୁ ସମ୍ମାନ ଓ ସ୍ଵତନ୍ତ୍ରତା ହରାଇ ବସେ, ସେଇ ଅପରକୁ କେବଳ ସାମଗ୍ରୀ ପରି ଦେଖେ । ମଣିଷକୁ ସମଗ୍ରୀ ପରି ବ୍ୟବହାର କରିବାର ଯୋଜନା କେବଳ ବିନାଶର ଯୋଜନା-। ଆମେ ସମସ୍ତେ ସେହି ବିନାଶର ଫାନ୍ଦରେ ପଡ଼ିଚୁ । ସେଇଥିଲାଗି ଏ ଦେଶର ଆର୍ଥିକ ଦରିଦ୍ର୍ୟକୁ ବିନୁ ଦିନ ହତଶ୍ରୀ କରି ପକାଉଚି; କମାଇବା ଓ ଜମାଇବାର ଗୋଟାଏ ମିଛ ପ୍ରବୋଧ ଦେଇ ଧନୀକୁ ଦିନୁ ଦିନ ଫମ୍ପା କରି ଚାଲିଚି ।

 

ଏ ଅବସ୍ଥାକୁ ବଦଳାଇବାକୁ ପଡ଼ିବ । ନହେଲେ ହୁଏତ ନିସ୍ତାର ନାହିଁ । ସ୍ଵାଧୀନତାର ଦଶବର୍ଷ ପରେ ସତେଅବା ଆମେ ମନମଧ୍ୟରେ ଶହେ ବର୍ଷ ପଛକୁ ଫେରି ଯାଇଥିବା ପରି ମନେ ହେଉଚି । ଏ ଦୁର୍ଦ୍ଦଶାକୁ ଦୂର କରିବାକୁ ହେଲେ ଆଗ ଓଡ଼ିଶାରେ ତାରୁଣ୍ୟ ଦରକାର । ଆମ ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ରାଜନୀତି ଭିତରେ ତାରୁଣ୍ୟ ସୃଷ୍ଟି କରିବାକୁ ହେବ । ନୂଆ ସୃଷ୍ଟି କରିବାକୁ ହେଲେ ଆମକୁ ତରୁଣ ହେବାକୁ ପଡ଼ିବ । ବର୍ତ୍ତମାନ ଯାହା ଅଛି, ତାକୁ ଆମେ ସହିନେବା ନାହିଁ । ଏ ଅଶିକ୍ଷାକୁ ସହିନେବା ନାହିଁ କି ମଣିଷକୁ ଉଦ୍ୟମହୀନ କରି ରଖିଥିବା ଦାରିଦ୍ର୍ୟକୁ ସହିନେବା ନାହିଁ । ସାହିତ୍ୟ ବା ସଂସ୍କୃତି ନାମରେ ବୃଦ୍ଧ ମନର କୌଣସି ନେତୃତ୍ଵ ଆମେ ସହିନେବା ନାହିଁ । ପୁରୁଣାକୁ ବଞ୍ଚାଇ ରହିବାକୁ ଯେତେ ପ୍ରକାର ପିତୁଳା ଗଢ଼ା ହୋଇ ଆମକୁ ଶୀତଳ ସୁନାପୁଅ କରି ରଖିବାର ଆୟୋଜନ ଏଠି କରାଯାଉଚି, ସେ ସମସ୍ତ ପିତୁଳାକୁ ଭାଙ୍ଗିବାକୁ ପଡ଼ିବ । ସାହିତ୍ୟ ଜରିଆରେ ,ଶିକ୍ଷା ଓ ରାଜନୀତି ଜରିଆରେ ଏହି ପିତୁଳା ଭାଙ୍ଗିବାକୁ ପଡ଼ିବ । ଓଡ଼ିଶାରେ ବର୍ତ୍ତମାନ ବୃଦ୍ଧ ମନ ହିଁ ଅଢ଼ା ଧରି ବସିଚି । ନାନା ନାନା ପ୍ରକାର ପୁରୁଣା ମଜି ରହିବାର ଭେଳିକି ଲଗାଇ ଦେଇ ସେ ଚାରିଆଡ଼େ ଗୋଟାଏ ସାଆନ୍ତିଆ ଦରବାର ଖୋଲି ବସିଚି । ଏହି ମଜାଇ ରହିବା ପାଇଁ ବକୃତା, ନାଚ ଓ ତମସା ସବୁ ଚାଲିଚି । ସୃଷ୍ଟି କରିବାର ସବୁ ପ୍ରେରଣା ଗୋଟି ଗୋଟି ହୋଇ ନଷ୍ଟ ହୋଇଯାଉଚି । ସୃଷ୍ଟି କରିବାର ଆବଶ୍ୟକତା ହିଁ ଆମେ ଅନୁଭବ କରିପାରୁନାହୁଁ । ମଜି ଯାଇ ଆମେ ସାହିତ୍ୟ, ସଂସ୍କୃତି ଓ ଦେଶସେବା ନାଆଁରେ ଯେକୌଣସି ଘୃଣାକୁ ମଧ୍ୟ ଗ୍ରହଣକରି ନେଇଚୁ-। ଆମେ ପ୍ରତ୍ୟେକେ ,ଗୋଟିଏ ଗୋଟିଏ ପକ୍ଷ ଧରି ଯୁଦ୍ଧ ଆରମ୍ଭ କରି ଦେଉଚୁ । ଏହି ପକ୍ଷାଗ୍ରହ (partisan spirt) ଆମର ସବୁ ଜୀବନୀଶକ୍ତିକୁ ଖାଇ ସାରିଲାଣି । ସାହିତ୍ୟ, ଶିକ୍ଷା, ରାଜନୀତି ସବୁ କ୍ଷେତ୍ରରେ ଏଇ ପକ୍ଷାଗ୍ରହର ଦୂରାଗ୍ରହ ଆମକୁ ବଡ଼ ନିଃସ୍ଵ, ତେଣୁ ବଡ଼ ନୃଶଂସ କରି ପକାଇଲାଣି । Partisan କୌଣସି ସୃଷ୍ଟି କରିପାରେ ନାହିଁ । ମଣିଷ ହିଁ ସୃଷ୍ଟି କରେ । ମଣିଷ ହିଁ ନୂଆର ଆବଶ୍ୟକତା ଅନୁଭବ କରିପାରେ । ଆପଣା ଆପଣା କ୍ଷେତ୍ରରେ ଆମେ ଗୋଟିଏ ଗୋଟିଏ ଉଦଣ୍ଡ Partisan ହୋଇ ବସିଚୁ । ସେଥିପାଇଁ ପରସ୍ପର ପାଖରୁ ଆମେ ଅତି ବିଚ୍ଛିନ୍ନ ହୋଇ ରହିଚୁ । କେବଳ କେହି ଆମକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲାବେଳେ ହାଠାତ୍ ଆମେ ଆମର କ୍ଷତି ହୋଇଗଲା ବୋଲି କହୁଚୁ । ତା’ର ଅଭାବରେ ଆନୁଷ୍ଠାନିକ ଭାବରେ ଟିକିଏ ବାହୁନି ପକାଉଚୁ ।

 

ଆମର ପକ୍ଷାଗ୍ରହ ଦୂର କରିବା ପାଇଁ ଆମେ ପରସ୍ପର ସହିତ ମିଳିବାର ଅଧିକ ଅବସର ଓଡ଼ିଶାରେ ରହିବା ଦରକାର । ଓଡ଼ିଶାରେ ଏପରି ନାନା ସ୍ଥାନ ଓ ଅନୁଷ୍ଠାନ ରହନ୍ତା, ଯୋଉଠି ଆମ ଭିତରେ ମୁକ୍ତ ବିଚାର-ବିନିମୟ ହୋଇ ପାରନ୍ତା, ସହିଷ୍ଣୁ ଆଦାନ ପ୍ରଦାନ ହୋଇ ପାରନ୍ତା । ପରସ୍ପର ପାଖରେ ବସି ଆପଣ କଥା ସ୍ଥିର ହୋଇ କହିବାକୁ ଓ ଆଉ ପାଞ୍ଚ ଜଣଙ୍କର କଥାକୁ ସ୍ଥିର ହୋଇ ଶୁଣିବାକୁ ଆମକୁ ଭୟ ଲଗାନ୍ତ ନାହିଁ । କ୍ଷୁଦ୍ର ଅସହିଷ୍ଣୁତାର ତରବାରୀ ଚଳାଇ ଆମେ ପରସ୍ପରକୁ କ୍ଷୁନ୍ନ କରି ଦିଅନ୍ତେ ନାହିଁ । ମହାଆଡ଼ମ୍ବରର ମୋହବାଣ ମାରି କେହି ପୁରୁଣାକୁ ଜାରି କରି ରଖିବାର ଉତ୍ସାହ ଦେଖାନ୍ତେ ନାହିଁ । ଆମେ ପରସ୍ପରକୁ ସ୍ଵୀକାର କରନ୍ତେ, ପରସ୍ପରର ମହିମା ବଢ଼ାନ୍ତେ ଓ ସୃଷ୍ଟିର ସମ୍ଭାବନା ବଢ଼ାନ୍ତେ । ତେବେ ଯାଇ ଓଡ଼ିଶାରେ କିଛି ସ୍ଥାୟୀ ସୃଷ୍ଟି ଲାଗି ଆସ୍ଥାନ ତିଆରି ହୋଇ ପାରନ୍ତା ।

 

ବର୍ତ୍ତମାନ ସ୍ଥିତି ଯାହାକୁ ଏକ ସଙ୍କଟ ବା ମୃତ୍ୟୁପରି ମନେ ହେଉଥିବ, କେବଳ ସେଇ ଓଡ଼ିଶା ଲାଗି କିଛି କରିପାରିବ । ସାଧାରଣ କ୍ଷେତ୍ରକୁ ଯିଏ କେବଳ ଆପଣା କ୍ଷମତା ଚଳାଇବାର ଜମିଦାରୀ ବୋଲି ଭାବୁଥିବ, ଆପଣା ବ୍ୟତୀତ ଆଉ ସମସ୍ତଙ୍କୁ ଯିଏ କେବଳ ଅଧସ୍ତନ ଓ ଅର୍ବାଚୀନ ବୋଲି ଭାବୁଥିବ, ସେ ଏଠି ବେଶ୍ ଖଣ୍ଡଯୁଦ୍ଧ ଲଗାଇ ଦେଇ ପାରିବ, କିନ୍ତୁ ତା’ ଦ୍ଵାରା ଆମର ଦୁର୍ଦ୍ଦଶା ଘୁଞ୍ଚିବ ନାହିଁ । କେବଳ ତରୁଣ ହିଁ ଦୁର୍ଦ୍ଦଶା ଘୁଞ୍ଚାଇ ପାରିବ । ସାହିତ୍ୟ, ସଂସ୍କୃତି, ଶିକ୍ଷା, ରାଜନୀତି ପ୍ରଭୃତି ଦେଶ ନିର୍ମାଣର ଯାବତୀୟ କ୍ଷେତ୍ରରେ ଏହି ତରୁଣ ଯେତିକି ଆସି ଜୁଟିବ, ସେତିକି ସେ ନିର୍ଭୟ ଓ ସରସ ହୋଇ ଚିନ୍ତା କରିପାରିବ । ସେତିକି ଆମର ଦୁର୍ଦ୍ଦଶା ଘୁଞ୍ଚିବ । ଓଡ଼ିଶାରେ ଏହି ତରୁଣ ଯୁଗକୁ ଆମେ ଯେତିକି ଶୀଘ୍ର ସମ୍ଭବ କରିପାରିବା, ଏ ଦେଶର ସ୍ଵର୍ଗତ ଗୁରୁଜନମାନଙ୍କର ସେତିକି ଯଥାର୍ଥ ଶ୍ରାଦ୍ଧ ଆମେ ପାଇପାରିବା ।

 

(‘ଡଗର’ର ଏକବିଂଶ ବର୍ଷ ଦ୍ଵାଦଶ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।)

Image

 

ରାତି କେତେ ହେଲା ?

 

ଆଜି ଓଡ଼ିଶାରେ ରାତି ହୋଇଚି । ରାତିର ଅନ୍ଧାର ଭିତରେ ଆମର କୀଟଜୀବନ କ୍ରମେ ନିକୃଷ୍ଟରୁ ନିକୃଷ୍ଟତର ହୋଇ ଚାଲିଚି । ବଡ଼ କୀଟମାନେ ସାନା କୀଟମାନଙ୍କୁ ଖାଇ ଯାଉଛନ୍ତି, ସାନ କୀଟମାନେ ବଡ଼ କୀଟ ହୋଇ ଜନ୍ମ ହେଲେ ନାହିଁ ବୋଲି ଭାଗ୍ୟକୁ ଓ କାଳକୁ ନିନ୍ଦା କରୁ କରୁ କର୍ମ ଆଦରି ବଡ଼ କୀଟମାନଙ୍କର ମୁହଁ ଭିତରରକୁ ଆପଣାର ମୁଣ୍ଡଟି ଦେଖାଇ ଦେଉଚନ୍ତି । କିନ୍ତୁ ବଡ଼ ହୁଅନ୍ତୁ କି ସାନ ହୁଅନ୍ତୁ, ସମସ୍ତେ ସେହି ଏକ କୀଟଦେଶରେ ପଡ଼ି ରହିଚନ୍ତି । ଆମ ଦେଶର ସମଯରେ ଯେମିତି ବଡ଼ ଲୋକଙ୍କଠାରୁ ଅତି ଅକିଞ୍ଚନ ଲୋକପର୍ଯ୍ୟନ୍ତ ନାନପ୍ରକାର ସୋପାନ ରହିଚି, ଆମ ସରକାର ଭିତରେ ବଡ଼ ହାକିମ ଅର୍ଥାତ୍ ଛୋଟ ଭୟାଳୁ ପର୍ଯ୍ୟନ୍ତ ଯେମିତି ଏ ସନ୍ତକକୁ ପକକା କରାଯାଇଚି, କୀଟ ଜଗତରେ ମଧ୍ୟ ସେହିପରି ଏକ ଚମତ୍କାର ଶ୍ରେଣୀଭିଭାଗ କରାଯାଇପାରେ । ତେଣୁ ଯେତେବଡ଼ କ୍ଷେତ୍ର ଏବଂ ଯେତେବଡ଼ ସ୍ଵୀକାର ଓ ସମ୍ପନ୍ନତା ସାନ୍ତ୍ଵନା ଭିତରେ ପ୍ରତିପାଳିତ ହେଲେ ମଧ୍ୟ ଆମ ସମସ୍ତଙ୍କୁ ସେହି ଏକ କୀଟଜଗତର ପ୍ରାଣୀ ବୋଲି କହିବାକୁ ହେବ ।

 

ପାଞ୍ଚଜଣଙ୍କର ମେଳରେ ବସିଥିଲାବେଳେ ଏକଥା ବିଚାର କରିବା ପାଇଁ ମଧ୍ୟ ଆମେ ସଂକୋଚ ବୋଧକରୁ । ସଂସାରରେ ଅନ୍ନୋପାର୍ଜନର ଅସ୍ତାବଲ ଭିତରେ ଆପଣା ଆପଣାର ଖୁଣ୍ଟରେ ବନ୍ଧା ହୋଇଥିବା ପର୍ଯ୍ୟନ୍ତ ଆପଣ ଆଡ଼କୁ ଅନାଇବାକୁ ମଧ୍ୟ ଆମର ବେଳ ନଥାଏ । ଚାଷୀ ତା’ର ଚାଷରେ ଲାଗିଥାଏ, ଚାକିରିଆ ତା’ର ଚାକିରିରେ ଲାଗିଥାଏ, ନିଅଣ୍ଟିଆ ତା’ର ନିଅଣ୍ଟର ଭରଣି କରିବାରେ ଲାଗିଥାଏ । ଏହି ନିୟଣ୍ଟର ଭରଣି କରାଇବାଲାଗି କିଆ ସରକାରର ଦାୟିତ୍ଵସମ୍ପନ୍ନ କର୍ମଚାରୀ ହୁଏ, ଦେଶସେବା କରିବା ବୋଲି କିଏ ବେଶ ବଦଳାଏ, କିଏ ଆଦର୍ଶର ପ୍ରଚାର କରିବ ବୋଲି ପୋଥି ଓ ବୋଲି ମୁଖସ୍ଥ କରି ବସେ। ଧନ-ନିଅଣ୍ଟକୁ ଅନେକ ସମୟରେ ମନ-ନିଅଣ୍ଟ ବଳିପଡ଼େ । ଆପଣାର ମନ ଭିତରେ ରହିଥିବା ହୀନତାକୁ ଦେହସହିବା କରି ରଖିବାଲାଗି ଆମେ ନାନାବିଧ ପ୍ରଲେପ ବୋଳି ହେବାରେ ଲାଗିଥାଉ । କିଏ କେତେ ବିକଳରେ ଟିକିଏ କ୍ଷମତା ଖୋଜିବୁଲେ, କିଏ ଗୁହାଳରେ ଆପଣ। ଖୁଣ୍ଟର ଚାରିପାଖରେ ଆହୁରି ଅନେକଙ୍କୁ ଭୟ ଦେଖାଇ, ଭୁଲାଇ, ପାଳି ପୋଷି ବାନ୍ଧି ରଖିବାକୁ ଚାହେ, କିଏ ଖବରକାଗଜ ବାହାର କରେ, ପୁଣି ନାନା ପ୍ରକାର ଆସନ ଓ ଆକସ୍ମିକତାର ସୁଯୋଗ ନେଇ କିଏ ବକ୍ତୃତା ଦେଇବୁଲେ।

 

ଏହିପରି ନାନା ବ୍ୟସ୍ତତାର ବିଳାସ ଭିତରେ ମସ୍ତ ରହିଥିବା ପର୍ଯ୍ୟନ୍ତ ଆମେ ଆପଣାଆଡ଼କୁ ଅନାଇ ପାରୁନାହିଁ । ତଟସ୍ଥ ହୋଇ ଆପଣା ଆଡ଼କୁ ଅନାଇ ଦେଖିବାର ସ୍ଥିରତା ଆମର ନଥାଏ । ତଥାପି ଆପଣା ଆପଣା ଜୀବନ-ବାହର କିଞ୍ଚିତ୍ ଉପଶାନ୍ତ ମୁହୂର୍ତ୍ତରେ ହଠାତ୍ ଭିତରୁ କାହାରି ନିର୍ଦ୍ଦେଶ ପାଇଲାପରି ଆପଣା ଉପରକୁ ସିଂହାବଲୋକନ କରି ଦେଖିଲାବେଳେ ଆମ୍ଭମାନେ ଆପଣା ପାଖରେ ଧରା ପଡ଼ିଯାଉ । ଅନ୍ତତଃ କେତେଟା ମୁହୂର୍ତ୍ତ ପାଇଁ ଆପଣା ଉପରେ ବଡ଼ କରୁଣା ଜାତହୁଏ । ଏ ପଦଲାଳସା, ଏ କ୍ଷମତାନାଶୀ, ସାହିତ୍ୟ ଓ ସଂସ୍କୃତି ନାମରେ ଏ ଅସାଂସ୍କୃତିକ ଆଡ଼ମ୍ବର, ସେବା ଓ ଆଦର୍ଶ ନାମରେ ଅହଂକାରର ଏ ସଂପ୍ରସାରଣ,–ଏସବୁ କେତେଦୂର ଆମକୁ ମଣିଷ ହେବାରେ ସାହାଯ୍ୟ କରୁଚି ? କେତେଦୂର ଆମର ହୃଦୟ ଖୋଲିପାରୁଚି, କେତେଦୂର ଆମର ନୀଦ ଭଙ୍ଗାଉଚି, କେତେଦୂର ଭୟବିମୁକ୍ତ ହୋଇ ଆମକୁ ମଣିଷ ସହିତ ସମ୍ମିଳିତ କରାଇ ପାରିଚି ? ଉପନିଷଦର ମୈତ୍ରେୟୀ ଯେଉଁ ସାରସଂଶୟ ପ୍ରକାଶ କରି ଯାଜ୍ଞବଳକଙ୍କୁ ପ୍ରଶ୍ନ କରିଥିଲେ, ଆପଣାକୁ ଠିକ୍ ସେହିପରି ପ୍ରଶ୍ନ ପଚାରିବାକୁ ଇଚ୍ଛା ହୁଏ । ଏ ପୂଜା ଓ ପ୍ରଶସ୍ତି, ଏ ସଭାସମିତି ଓ ରାଜନୀତିର ତାମସା, ନୂଆ ଦେଶ ଓ ନୂଆ ସମାଜ ନିର୍ମାଣ କରିବାର ଏଇ ଅନ୍ଧ-ଦଉଡ଼, ଏସବୁ ଆମକୁ କେତେଦୂର ମଣିଷ ହେବାରେ ସାହାଯ୍ୟ କରୁଚି, କେତେଦୂର ଆମର ସଂସ୍କୃତି ବଢ଼ାଉଚି, ଆମ ଭିତରେ ସ୍ନେହ, ସହିଷ୍ଣୁତା ଓ ସୌହାର୍ଦ୍ଦ୍ୟଲାଗି ସ୍ଥାନ ପ୍ରସ୍ତୁତ କରୁଚି ?

 

How goes the night, watchman ! ସେକସପିଅରଙ୍କ ଲିଖିତ ମ୍ୟାକବେଥ୍ ନାଟକରେ ଏହି ଉକ୍ତିଟି ଆଜି ଆମେ ପ୍ରତ୍ୟେକେ ପ୍ରତ୍ୟେକକୁ ପଚାରିବା ଉଚିତ । ରାତି କେତେ ହେଲା,ଅର୍ଥାତ୍ ଆଉ କେତେ ବାକୀ ଅଛି ? ଆ,ଏ ପ୍ରତ୍ୟେକେ ଏହି ଦେଶର ଭଲ, ମନ୍ଦ ଓ କିର୍ତ୍ତୀ, ଅପକିର୍ତ୍ତୀର ଦାୟଦ, ଆମେ ପ୍ରତ୍ୟେକେ ଏ ଦେଶର, ଏ ସମାଜର ଓ ଏ ମାନବିକ ଭାଗ୍ୟର watchman । ସଂସ୍କୃତିକୁ ଯିଏ ମୂଳତଃ ଏକ ଦାୟିତ୍ଵ ବୋଲି ଗ୍ରହଣ କରୁଥିବ, ସିଏ ଅବଶ୍ୟ ଆପଣାକୁ ଏହି ପ୍ରଶ୍ନଟି ପଚାରିବ ଓ ନିର୍ଭୀକ ଭାବରେ ଆପଣା ଭାବରେ ଆପଣା ପାଖରେ ଆପଣାର ଜବାବଦେହୀ ଦେବ ।

 

ବର୍ତ୍ତମାନ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ଯେଉଁ ଦଶା ହୋଇଚି, ତାକୁ ଯିଏ ଅସହ୍ୟ ବୋଲି ମନେକରୁଥିବ, କେବଳ ସେହି ଏ ରାତିକୁ ରାତିବୋଲି ସ୍ଵୀକାର କରିବ । ସାପ ଅନ୍ଧାରରେ ଭଲ ଦେଖିପାରେ, ବିଲେଇ ଓ ବାଘ ଅନ୍ଧାରରେ ହିଁ ଭଲ ଦେଖି ପାରନ୍ତି । ସେମାନଙ୍କର ଆଖି ଅନ୍ଧାର ପାଇଁ ତିଆରି ହୋଇଥାଏ, ତେଣୁ କୌଣସି ମୂହୁର୍ତ୍ତରେ ମଧ୍ୟ ଅନ୍ଧାର ସେମାନଙ୍କୁ ଅସହ୍ୟ ମନେହୁଏ ନାହିଁ । ରାତ୍ରିଚରକୁ ରାତି ସବୁବେଳେ ସୁହାଏ । ତେଣୁ ବର୍ତମାନ ଚାରିଆଡେ ଘେରିରହିଥିବା ରାତିସହିତ ଆମେ ଯେତିକି ଖାପ ଖୁଆଇ ନେବାକୁ ଚେଷ୍ଟା କରୁଥବା, ସେତିକି ଆମେ ଏ ରାତିକୁ ଆଦରି ରହିଯିବା । ସମାଜରେ ସମସ୍ତେ ଅଭିନୟ କରୁଛନ୍ତି, ତେଣୁ ମୁଁ ଅଭିନୟ କରିବି, ସମାଜରେ ସମସ୍ତେ ଭୟ କରୁଛନ୍ତି, ତେଣୁ ମୁଁ ଭୟ କରିବି । ଆହୁରି ଅଧିକ ବ୍ୟାବହାରିକ ସ୍ତରକୁ ଆସି କହିଲେ,-ସମସ୍ତେ ଲାଞ୍ଚ ଦେଉଛନ୍ତି, ତେଣୁ ମୁଁ ଲାଞ୍ଚ ଦେବି, ସମସ୍ତେ ଠକୁଚନ୍ତି, ତେଣୁ ମୁଁ ଠକିବି, ସମସ୍ତେ ଉପରକୁ ଖୋସାମଦ କରି ଦଳକୁ ଧମକାଉଛନ୍ତି, ତେଣୁ ମୁଁ ମଧ୍ୟ ସେହିପରି କରିବି । ଆମେ ଭିତରୁ ଅନେକ ଏହିପରି ଏକ ସହଜ ଯୁକ୍ତିରେ ମଣ ହୋଇଗଲେଣି । ତେଣୁ ସେମାନଙ୍କୁ ଏ ରାତି ଆଉ ରାତିପରି ମନେ ହେଉନାହିଁ । ରାତ୍ରି-ରାଜ୍ୟର ଦାବୀ ଅନୁସାରେ ସେମାନେ ଆପଣାକୁ ଅନୁଗତ ପ୍ରଜାପରି ସଜାଇ ରଖୁଚନ୍ତି । ଏ ରାଜ୍ୟରେ ରାଜନୀତି ଅଛି, ନ୍ୟାୟ ଅଛି, ଧର୍ମ ଅଛି, ସହିତ୍ୟ ଅଛି, ଶିକ୍ଷା ଓ ଯୋଜନା ମଧ୍ୟ ଅଛି, କିନ୍ତୁ ସେ ସମସ୍ତେ ରାତିର ଅନ୍ଧାର ଭିତରେ ହିଁ ଚଳୁଚି । ସେଥିପାଇଁ ଏସବୁ ଦ୍ଵାରା ଆମ ଜୀବନ ଯେପରି ଭାବରେ ଉପକୃତ ହୋଇପାରନ୍ତା, ତାହା ହୋଇପାରୁନାହିଁ । ସବୁ ମିଶି ଯେପରି ଆମକୁ ଅଧିକ ଭାଗ୍ୟବାଦୀ କରି ପକାଉଚନ୍ତି । ଅନ୍ଧାର ଯେତିକି ଘନୀଭୂତ ହେଉଚି, ଯନ୍ତ୍ରପରି ଆମେ ସେତିକି ଅନ୍ଧାରର ଜୀବଭାବରେ ଆପଣାକୁ ତିଆରି କରିବାରେ ଲାଗିଚୁ ।

 

ତେଣୁ ପ୍ରଥମେ ଏ ରାତିକୁ ରାତି ବୋଲି ସ୍ଵୀକାର କରିବାକୁ ପଡ଼ିବ। ଏ ରାତିର ଅନ୍ଧାରକୁ ଏକ ସତ୍ୟ ବୋଲି ସ୍ଵୀକାର କରିବାକୁ ପଡ଼ିବ । ଏବଂ ସେହି ସତ୍ୟର ଭୂମି ଉପରେ ଆପଣାକୁ ନିରକ୍ଷଣ କରି ଦେଖିବାକୁ ହେବ । ଆପଣାକୁ ଏପରି ଦେଖିବାପାଇଁ ଯେତିକି ସାହସ ଲୋଡ଼ା, ସେତିକି ସାହସ ମଧ୍ୟ ଆଜି ଆମ ଭିତରେ ନାହିଁ । ଆପଣାର ହେବାର ନିର୍ଭୟତା ଆମ ପାଖରେ ନାହିଁ । ଆମ ଭିତରୁ କିଏ ବଡ଼ ଚାକିରି କରିଚି, ଚାକିରୀଟିରେ ତିଷ୍ଟି ରହିବାକୁ ତାକୁ ନାନାପ୍ରକାର ପୋଷାକୀ ଚାତୁରୀ ଦେଖାଇବାକୁ ପଡ଼ୁଚି । ଏଗୁଡ଼ାକ ତାକୁ ଆଦୌ ଭଲ ଲାଗୁନାହିଁ, ତଥାପି ସେ ଯେପରି ଅଛି ସେହିପରି ରହିଚି । ଆମ ଭିତରୁ କିଏ ରାଜନୀତି କରୁଚି, ସେଥିରେ ତିଷ୍ଟି ରହିବାକୁ ତାକୁ କାୟେନମନସାବାଚା କେତେ ପ୍ରକାରର ବାଜିକର ଦେବାକୁ ପଡ଼ୁଚି । ଏଗୁଡ଼ାକ ତାକୁ ନିଜକୁ ଭଲ ଲାଗୁନାହିଁ । ତଥାପି ସେ ତୁଣ୍ଡିବନ୍ଧା ବଳଦପରି ଚାଲିଚି, କ୍ଷମତା ଓ ସମ୍ମାନ ସୁନାତୁଣ୍ଡି ବୋହି ଚାଲିଚି । ଆମ ଭିତରୁ କିଏ ସାହିତ୍ୟ କରୁଚି, ଏଥିରେ ତିଷ୍ଠି ରହିବାପାଇଁ କେତେ ଦରବାରରେ ତାକୁ କେତେ ନବୋଦଭବ ଅପାତ୍ରରେ ରସର ନିବେଦନ କରିବାକୁ ପଡ଼ୁଚି । ତହିଁରେ ସେ ନିଜେ ମଧ୍ୟ ଅସନ୍ତୋଷରେ ଛଟପଟ ହେଉଚି, ତଥାପି ସେ ଯେଉଁଠି ଅଛି,ସେଇଠି ରହିଚି । ଆମେସବୁ ଯିଏ ଯୋଉଠି ଅଛୁ, ସେଠାରୁ ମୁକିଳି ବାହାରିବାକୁ ଆମକୁ ଭୟ ଲାଗୁଛି । ଆମେ ସମସ୍ତେ ଅପରର ନିନ୍ଦା କରୁଚୁ, ଆପଣାର ସମୁଖୀନ ହେବାର ପ୍ରଚ୍ଛନ୍ନ ଭୟକୁ ଲୁଚାଇବାକୁ ଯାଇ ଆମେ ସେପରି କରୁଚୁ । ରାତିକୁ ରାତିବୋଲି ସ୍ଵୀକାର କରିବା ମାତ୍ରକେ ଆପଣା ଭିତରେ ଆମକୁ ଆପଣାର ସମ୍ମୁଖୀନ ହେବାକୁ ପଡ଼ିବ, ନାନା ପ୍ରଶ୍ନରେ ଆପଣାକୁ ବ୍ୟତିବ୍ୟସ୍ତ କରିବାକୁ ପଡ଼ିବ, ଠିକ୍ ଏହିଗୁଡ଼ିକ କରିବାକୁ ଡରୁଥିବାରୁ ଆମେ ସତ୍ୟକୁ ଫାଙ୍କିଦେଇ ଚାଲିଯାଉଚୁ, ରାତ୍ରିକୁ ଅବଜ୍ଞା କରି ଅନ୍ଧାରରେ ମଣ ହୋଇ ଯେକୌଣସି ପ୍ରକାରରେ ତିଷ୍ଠି ରହିବାକୁ ଆମେ କେତେ ଅପଚେଷ୍ଟା କରୁଚୁ ।

 

ରାତି ଆଉ କେତେ ବାକି ଆଛି, ଆମ ଭିତରୁ ଯିଏ ଏତିକି ପଚାରିବ, ଏ ରାତି ଯେ ଦିନେ ପାଇବ, ଏ ବିଶ୍ଵାସ ମଧ୍ୟ ତାକୁ ରଖିବାକୁ ପଡ଼ିବ । ଏ ରାତି ପ୍ରକୃତରେ ଦିନେ ପାହିବ । ଅସନ୍ତୋଷର ଅନ୍ଧାର ସଢ଼ି ସଢ଼ି ଆମରି ମନଭିତରେ ନିଶ୍ଚିତ ଦିନେ ସିନ୍ଦୁର ଫାଟିବ । ସୃଷ୍ଟି ଯେମିତି ଅଛି, ତାକୁ ସେମିତି ରଖିବାକୁ ବିଧାତାକୁ ମଧ୍ୟ କୁଆଡ଼େ ଭଲ ଲାଗେ ନାହିଁ । ସେଥିପାଇଁ ପୁରୁଣାକୁ ଭାଙ୍ଗି ସେ ବାରବାର ନୁଆର ସୃଜନ କରନ୍ତି ବୋଲି ଇଂରାଜ କବିଙ୍କର ଭକ୍ତି ଆମେ ଅନେକ ଶୁଣିଥିବା । ବର୍ତ୍ତମାନ ଅନ୍ଧାର ସଢ଼ୁଚି, ଅସନ୍ତୋଷ ପାଚୁଚି । ଆପଣାର ଅସନ୍ତୋଷକୁ ଆମେ ଯେତିକି ଏଡ଼ିଦେଇ ସୁନାପୁଅ ହେବାକୁ ଚେଷ୍ଟା କରୁଥିବା, ଆମରି ଅଦୃଶ୍ୟରେ ଅନ୍ତର ଭିତରେ ଆଜି ରାତିର ମାଟିତଳେ ସେ ସେତିକି ନିଶ୍ଚିତଭାବରେ ମଞ୍ଜିଟିଏ ହୋଇ ଅପେକ୍ଷା କରିଥିବ । ଏହି ବିଶ୍ଵାସ ଆମ ଭିତରେ ଯେତିକି ଦୃଢ଼ ହେବ, ଯେତିକି ପ୍ରସାରିତ ହେବ, ଅବଶ୍ୟ ରାତିପାହିବା ସେତିକି ପାଖ ହୋଇଆସିବ । କିନ୍ତୁ ରାତିର ଜୀବାଣୁକୁଣ୍ଡ ଭିତର ଯେତେ ଅଚେତନ ସରାଗରେ ଆମେ ରାତ୍ରିର ସମ୍ପତ୍ତି ହୋଇ ରହିବାର ସ୍ଵପ୍ନ ଦେଖୁଥିଲେ ମଧ୍ୟ ତଥାପି ଏ ରାତି ପାହିବ । ରାତ୍ରିବେପାରର ଡଙ୍ଗାଟି ଅତି ବୋଝାର ହୋଇଗଲେ ତାହା ବୁଡ଼ିବାକୁ କଦାପି ଅଧିକ ବିଳମ୍ଭ ହେବନାହିଁ । ଏ ଦେଶରେ ଅଧେ ମଣିଷ ଖାଇବାକୁ ପାଉନଥିବେ । ଅଧିକରୁ ବେଶୀ ପିଲା ପାଠ ପଢ଼ିବାରୁ ବଞ୍ଚିତ ହେଉଥିବେ, ଏ ଦେଶର ଶାସନକୁ ଦେଶର ଅଧିକ ମଣିଷ ବୁଝି ପାରୁନଥିବେ, ଏ ଦେଶର ସାହିତ୍ୟ କେବଳ କେତେକଙ୍କର ଉପଜୀବୀ ଓ ଉପଭୋଗ୍ୟ ହୋଇ ରହିଥିବ, ଏହା ସବୁଦିନ ଚାଲିପାରିବ ନାହିଁ । କୌଣସି ପ୍ରକାର ପ୍ରବୋଧନାର ବାଜିଗରି ଏହାକୁ ବଞ୍ଚାଇ ରଖିପାରିବ ନାହିଁ । ଆଜି ମଣିଷ ଅତି ବିକଳରେ ଏହି ମାର୍ଗ ସହିତ ଆପଣାକୁ ଖାପ ଖୁଆଇ ନେବାକୁ ନାନାପ୍ରକାରେ ବ୍ୟସ୍ତ ରହିଚି । ସେହି ବ୍ୟସ୍ତତାରେ ଘାରିହୋଇ ସେ ଶିକ୍ଷାକୁ ମଧ୍ୟ କେବଳ ଯାହା ଅଛି, ତାକୁ ମାନି ଚଳିବାର ଏକ କୌଶଳ ଶିଖାଇବାର ସାଧନରୂପେ ବ୍ୟବହାର କରୁଚି । ତଥାପି ମଣିଷର ଚେତା ହେବ, ତଥାପି ସେ ଦିନେ ସହିବାକୁ ମନା କରିଦେବ, ଅନ୍ୟାୟ ସହିବାକୁ ଓ ଅନ୍ୟାୟ କରିବାକୁ ସେ ଦିନେ ବିଧାତାର ଅଭିଶାପ ବୋଲି ମନେ କରିବ । ସେହିଦିନ ତରୁଣର ନବପ୍ରଭାତ ହେବ, କାଳକାଳରୁ ମଣାଇ ରଖିଥିବା ରାତି ପଳାଇଯିବ ।

 

ଅଢ଼େଇହଜାର ବର୍ଷ ପୂର୍ବେ ଏଥେନସ୍ ନଗରୀର ରାସ୍ତାଉପରେ ଜଣେ ପ୍ରବୃଦ୍ଧ ତରୁଣଙ୍କର କଥା ଏଠାରେ ଆଲୋଚନା, କରାଯାଇପାରେ । ସକ୍ରେଟିସଙ୍କର ଧନ ସମ୍ପତି ନଥିଲା, ସେ ଦେଖିବାକୁ ଅତିଶୟ କଦାକାର ଥିଲେ, କୌଣସି ବଡ଼ ସୀକୃତ ଦପ୍ତରରେ ସେ କ୍ଷମତାଗରିଷ୍ଠ ହୋଇ ବସିନଥିଲେ । ତଥାପି ଏଥେନସର ଆଚାର ଓ ସଭ୍ୟତା ଉପରେ ଆଚ୍ଛନ୍ନହୋଇ ରହିଥିବା ରାତି ପ୍ରଥେମେ ତାହାଙ୍କୁ ହିଁ ଅସହ୍ୟ ବୋଧ ହେଲା । ତାଙ୍କ ତାରୁଣ୍ୟ ତାଙ୍କୁ ଘରୁ ବାହାରକରି ଆଣିଲା । ସାଧାରଣ ଜୀବନଯାତ୍ରାର ହାଟଭିତରେ ରାସ୍ତାଉପରେ ତାଙ୍କର ବିଦ୍ୟାଳୟ ଆରମ୍ଭ ହେଲା । ଆପଣାର ପ୍ରଶ୍ନ ଓ କଥୋପକଥନ ଦ୍ୟାରା ସେ ଏଥେନସର ଯୁବକ, ଜ୍ଞାନୀ ଓ ଉଚ୍ଚପଦସ୍ଥ ଅନେକଙ୍କୁ ବିଚଳିତ କରିପକାଇଲେ । ପୁରୁଣାଭିତରେ ପଡ଼ିରହିବାର ଯେତେ ଅଜ୍ଞ ଲାଳସା ଯେତେଠାଇଁ ଖୋସା ବାନ୍ଧି ରହିଥିଲା, ସେହି ଖୋସାମାନ ଛିନ୍ନଭିନ୍ନ ହୋଇଗଲା । ମଣିଷ ଯାହାକୁ ସତ୍ୟ ବୋଲି ଭାବୁଚି, ତାହା ସତ୍ୟ ନୁହେଁ, ଯାହାକୁ ସୌନ୍ଦର୍ଯ୍ୟ ବୋଲି ଭାବୁଚି ତାହା ସୌନ୍ଦର୍ଯ୍ୟ ନୁହେଁ । ଜୀବନକୁ ଜାଣିବାର ବା ଚାଖିବାର ଉତ୍ତେଜନରେ ଯେ ଯେତେ ଯେଉଁଠି ବ୍ୟସ୍ତସମସ୍ତ ହୋଇ ଲାଗିରହିଚି, ସେଠାରେ ଜୀବନ ନାହିଁ, କେବଳ ମରଣ ହିଁ ରହିଚି । ମଣିଷ ଆପଣାକୁ ପଚାରୁ, ଆପଣାର ସକଳ ସଂଗ୍ରହକୁ ସେ ଅନ୍ତରର ପରିମାପ-ଯନ୍ତ୍ର ଉପରେ ଓଜନକରି ଶିଖୁ, ଆପଣାର ଜ୍ଞାନ ଓ ଅନ୍ୟାନ ଅନେକ ଅନୁଧାବନକୁ ସେ ତଉଲି ଶିଖୁ, ସଂଶୟ କରି ଶିଖୁ- ଏହି ଆତ୍ମଜିଜ୍ଞାସାର କ୍ଷେତ୍ରରେ ପ୍ରତ୍ୟେକ ତରୁଣର ଅନ୍ତରଭିତରେ ସକ୍ରେଟିସ ଆଘାତ କରିବାକୁ ଆରମ୍ଭ କଲେ । ମଣିଷର ନିଦ ଭାଙ୍ଗିଲେ ହିଁ ତାରୁଣ୍ୟ ଆସି ପହଞ୍ଚିଯାଏ, ଯାହା ଅଛି ତାହାକୁ ହିଁ ଅବଲମ୍ବନ-ସର୍ବସ୍ଵ ବୋଲି ଗ୍ରହଣ କରି ଶୋଇପଡ଼ିଲେ ମଣିଷ ବୁଢ଼ା ହୁଏ । ମଣିଷ ଅଟକିଗଲେ ମରିଯାଏ, ଚଳିବାକୁ ଆରମ୍ଭ କଲେ ଇନ୍ଧ୍ରଙ୍କୁ ମଧ୍ୟ ଆପଣାର ସଖା ହିସାବରେ ପାଏ । ଆପଣାକୁ ଯିଏ ପ୍ରଶ୍ନ ପଚାରିବାକୁ ଆରମ୍ଭ କରେ, କେବଳ ତାହାରି ଜୀବନରେ ଗତିସଂଚାର ହୁଏ । ସକ୍ରେଟିସ୍ ମଣିଷର ଭୟ ଭାଙ୍ଗିଦେଲେ, ତା’ର ତାରୁଣ୍ୟର ଦ୍ଵାରରେ ଉଦବୋଧନ ଦେଲେ । ସେଥିପାଇଁ ତାଙ୍କୁ ଶାସକର ବିଷଦୃଷ୍ଟିରେ ପଡ଼ିବାକୁ ହେଲା । କ୍ଷମତା, ଜ୍ଞାନ, ପଦ ଓ ପାଣ୍ଡିତ୍ୟରେ ଯେତେଲୋକ ସେ ରାଜ୍ୟରେ ବୁଢ଼ାହୋଇ ବସିଥିଲେ, ସମସ୍ତେ ଆତଙ୍କିତ ହୋଇଉଠିଲେ । ସକ୍ରେଟିସଙ୍କର ବିଚରା ହେଲା; ସେ ତରୁଣମାନଙ୍କର ମନକୁ ବିପର୍ଯ୍ୟସ୍ତ କରି ପକାଉଚନ୍ତି, ତାଙ୍କ ଅପରାଧର ଏହିପରି ନିର୍ଣ୍ଣୟ କରାଗଲା । ସକ୍ରେଟିସ୍ ହସି ହସି ବିଷପାତ୍ରରୁ ବିଷପାନ କଲେ । ଶରୀର ଭିତରୁ ପ୍ରାଣର ଶେଷ ସ୍ପନ୍ଦନଟି ଚାଲିଯିବା ପର୍ଯ୍ୟନ୍ତ ସେ ତରୁଣ ହିଁ ଥିଲେ ବୋଲି କହିବାକୁ ହେବ । ମରଣ ଲାଗି ତାଙ୍କର ମନରେ କାହାରିପ୍ରତି କୌଣସି ଅପ୍ରସନ୍ନତା ନଥିଲା । ତରୁଣ କେବେହେଲେ କାହାରିକୁ ଦୋଷ ଦେଇ ସାନ୍ତ୍ଵନା ଲାଭ କରେ ନାହିଁ । ସବୁ କ୍ଷେତ୍ରରେ ସେ ଆଗ ଆପଣାକୁ ନେଇ ଠିଆ କରିଦିଏ । ସ୍ଵତନ୍ତ୍ର ମଣିଷର ସ୍ଵଭାବ ନିରୂପଣ କରିବାକୁ ଯାଇ ଦାର୍ଶନିକ ସ୍ପିନୋଜା ଯେଉଁ ସଂଜ୍ଞା ଦେଇଚନ୍ତି,ସେହି ସଂଜ୍ଞା ହିଁ ହେଉଚି ତରୁଣର ସଂଜ୍ଞା । ‘ସ୍ଵତନ୍ତ୍ର ମଣିଷ ହାତଉପରେ ତା’ର ଜୀବନକୁ ରଖିଦେଇ ସଂସାରରେ ବିଚରଣ କରେ’, ଅର୍ଥାତ୍ କୌଣସି ପ୍ରକାରର ଭୟବୃଦ୍ଧି ତାକୁ ତା’ର ଜୀବନରେ ସଙ୍କୁଚିତ କରି ରଖେ ନାହିଁ ।

 

ଓଡ଼ିଶାରେ ଆଜି ସେହିପରି ତରୁଣଦଳର ଆବଶ୍ୟକତା ସବୁଠାରୁ ବେଶୀ । ବିଦ୍ୟାଳୟରେ ପାଠ ପଢ଼ି ପିଲାଏ ବଡ଼ହୋଇ ସମାଜକୁ ନୂଆ କରି ଗଢ଼ିବେ ବୋଲି ଗୋପବନ୍ଧୁ ଏହି ଓଡ଼ିଶାର ଏକ ବକୁଳବନରେ ଏକ ବିପ୍ଲବ ଆରମ୍ଭ କରିଥିଲେ । ସେଠାରେ ସମସ୍ତେ ମିଶି ବୋମାପରି ତିଆରି ହେଉଛନ୍ତି ବୋଲି ସେ କହୁଥିଲେ । ଓଡ଼ିଶାର ଅତି ଦୁର୍ଭାଗ୍ୟ ଯେ ଉତ୍କଳମଣିଙ୍କର ଯିବା ପରେ ପରେ ସେହି ବୋମାମାନେ ନାନା ଅକ୍ଷେତ୍ରରେ ଓ ଅସମୟରେ ଫାଟିଗଲେ, ଯାହାର ଆଘାତ ବାକି ବୋମା ତିଆରି କରୁଥିବା ସେହି ବିଦ୍ୟାଳୟଟି ମଧ୍ୟ ଭାଙ୍ଗିପଡ଼ିଲା । ବର୍ତ୍ତମାନ ଓଡ଼ିଶାର ତଥାକଥିତ ବିଦ୍ୟାଳୟମାନଙ୍କରେ ତ ଶିକ୍ଷା-ଦପ୍ତରରେ ବସିଥିବା କ୍ଷମତାଧୀଶର ବନସୀକଣ୍ଟା ଗିଳୁ ଗିଳୁ ସମସ୍ତଙ୍କ ପ୍ରାଣାନ୍ତ ହୋଇଯାଉଚି, ସେଠାରେ ବୋମା ହେବାକୁ ବା ବୋମା ତିଆରି କରିବାକୁ ବେଳ କାହିଁ ? ଆମେ ଲୁଣକୁ ଯେଉଁଥିରେ ପକାଇବା, ତାହାକୁ ସେ ଲୁଣିଆ କରିଦେଇ ପାରିବ । କିନ୍ତୁ ବର୍ତ୍ତମାନର ବିଦ୍ୟାଳୟର ଲୁଣରୁ ଲାବଣତ୍ଵ ଚାଲିଯାଉଚି । ହଜାର ହଜାର ଟଙ୍କା ଓ ହଜାର ପ୍ରକାରର କୁଚକାଓଆଜ୍ ସତ୍ତ୍ୱେ ଏହିସବୁ ଅଲଣା ଆଳୟ ରାତ୍ରିର ଅନ୍ଧାରକୁ ଅଧିକ ସ୍ଥାୟୀ କରି ରଖିବାରେ ହିଁ ସାହାଯ୍ୟ କରିବ । କିନ୍ତୁ ତଥାପି ଆଜି ତରୁଣକୁ ଦାଣ୍ଡରେ ବାହାରିବାକୁ ପଡ଼ିବ । ଦୁଆର ଦୁଆର ବୁଲି ତାକୁ ତା’ର ଆଘାତ ଜଣାଇ ଆସିବାକୁ ପଡ଼ିବ । ସେ ଯୁଗରେ ସକ୍ରେଟିସ୍ ଯେମିତି ପଚାରୁଥିଲେ ଆଜି ସେମିତି ଅଶେଷ ପ୍ରଶ୍ନରେ ରାତିର ଏହି ମରଣାତ୍ମକ ଶାନ୍ତିକୁ ବିଚଳିତ କରିଦେବାକୁ ପଡ଼ିବ । ଆପଣାକୁ ପଚାରିବାକୁ ପଡ଼ିବ, ଆପଣା ଭିତରେ ପରସ୍ପରକୁ ପଚାରିବାକୁ ପଡ଼ିବ, ସାହିତ୍ୟ ଓ ସଂସ୍କୃତିର ଫେଣାଟାକୁ ନିଜର କର୍ମଫଳ ବୋଲି ଭାବି ତାହାରି ଉପରେ ମୁହଁମାଡ଼ି ପଡ଼ିଥିବା ସମସ୍ତ ଅଳସୁଆ ମହୁମାଛିଙ୍କୁ ପଚାରିବାକୁ ପଡ଼ିବ । ଏ ରାତି ପାହିବାକୁ ହେଲେ ଅନେକ ସ୍ଥାନର ଅନେକ ଶାନ୍ତି ଓ ସ୍ଥାଣୁତାକୁ ଭାଙ୍ଗିବାକୁ ହିଁ ପଡ଼ିବ । ତରୁଣ ଯୀଶୁ ପୁରୁଣା ଜେରୁଜେଲମ୍ (ହିବ୍ରୁ ଭଷାରେ ଇର୍-ଉ-ସାଲୋମ୍, ଅର୍ଥାତ୍ ଶାନ୍ତିର ନଗରୀ) ରେ ଶାସକ, ପୁରୋହିତ ଓ ବଣିକଙ୍କର ଶାନ୍ତିଭଙ୍ଗ କରିଥିଲେ । ନୂତର ସଂସ୍ଥାପନା ଅର୍ଥାତ ପୁରୁଣାର ଶାନ୍ତିଭଙ୍ଗ କରିବାଲାଗି ତରୁଣ ଭଗବାନ ଏମିତି ବାରବାର ସଂସାରକୁ ଅବତରଣ କରନ୍ତି । କଣ୍ଢେଇକୁ ଭଗବାନ ବୋଲି ଧରି ପଡ଼ିରହିଥିବା ଭକ୍ତ ଏ ଅବଚାରର ମହିମା ବୁଝି ପାରିବ ନାହିଁ । କେବଳ ତରୁଣ ଭକ୍ତ ହିଁ ବୁଝିପାରିବ ।

 

ତରୁଣର ଦୀକ୍ଷା ଯିଏ ନେବ, ତାକୁ ଅନେକ ପ୍ରକାରେ ବିପର୍ଯ୍ୟସ୍ତ ହେବାକୁ ପଡ଼ିବ । ଠିକ୍ ଯେପରି ସକ୍ରେଟିସ୍ ଓ ଯୀଶୁଙ୍କୁ ସେ ଯୁଗରେ ବିପର୍ଯ୍ୟସ୍ତ ହେବାକୁ ପଡ଼ିଥିଲା । ଆମେ ପୁରୁଣା ସହିତ ଆପଣାକୁ ଖାପ ଖୁଆଇ କଳୁଥିବା ପର୍ଯ୍ୟନ୍ତ ପୁରୁଣା ଆମ ପାଖରେ ଅନେକ ସୁଖସୁବିଧା ଆଣି ପହୁଞ୍ଚାଇ ହେଉଥିବ । ଯିଏ ସମାଜକୁ ମାନିକରି ଚଳିବ, ସମାଜର ସମସ୍ତ ସୁଖସୁବିଧା ସେ ଅବଶ୍ୟ ଭୋଗ କରିବ । ଏ ସମାଜକୁ ଅସହ୍ୟ ମନେ କଲା ମାତ୍ରକେ ଆମେ ଆଉ ସେସବୁ ସୁଖସୁବିଧା ଆଶା କରିପାରିବା ନାହିଁ । ଅତି ସାମାନ୍ୟ କେତଟା ଦୃଷ୍ଟାନ୍ତ ଦେଲେ ଆମେ ଏହାର ତାତ୍ପର୍ଯ୍ୟ ବୁଝିପାରିବା । ଯେତେ ଘୃଣାଜନକ ହେଲେ ମଧ୍ୟ ଆଜି ସମସ୍ତେ ଖୋସାମଦ କରୁଚନ୍ତି । ଯେତେ ହାଟବଜାର ପରି ଅମାନୁଷିକ ବୋଧ ହେଲେ ମଧ୍ୟ ଆଜି ସମସ୍ତେ ଠକିକରି ପଇସା ଖାଉଚନ୍ତି । କୌଣସି ଯୁବକ ଯଦି ଆଜି ତା’ର ଚାକିରିର ଉପାର୍ଜନ ଛତ୍ର ଭିତରେ ବସି ଖୋସାମଦ କରିବାକୁ ନାହିଁ କରିଦେବ ବା ଠକିକରି ପଇସା ନେବାକୁ ନାହିଁ କରିଦେବ, ତେବେ ଆମର ସମାଜରେ ତାର କି ଦଶାହେବ, ତାହା ଅନୁମାନ କରାଯାଇ ପାରେ । ରୋଗୀକୁ ଭଲ କରିବା କଥା ଛାଡ଼, ଡାକ୍ତରଖାନାରେ ରୋଗୀପାଇଁ ସାତଚାଖଣ୍ଡ ଯାଗା ଠିକକରି ଦେବାକୁ କୌଣସି ଡାକ୍ତର ଯଦି ଆଜି ସଲାମୀ ନେବାକୁ ମନା କରିଦେବେ, ତାଙ୍କୁ ସମସ୍ତେ କି ନିର୍ବୋଧ ଓ ଦୟନୀୟ ବ୍ୟତିକ୍ରମ ବୋଲି ନ କହିବେ ? କୌଣସି ଶିକ୍ଷକ ଯଦି କ୍ଳାସରେ ମନଦେଇ ପଠ ପଢ଼ାଇବାକୁ ଆରମ୍ଭ କରିବ, ତେବେ ଟିଉସନର ଆଧାରଖାଇ ବଞ୍ଚୁଥିବା ଅନ୍ୟାନ୍ୟ ଶିକ୍ଷକମାନେ ତାକୁ କେଡ଼େ ଗୋଠଖଣ୍ଡିଆ ବୋଲି ନ ଭାବିବେ ? ଅପର ଦଳର ପ୍ରାର୍ଥୀକୁ ଭୋଟ ଦେଇଥିବା ଅଞ୍ଚଳର ଲୋକମାନଙ୍କ ପାଇଁ କୌଣସି ରାଜନୀତିକ ପ୍ରତିନିଧି କିଛି ଉପକାର କରିଦେଲେ, ଅଧିକ ଅଭିଜ୍ଞତା ଓ ଅନୁଭୂତିରେ ଜୁଆ ହୋଇଥିବା ନେତାମାନେ ତାକୁ କେଡ଼େ ଅପାରଗ ଓଲୁ ବୋଲି ନ କହିବେ ? ତେଣୁ ପ୍ରଚଳିତ ସମାଜରେ ତରୁଣକୁ ଅନେକ ସୌଭାଗ୍ୟରୁ ବଞ୍ଚିତ ଓ ଦରିଦ୍ର ହେବାକୁ ପଡ଼ିବ । ଏହିପରି ଭାଗ୍ୟବନ୍ତ ଦରିଦ୍ରମାନଙ୍କ ହାତରେ ବୋଧହୁଏ ଯୀଶୁଖ୍ରୀଷ୍ଟ ଜଗତର ଉତ୍ତରାଧିକାର ହେବାଲାଗି ସ୍ଵପ୍ନ ଦେଖିଥିଲେ ।

 

ତରୁଣ ନିର୍ଭୟ ହେବ । ସଂସାରରେ ସେ କାହାରିକୁ ଭୟ କରିବ ନାହିଁ । ଆପଣାକୁ ମଧ୍ୟ ଭୟ କରିବ ନାହିଁ । ଭୟରୁ ହିଁ ଘୃଣା ଜାତ ହୁଏ । ଆପଣାକୁ ଭୟ କରି ଯିଏ ଆପଣାକୁ ଲୁଚାଇ ରଖିବାକୁ ଚାହେଁ, ସେ ଅପର ଉପରେ ସମସ୍ତ ପ୍ରକାର ଦୋଷ ଓ ଅଭାବର ଆରୋପ କରି ଗୋଟାଏ ପ୍ରକାର ସାନ୍ତ୍ଵନା ପାଏ । ମନଭିତରେ କୌଣସି ପ୍ରକାରର ଭୟ ବସା ବାନ୍ଧି ରହିଥିବା ପର୍ଯ୍ୟନ୍ତ ଆମର ଉପାର୍ଜିତ ଜ୍ଞାନ ବା ଧନ ଆମକୁ ଆଦୌ ବାଟ ଦେଖାଇ ପାରିବ ନାହିଁ । ବର୍ତ୍ତମାନ ଜଗତରେ ତ ଜ୍ଞାନ ବା ଧନର ଅଭାବ ନାହିଁ, ତଥାପି ଭୟର କବଳରେ ପଡ଼ି ଆମେ ସେସବୁର କେବଳ ଦୁର୍ବ୍ୟବହାର ହିଁ କରୁଚୁ । ଭୟର ଦର୍ଶନ ହେଉଚି ମରଣର ଦର୍ଶନ, ରାତ୍ରି ଓ ଅନ୍ଧାକାରର ଦର୍ଶନ । ଯେତେପ୍ରକାର ଆଧୁନିକ ଓ ବ୍ୟାବହାରିକ ଯୁକ୍ତି ଦେଖାଇ ଭୟକୁ ଆମେ ତାତକାଳିକ ମହତ୍ଵ ଦେଇ ଜିଆଇ ରଖିଥିବା, ଆମର ଆପଣାଭିତରେ ଆମେ ସେତିକି ଯୁଦ୍ଧ ଓ ଦୁର୍ବଳ ଦ୍ଵନ୍ଦର ଉତ୍ତେଜନାକୁ ଜାରି ରଖିଥିବା ଓ ତେଣୁ ବାହାରେ ମଧ୍ୟ ଯୁଦ୍ଧ ଓ ଦ୍ଵେଷ ଲାଗିରହିଥିବ ।

 

ପ୍ରତ୍ୟେକ ତରୁଣ ମଣିଷ ଭିତରେ ମଣିଷର ଆବିଷ୍କାର କରି ଶିଖିବ । କୌଣସି ପ୍ରକାର ଆବଶ୍ୟକତାର ଆଳ ଦେଖାଇ ସେ କଦାପି ମଣିଷକୁ କେବଳ ଏକ ସାଧନ ପରି ବ୍ୟବହାର କରିବନାହିଁ । ଆଜି ମଣିଷ ମଣିଷର ବେଠି ଖଟୁଚି, ମଣିଷ ପିଲା ଆଜି ଘୁଷୁରିପରି ମରୁଚି, ମଣିଷ ଆଜି ନାନା ଦୁରାତ୍ମ ଆଦର୍ଶ ଓ ଦୁଷ୍ଟ ଅନୁଗ୍ରହର ଶିକାର ହେଉଚି । ନାନା ପ୍ରକାର ଚତୁର ସ୍ତୁତିର ବେଦୀ ଉପରେ ମଣିଷକୁ ବଳି ଦିଆଯାଉଚି। ମଣିଷକୁ ଏହି ଶହୀଦ ହେବାର ହୀନ ଭାଗ୍ୟରୁ ବଞ୍ଚାଇବାକୁ ହେବ । ମଣିଷ ମାତ୍ରକେ, ଜୀବ ମାତ୍ରକେ ଯେବେଳେ ଆମ ସମ୍ମାନ ଦେଇପାରିବା, ସେତେବେଳେ ଏହା ହୋଇପାରିବ । ଆପଣାକୁ ସମ୍ମାନ କରିପାରିଲେ ହିଁ ଆମେ ଅପରକୁ ସମ୍ମାନ ଦେଇଶଖିବା । ନିଜର ଜୀବନରେ ଅମୂଲ୍ୟ ତାରୁଣ୍ୟ ଅନୁଭବ କଲେ ଅପରକୁ ମଧ୍ୟ ଆମେ ତରୁଣ ହେବାର ପ୍ରେରଣା ଦେଇପାରିବା ।

 

ରାତି ପାହିବାର ଏହି ଉତ୍ସବରେ ତରୁଣ କଳାକାର ହିଁ ମାଙ୍ଗଳିକ କାର୍ଯ୍ୟ କରିବ । ଠେଙ୍ଗାବାଡ଼ି ନେଇ ବାହାରିଲେ ବିପ୍ଲବ ହୁଏ ନାହିଁ, ଭେକ ବା ଆଚାର ବଦଳାଇଲେ ବିପ୍ଲବ ହୁଏ ନାହିଁ, ଆଜ୍ଞାନୁବହ କର୍ମୀ ପାଳିଲେ ବିପ୍ଲବ ହୁଏ ନାହିଁ । ସଂସାରର ଇତିହାସରେ ନୀତିବାଦିମାନେ କୌଣସି ବିପ୍ଲବ କରିନାହାନ୍ତି, ଓଲଟି ନାନା ପ୍ରକାର ଅଫିମିଆ ଅଭ୍ୟାସ ଶିଖାଇ ସେମାନେ ପୁରୁଣାକୁ ବର୍ତ୍ତାଇ ରଖିବାକୁ ଚେଷ୍ଟା କରିଚନ୍ତି । ମଣିଷର ମନ ଭିତରେ ହିଁ ବିପ୍ଲବର ପ୍ରଥମ ଜନ୍ମ ହୁଏ, ଏବଂ ଏହି ମନକୁ ତିଆରି କରିବାର ଦାୟିତ୍ଵ ହେଉଚି କଳାକାରର । ଦୃଶ୍ୟ ଭିତରୁ ଯେ ଅଦୃଶ୍ୟ ଭିତରକୁ ନେଇଯାଏ, ବାହ୍ୟ ଆବରଣକୁ ଭେଦ କରାଇ ଯିଏ ହୃଦୟ-ପ୍ରବେଶ କରାଇଦିଏ, ବାଚ୍ୟର ମଧୁର ଖିଅ ଧରାଇ ଯିଏ ବ୍ୟଞ୍ଜନା ଭିତରକୁ ନେଇଯାଏ, ବାଚାଳତାକୁ ଡିଆଁଇ ଦେଇ ଯିଏ ଅନୁଭୂତିକୁ ନେଇଯାଏ, ମୁଁ ତାକୁ ହିଁ କଳାକାର ବୋଲି କହେ । ସେ ଯେକୌଣସି କ୍ଷେତ୍ରରେ ଥାଉ, ସେଥିରେ ମୋର ଆପତ୍ତି ନାହିଁ । କିନ୍ତୁ ସେ ତାର କଳାକୁ କୌଣସି ପ୍ରକାର ଆସନ ବା ଆସ୍ପର୍ଦ୍ଧାର ଅନୁଗତ କରିଦେଇ ନଥିବ, କୌଣସି ପ୍ରକାର ଲାଭାଧିପତିର ଖଟୁଲି ସଜାଇବାକୁ ସେ କଳାକୁ ବ୍ୟବହାର କରୁନଥିବ, କୌଣସି ପ୍ରକାରର ଅବାଞ୍ଚିତ ଦରବାରରେ ମୂଲ୍ୟ ବା ମୋହର ପାଇବାର ଆଶାରେ ସେ କଳାକୁ ଦାସୀକରି ଠିଆ କରାଉ ନଥିବ । ଆପଣାର କୃତି ଭିତର ଦେଇ ଯିଏ ଆଜି ଘୃଣା ଓ ଭୟର ପ୍ରଚାର କରୁଚି, ମଣିଷକୁ ମଣିଷର ବିରୁଦ୍ଧରେ ଲଢ଼ାଇ ଦେଉଚି, ସେହି ବୃଦ୍ଧ କଳାକାରକୁ ପଛରେ ଛାଡ଼ିଦେଇ ଯିବାକୁ ହେବ । ସଂସାରର ସମସ୍ତ ସ୍ଵୀକାର,ସମ୍ପତ୍ତି ଓ ସୁଖ୍ୟାତିକୁ ଅବଜ୍ଞା କରି ଫୁଲର ହସ,ପକ୍ଷୀର ସଙ୍ଗୀତ ଓ ପ୍ରଭାତର ଆଲୁଅ ଭିତରେ ଯିଏ ଆପଣା ପ୍ରାଣର ସ୍ପନ୍ଦନକୁ ଅନୁଭବ କରେ, ନୀତିବାଦୀର ସମସ୍ତ ଭର୍ତ୍ସନା ସତ୍ତ୍ୱେ ତଥାପି ଯିଏ ମଣିଷକୁ ବିଶ୍ଵାସ କରେ, ସଂସାରର ସମସ୍ତ ଯାତନା ଓ ଯନ୍ତ୍ରଣା ସତ୍ତ୍ୱେ ତଥପି ଯିଏ ଜୀବନକୁ ଭଲପାଏ, ସେହି ତରୁଣ କଳାକାର ପାଇଁ ଆସନ୍ନ ପ୍ରଭାତ ଅପେକ୍ଷାକରି ରହିଚି । ତାହାରି ଆଘାତରେ ହିଁ ଏ ରାତିର ଦୁର୍ଗ ଭାଙ୍ଗିପଡ଼ିବ, ଏ ରାତି ପାହିଯିବ ।

 

ବାଗଲପୁର,

୧୫/୮/୫୮

Image